ମୁଁ ବି ମରିଯାଇଥିଲେ ଭଲ ହୋଇଥାନ୍ତା,କାନ୍ଦିକାନ୍ଦି ଏମିତି କହିଲା ଆତଙ୍କବାଦୀ ମସୁଦ

maulana

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦର ମୁଖ୍ୟ ମୌଲାନା ମସୂଦ ଅଜହର କହିଛି ଯେ ଭାରତର ମିସାଇଲ ଆକ୍ରମଣରେ ତା’ ପରିବାର ଏବଂ ବନ୍ଧୁମାନଙ୍କର ମୃତ୍ୟୁ ହୋଇଛି। ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ବୁଧବାର ଭୋର ସମୟରେ ପାକିସ୍ତାନର ବାହାଓ୍ଵାଲପୁରସ୍ଥିତ ସୁଭାନ ଅଲ୍ଲାହ ମସଜିଦ ପରିସର ଉପରେ ଚାରୋଟି ମିସାଇଲ ପ୍ରହାର କରିଥିଲା। ଏହି ଆକ୍ରମଣରେ ଏହି ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି। ଏହି ଆକ୍ରମଣରେ ମସୂଦ ଅଜହରର ପରିବାରର ୧୦ ଜଣ ସଦସ୍ୟ ଏବଂ ତାଙ୍କ ସଂଗଠନର ୪ ଜଣ ଆତଙ୍କବାଦୀ ସମେତ ତାଙ୍କର ୧୪ ଜଣ ନିକଟତମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଅଜହର ବୁଧବାର ସକାଳେ ଏକ ବିବୃତି ଜାରି କରି ତାଙ୍କ ପରିବାର ସଦସ୍ୟମାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ମିସାଇଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଜହରର ବଡ଼ ଭଉଣୀ ଏବଂ ତାଙ୍କ ସ୍ଵାମୀ, ଅଜହରର ଭାଇ ଏବଂ ତା’ ପତ୍ନୀ,ଜଣେ ଝିଆରି ଏବଂ ତାଙ୍କ ପରିବାରର ପାଞ୍ଚ ଜଣ ପିଲା ସାମିଲ ଅଛନ୍ତି। ଏହା ବ୍ୟତୀତ ଜୈଶ ସହ ଜଡ଼ିତ ଅଜହରର ୪ ଜଣ ନିକଟତମ ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମସୂଦ ତା’ ପରିବାର ସଦସ୍ୟମାନଙ୍କ ମୃତ୍ୟୁ ଉପରେ କାନ୍ଦି କାନ୍ଦି କହିଛି ଯେ ଯଦି ସେ ମଧ୍ୟ ମରିଯାଇଥାନ୍ତେ ତେବେ ଭଲ ହୋଇଥାନ୍ତା।

ଆତଙ୍କର ଅଡ୍ଡା ଥିଲା ଏହି ମସଜିଦ ପରିସର
ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ବାହାଓ୍ଵାଲପୁରସ୍ଥିତ ମସୂଦ ଅଜହରଙ୍କ ମଦରସା ମରକଜ ସୁଭାନଅଲ୍ଲାହ ଉପରେ ଚାରୋଟି ମିସାଇଲ ପ୍ରହାର କରାଯାଇଥିଲା। ଏହାଦ୍ଵାରା ଏହି ସମ୍ପୂର୍ଣ୍ଣ ପରିସର ଧ୍ଵଂସ ହୋଇଯାଇଛି। ଏହି ପରିସର ଜୈଶ-ଏ-ମୋହମ୍ମଦର ଅପରେସନାଲ ହେଡକ୍ଵାର୍ଟର ଭାବେ କାର୍ଯ୍ୟ କରୁଥିଲା। ବାହାଓ୍ଵାଲପୁରସ୍ଥିତ ଏହି ପରିସରରେ ଜୈଶ ମୁଖ୍ୟ ମୌଲାନା ମସୂଦ ଅଜହର ଏବଂ ଅନ୍ୟ ଅନେକ ଆତଙ୍କବାଦୀଙ୍କ ଘର ମଧ୍ୟ ଥିଲା। ଏହି ଆକ୍ରମଣରେ ମସୂଦଙ୍କ ପରିବାର ମଧ୍ୟ ସମାପ୍ତ ହୋଇଯାଇଛି।

ବାହାଓ୍ଵାଲପୁରର ଏହି ମଦରସା ପରିସର ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଭାବେ କାର୍ଯ୍ୟ କରୁଥିଲା। ଏହି ମଦରସାରେ ୬୦୦ରୁ ଅଧିକ ଯୁବକଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦିଆଯାଉଥିବା ଦାବି କରାଯାଉଛି। ମସୂଦ ଅଜହର ଏବଂ ଅନ୍ୟ ଆତଙ୍କବାଦୀ ସରଦାରମାନେ ଏହି ସ୍ଥାନକୁ ଆସି ଉନ୍ମାଦ ସୃଷ୍ଟି କରୁଥିବା ଭାଷଣ ଦେଇ ଆସୁଥିଲେ। ଏହି କାରଣରୁ ଭାରତର ମିସାଇଲଗୁଡ଼ିକ ଏହି ପରିସରକୁ ଟାର୍ଗେଟ କରିଥିଲା।

ଅନେକ ଆକ୍ରମଣ ସହ ଜଡ଼ିତ ଜୈଶର ନାମ
ପାକିସ୍ତାନର ଦକ୍ଷିଣ ପଞ୍ଜାବର ବାହାଓ୍ଵାଲପୁରସ୍ଥିତ ମରକଜ ସୁଭାନଅଲ୍ଲାହରେ ମସୂଦ ଅଜହରଙ୍କ ନେତୃତ୍ଵରେ ଜୈଶ-ଏ-ମୋହମ୍ମଦର ମୁଖ୍ୟାଳୟ ଚାଲିଥାଏ। ଏହି ସଂଗଠନ ଭାରତରେ ଅନେକ ବଡ଼ ଆକ୍ରମଣର ଉତ୍ତରଦାୟିତ୍ଵ ନେଇଛି କିମ୍ବା ଏହାର ଷଡ଼ଯନ୍ତ୍ର ସହ ଏହାର ନାମ ଜଡ଼ିତ ହୋଇଛି। ଏଥିରେ ୨୦୦୧ର ସଂସଦ ଆକ୍ରମଣ ଏବଂ ୨୦୧୯ର ପୁଲଓ୍ଵାମା ଆକ୍ରମଣ ମଧ୍ୟ ସାମିଲ ଅଛି।

କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ସ୍ଵରୂପ ଭାରତ ପାକିସ୍ତାନ ଉପରେ ଏହି ଆକ୍ରମଣ କରିଛି। ମଙ୍ଗଳବାର ରାତି ଏବଂ ବୁଧବାର ଭୋର ସମୟରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ପଞ୍ଜାବରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରି ମିସାଇଲ ଆକ୍ରମଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *