ପାକିସ୍ତାନର ଦୋସ୍ତ୍ ତୁର୍କୀ 15 ଲକ୍ଷ ଖ୍ରିଷ୍ଟିଆନଙ୍କ ହତ୍ୟା କରିଥିଲା

armenia

ତୁର୍କୀଏ (କିଛି ବର୍ଷ ତଳେ ତୁର୍କୀ ତାହାର ନାମ ପରିବର୍ତ୍ତନ କରି ତୁର୍କିଏ କରିଛି) ଏବେ ଚର୍ଚ୍ଚାରେ ରହିଛି। ପାକିସ୍ତାନକୁ ସମର୍ଥନ କରିବା କାରଣରୁ ଭାରତୀୟ ବ୍ୟବସାୟୀମାନେ ଆମଦାନୀ-ରପ୍ତାନୀ ବନ୍ଦ କରିବା କଥା କହୁଛନ୍ତି, ଆଉ ପର୍ଯ୍ୟଟକମାନେ ଟିକେଟ୍ ଓ ହୋଟେଲ୍ ବୁକିଂ ରଦ୍ଦ କରୁଛନ୍ତି। ନିକଟରେ ତୁର୍କିରେ ଆସିଥିବା ଭୟଙ୍କର ଭୂକମ୍ପରେ ଭାରତ ତୁର୍କୀକୁ ବହୁତ ସାହାଯ୍ୟ କରିଥିଲା। କିନ୍ତୁ ତୁର୍କୀ ବଦଳରେ ଏବେ ପହଲଗାମ ହତ୍ୟାକାରୀଙ୍କ ସପକ୍ଷରେ ଛିଡ଼ା ହୋଇଛି। ତୁର୍କୀ ଏପରି ଏକ ଦେଶ, ଯିଏ କୌଣସି ନା କୌଣସି କାରଣରୁ ବିବାଦରେ ରହିଥାଏ, କିନ୍ତୁ ଏକ ବିବାଦ ଏପରି ଅଛି ଯାହାର ଦାଗ ଶହେ ବର୍ଷ ପରେ ମଧ୍ୟ ତୁର୍କୀ ଉପରୁ ଲିଭି ନାହିଁ। ତୁର୍କୀ ଏହି ବିବାଦକୁ ସ୍ୱୀକାର କରେ ନାହିଁ, କିନ୍ତୁ ବିଶ୍ୱର ତିନି ଡଜନ ଦେଶ ଏହାକୁ ମାନ୍ୟତା ଦେଇଛନ୍ତି।

୨୦୨୧ରେ ଆମେରିକା ମଧ୍ୟ ଏହାକୁ ମାନ୍ୟତା ଦେଇଥିଲା, ଯାହାକୁ ନେଇ ତୁର୍କୀ ନାରାଜ ହୋଇଥିଲା, କିନ୍ତୁ ଜୋ ବାଇଡେନ୍ ଏହାକୁ ଗ୍ରହଣ କରିନଥିଲେ। ଏହି ଘଟଣା କୌଣସି ଛୋଟ ଘଟଣା ନଥିଲା, ବରଂ ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର ଥିଲା, ଯାହାର ଚର୍ଚ୍ଚା ଆଜି ମଧ୍ୟ ବିଶ୍ୱର କୌଣସି ନା କୌଣସି ଅଞ୍ଚଳରେ ହୁଏ।

୧୫ ଲକ୍ଷ ଆର୍ମେନିଆଇ ଲୋକଙ୍କ ମୃତ୍ୟୁର କାହାଣୀ
ଏହି ନରସଂହାରରେ ପ୍ରାୟ ୧୫ ଲକ୍ଷ ଆର୍ମେନିଆଇ ନାଗରିକ ମୃତ୍ୟୁବରଣ କରିଥିଲେ। କାହାକୁ ଫାଶୀ ଦିଆଗଲା, କାହାକୁ ମରୁଭୂମିରେ ଚଲାଇ ଚଲାଇ ହତ୍ୟା କରାଯାଇଥିଲା। ଲୋକେ ଭୋକ ଓ ତୃଷ୍ଣାରେ ମଧ୍ୟ ମରିଥିଲେ। ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଏହି ନରସଂହାରର କଳଙ୍କ ବର୍ତ୍ତମାନର ତୁର୍କୀ ଓ ତତ୍କାଳୀନ ଅଟୋମାନ୍ ସାମ୍ରାଜ୍ୟ ଉପରେ ଲାଗିଛି। ସମଗ୍ର ବିଶ୍ୱର ନିନ୍ଦା ସତ୍ତ୍ୱେ ତୁର୍କୀ ଏହାକୁ ନରସଂହାର ଭାବେ ସ୍ୱୀକାର କରିନାହିଁ କି କେବେ ଏଥିପାଇଁ କ୍ଷମାପ୍ରାର୍ଥନା କରିନାହିଁ। ହଁ, ତୁର୍କୀ ମୃତ୍ୟୁକୁ ସ୍ୱୀକାର କରେ, କିନ୍ତୁ ସଂଖ୍ୟା ଉପରେ ଆପତ୍ତି କରେ ଓ ନରସଂହାର କୁହାଯିବା ଉପରେ ତୀବ୍ର ଆପତ୍ତି ରହିଛି।

ଇହୁଦୀଙ୍କ ପରେ ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର
ଏହି ନରସଂହାରର ଆରମ୍ଭ ୧୯୧୫ ମସିହା ଏପ୍ରିଲ ୨୪ରେ ହୋଇଥିଲା ବୋଲି ମନେ କରାଯାଏ, ଯେତେବେଳେ ଅଟୋମାନ୍ ସାମ୍ରାଜ୍ୟର ଶାସକମାନେ ୨୦ଶ ଶତାବ୍ଦୀର ଏହି ଭୟଙ୍କର ଘଟଣାକୁ ଦୀର୍ଘ ସମୟ ଧରି ଚଳାଇଥିଲେ। ଏଥିରେ ପ୍ରାୟ ୧୫ ଲକ୍ଷ ଆର୍ମେନିଆଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବୃଦ୍ଧ, ବୟସ୍କ, ଶିଶୁ ଓ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଲୁଟପାଟ, ବଳାତ୍କାର ମଧ୍ୟ ହୋଇଥିଲା। ଛୋଟ ଛୋଟ ଶିଶୁମାନଙ୍କୁ ମରୁଭୂମିରେ ଭୋକିଲା ଅବସ୍ଥାରେ ମରିବାକୁ ଛାଡ଼ି ଦିଆ ଯାଇଥିଲା।

ସେତେବେଳେ ଏହି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଥିଲେ। ସେମାନେ ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ନରସଂହାର ଏକ ଅଲଗା ସ୍ତରରେ ଚାଲିଥିଲା। ଏପର୍ଯ୍ୟନ୍ତ ବିଶ୍ୱରେ ଯେତେ ନରସଂହାର ହୋଇଛି, ତା’ ମଧ୍ୟରେ ସବୁଠାରୁ ବଡ଼ ନରସଂହାର ଥିଲା ଇହୁଦୀଙ୍କର, ହିଟଲର ଯୋଜନାବଦ୍ଧ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ୬୦ ଲକ୍ଷ ଯିହୁଦୀଙ୍କୁ ହତ୍ୟା କରିଥିଲେ। ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର ଥିଲା ଆର୍ମେନିଆଇ ଲୋକଙ୍କର।

ଅଟୋମାନ୍ ସାମ୍ରାଜ୍ୟ ପୂର୍ଣ୍ଣ ଉତ୍ଥାନରେ ଥିଲା
ଉନବିଂଶ ଶତାବ୍ଦୀରେ ଅଟୋମାନ୍ ସାମ୍ରାଜ୍ୟର ଲୋକେ ମଧ୍ୟ ଜାଗ୍ରତ ହେଉଥିଲେ। ସେହି ସମୟରେ ଆର୍ମେନିଆଇ ଲୋକେ ମୁଖ୍ୟତଃ ଅଳ୍ପସଂଖ୍ୟକ ଖ୍ରୀଷ୍ଟିଆନ ସମ୍ପ୍ରଦାୟରୁ ଥିଲେ। ସେହି ସମୟରେ ଏହି ଦେଶ ମୁସଲମାନ ବହୁଳ ଥିଲା, କିନ୍ତୁ ଅନ୍ୟ ଧର୍ମର ଲୋକେ ମଧ୍ୟ ଏଠାରେ ରହୁଥିଲେ। ସମୟ ଆଗେଇ ଚାଲିଲା, ଆଉ ଲୋକଙ୍କ ମଧ୍ୟରେ ଜାତୀୟତାବାଦୀ ଭାବନା ଉତ୍ତେଜନା ସୃଷ୍ଟି କରିବାକୁ ଲାଗିଲା। ଅଣ-ମୁସଲମାନ ଲୋକଙ୍କ ପ୍ରତି ସନ୍ଦେହ ବଢ଼ିବାକୁ ଲାଗିଲା। ଏହା ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭର କଥା।

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହାକୁ ଅନୁଭବ କରିଥିଲେ ଓ ସେମାନେ ବିରୋଧ କରିବା ଉଦ୍ଦେଶ୍ୟରେ ବୈଠକ କରିବାକୁ ଲାଗିଲେ। ନିଜ ସ୍ୱର ଉଠାଇବାକୁ ଆରମ୍ଭ କଲେ, ଯାହା ତୁର୍କୀରେ ଭୟ ସୃଷ୍ଟି କଲା। ଏହି ସୂଚନା ଶାସକଙ୍କ ପାଖରେ ପହଞ୍ଚିଲା, ଆଉ ୧୯୧୫ ମସିହା ଏପ୍ରିଲ ୨୪ରେ ହଠାତ୍ ଅଙ୍କାରାରେ ହଜାର ହଜାର ଆର୍ମେନିଆଇ ବୁଦ୍ଧିଜୀବୀଙ୍କୁ ଗିରଫ କରାଗଲା। ଦୁଇ ବର୍ଷରୁ ଅଧିକ ସମୟ ଧରି ଆର୍ମେନିଆ ଖ୍ରୀଷ୍ଟିଆନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା।

ଦୁଇ ପର୍ଯ୍ୟାୟରେ ବିଂଶ ଶତାବ୍ଦୀର ପ୍ରଥମ ନରସଂହାର
ଅଟୋମାନ୍ ସାମ୍ରାଜ୍ୟର ମତ ଥିଲା ଯେ ଆର୍ମେନିଆଇ ଖ୍ରୀଷ୍ଟିଆନମାନେ ସୋଭିଏତ ରୁଷିଆ ସହ ମିଶି ନିଜ ଶାସକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏହି ସନ୍ଦେହରେ ଗିରଫ ହୋଇଥିବା 26 ହଜାର ହଜାର ଲୋକଙ୍କ ହତ୍ୟା କରାଯାଇଥିଲା। ଏହି ନରସଂହାର ୧୯୧୫ରେ ଆରମ୍ଭ ହୋଇ ୧୯୧୭ ପର୍ଯ୍ୟନ୍ତ ଚାଲିଥିଲା। ନରସଂହାରରେ ପ୍ରଥମେ ପୁରୁଷମାନଙ୍କୁ ଖୋଜି ଖୋଜି ହତ୍ୟା କରାଯାଇଥିଲା। ପରେ ମହିଳା ଓ ଛୋଟ ଶିଶୁଙ୍କ ପାଳି ଆସିଲା, ଯେଉଁମାନଙ୍କୁ ଅତ୍ୟନ୍ତ କଷ୍ଟଦାୟକ ଉପାୟରେ ହତ୍ୟା କରାଯାଇଥିଲା। ପୁରୁଷମାନେ ବଞ୍ଚି ନଥିଲେ, ତେଣୁ ମହିଳା ଓ ଶିଶୁମାନେ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ସେତେବେଳେ ସେମାନଙ୍କ ସହ ଲୁଟପାଟ ହେଲା। ମହିଳାଙ୍କ ସହ ବଡ଼ ପରିମାଣରେ ବଳାତ୍କାର ହେଲା। ଗାଁ ପରେ ଗାଁ ଜାଳି ଦିଆଯାଇଥିଲା। ପରେ ସେମାନଙ୍କୁ ସିରିଆ ଓ ଆରବର ମରୁଭୂମିକୁ ବଳପୂର୍ବକ ପଠାଇ ଦିଆଯାଇଥିଲା। ଯେଉଁଠାରେ ହଜାର ହଜାର ବୃଦ୍ଧ, ମହିଳା ଓ ଶିଶୁ ଭୋକ ଓ ତୃଷ୍ଣାରେ ମୃତ୍ୟୁବରଣ କରିଥିଲେ। ଇତିହାସ ଏହାକୁ ‘ଡେଥ୍ ମାର୍ଚ’ ଭାବେ ଚିହ୍ନିତ କରେ।

ବିଶ୍ୱ ସମୁଦାୟ ଏହାକୁ ନରସଂହାର କହିଲା, କିନ୍ତୁ ତୁର୍କୀ କେବେ ସ୍ୱୀକାର କଲା ନାହିଁ
ଫ୍ରାନ୍ସ, ଜର୍ମାନୀ, କାନାଡା ଆଦି ଅନେକ ବଡ଼ ଦେଶ ଏହି ଭୟଙ୍କର ଘଟଣାକୁ ନରସଂହାର ଭାବେ ମାନନ୍ତି। ଆମେରିକା ୨୦୨୧ରେ ଏହାକୁ ଆର୍ମେନିଆଇ ନରସଂହାର ଭାବେ ମାନ୍ୟତା ଦେଇଥିଲା। ତୁର୍କୀର ଅନେକ ଚେଷ୍ଟା ସତ୍ତ୍ୱେ ରାଷ୍ଟ୍ରପତି ବାଇଡେନ୍ ଏହାକୁ ନରସଂହାର ଭାବେ ଗ୍ରହଣ କରିଥିଲେ। ଆମେରିକାର ଏହି ପଦକ୍ଷେପରୁ ତୁର୍କୀ ନାରାଜ ହୋଇଥିଲା, କିନ୍ତୁ ବାଇଡେନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଉପଲବ୍ଧ ଦଲିଲ ଅନୁସାରେ ଭାରତ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କିଛି କହିନାହିଁ। କିନ୍ତୁ ଦେଶରେ ଯେଉଁ ଭାବେ ସାଧାରଣ ଲୋକଙ୍କ ବିରୋଧ ସାମ୍ନାକୁ ଆସୁଛି, ଏହା କୌଣସି ବଡ଼ କଥା ନୁହେଁ ଯେ ଭାରତ ମଧ୍ୟ ଆମେରିକା, ଫ୍ରାନ୍ସ, କାନାଡା, ଜର୍ମାନୀ ସହ ଏକାଭାବେ ଛିଡ଼ା ହୋଇପାରେ। କାରଣ ତୁର୍କୀ ଭାରତର ସାହାଯ୍ୟ ବଦଳରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଦେଇ ଦେଇଛି। ତୁର୍କୀ ପ୍ରାୟ ୧୧୦ ବର୍ଷ ପରେ ମଧ୍ୟ ଏହାକୁ ନରସଂହାର ମାନେ ନାହିଁ। ତୁର୍କୀର ଯୁକ୍ତି ହେଉଛି ଯେ ଆର୍ମେନିଆଇ ଲୋକେ ଅଟୋମାନ୍ ସାମ୍ରାଜ୍ୟ ବିରୁଦ୍ଧରେ ରୁଷିଆ ସହ ମିଶି ଷଡ଼ଯନ୍ତ୍ର କରୁଥିଲେ। ଏହା ସହିତ 15 ଲକ୍ଷ ସଂଖ୍ୟାକୁ ମଧ୍ୟ ତୁର୍କି ଅସ୍ୱୀକାର କରେ।

ଏବେ ଆର୍ମେନିଆ ଏକ ସ୍ୱାଧୀନ ଦେଶ
ସମଗ୍ର ବିଶ୍ୱରେ ଥିବା ଆର୍ମେନିଆଇ ପ୍ରବାସୀମାନେ ୨୪ ଏପ୍ରିଲକୁ ଏହି ନରସଂହାର ଭାବେ ସ୍ମରଣ କରନ୍ତି। ଆର୍ମେନିଆ ଏବେ ଏକ ସ୍ୱାଧୀନ ଦେଶ, ଯାହା କେବେ ସୋଭିଏତ ସଂଘର ଏକ ରାଜ୍ୟ ଥିଲା। ସୋଭିଏତ ସଂଘର ବିଘଟନ ସମୟରେ ୧୯୯୦ ମସିହା ଅଗଷ୍ଟ ୨୩ରେ ଏହାକୁ ସ୍ୱାଧୀନତା ମିଳିଥିଲା, କିନ୍ତୁ ଏହାର ସ୍ଥାପନା ଘୋଷଣା ୧୯୯୧ ମସିହା ସେପ୍ଟେମ୍ବର ୨୧ରେ ହୋଇଥିଲା। ସେହି ବର୍ଷ ଡିସେମ୍ବର ୨୫ରେ ଏହାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା। ଏହାର ରାଜଧାନୀ ହେଉଛି ଏରେଭାନ। ଏବେ ଏହା ଏକ ଶାନ୍ତିପ୍ରିୟ ଦେଶ ଭାବେ ବିଶ୍ୱ ସମ୍ମୁଖରେ ରହିଛି। ଏହି ଦେଶ ୧୦ଟି ପ୍ରାନ୍ତରେ ବିଭକ୍ତ।

Leave a Reply

Your email address will not be published. Required fields are marked *