ଭାରତ ଖସାଇଥିବା PL-15ର ଧ୍ୱଂସାବଶେଷକୁ କାହିଁକି ଚାହୁଁଛନ୍ତି ଜାପାନ,ଫ୍ରାନ୍ସ ?

pl 15

୧୧ ମଇରେ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏ.କେ. ଭାରତୀ ଏପରି ଏକ ଚିତ୍ର ଦେଖାଇଥିଲେ, ଯାହା ଦେଶ-ବିଦେଶରେ ହଟଚଟ ସୃଷ୍ଟି କରିଥିଲା। ଚିତ୍ରଟି ଥିଲା ଏକ ଚୀନୀ ପିଏଲ-୧୫ ମିସାଇଲର, ଯାହାକୁ ଭାରତୀୟ ବାୟୁ ସେନା ମଝି ଆକାଶରେ ଟାର୍ଗେଟ୍ କରି ଖସାଇ ଦେଇଥିଲା ଓ ପ୍ରାୟ ଅକ୍ଷତ ଅବସ୍ଥାରେ ଏହା ମିଳିଥିଲା। ଏହି ମିସାଇଲ ପାକିସ୍ତାନ ଦ୍ୱାରା ଉତକ୍ଷେପିତ ହୋଇଥିଲା। ଏହି ଘଟଣା ସେହି ଚାରିଦିନିଆ ସଂଘର୍ଷର ଏକ ଅଂଶ ଥିଲା, ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏକ ନୂଆ ଅଧ୍ୟାୟ ଲେଖିଥିଲା। ପ୍ରଶ୍ନ ଉଠୁଛି ଯେ ଚୀନ ଯେଉଁ ମିସାଇଲକୁ ବିଶ୍ୱର ସବୁଠାରୁ ଉନ୍ନତ ଏୟାର-ଟୁ-ଏୟାର ମିସାଇଲ ବୋଲି ଦାବି କରିଥିଲା, ତାକୁ କିପରି ଭାରତ ଏମିତି ଧୂଳି ଚଟାଇ ଦେଲା ? ଏବଂ ଏହାଠାରୁ ମଧ୍ୟ ବଡ଼ ପ୍ରଶ୍ନ, ଜାପାନ ଓ ଫ୍ରାନ୍ସ ଭଳି ଦେଶମାନେ ଏହାର ଭଗ୍ନାବଶେଷ ପ୍ରତି ଏତେ ଆଗ୍ରହ କାହିଁକି ଦେଖାଉଛନ୍ତି?

ପିଏଲ-୧୫: ଚୀନର ‘ସୁପରମିସାଇଲ’ ପ୍ରୋଜେକ୍ଟ
ଗତ ଦଶନ୍ଧିରେ ଯେତେବେଳେ ଆମେରିକାର AIM-120 ମିସାଇଲ ପ୍ରଦର୍ଶନରେ ପଛରେ ପଡ଼ୁଥିବା ଦେଖାଗଲା, ସେତେବେଳେ ଚୀନ ପିଏଲ-୧୫ ଆଣିଥିଲା। କୁହାଯାଇଥିଲା ଯେ ଏହାର ପରିସର ୨୦୦ କିଲୋମିଟରରୁ ଅଧିକ। ଗତି ମାକ ୫ ପର୍ଯ୍ୟନ୍ତ (ଅର୍ଥାତ୍ ଶବ୍ଦର ଗତିଠାରୁ ୫ ଗୁଣ ଅଧିକ)। ଏହାକୁ ଗାଇଡ କରୁଛି AESA ରଡାର, ଯାହା କେବଳ ଏକ ଜେଟରୁ ନୁହେଁ, ବରଂ AWACS ଭଳି ଏୟାରବୋର୍ନ ସିଷ୍ଟମରୁ ମଧ୍ୟ ପରିଚାଳିତ ହୋଇପାରେ।

AESA ଟେକ୍ନୋଲୋଜି, ଅର୍ଥାତ୍ Active Electronically Scanned Array ରଡାର, ଏହି ମିସାଇଲକୁ ଅତ୍ୟନ୍ତ ନିର୍ଭୁଲ କରିଥାଏ। ଏହି ମିସାଇଲ ନିଜେ ନିଜର ଲକ୍ଷ୍ୟକୁ ଚିହ୍ନଟ, ଅନୁସରଣ ଏବଂ ଆଘାତ କରିବାରେ ସକ୍ଷମ। ତାହା ମଧ୍ୟ ଏତେ ତୀବ୍ର ଗତିରେ ଯେ ଲକ୍ଷ୍ୟକୁ ଖସିବାର ସୁଯୋଗ ମିଳେ ନାହିଁ।

ମିସାଇଲAIM-120 AMRAAM (ଲେଟେଷ୍ଟ ଭେରିଏଣ୍ଟ)PL-15 (ଘରୋଇ ଚୀନୀ ସଂସ୍କରଣ)Meteor
ଦେଶଆମେରିକାଚୀନୟୁରୋପ (MBDA)
ପ୍ରୋପଲସନସଲିଡ-ଫ୍ୟୁଲ ରକେଟ ମୋଟରଡ୍ୟୁଆଲ-ପଲସ ସଲିଡ ରକେଟସଲିଡ ବୁଷ୍ଟର + ରାମଜେଟ
ଗତିମାକ ୪ମାକ ୫+ମାକ ୪+
ପରିସର୧୩୦-୧୮୦ କିମି୨୦୦-୩୦୦ କିମି୧୦୦+ କିମି (୨୦୦+ କିମି ପର୍ଯ୍ୟନ୍ତ)
ମୁଖ୍ୟ ଟେକନିକଫାୟାର-ଆଣ୍ଡ-ଫରଗେଟ, ନିରନ୍ତର ଅପଗ୍ରେଡଲଙ୍ଗ ରେଞ୍ଜ, AESA ସିକର, ଡ୍ୟୁଆଲ-ପଲସ ମୋଟରରାମଜେଟ ପ୍ରୋପଲସନ, ବଡ଼ ନୋ-ଏସକେପ ଜୋନ

ଏୟାର-ଟୁ-ଏୟାର ମିସାଇଲ କିପରି କାମ କରେ?
ଏୟାର-ଟୁ-ଏୟାର ମିସାଇଲର ମୌଳିକ ଢାଞ୍ଚା ଦଶନ୍ଧି ଧରି ଏକାପରି ରହିଛି। ମୋଟର ଯାହା ଏହାକୁ ଉଡ଼ିବାର ଶକ୍ତି ଦିଏ, ଫିନ୍ସ ଯାହା ଦିଗ ବଦଳାଏ, ଏବଂ ୱାରହେଡ ଯାହା ଲକ୍ଷ୍ୟ ନିକଟରେ ପହଞ୍ଚି ବିସ୍ଫୋରଣ ଘଟାଏ। କିନ୍ତୁ ଏବେ ଏହିଗୁଡ଼ିକରେ ଏତେ ଟେକନିକାଲ ଉନ୍ନତି ହୋଇଛି ଯେ ଏହା ହଜାର କିଲୋମିଟର ଦୂରରୁ ଉତ୍କ୍ଷେପିତ ହୋଇ ଅତ୍ୟନ୍ତ ନିର୍ଭୁଲତାର ସହିତ ଲକ୍ଷ୍ୟକୁ ଖୋଜି ପାଇପାରେ।

ପୂର୍ବେ ଏହି ମିସାଇଲଗୁଡ଼ିକ କେବଳ ଇଞ୍ଜିନର ତାପକୁ ଚିହ୍ନଟ କର ଲକ୍ଷ୍ୟ ନିର୍ଦ୍ଧାରଣ କରୁଥିଲେ। କିନ୍ତୁ ଆଜି ଏହାର ଗାଇଡାନ୍ସ ସିଷ୍ଟମ ଏତେ ଉନ୍ନତ ହୋଇଛି ଯେ ଶତ୍ରୁ ଜେଟର ରଡାର ସିଷ୍ଟମକୁ ଜାମ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ପିଏଲ-୧୫ ମଧ୍ୟ ଏହି ନୂଆ ପିଢ଼ିର ଅସ୍ତ୍ର। ଏହାର ଡ୍ୟୁଆଲ-ପଲସ ମୋଟର ଏହାକୁ କେବଳ ତୀବ୍ରଗତିର ନୁହେଁ, ବରଂ ଅଧିକ ସମୟ ଉଡ଼ିବା ଯୋଗ୍ୟ ମଧ୍ୟ କରିଥାଏ। ଅର୍ଥାତ୍ ଏହି ମିସାଇଲ ଯୁଦ୍ଧକ୍ଷେତ୍ରରେ ‘ଲଞ୍ଚ ଆଣ୍ଡ ଫରଗେଟ’ରୁ ବହୁ ଆଗକୁ ଥିବା ଟେକ୍ନୋଲୋଜିରେ କାମ କରେ।

ପିଏଲ-୧୫ର ପ୍ରଥମ ଆକ୍ରମଣ, ଭାରତ କଲା ବିଫଳ
ଅପରେସନ ସିନ୍ଦୁର ସମୟରେ ଯେତେବେଳେ ପାକିସ୍ତାନ ନିଜ ବାୟୁସେନାକୁ ଆଲର୍ଟ ମୋଡରେ ରଖିଥିଲା, ସେତେବେଳେ JF-17 ଫାଇଟର ଜେଟରୁ ଏକ ପିଏଲ-୧୫ ମିସାଇଲ ଉତକ୍ଷେପିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଭାରତର ଏକ ଫରୱାର୍ଡ ଏୟାରବେସ। କିନ୍ତୁ ଭାରତୀୟ ରଡାର ସିଷ୍ଟମ ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ୟୁନିଟ ଏହାକୁ କେବଳ ଅନୁସରଣ କରି ନଥିଲେ, ବରଂ ଏହାର ଦିଗକୁ ବିଗାଡ଼ି ଏହାକୁ ଗ୍ରାମାଞ୍ଚଳରେ ଖସିବାକୁ ବାଧ୍ୟ କରିଥିଲେ। ପଞ୍ଜାବର ସେହି ଅଞ୍ଚଳରେ ଯେତେବେଳେ ତଦନ୍ତ ଦଳ ପହଞ୍ଚିଥିଲା, ମିସାଇଲର ଏକ ବଡ଼ ଅଂଶ ପ୍ରାୟ ଅକ୍ଷତ ଅବସ୍ଥାରେ ମିଳିଥିଲା। ଏହି ଅଂଶଟି ନେବାକୁ ଏବେ ଫ୍ରାନ୍ସ, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଭାରତକୁ ଅନୁରୋଧ କରୁଛନ୍ତି।

ଫ୍ରାନ୍ସ-ଜାପାନ କାହିଁକି ଏତେ ଲାଳାୟିତ?
ପିଏଲ-୧୫ର ମୁକାବିଲା ୟୁରୋପର ମିଟିଅର ମିସାଇଲ ସହିତ ହୁଏ, ଯାହା ଭାରତର ରାଫେଲ ଫାଇଟର ଜେଟରେ ସଂଯୋଜିତ। ମିଟିଅରକୁ ଏ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଘାତକ ଏୟାର-ଟୁ-ଏୟାର ମିସାଇଲ ବୋଲି ଗଣାଯାଉଥିଲା, କିନ୍ତୁ ପିଏଲ-୧୫ର ଆଗମନ ତା’ର ମୁକୁଟ ଛଡ଼ାଇବାକୁ ଚେଷ୍ଟା କରିଥିଲା।

ଏବେ ଯେହେତୁ ଭାରତ ପାଖରେ ପିଏଲ-୧୫ର ପ୍ରାୟ ଅକ୍ଷତ ଭଗ୍ନାବଶେଷ ରହିଛି, ଏହାର ଇଲେକ୍ଟ୍ରୋନିକ ସିଗନେଚର, ରଡାର ସିଷ୍ଟମ, ମୋଟର ଡିଜାଇନ ଏବଂ ଇନ୍ଧନ କମ୍ପାର୍ଟମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଟେକନିକାଲ ଉପାଦାନଗୁଡ଼ିକର ବିସ୍ତୃତ ଅଧ୍ୟୟନ କରାଯାଇପାରିବ। ଫ୍ରାନ୍ସ ଏବଂ ଜାପାନ ଏହି ଡାଟା ମାଧ୍ୟମରେ ନିଜର ବର୍ତ୍ତମାନର ସିଷ୍ଟମକୁ ଉନ୍ନତ କରିବାକୁ ଚାହୁଁଛନ୍ତି। ଏବେ କହିହେବ ଯେ ଭାରତ ହାତରେ ଏବେ ଶତ୍ରୁ ଦେଶର ସବୁଠାରୁ ଗୁପ୍ତ ଅସ୍ତ୍ରର ବ୍ଲୁପ୍ରିଣ୍ଟ କପି ଲାଗିଛି।

ଆମେରିକା ଓ ଚୀନ ମଧ୍ୟରେ ପିଏଲ-୧୫ର ଦୌଡ଼
ପିଏଲ-୧୫ର ଆଗମନ ପରେ ଆମେରିକା AIM-260 ନାମକ ଏକ ନୂଆ ପିଢ଼ିର ମିସାଇଲ ଉପରେ କାମ ଆରମ୍ଭ କରିଥିଲା, ଯାହାକୁ ‘ଜଏଣ୍ଟ ଆଡଭାନ୍ସଡ ଟାକଟିକାଲ ମିସାଇଲ’ କୁହାଯାଉଛି। ଏହାକୁ ସିଧାସଳଖ ପିଏଲ-୧୫ର କ୍ଷମତାକୁ ଟକ୍କର ଦେବା ପାଇଁ ଡିଜାଇନ କରାଯାଇଛି। କୁହା ଯାଉଛି ଯେ ଏହାର ପରିସର ଏବଂ ଲକ୍ଷ୍ୟ ନିର୍ଦ୍ଧାରଣ ନିର୍ଭୁଲତା ପିଏଲ-୧୫ଠାରୁ ଅନେକ ଉନ୍ନତ ହେବ, କିନ୍ତୁ ବର୍ତ୍ତମାନ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି।

ଏହା ମଧ୍ୟରେ ଚୀନ ପିଏଲ-୧୭ ନାମକ ପରବର୍ତ୍ତୀ ମିସାଇଲ ଉପରେ କାମ ଆରମ୍ଭ କରିଦେଇଛି, ଯାହା ପିଏଲ-୧୫ଠାରୁ ଅଧିକ ଲମ୍ବା ପରିସର ଏବଂ ଉନ୍ନତ ଗାଇଡାନ୍ସ ସିଷ୍ଟମ ସହିତ ଆସିବ। ଅର୍ଥାତ୍ ପରବର୍ତ୍ତୀ ପିଢ଼ିର ଯୁଦ୍ଧରେ ଏୟାର-ଟୁ-ଏୟାର ମିସାଇଲଗୁଡ଼ିକ କେବଳ ଦୂରତା ଓ ଗତି ନୁହେଁ, ବରଂ ନେଟୱାର୍କ ଏବଂ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ମଧ୍ୟ ନିର୍ଦ୍ଧାରିତ ହେବ।

ଭାରତକୁ କ’ଣ ପିଏଲ-୧୫ରୁ ଭୟ କରିବା ଉଚିତ?
ଏହି ପ୍ରଶ୍ନର ଉତ୍ତର ଅପରେସନ ସିନ୍ଦୁରର ପ୍ରଦର୍ଶନରେ ଲୁଚି ରହିଛି। ଭାରତ ପିଏଲ-୧୫ ଭଳି ମିସାଇଲକୁ ଆକାଶରେ ଚିହ୍ନଟ କରି ତା’ର ଦିଗକୁ ଭ୍ରମିତ କରିଦେଇଥିଲା, ଅର୍ଥାତ୍ ଚୀନର ଏହି ‘ସୁପରମିସାଇଲ’ର ହୱା ଭାରତ ନିକାଲ ଦେଇଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବିପଦ ସମାପ୍ତ ହୋଇଛି। ଚୀନ ଏବେ ପିଏଲ-୧୭ ଭଳି ଆହୁରି ଉନ୍ନତ ମିସାଇଲ ନିର୍ମାଣ କରୁଛି, ଏବଂ ପାକିସ୍ତାନ ସହିତ ତା’ର ପ୍ରତିରକ୍ଷା ଭାଗିଦାରୀ ନିରନ୍ତର ଦୃଢ଼ ହେଉଛି।

ଭାରତ ପାଖରେ ରାଫେଲ ରହିଛି, ଯାହା ସହିତ ମିଟିଅର ମିସାଇଲ ନିଶ୍ଚିତ ଭାବେ ରହିଛି, କିନ୍ତୁ ଯଦି ଯୁଦ୍ଧ ଦୀର୍ଘ ସମୟ ଚାଲେ ତେବେ ଏଭଳି ଉନ୍ନତ ସିଷ୍ଟମର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ। ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତକୁ ଏବେ ଘରୋଇ ଭାବେ ଉନ୍ନତ ଏୟାର-ଟୁ-ଏୟାର ମିସାଇଲ ବିକଶିତ କରିବା ଉପରେ ଧ୍ୟାନ ଦେବା ଉଚିତ, ଏହା ସହିତ ଆଧୁନିକ ରଡାର ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ଟେକନୋଲୋଜିରେ ଆତ୍ମନିର୍ଭରତା ଆଡ଼କୁ ଅଗ୍ରସର ହେବା ଉଚିତ।

Leave a Reply

Your email address will not be published. Required fields are marked *