ସେହି ସାତୋଟି ପରୀକ୍ଷା, ଯାହାକୁ ପାର କରି ଅଙ୍ଗଦଦେବ ସିଖମାନଙ୍କର ଦ୍ୱିତୀୟ ଗୁରୁ ହେଲେ 

ସିଖମାନଙ୍କର ପ୍ରଥମ ଗୁରୁ ଗୁରୁ ନାନକ ଦେବ ନିଜ ପୁତ୍ରମାନଙ୍କୁ ଛାଡ଼ି ଗୁରୁ ଅଙ୍ଗଦଦେବଙ୍କୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ। ପଞ୍ଜାବୀ ଲିପି ଗୁରୁମୁଖୀର ଜନକ ଗୁରୁ ଅଙ୍ଗଦଦେବଙ୍କୁ ଏଥି ପାଇଁ ସାତୋଟି ପରୀକ୍ଷା ଦେବାକୁ ପଡ଼ିଥିଲା। ତାଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ସେହି ସାତୋଟି ପରୀକ୍ଷା କ’ଣ ଥିଲା ଏବଂ ଗୁରୁ ନାନକ ଦେବ ନିଜ ପୁତ୍ରମାନଙ୍କୁ ଛାଡ଼ି ତାଙ୍କୁ ଉତ୍ତରାଧିକାରୀ ଭାବେ କାହିଁକି ଚୟନ କଲେ? 

ଗୁରୁ ଅଙ୍ଗଦଦେବଙ୍କର ଜନ୍ମ ପଞ୍ଜାବର ଫିରୋଜପୁରରେ ୩୧ ମାର୍ଚ୍ଚ ୧୫୦୪ରେ ହୋଇଥିଲା। ତାଙ୍କ ପିତା ଜଣେ ବ୍ୟାପାରୀ ଥିଲେ। ମାତାଙ୍କ ନାମ ରାମୋଜୀ ଥିଲା। ଗୁରୁ ଅଙ୍ଗଦଦେବଙ୍କ ଦାଦା ନାରାୟଣ ଦାସ ତ୍ରେହନ ମୁଖ୍ତସର ନିକଟସ୍ଥ ମତ୍ତେ ଦି ସରାୟର ବାସିନ୍ଦା ଥିଲେ। ଗୁରୁଙ୍କ ପିତା ଫେରୁ ମଧ୍ୟ ପରେ ଏଠାକୁ ଆସି ରହିଥିଲେ। ଗୁରୁ ଅଙ୍ଗଦଦେବଙ୍କୁ ଲହିଣା ମଧ୍ୟ କୁହାଯାଉଥିଲା। ସେ ଈଶ୍ୱରୀୟ ଗୁଣରେ ପରିପୂର୍ଣ୍ଣ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କର ବିବାହ ଖଡୂରର ବାସିନ୍ଦା ଦେବୀ ଚନ୍ଦ କ୍ଷତ୍ରୀଙ୍କ ଝିଅ ଖୀବୀଙ୍କ ସହିତ ହୋଇଥିଲା। ତାଙ୍କଠାରୁ ଦୁଇ ପୁତ୍ର ଦାସୂ ଓ ଦାତୂ ଏବଂ ଦୁଇ ଝିଅ ଅମରୋ ଓ ଅନୋଖୀ ଜନ୍ମ ଗ୍ରହଣ କରିଥିଲେ। 

ଗୁରୁ ନାନକଦେବଙ୍କ ଦର୍ଶନ ପାଇଁ ପହଞ୍ଚିଲେ 

ଖଡୂରର ବାସିନ୍ଦା ଭାଇ ଜୋଧା ସିଂହଙ୍କଠାରୁ ଲହିଣାଙ୍କୁ ପ୍ରେରଣା ମିଳିଥିଲା ଯେ ଗୁରୁ ନାନକଦେବଙ୍କ ଦର୍ଶନ କରନ୍ତୁ। ଏକଦା ସଙ୍ଗତ ସହିତ କରତାରପୁର ଦେଇ ଯାଉଥିବା ସମୟରେ ସେ ଗୁରୁ ନାନକଦେବଙ୍କ ଡେରାକୁ ଦର୍ଶନ ପାଇଁ ଆସିଥିଲେ। ଗୁରୁ ନାନକଦେବ ଆଲୋଚନା ସମୟରେ ପଚାରିବାରୁ ଗୁରୁ ଅଙ୍ଗଦଦେବ କହିଥିଲେ ଯେ, ସାଙ୍ଗ ସହିତ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। ଆପଣଙ୍କ ମହିମା ଶୁଣିଥିଲି, ତେଣୁ ଦର୍ଶନ କରିବାକୁ ଇଚ୍ଛା ହେଲା। ମୋତେ ଉପଦେଶ ଦିଅନ୍ତୁ, ଯାହାଦ୍ୱାରା ମୋ ଜୀବନ ସଫଳ ହେବ। ଏହା ଶୁଣି ଗୁରୁ ନାନକଦେବ କହିଥିଲେ, “ଲହିଣା ଭାଇ, ତୁମକୁ ପ୍ରଭୁଙ୍କ ଆଶୀର୍ବାଦ ମିଳିଛି। ତୁମକୁ ଗ୍ରହଣ କରିବାକୁ ହେବ ଆଉ ଆମକୁ ଦେବାକୁ ହେବ।” 

ମୁଣ୍ଡରେ ଉଠାଇଲେ ଓଦା ଗଣ୍ଠି

ଗୁରୁଙ୍କୁ ଭେଟିବା ପରେ ଲହିଣା ନିଜ ସାଙ୍ଗମାନଙ୍କୁ କହିଥିଲେ, “ତୁମେମାନେ ଦେବୀଙ୍କ ଦର୍ଶନ କରି ଆସ। ମୋତେ ମୋକ୍ଷ ଦେବା ପାଇଁ ପୂର୍ଣ୍ଣ ପୁରୁଷ ମିଳିଗଲେ।” ଏହାପରେ ଗୁରୁ ଅଙ୍ଗଦଦେବ କରତାରପୁରରେ କିଛି ସମୟ ରହି ସେବା କରିଥିଲେ। ତା’ପରେ ନାମ ଦାନର ଉପଦେଶ ଗ୍ରହଣ କରି ଖଡୂରକୁ ଫେରି ଆସିଥିଲେ, ଯେଉଁଠାରେ ତାଙ୍କର ଦୋକାନ ଥିଲା। କିନ୍ତୁ ସେବେ ତାଙ୍କ ମନ ସବୁବେଳେ କରତାରପୁରରେ ରହୁଥିଲା। କିଛି ଦିନ ବିତିବା ପରେ ଏକଦା ଗୁରୁ ଅଙ୍ଗଦଦେବ ନିଜ ଦୋକାନରୁ ଲୁଣର ଏକ ଗଣ୍ଠି ଉଠାଇ କରତାରପୁର ପହଞ୍ଚିଗଲେ। ସେତେବେଳେ ଗୁରୁ ନାନକଦେବ ଧାନ ବାଛୁଥିଲେ। ସେ ଗୁରୁ ଅଙ୍ଗଦଦେବଙ୍କୁ ନଦୀନର ଗଣ୍ଠି ଗାଈ-ମଇଁଷିମାନଙ୍କ ପାଇଁ ନେବାକୁ କହିଲେ। ଗୁରୁ ଅଙ୍ଗଦଦେବ ତୁରନ୍ତ ଓଦା ଗଣ୍ଠିଟି ମୁଣ୍ଡରେ ରଖି ଘରକୁ ଆଣିଲେ। 

ଗୁରୁ ନାନକଦେବ ଘରେ ପହଞ୍ଚିବାରୁ ମାତା ସୁଲଖଣୀ କହିଲେ, “ଯେଉଁ ସିଖକୁ ଆପଣ ପାଣିରେ ଓଦା ଗଣ୍ଠି ସହିତ ପଠାଇଥିଲେ, ତା’ର ସବୁ ଲୁଗା କାଦୁଅରେ ଓଦା ହୋଇଗଲା। ତାଙ୍କୁ ଏହି ଗଣ୍ଠି ଉଠାଇବା ଉଚିତ ନଥିଲା।” ଏହା ଶୁଣି ଗୁରୁ ନାନକଦେବ କହିଲେ, “ଏହା କାଦୁଅ ନୁହେଁ, କେସର ଅଟେ, ଯାହା ତା’ର ଲୁଗାକୁ ଓଦା କରିଛି। ଏହି ଗଣ୍ଠିକୁ ଅନ୍ୟ କେହି ଉଠାଇ ପାରିନଥାନ୍ତା।” ଏହାପରେ ଲହିଣା ସବୁବେଳେ ଗୁରୁଙ୍କ ସେବାରେ ଉପସ୍ଥିତ ରହିବାକୁ ଲାଗିଲେ। 

ମଲା ଚୁଚୂନ୍ଦରା ଉଠାଇ ଫିଙ୍ଗିଲେ

ଏକ ପ୍ରକାରେ ଏହା ଲହିଣାଙ୍କ ପ୍ରଥମ ପରୀକ୍ଷା ଥିଲା, ଯେଉଁଥିରେ ସେ କାଦୁଅ ଢେରରୁ ଓଦା ଘାସଫୁସ ଗଣ୍ଠି ମୁଣ୍ଡରେ ଉଠାଇଥିଲେ। ଦ୍ୱିତୀୟ ପରୀକ୍ଷାରେ ଗୁରୁ ନାନକଦେବ ତାଙ୍କୁ ଧର୍ମଶାଳାରେ ମଲା ଚୂଚୁଣ୍ଡି ଉଠାଇ ବାହାରେ ଫିଙ୍ଗିବାକୁ କହିଥିଲେ। ସେତେବେଳେ ଏହି କାମ ଶୂଦ୍ରମାନଙ୍କର ବୋଲି ଗଣା ଯାଉଥିଲା। ଏଥିରେ ମଧ୍ୟ ସେ ସଫଳ ହୋଇଥିଲେ। ତୃତୀୟ ପରୀକ୍ଷା ସେତେବେଳେ ହୋଇଥିଲା ଯେତେବେଳେ ଗୁରୁ ମଇଳାରୁ କଟୋରା ବାହାର କରିବାକୁ କହିଥିଲେ। ଗୁରୁ ନାନକଦେବଙ୍କ ଦୁଇ ପୁତ୍ର ଏହି କାମ କରିବାକୁ ପ୍ରସ୍ତୁତ ନଥିଲେ, କିନ୍ତୁ ଲହିଣା ଜୀ ଏହା କରି ଦେଖାଇଥିଲେ। 

ଶୀତ ଋତୁରେ ମଧ୍ୟରାତ୍ରିରେ ତିଆରି କଲେ କାନ୍ଥ, ଧୋଇଲେ ଲୁଗା

ଏକଦା ଗୁରୁ ନାନକଦେବ ଲହିଣାଙ୍କୁ ଶୀତ ଋତୁରେ ମଧ୍ୟରାତ୍ରିରେ ଧର୍ମଶାଳାର ଭଙ୍ଗା କାନ୍ଥ ତିଆରି କରିବାକୁ କହିଥିଲେ। ସେ ତୁରନ୍ତ ପ୍ରସ୍ତୁତ ହୋଇଗଲେ। ଶୀତ ଋତୁ, ଝିପଝିପ ବର୍ଷା ଓ ପ୍ରବଳ ପବନ ସତ୍ତ୍ୱେ ସେ ରାତିରେ ହିଁ କାନ୍ଥ ତିଆରି କରିଦେଲେ। ସେହିପରି ଗୁରୁ ନାନକଦେବ ଏକଦା ତାଙ୍କୁ ରାତିରେ ଲୁଗା ଧୋଇବାକୁ ଆଦେଶ ଦେଇଥିଲେ। ଏଥିପାଇଁ ମଧ୍ୟ ଲହିଣା ଖୁସି ଖୁସିରେ ପ୍ରସ୍ତୁତ ହୋଇଗଲେ। ଶୀତ ସତ୍ତ୍ୱେ ମଧ୍ୟରାତ୍ରିରେ ରାବି ନଦୀ କୂଳରେ ଯାଇ ଲୁଗା ଧୋଇଦେଲେ। 

ମୃତ ଶରୀର ଖାଇବାକୁ ପ୍ରସ୍ତୁତ ହେଲେ

ଏକଦା ଗୁରୁ ନାନକଦେବ ଲହିଣାଙ୍କୁ ପଚାରିଲେ, “ରାତି କେତେ ବିତିଗଲା?” ସେ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯେତେ ରାତି ବିତିବା କଥା ଥିଲା ବିତିଗଲା, ଆଉ ଯେତେ ବାକି ରହିବା କଥା ସେତେ ବାକି ଅଛି।” ଏହା ଶୁଣି ଗୁରୁ ନାନକଦେବ ବୁଝିଗଲେ ଯେ ତାଙ୍କର ଆଧ୍ୟାତ୍ମିକ ଅବସ୍ଥା ଚରମରେ ପହଞ୍ଚିଛି। ଏକଦା ଗୁରୁ ନାନକଦେବ ତାଙ୍କୁ ଶ୍ମଶାନକୁ ନେଇଗଲେ। ସେଠାରେ ଏକ ଲୁଗାରେ ଘୋଡ଼ା ମୃତ ଶରୀର ପଡ଼ିଥିଲା। 

ଗୁରୁ ନାନକଦେବ ଲହିଣାଙ୍କୁ କହିଲେ, “ତୁମକୁ ଏହାକୁ ଖାଇବାକୁ ହେବ।” ଏଥିପାଇଁ ଲହିଣା ପ୍ରସ୍ତୁତ ହୋଇଗଲେ। ଏହାପରେ ଗୁରୁ ନାନକଦେବ ତାଙ୍କୁ ଆଲିଙ୍ଗନ କରି କହିଲେ, “ଏବେ ତୁମ ଓ ମୋ ମଧ୍ୟରେ କୌଣସି ଭେଦ ରହିଲା ନାହିଁ। ଆଜିଠାରୁ ତୁମେ ମୋର ଅଙ୍ଗ ହେଲ।” ସେହିଦିନଠାରୁ ଲହିଣାଙ୍କ ନାମ ଅଙ୍ଗଦ ଦେବ ହେଲା ଓ ସେ ସିଖ ପନ୍ଥର ଦ୍ୱିତୀୟ ଗୁରୁ ହେଲେ। 

ଗୁରୁ ନାନକଦେବଙ୍କ ଏହି ପରୀକ୍ଷାଗୁଡ଼ିକରେ ତାଙ୍କ ଦୁଇ ପୁତ୍ର ଓ ଅନ୍ୟ ଶିଷ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ, କିନ୍ତୁ ସମସ୍ତଙ୍କୁ ଛାଡ଼ି ସାତୋଟି ପରୀକ୍ଷାରେ ସଫଳ ଗୁରୁ ଅଙ୍ଗଦଦେବଙ୍କୁ ସେ ନିଜର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଥିଲେ। ଗୁରୁ ଅଙ୍ଗଦଦେବଙ୍କ ବାଣୀରେ ଦୟା, ଅହଙ୍କାରର ତ୍ୟାଗ, ମଣିଷ ପ୍ରତି ପ୍ରେମ, ରୁଟିର ଚିନ୍ତା ଛାଡ଼ିବାର କଥା କୁହାଯାଇଛି। ସେ ୭ ସେପ୍ଟେମ୍ବର ୧୫୩୯ରୁ ୨୮ ମାର୍ଚ୍ଚ ୧୫୫୨ ପର୍ଯ୍ୟନ୍ତ ଗୁରୁ ଗାଦିରେ ରହିଥିଲେ।

Leave a Reply

Your email address will not be published. Required fields are marked *