ସୋନମରୁ ’ସନମ ବେୱଫା’,କେମିତି ଖୋଲିଲା ରାଜାର ‘ରାଜ୍’

୧୧ ମେ ୨୦୨୫… ମଧ୍ୟପ୍ରଦେଶର ରାଜା ରଘୁବଂଶୀ ସୋନମଙ୍କ ସହ ବିବାହ କରିଥିଲେ। ଉଭୟ ପରିବାର ଏହି ବିବାହକୁ ନେଇ ଅତ୍ୟନ୍ତ ଖୁସି ଥିଲେ। ବିବାହ ପରେ ଅନ୍ୟ ଦମ୍ପତିଙ୍କ ପରି ରାଜା ଓ ସୋନମ ମଧ୍ୟ ହନିମୁନ୍‌ ଯିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ନିଷ୍ପତ୍ତି ହୋଇଥିଲା ଯେ ସେମାନେ ଅସମର କାମାଖ୍ୟା ଦେବୀ ମନ୍ଦିର ଯିବେ, ଏବଂ ସେଠାରୁ କଶ୍ମୀର । ୨୦ ମେ’ରେ ଦୁହେଁ ଆସାମର କାମାଖ୍ୟା ଦେବୀ ମନ୍ଦିର ପହଞ୍ଚିଥିଲେ। ତା’ପରେ ସେମାନେ କଶ୍ମୀର ବଦଳରେ ମେଘାଳୟ ଯିବାକୁ ଯୋଜନା କରିଥିଲେ। ୨୦ ମେ’ରେ ହିଁ ଦୁହେଁ ମେଘାଳୟ ପହଞ୍ଚିଥିଲେ। କିନ୍ତୁ ମେଘାଳୟରେ ସେମାନଙ୍କ ସହ ଯାହା ଘଟିଥିଲା, ତାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ପୋଲିସ ଅନୁସାରେ ୨୨ ମେ’ରେ ଏହି ଦମ୍ପତି ଭଡ଼ା ସ୍କୁଟରରେ ମାଭଲଖିୟାତ ଗାଁ ପହଞ୍ଚିଥିଲେ ଏବଂ ସେଠାରୁ ନୋଙ୍ଗରିୟାତ ଗାଁରେ ପ୍ରସିଦ୍ଧ ‘ଲିଭିଙ୍ଗ ରୁଟ୍‌ ବ୍ରିଜ୍‌’ ଦେଖିବା ପାଇଁ ପାଖାପାଖି ୩୦୦୦ ସିଡ଼ି ଓହ୍ଲାଇଥିଲେ। ସେମାନେ ସେହି ରାତି ଏକ ହୋମଷ୍ଟେ’ରେ ରହିଥିଲେ। ୨୩ ମେ’ ସକାଳେ ସେମାନେ ସେଠାରୁ ବାହାରି ଯାଇଥିଲେ। କିଛି ଘଣ୍ଟା ପରେ ଦୁହେଁ ନିଖୋଜ ହୋଇଯାଇଥିଲେ।

ଗାଇଡ୍‌ ଭାକୁପାର ଓ୍ୱାଂଶାଇଙ୍କ ବୟାନ:
ମାଭଲୟାତରୁ ନୋଙ୍ଗରିୟାତ ପହଞ୍ଚିବାକୁ ପାଖାପାଖି ତିନି ଘଣ୍ଟା ଲାଗେ, ଯେଉଁଥିରେ ପ୍ରାୟ ୩୦୦୦ ସିଡ଼ି ଓହ୍ଲାଇବାକୁ ପଡ଼େ। ଏହି ଦମ୍ପତି ୨୨ ମେ’ରେ ମୋତେ ଫୋନ୍‌ କରିଥିଲେ, ସେତେବେଳେ ଅପରାହ୍ନ ୩:୩୦ ବାଜିଥିଲା। ମୁଁ ମନା କରି ନଥିଲି ଏବଂ ସେମାନଙ୍କୁ ନୋଙ୍ଗରିୟାତ ନେଇଯିବା ପାଇଁ ନିଷ୍ପତ୍ତି ନେଇଥିଲି। ସେମାନଙ୍କୁ ଶିପାରା ହୋମଷ୍ଟେ’ରେ ଛାଡ଼ିବା ପରେ ମୁଁ ଚାଲିଯାଇଥିଲି। ଆଉ ଜଣେ ଗାଇଡ୍‌ ଆଲବର୍ଟ ପଡେ ମଧ୍ୟ ସେମାନଙ୍କ ସହ ଥିଲେ। ଓ୍ୱାଂଶାଇ କହିଛନ୍ତି, ପରଦିନ (୨୩ ମେ’) ମଧ୍ୟ ଆମେ ସେବା ଦେବା ପାଇଁ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ସେମାନେ (ଦମ୍ପତି) ମନା କରିଥିଲେ। ସେମାନେ କହିଥିଲେ ଯେ ସେମାନେ ରାସ୍ତା ଜାଣିଛନ୍ତି। ଓ୍ୱାଂଶାଇ ପୁଲିସକୁ କହିଛନ୍ତି ଯେ ସୋନମ ଅଧିକାଂଶ ସମୟ ଇଂରାଜୀରେ କଥା ହେଉଥିଲେ।

ଶେଷଥର ପାଇଁ ଉଭୟଙ୍କୁ ଦେଖିଥିଲେ ଗାଇଡ୍
୨୩ ମେ’ ସକାଳ ୬ଟାରେ ଦମ୍ପତି ହୋମଷ୍ଟେ’ରୁ ବାହାରି ଯାଇଥିଲେ। ଆଲବର୍ଟ ପଡେ ହେଉଛନ୍ତି ସେମାନଙ୍କୁ ଦେଖିଥିବା ଶେଷ ବ୍ୟକ୍ତି। ସେ ସକାଳ ୧୦ଟାରେ ଦମ୍ପତିଙ୍କୁ ମାଭଲଖିୟାତ ଗାଁ ଆଡ଼େ ୩୦୦୦ ସିଡ଼ି ଚଢ଼ୁଥିବା ଦେଖିଥିଲେ। ସେମାନଙ୍କ ସହ ତିନି ଜଣ ବ୍ୟକ୍ତି ଥିଲେ, ଯାହାଙ୍କୁ ସେ ପର୍ଯ୍ୟଟକ ଭାବିଥିଲେ। ଏହାପରେ ସୋନମ ଓ ରାଜା ଦୁହେଁ ନିଖୋଜ ହୋଇଯାଇଥିଲେ। ପଡେଙ୍କ ଅନୁସାରେ, ଯେତେବେଳେ ସେ ରାଜା ଓ ସୋନମଙ୍କୁ ଦେଖିଥିଲେ, ଚାରି ଜଣ ପୁରୁଷ ଆଗରେ ଚାଲୁଥିଲେ ଏବଂ ମହିଳା ପଛରେ ଥିଲେ। ଚାରି ଜଣ ପୁରୁଷ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ମୁଁ ବୁଝି ପାରିନଥିଲି କାରଣ ମୁଁ କେବଳ ଖାସି ଓ ଇଂରାଜୀ ଜାଣେ। ଗାଇଡ୍‌ ଦାବି କରିଛନ୍ତି, ଯେତେବେଳେ ମୁଁ ମାଭଲଖିୟାତ ପହଞ୍ଚିଲି, ସେମାନଙ୍କ ସ୍କୁଟର ସେଠାରେ ନଥିଲା।

ସୋନମଙ୍କ ଶାଶୁଙ୍କ ସହ କଥାବାର୍ତ୍ତା:
ଦୁହିଁଙ୍କୁ ଖୋଜା ଜାରି ଥିବା ବେଳେ ସୋନମ ଓ ତାଙ୍କ ଶାଶୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡ଼ିଓ ସାମ୍ନାକୁ ଆସିଥିଲା। ଶାଶୁ ପଚାରିଥିଲେ, “କିଛି ଖାଇଛ?” ସୋନମ ଉତ୍ତର ଦେଇଥିଲେ, “ଏଠାରେ କିଛି ମିଳୁନାହିଁ। ଗୋଟେ ଜାଗାରୁ ଦୁଧ ନେଇଥିଲି,କିନ୍ତୁ ତାହା ପାଣି ମିଶା ଥିଲା । କଫି ନେଇଥିଲି, ତାହା ମଧ୍ୟ ଖରାପ ଥିଲା, ମୁଁ ଫୋପାଡ଼ି ଦେଇଥିଲି।” ସୋନମ ଆହୁରି କହିଥିଲେ ଯେ ସେମାନେ ଝରଣା ଦେଖିବାକୁ ଯାଉଛନ୍ତି। ଏହାପରେ ଫୋନ୍‌ କଟ୍‌ ହୋଇଯାଇଥିଲା।

ଜୁନ୍‌ ୨ରେ ଝରଣା ପାଖରେ ମିଳିଲା ଶବ:
୨ ଜୁନ୍‌ରେ ରାଜାଙ୍କ ଶବ ଓ୍ୱେଇସାୱଡ଼ଙ୍ଗ ଝରଣା ପାଖରେ ଏକ ଗଭୀର ଖାଇରେ ମିଳିଥିଲା। ଶବ ବହୁତ ପଚି ଯାଇଥିଲା। ରାଜାଙ୍କ ଭାଇ ବିପିନ ତାଙ୍କ ହାତରେ ଥିବା ‘ରାଜା’ ଟାଟୁ ଦେଖି ଶବ ଚିହ୍ନଟ କରିଥିଲେ । କିନ୍ତୁ ସୋନମ ମିଳି ନଥିଲେ। ପ୍ରାରମ୍ଭରେ ମନେ ହେଉଥିଲା ଯେ ଦୁହିଁଙ୍କର ଦୁର୍ଘଟଣା ଘଟିଥାଇପାରେ, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ ରାଜାଙ୍କ ହତ୍ୟା ଏକ ଧାରୁଆ ଅସ୍ତ୍ର ଦ୍ୱାରା କରାଯାଇଥିଲା। ରାଜାଙ୍କ ଭାଇ ବିପିନଙ୍କ ଅନୁସାରେ, ଯେଉଁ ଅଞ୍ଚଳକୁ ସେମାନେ ଯାଇଥିଲେ, ତାହା ଅପରାଧ ପାଇଁ କୁଖ୍ୟାତ। ଏହି ଅଞ୍ଚଳ ବାଂଲାଦେଶ ସୀମାନ୍ତରେ ଅତି ନିକଟ। ଏଠାକୁ ଆସୁଥିବା ଦମ୍ପତିଙ୍କ ମଧ୍ୟରୁ ଝିଅମାନଙ୍କୁ ଅପହରଣ କରି ବାଂଲାଦେଶ ନିଆଯାଉଛି।

ବିପର୍ଯ୍ୟସ୍ତ ଅବସ୍ଥାରେ ମିଳିଲେ ସୋନମ:
ପୁଲିସ୍‌ ଟିମ୍‌ ଲଗାତାର ସୋନମଙ୍କୁ ଖୋଜୁଥିଲା। ଏହାର ସାତ ଦିନ ପରେ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଥିଲା। ୯ ଜୁନ୍‌ ଦିନ ସୋନମଙ୍କୁ ଉତ୍ତରପ୍ରଦେଶର ଗାଜୀପୁରରୁ ଗିରଫ କରାଯାଇଥିଲା। ଗାଜୀପୁରର ଅତିରିକ୍ତ ଏସ୍‌ପି ଜ୍ଞାନେନ୍ଦ୍ର ପ୍ରସାଦ ଏହାର ପୁଷ୍ଟି କରିଥିଲେ। ମେଘାଳୟର ଡିଜିପି କହିଛନ୍ତି, “ରାଜା ହତ୍ୟା ମାମଲାରେ ତାଙ୍କ ପତ୍ନୀ ସୋନମଙ୍କର ହାତ ଥିଲା। ସେ ହିଁ ରାଜାଙ୍କୁ ମରାଇବା ପାଇଁ ଭଡ଼ା ହତ୍ୟାକାରୀ ଡ଼ାକିଥିଲେ।”

ଅଭିଯୁକ୍ତଙ୍କ ଗିରଫ:
ପୁଲିସ୍‌ ମଧ୍ୟପ୍ରଦେଶର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ଅଭିଯୁକ୍ତଙ୍କୁ ଖୋଜା ଏବେ ବି ଜାରି ରହିଛି। ଗାଜୀପୁର ପୁଲିସ୍‌ ଅନୁସାରେ, ସୋନମ ରଘୁବଂଶୀ ଗାଜୀପୁରର ଏକ ଢାବାରେ ମିଳିଥିଲେ। ସେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲେ। ଏବେ ସେ ଏହି ଘଟଣା ସମ୍ପର୍କରେ କିଛି କହୁ ନାହାନ୍ତି। ସୋନମ ପରିବାର ସହ ଯୋଗାଯୋଗ କରିବା ପାଇଁ ଫୋନ୍‌ ବ୍ୟବହାର କରିଥିଲେ, ଯାହା ଦ୍ୱାରା ପୁଲିସ୍‌ ତାଙ୍କ ପାଖରେ ପହଞ୍ଚିଥିଲା। ଢାବା ମାଲିକଙ୍କଠାରୁ ତାଙ୍କ ଫୋନ୍ ମାଗି ସୋନମ ଘରକୁ ଫୋନ୍ କରିଥିଲେ । ସୋନମଙ୍କୁ ମେଡିକାଲ ନିଆଯିବା ପରେ ସକ୍ଷୀ ୱାନଷ୍ଟପ୍ ହୋମରେ ରଖାଯାଇଛି । ପୋଲିସ ଅନୁସାରେ ସେ ନିଜ ଭାଇ ସହିତ କଥା ହେବାକୁ ଜିଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *