ବର୍ଷା ପୂର୍ବରୁ କାହିଁକି ଝଡ଼ ତୋଫାନ ଆସେ? ଦିଲ୍ଲୀ-NCR ରେ ଆଲର୍ଟ

କେରଳରେ ମୌସୁମୀ ବର୍ଷା ସମୟ ପୂର୍ବରୁ ପହଞ୍ଚିବା ପରେ ଏବେ ଏହା ଅନେକ ରାଜ୍ୟରେ ମଧ୍ୟ ପହଞ୍ଚିଛି। ଉତ୍ତର ଭାରତର ପାଗ ବଦଳୁଛି। ପାଣିପାଗ ବିଭାଗ ଦିଲ୍ଲୀ-NCR ସମେତ ଅନେକ ରାଜ୍ୟରେ ବର୍ଷା ପରେ ତୀବ୍ର ତୋଫାନ ପାଇଁ ଆଲର୍ଟ ଜାରି କରିଛି। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ବର୍ଷା ପୂର୍ବରୁ ତୀବ୍ର ତୋଫାନ କାହିଁକି ଆସେ? ବିଜ୍ଞାନ କହୁଛି, ବର୍ଷା ପୂର୍ବରୁ ଚାଲୁଥିବା ତୀବ୍ର ପବନ ଓ ତୋଫାନ ଏହା ସୂଚାଏ ଯେ କେଉଁ ପ୍ରକାରର ଚାପ ସୃଷ୍ଟି ହୋଇଛି। ଏହି ଚାପ ହିଁ ବର୍ଷା ପୂର୍ବରୁ ଝଡ଼ତୋଫାନ ଆଣିଥାଏ। ନିକଟରେ ଦିଲ୍ଲୀ-NCR ରେ ବର୍ଷା ପୂର୍ବରୁ ତୀବ୍ର ଝଡ଼ ଚାଲିଥିଲା। ଅନେକ ସ୍ଥାନରେ ଗଛ ଉପୁଡ଼ି ଯାଇଥିଲା। କେତେକ ସ୍ଥାନରେ ଗାଡ଼ି ଉପରେ ଗଛ ପଡ଼ି କ୍ଷତି ହୋଇଥିଲା ତ କେତେକ ସ୍ଥାନରେ ଟିଣ ସେଡ଼ ଉଡ଼ି ଯାଇଥିଲା।

ବର୍ଷା ପୂର୍ବରୁ କାହିଁକି ଆସେ ଝଡ଼ତୋଫାନ ? 

ସାଧାରଣତଃ ଗ୍ରୀଷ୍ମ ଋତୁରେ ତାପମାତ୍ରା ଧୀରେ ଧୀରେ ବଢ଼ିଥାଏ। ତାପମାତ୍ରା ବଢ଼ିବା ସହ ଏହାର ପବନ ଗରମ ହୋଇ ଉପରକୁ ଉଠିବାକୁ ଲାଗେ। ଗରମ ପବନ ଆକାଶକୁ ଉପରକୁ ଉଠୁଥିବା ବେଳେ ଉପରେ ଥିବା ଥଣ୍ଡା ପବନ ସଂସ୍ପର୍ଶରେ ଆସେ। ଥଣ୍ଡା ପବନ ଗରମ ପବନର ସ୍ଥାନ ନେବା ପାଇଁ ଦ୍ରୁତ ଗତିରେ ତଳକୁ ଆସେ। 

ଧୀରେ ଧୀରେ ଏହା ହେବା ଫଳରେ ବର୍ଷା ପୂର୍ବରୁ କମ୍‌ ଚାପ ବିଶିଷ୍ଟ ଅଞ୍ଚଳ ସୃଷ୍ଟି ହୁଏ। ହବା ଉଚ୍ଚ ଚାପରୁ ନିମ୍ନ ଚାପ ଆଡ଼କୁ ଗତି କରେ। ଏହା ହିଁ କାରଣ ଯେ ଚାରିଆଡ଼ୁ ତୀବ୍ର ପବନ ସେହି ଅଞ୍ଚଳ ଆଡ଼କୁ ଟାଣି ହୋଇଆାସେ। ଫଳସ୍ବରୂପ, ତୀବ୍ର ପବନ ହୁଏ। ଏହି ପବନ ହିଁ ଝଡ଼ ଓ ତୋଫାନର ରୂପ ନିଏ। ଅନେକ ସମୟରେ ଏହାର ଗତି ଏତେ ତୀବ୍ର ହୁଏ ଯେ ଟିଣ ସେଡ଼ ଏବଂ ପୁରୁଣା ଗଛ ପର୍ଯ୍ୟନ୍ତ ଉପୁଡ଼ି ଯାଏ।

ଏ ବର୍ଷ ମୌସୁମୀ କାହିଁକି ଶୀଘ୍ର ଆସିଲା?

ଜୁନ୍‌ ମାସରେ ଆସୁଥିବା ମୌସୁମୀ ଏ ବର୍ଷ ମେ ମାସର ଶେଷ ସପ୍ତାହରେ ହିଁ କାହିଁକି ଆସିଲା। ଭାରତରେ ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରୁ ମୌସୁମୀ ଆରମ୍ଭ ହୁଏ। ଏହା ପ୍ରଥମେ କେରଳରେ ପହଞ୍ଚେ ଏବଂ ଧୀରେ ଧୀରେ ଆଗକୁ ବଢ଼ି ଦେଶର ବିଭିନ୍ନ ରାଜ୍ୟକୁ ପହଞ୍ଚେ। କିନ୍ତୁ ଏ ବର୍ଷ ମୌସୁମୀ ୨୪ ମେ’ରେ ପହଞ୍ଚି ଗଲା। ଏହାର ସବୁଠାରୁ ବଡ଼ କାରଣ ହେଉଛି ବଙ୍ଗୋପସାଗର ଓ ଆରବ ସାଗରରେ ଆର୍ଦ୍ରତାର ବୃଦ୍ଧି। 

ବୈଜ୍ଞାନିକମାନେ କହୁଛନ୍ତି, ସମୁଦ୍ରର ତାପମାତ୍ରା ସାଧାରଣ ଅପେକ୍ଷା ଅଧିକ ରହିଛି। ଫଳସ୍ବରୂପ, ମୌସୁମୀ ପବନ ଅଧିକ ଦ୍ରୁତ ଗତିରେ ସକ୍ରିୟ ହୋଇଛି। ପଶ୍ଚିମୀ ପବନ ଚାଲିଛି ଏବଂ ଚକ୍ରବାତୀ ଗତିବିଧି ମୌସୁମୀକୁ ଆଗେଇ ନେବା ପାଇଁ ଚାପ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ପାଗ ଚକ୍ରରେ ହୋଇଥିବା ଏହି ବଦଳ ପାଇଁ ଦାୟୀ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *