‘ଆକ୍ଟ୍ ଅଫ୍ ୱାର’ କ’ଣ ? ଜାଣନ୍ତୁ କେମିତ ପାକିସ୍ତାନ ସହ ବଦଳିବାକୁ ଯାଉଛି ସମ୍ପର୍କ

ପାକିସ୍ତାନ ସହ ସୀମାରେ ନିରନ୍ତର ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭବିଷ୍ୟତରେ ଦେଶରେ ଘଟୁଥିବା ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଭାରତ ବିରୁଦ୍ଧରେ ଯୁଦ୍ଧର କାର୍ଯ୍ୟାନୁଷ୍ଠାନ ବା ‘ଆକ୍ଟ ଅଫ୍‌ ଓ୍ୱାର’ ଭାବେ ଗ୍ରହଣ କରାଯିବ। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଘଟୁଥିବା ଆତଙ୍କବାଦୀ ଘଟଣାଗୁଡ଼ିକୁ ଯୁଦ୍ଧ ଆରମ୍ଭ କରିବାର ପ୍ରୟାସ ବୋଲି ଗଣାଯାଇ ସେହି ଅନୁଯାୟୀ ଜବାବ ଦିଆଯିବ। ଭାରତ ଏହା ପୂର୍ବରୁ ମଧ୍ୟ ସ୍ପଷ୍ଟ କହିସାରିଛି ଯେ ଏହା ଯେକୌଣସି ଆକ୍ରମଣ ବା ଯୁଦ୍ଧ ପରି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି।

ଏହି ଚେତାବନୀ ଗୁରୁତ୍ୱପୂର୍ଣ୍ଣ କାରଣ ପାକିସ୍ତାନ ଗତ ତିନି ରାତି ଧରି ଉତ୍ତର ଭାରତର ସାମରିକ ପ୍ରତିଷ୍ଠାନ ଓ ନାଗରିକ ଅଞ୍ଚଳରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରୁଛି। ଏହା ମଧ୍ୟରୁ ପ୍ରାୟ ସବୁକୁ ଭାରତର ଦୃଢ଼ ବାୟୁ ପ୍ରତିରକ୍ଷା ନେଟୱାର୍କ ଦ୍ୱାରା ଅଟକାଯାଇଛି। ଆତଙ୍କବାଦ ବିରୁଦ୍ଧରେ ଏହି ଘୋଷଣା ଜମ୍ମୁ-କଶ୍ମୀରର ପହେଲଗାମରେ ପାକିସ୍ତାନ ସମ୍ପର୍କିତ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବାର ଦୁଇ ସପ୍ତାହ ପରେ ହୋଇଛି। ଜବାବରେ ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ସଠିକ ମିସାଇଲ ଆକ୍ରମଣ କରିଛି। ପଡ଼ୋଶୀ ଦେଶ ଭାରତର ନାଗରିକ ଅଞ୍ଚଳରେ ଡ୍ରୋନ ଆକ୍ରମଣ କରି ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

‘ଆକ୍ଟ ଅଫ୍‌ ଓ୍ୱାର’ କ’ଣ?
ଯଦି କୌଣସି ଦେଶ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ଆକ୍ରମଣାତ୍ମକ ପଦକ୍ଷେପ ନିଏ, ଯେପରିକି ସାମରିକ ଆକ୍ରମଣ, ଡ୍ରୋନ ବା ମିସାଇଲ ଆକ୍ରମଣ, ବାୟୁ ଅନୁପ୍ରବେଶ, ସାଇବର ଆକ୍ରମଣ ବା ନୌସେନା ଦ୍ୱାରା ଅବରୋଧ, ତାହାକୁ ‘ଆକ୍ଟ ଅଫ୍‌ ଓ୍ୱାର’ କୁହାଯାଏ। ଅଥବା ଯେତେବେଳେ କୌଣସି ଦେଶର ସାର୍ବଭୌମତ୍ୱ, ସୁରକ୍ଷା ବା ନାଗରିକମାନଙ୍କୁ କ୍ଷତି ପହଞ୍ଚେ। ଯେତେବେଳେ ଏହାର ଉଦ୍ଦେଶ୍ୟ ଯୁଦ୍ଧର ଆରମ୍ଭ ବା ପ୍ରତିଆକ୍ରମଣ ପାଇଁ ଉସକାଇବା ହୋଇଥାଏ। ଅର୍ଥାତ୍‌ ଏପରି ପଦକ୍ଷେପ ଯାହା କୌଣସି ଦେଶର ସୁରକ୍ଷାକୁ ସିଧାସଳଖ ଚ୍ୟାଲେଞ୍ଜ କରିଥାଏ, ଯାହା ପରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥାଏ।

ଭାରତ ଓ ପାକିସ୍ତାନ କ’ଣ ଯୁଦ୍ଧ ପୂର୍ବରୁ ସୂଚନା ଦେବେ?
ସିଦ୍ଧାନ୍ତ ଅନୁଯାୟୀ, କୌଣସି ଦେଶ ଅନ୍ତର୍ଜାତୀୟ ଆଇନ ଅନୁସାରେ ଯୁଦ୍ଧର ଔପଚାରିକ ଘୋଷଣା କରିବା ପାଇଁ ବାଧ୍ୟ ନୁହେଁ। କିନ୍ତୁ କୂଟନୈତିକ ପରମ୍ପରା, ରଣନୀତିଗତ ସ୍ୱାର୍ଥ ଏବଂ ବିଶ୍ୱବ୍ୟାପୀ ଚାପ ପ୍ରାୟତଃ ଦେଶମାନଙ୍କୁ ପୂର୍ବରୁ ସଙ୍କେତ ଦେବାକୁ ପ୍ରେରିତ କରିଥାଏ। କୂଟନୈତିକ ଓ ସାମରିକ ଉତ୍ତେଜନାର ସଙ୍କେତ ପୂର୍ବରୁ ମିଳିବା ଆରମ୍ଭ ହୋଇଥାଏ। ଭାରତ-ପାକିସ୍ତାନ ମଧ୍ୟରେ ଯେତେବେଳେ ଉତ୍ତେଜନା ବୃଦ୍ଧି ପାଇଥାଏ, ତା’ର ସଙ୍କେତ ପ୍ରଥମେ ଦେଖାଯାଇଥାଏ। ଗଣମାଧ୍ୟମ ଓ ସରକାରଙ୍କ ବୟାନ ତୀବ୍ର ହୋଇଥାଏ। ସୀମାରେ ସାମରିକ ଗତିବିଧି ବୃଦ୍ଧି ପାଇଥାଏ। ଦେଶ ମଧ୍ୟରେ ଆଲୋଚନା ବନ୍ଦ ହୋଇଥାଏ। ନାଗରିକମାନଙ୍କୁ ପରାମର୍ଶ ଜାରି କରାଯାଇଥାଏ। ସୀମାବର୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ।

ଅନ୍ତର୍ଜାତୀୟ ସମୁଦାୟର ଭୂମିକା
ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଅସ୍ତ୍ର ସଂପନ୍ନ ଦେଶ। ତେଣୁ ଯେତେବେଳେ ଉତ୍ତେଜନା ବୃଦ୍ଧି ପାଇଥାଏ, ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌), ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଅନ୍ୟ ଦେଶମାନେ ମଧ୍ୟସ୍ଥତା ବା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଜଣାଇଥାନ୍ତି। ଅନ୍ତର୍ଜାତୀୟ ଚାପ ପ୍ରାୟତଃ କୌଣସି ସଂଘର୍ଷକୁ ଖୋଲା ଯୁଦ୍ଧରେ ପରିଣତ ହେବା ପୂର୍ବରୁ ଅଟକାଇବାକୁ ଚେଷ୍ଟା କରିଥାଏ। ଭାରତ ଓ ପାକିସ୍ତାନ ସମ୍ଭବତଃ ଔପଚାରିକ ଭାବେ ଯୁଦ୍ଧର ଘୋଷଣା କରିବେ ନାହିଁ। କିନ୍ତୁ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହେବା ସମୟରେ ତା’ର ସଙ୍କେତ ପୂର୍ବରୁ ମିଳିବା ଆରମ୍ଭ ହୋଇଥାଏ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯାଇ ପ୍ରତିକ୍ରିୟା ଦେଖାଯାଇଥାଏ। ଏପରି ପରିସ୍ଥିତିରେ ସାଧାରଣତଃ ବିଶ୍ୱକୁ ଆଭାସ ମିଳିଥାଏ ଯେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି।

Leave a Reply

Your email address will not be published. Required fields are marked *