ଓ୍ଵାରେନ ବଫେଟ ହେଉଛନ୍ତି ବିଶ୍ୱର ଜଣେ ଶ୍ରେଷ୍ଠ ନିବେଶକ। ସେ ବର୍କଶାୟାର ହାଥୱେରୁ ଅବସର ନେବାର ଘୋଷଣା କରିଛନ୍ତି, ଯାହା ପରେ ୯୪ ବର୍ଷ ବୟସରେ ବଫେଟ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଆସନ୍ତୁ ଓ୍ଵାରେନ ବଫେଟଙ୍କର ୫ଟି ସୂତ୍ର ବିଷୟରେ ଜାଣିବା, ଯାହାକୁ ଅନୁସରଣ କରି ଆପଣ ଧନୀ ହୋଇପାରନ୍ତି।
୧. କେବେ ଶିଖିବା ବନ୍ଦ କରନ୍ତୁ ନାହିଁ
ବଫେଟଙ୍କ ମତରେ ଜ୍ଞାନ ହେଉଛି ସବୁଠାରୁ ବଡ଼ ନିବେଶ। ସେ ପ୍ରତିଦିନ ପୁସ୍ତକ ପଢ଼ନ୍ତି ଏବଂ ନୂଆ ତଥ୍ୟ ହାସଲ କରିବାରେ ବିଶ୍ୱାସ ରଖନ୍ତି। ତାହା ଆର୍ଥିକ ବଜାର ହେଉ କିମ୍ବା ନୂଆ ପ୍ରଯୁକ୍ତି, ନିରନ୍ତର ଶିଖିବା ଦ୍ୱାରା ଆପଣ ଉତ୍ତମ ନିଷ୍ପତ୍ତି ନେଇପାରିବେ। ଯେତେ ଅଧିକ ଶିଖିବେ, ସେତେ ଅଧିକ ରୋଜଗାର କରିବେ। ତେଣୁ ପୁସ୍ତକ, ସେମିନାର କିମ୍ବା ଅନଲାଇନ କୋର୍ସ ମାଧ୍ୟମରେ ନିଜକୁ ଅପଡେଟ ରଖନ୍ତୁ।
୨. ଦୀର୍ଘ ଅବଧି ପାଇଁ ନିବେଶ କରନ୍ତୁ
ବଫେଟଙ୍କର ନିବେଶ ଦର୍ଶନ ବହୁତ ସରଳ। କୌଣସି ଭଲ କମ୍ପାନୀରେ ନିବେଶ କରନ୍ତୁ ଏବଂ ତାକୁ ଦୀର୍ଘ ସମୟ ଧରି ରଖନ୍ତୁ। ସେ ଶେୟାର ବଜାରର ସ୍ୱଳ୍ପକାଳୀନ ବୃଦ୍ଧିହ୍ରାସରୁ ପ୍ରଭାବିତ ହୁଅନ୍ତି ନାହିଁ। ତାଙ୍କର ପରାମର୍ଶ ହେଉଛି, ଏପରି କମ୍ପାନୀମାନଙ୍କରେ ନିବେଶ କରନ୍ତୁ ଯାହାର ବ୍ୟବସାୟ ମଡେଲ ମଜବୁତ ଏବଂ ଭବିଷ୍ୟତରେ ବୃଦ୍ଧିର ସମ୍ଭାବନା ରହିଛି। ଧୈର୍ଯ୍ୟ ହିଁ ଦୀର୍ଘକାଳୀନ ସମ୍ପତ୍ତି ନିର୍ମାଣର ଚାବିକାଠି।
୩. ରିସ୍କକୁ ବୁଝନ୍ତୁ
ବଫେଟ ରିସ୍କକୁ ଭୟ କରନ୍ତି ନାହିଁ, କିନ୍ତୁ ସେ ଏହାକୁ ବୁଝିବା ଏବଂ ନିୟନ୍ତ୍ରଣ କରିବାରେ ପାରଙ୍ଗମ। ବଫେଟଙ୍କ ମତରେ, ଝୁକି ସେତେବେଳେ ଆସେ ଯେତେବେଳେ ଆପଣ ଜାଣି ନଥାନ୍ତି ଆପଣ କ’ଣ କରୁଛନ୍ତି। ତେଣୁ କୌଣସି ନିବେଶ ପୂର୍ବରୁ କମ୍ପାନୀର ଆର୍ଥିକ ସ୍ଥିତି, ବଜାର ପରିସ୍ଥିତି ଏବଂ ସମ୍ଭାବ୍ୟ ଝୁକିର ବିଶ୍ଳେଷଣ କରନ୍ତୁ। ବିବିଧୀକରଣ ଏବଂ ସତର୍କତାପୂର୍ଣ୍ଣ ନିବେଶ ଝୁକି କମାଇବାରେ ସାହାଯ୍ୟ କରେ।

୪. ସରଳତାରେ ବିଶ୍ୱାସ ରଖନ୍ତୁ
ବଫେଟ ଜଟିଳ ନିବେଶ ରଣନୀତି ଅପେକ୍ଷା ସରଳତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ସେ ଏପରି କମ୍ପାନୀମାନଙ୍କରେ ନିବେଶ କରନ୍ତି ଯାହାର ବ୍ୟବସାୟ ବୁଝିବା ସହଜ। ତାଙ୍କର ପରାମର୍ଶ ହେଉଛି, କେବଳ ସେହି କ୍ଷେତ୍ରରେ ନିବେଶ କରନ୍ତୁ ଯାହାକୁ ଆପଣ ଭଲଭାବେ ବୁଝନ୍ତି। ଏହା କେବଳ ଭୁଲକୁ ହ୍ରାସ କରେ ନାହିଁ, ବରଂ ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇଥାଏ।
୫. ଅନୁଶାସନ ଏବଂ ଧୈର୍ଯ୍ୟ ବଜାୟ ରଖନ୍ତୁ
ବଫେଟଙ୍କର ସଫଳତାର ଏକ ବଡ଼ କାରଣ ହେଉଛି ତାଙ୍କର ଅନୁଶାସିତ ଦୃଷ୍ଟିକୋଣ। ସେ ଭାବନାର ଆଧାରରେ ନିଷ୍ପତ୍ତି ନିଅନ୍ତି ନାହିଁ। ବଜାରରେ ହ୍ରାସ ବୃଦ୍ଧି ସତ୍ତ୍ୱେ ସେ ନିଜ ରଣନୀତିରେ ଅଟଳ ରହନ୍ତି। ତାଙ୍କ ମତରେ, ତରବରିଆ ଭାବେ ନିବେଶ କୀନ୍ତୁ ନାହିଁ ଏବଂ ଦୀର୍ଘକାଳୀନ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ।