ଆହତ ମେଜର ଏକାକୀ ମାରିଥିଲେ ୮୯ ପାକିସ୍ତାନୀ ସୈନିକ,ପଢ଼ନ୍ତୁ ଭାରତ-ପାକ୍ ଯୁଦ୍ଧର ଏକ ରୋମାଞ୍ଚକାରୀ କାହାଣୀ

hoshiyar singh

ପାହାଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁନର୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏପରି ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟ ପ୍ରକାଶ ପାଉଛି। ଏହାପୂର୍ବରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ଚାରିଟି ଯୁଦ୍ଧ ହୋଇସାରିଛି, ଯେଉଁଥିରେ ଅସତ୍ ଉଦ୍ଦେଶ୍ୟ ନେଇ ଆସୁଥିବା ପାକିସ୍ତାନକୁ ସର୍ବଦା ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ଚାରିଟି ଯୁଦ୍ଧରେ ଭାରତୀୟ ସେନାର ଅଧିକାରୀ ଓ ଯବାନମାନେ ଅଦମ୍ୟ ସାହସର ପରିଚୟ ଦେଇଛନ୍ତି। ସେହ ବୀର ସୈନିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମେଜର ହୋଶିୟାର ସିଂହ ଦାହିୟା।

୧୯୭୧ ମସିହାରେ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ମେଜର ହୋଶିୟାର ସିଂହ ବସନ୍ତରରେ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ଆହତ ହେବା ସତ୍ତ୍ୱେ ପାକିସ୍ତାନୀ ସେନାକୁ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରିବାକୁ ବାଧ୍ୟ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ମେଜର ହୋଶିୟାର ସିଂହ ଦାହିୟାଙ୍କ କାହାଣୀ।

ହରିୟାଣାରେ ହୋଇଥିଲା ଜନ୍ମ
୧୯୩୬ ମସିହା ମେ ୫ ତାରିଖରେ ମେଜର ହୋଶିୟାର ସିଂହ ଦାହିୟାଙ୍କର ଜନ୍ମ ହରିୟାଣାର ସୋନୀପତ ଜିଲ୍ଲାର ସିସାନା ଗାଁରେ ହୋଇଥିଲା। ସ୍ଥାନୀୟ ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ସେ ଜାଟ ସିନିୟର ସେକେଣ୍ଡାରୀ ସ୍କୁଲରେ ପଢ଼ିବାକୁ ଯାଇଥିଲେ। ପଢ଼ାରେ ହୋଶିୟାର ଥିବା ହୋଶିୟାର ସିଂହ ଖେଳାକୁଦରେ ମଧ୍ୟ ସର୍ବଦା ଆଗରେ ରହୁଥିଲେ। ଏହା କାରଣରୁ ତାଙ୍କର ଚୟନ ଜାତୀୟ ଚାମ୍ପିଅନସିପ ପାଇଁ ପଞ୍ଜାବର ମିଳିତ ଭଲିବଲ ଦଳରେ ହୋଇଥିଲା। ଏହି ଦଳ ପରେ ସେ ଜାତୀୟ ଦଳର ଅଂଶ ହୋଇଥିଲା। ଦଳର ଅଧିନାୟକ ଥିଲେ ହୋଶିୟାର ସିଂହ। ତାଙ୍କର ଏକ ମ୍ୟାଚ ଜାଟ ରେଜିମେଣ୍ଟାଲ ସେଣ୍ଟରର ଜଣେ ଅଧିକାରୀ ଦେଖିଥିଲେ ଏବଂ ହୋଶିୟାର ସିଂହଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ। ଏହି ସେନା ଅଧିକାରୀଙ୍କ କାରଣରୁ ହୋଶିୟାର ସିଂହ ସେନା ଆଡ଼କୁ ଆକୃଷ୍ଟ ହୋଇଥିଲେ ଏବଂ ୧୯୫୭ ମସିହାରେ ଜାଟ ରେଜିମେଣ୍ଟର ଅଂଶ ହୋଇଥିଲେ। ପରେ ସେ ୩-ଗ୍ରେନେଡିୟର୍ସରେ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୧୯୬୫ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ହୋଶିୟାର ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସମ୍ଭାଳିଥିଲେ ମୋର୍ଚ୍ଚା
ଏହା ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର କଥା। ବାଂଲାଦେଶର ସ୍ୱାଧୀନତା ପାଇଁ ହୋଇଥିବା ଏହି ଯୁଦ୍ଧ ପରେ ପୂର୍ବ ପାକିସ୍ତାନକୁ ଏକ ଅଲଗା ଦେଶ ବାଂଲାଦେଶ ରୂପେ ଗଢ଼ା ଯାଇଥିଲା। ପାକିସ୍ତାନ ସହ ଏହି ଯୁଦ୍ଧକୁ ଭାରତକୁ ଅନେକ ଅଲଗା ଅଲଗା ମୋର୍ଚ୍ଚାରେ ଲଢ଼ିବାକୁ ପଡ଼ିଥିଲା। ଏହି ମୋର୍ଚ୍ଚାଗୁଡ଼ିକ ମଧ୍ୟରୁ ଗୋଟିଏ ମୋର୍ଚ୍ଚାର ଦାୟିତ୍ୱ ମେଜର ହୋଶିୟାର ସିଂହଙ୍କୁ ଦିଆଯାଇଥିଲା। ଏହା ଥିଲା ଶଙ୍କରଗଡ଼ ସମତଳଭୂମିରେ ଅବସ୍ଥିତ ବସନ୍ତରର ମୋର୍ଚ୍ଚା।

ଶଙ୍କରଗଡ଼ ସମତଳଭୂମିର ୯୦୦ କିଲୋମିଟର ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ଏହା କେବଳ ଏତିକି ନୁହେଁ, ଏହି ଅଞ୍ଚଳ ପ୍ରାକୃତିକ ବାଧାବିଘ୍ନରେ ପରିପୂର୍ଣ୍ଣ ଥିଲା। ଶତ୍ରୁ ଏଠାରେ ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡ୍ ମାଇନ୍) ବିଛାଇଥିଲା। ୧୯୭୧ ମସିହା ଡିସେମ୍ବର ୧୪ ତାରିଖରେ ୩ ଗ୍ରେନେଡିୟର୍ସର କମାଣ୍ଡିଂ ଅଧିକାରୀଙ୍କୁ ସୁପୱାଲ ଖାଇରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ୩ ଗ୍ରେନେଡିୟର୍ସକୁ ଜରୱାଲ ଓ ଲୋହାଲ ଗାଁଗୁଡ଼ିକ ଉପରେ ନିଜର ଅଧିକାର ଜାରି କରିବାକୁ ଥିଲା। ଏହି ନିର୍ଦ୍ଦେଶ ପରେ ୧୯୭୧ ମସିହା ଡିସେମ୍ବର ୧୫ ତାରିଖରେ ୩ ଗ୍ରେନେଡିୟର୍ସର ଦୁଇଟି କମ୍ପାନୀ ଆଗକୁ ବଢ଼ିଥିଲେ। ଦୁଇଟି ମଧ୍ୟରୁ ଗୋଟିଏର ନେତୃତ୍ୱ ମେଜର ହୋଶିୟାର ସିଂହ କରୁଥିଲେ। ଉଭୟ କମ୍ପାନୀ ଶତ୍ରୁଙ୍କ ଭୀଷଣ ଗୋଳାବାରୁଦ ଓ ବୋମା ବର୍ଷଣ ସତ୍ତ୍ୱେ ନିଜ ନିଜ ମୋର୍ଚ୍ଚା ହାସଲ କରିଥିଲେ। ସେମାନେ ୨୦ ଜଣ ପାକିସ୍ତାନୀ ସୈନିକଙ୍କୁ ଯୁଦ୍ଧବନ୍ଦୀ କରିଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିଲା।

ଆହତ ହୋଇଥିଲେ ମେଜର ହୋଶିୟାର ସିଂହ
ଏହି ବିଜୟର ପରଦିନ ଅର୍ଥାତ୍ ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୩ ଗ୍ରେନେଡିୟର୍ସ ବାଟାଲିୟନ ଉପରେ ଶତ୍ରୁମାନେ ଜୋରଦାର ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁଦ୍ଧ ହୋଇଥିଲା। ପାକିସ୍ତାନ ପ୍ରତି ଆକ୍ରମଣ କରି ନିଜର ହରାଇଥିବା ଅଞ୍ଚଳକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଶତ୍ରୁଙ୍କୁ ପରାସ୍ତ କରିଥିବା ଭାରତୀୟ ସୈନିକଙ୍କର ମନୋବଳ ବହୁତ ବଢ଼ିଯାଇଥିଲା। ଏହି ପରିସ୍ଥିତିରେ ଭାରତୀୟ ସୈନିକମାନେ ପାକିସ୍ତାନୀ ଆକ୍ରମଣକୁ ଲଗାତାର ବିଫଳ କରୁଥିଲେ। ୧୯୭୧ ମସିହା ଡିସେମ୍ବର ୧୭ ତାରିଖରେ ସୂର୍ଯ୍ୟୋଦୟ ସହିତ ପାକିସ୍ତାନର ଏକ ବାଟାଲିୟନ ବୋମା ଓ ଗୁଳି ସହ ମେଜର ହୋଶିୟାର ସିଂହଙ୍କ କମ୍ପାନୀ ଉପରେ ଆକ୍ରମଣ କରିଥିଲା। କିନ୍ତୁ ମେଜର ହୋଶିୟାର ସିଂହ ନିରାଶ ହୋଇ ନଥିଲେ ଏବଂ ଯବାନମାନଙ୍କର ମନୋବଳ ବଢ଼ାଇ ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେଉଥିଲେ। ଏଥିରେ ପାକିସ୍ତାନର ୮୯ ଜଣ ସୈନିକ ନିହତ ହୋଇଥିଲେ। ମେଜର ହୋଶିୟାର ସିଂହ ମଧ୍ୟ ଶତ୍ରୁଙ୍କ ଭୀଷଣ ଗୋଳାବାରୁଦରେ ଆହତ ହୋଇଥିଲେ।

ପାକିସ୍ତାନୀ କମାଣ୍ଡିଂ ଅଧିକାରୀଙ୍କୁ ହତ୍ୟା
ଆହତ ହେବା ସତ୍ତ୍ୱେ ମେଜର ହୋଶିୟାର ସିଂହ ନିଜ କମ୍ପାନୀର ସୈନିକଙ୍କର ମନୋବଳ ବଢ଼ାଉଥିଲେ। ଆହତ ଅବସ୍ଥାରେ ସେ ଏକ ମିଡିୟମ ମେସିନଗନ ଧରିଥିଲେ। ଏହା ଦ୍ୱାରା କମ୍ପାନୀର ଅନ୍ୟ ସୈନିକଙ୍କର ଉତ୍ସାହ ଆହୁରି ବଢ଼ିଥିଲା। ସେମାନେ ଶତ୍ରୁଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଦିନର ଯୁଦ୍ଧରେ ପାକିସ୍ତାନର ୮୯ ଜଣ ଯବାନ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ପାକିସ୍ତାନର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ନେଲ ମହମ୍ମଦ ଅକ୍ରମ ରାଜା ମଧ୍ୟ ଥିଲେ। ପାକିସ୍ତାନର ୩୫ ଫ୍ରଣ୍ଟିୟର ଫୋର୍ସ ରାଇଫଲ୍ସର ଏହି ଅଧିକାରୀଙ୍କୁ ଭାରତୀୟ ସୈନିକମାନେ ତାଙ୍କର ତିନି ଅଧିକାରୀଙ୍କ ସହ ମିଶି ହତ୍ୟା କରିଥିଲେ।

ଅଦମ୍ୟ ସାହସ ପାଇଁ ପରମବୀର ଚକ୍ର
ଯୁଦ୍ଧ ଚାଲୁଥିବା ବେଳେ ସନ୍ଧ୍ୟା ୬ଟା ବେଳେ ମେଜର ହୋଶିୟାର ସିଂହଙ୍କ କମ୍ପାନୀକୁ ନିର୍ଦ୍ଦେଶ ମିଳିଲା ଯେ ଦୁଇ ଘଣ୍ଟା ପରେ ଯୁଦ୍ଧ ବିରାମ ହେବ। ଏହି ସମୟରେ ଭାରତୀୟ ସେନାର କମ୍ପାନୀଗୁଡ଼ିକ ଅଧିକରୁ ଅଧିକ ଜୋରଦାର ଆକ୍ରମଣ କରି ପାକିସ୍ତାନୀମାନଙ୍କୁ ଯୁଦ୍ଧରେ ପରାଜିତ କରିବାରେ ଲାଗିଥିଲେ। ଯୁଦ୍ଧ ବିରାମର ସମୟ ଆସିବା ବେଳକୁ ମେଜର ହୋଶିୟାର ସିଂହଙ୍କ ୩ ଗ୍ରେନେଡିୟର୍ସର ଜଣେ ଅଧିକାରୀ ଓ ୩୨ ଜଣ ଯବାନ ନିଜର ସର୍ବୋଚ୍ଚ ବଳିଦାନ ଦେଇସାରିଥିଲେ। ତିନି ଅଧିକାରୀ, ଚାରି ଜୁନିୟର କମିଶନ୍ଡ ଅଫିସର ଓ ୮୬ ଜଣ ଯବାନ ଆହତ ହୋଇଥିଲେ। ତଥାପି ମେଜର ହୋଶିୟାର ସିଂହ ନିଜ ଦଳ ସହ ପୂର୍ଣ୍ଣ ଉତ୍ସାହରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ।

ଯୁଦ୍ଧ ଶେଷ ହେବା ପରେ ମେଜର ହୋଶିୟାର ସିଂହଙ୍କ କମ୍ପାନୀକୁ ଏହି ମୋର୍ଚ୍ଚାରେ ବିଜୟର ସମସ୍ତ ଶ୍ରେୟ ଦିଆଯାଇଥିଲା। ମେଜର ହୋଶିୟାର ସିଂହଙ୍କୁ କୁଶଳ ନେତୃତ୍ୱ, ଅସାଧାରଣ ଯୁଦ୍ଧ ଦକ୍ଷତା ଓ ଅଦମ୍ୟ ସାହସ ପାଇଁ ଭାରତ ସରକାର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ କରିଥିଲେ। ସେ ଏହି ସମ୍ମାନ ପାଇଥିବା ପ୍ରଥମ ଜୀବିତ ଅଧିକାରୀ ଥିଲେ। କର୍ନେଲ ଭାବେ ଅବସର ନେଇଥିବା ମେଜର ହୋଶିୟାର ସିଂହ ଦାହିୟା ୧୯୯୮ ମସିହା ଡିସେମ୍ବର ୬ ତାରିଖରେ ଏହି ଦୁନିଆକୁ ଚିରଦିନ ପାଇଁ ବିଦାୟ ନେଇଥିଲେ।

Leave a Reply

Your email address will not be published. Required fields are marked *