ଅପରେସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସୈନ୍ୟ ସଂଘର୍ଷ ଚାରି ଦିନ ପରେ ଯୁଦ୍ଧବିରାମ ସହିତ ବନ୍ଦ ହେଲା, କିନ୍ତୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଶାନ୍ତ ହୋଇନାହିଁ। ଭାରତ ସ୍ପଷ୍ଟ କରିଦେଇଛି ଯେ ପହଲଗାମ ପରି କୌଣସି ଆତଙ୍କବାଦୀ ଆକ୍ରମଣକୁ ଏବେ ସିଧାସଳଖ ଯୁଦ୍ଧ ବୋଲି ଗଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଭାରତ ଏବେ ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ଲୋକଙ୍କୁ ଅଲଗା ଦୃଷ୍ଟିରେ ଦେଖିବ ନାହିଁ। ଭାରତ ସହିତ ସୈନ୍ୟ ସଂଘର୍ଷରେ ପାକିସ୍ତାନକୁ ତା’ର ମିତ୍ର ଚୀନ ସମର୍ଥନ କରିଥିଲା । କିନ୍ତୁ ବେଜିଂ ପାଇଁ ଅପମାନର କାରଣ ହେଲା,ଯେଉଁଭଳି ଭାବେ ଭାରତ । ପାକିସ୍ତାନୀ ସେନା ବ୍ୟବହାର କରୁଥିବା ଚୀନୀ ଅସ୍ତ୍ରଶସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥିଲା । ଚିନ୍ ନିର୍ମିତ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଚଳ କରି ଭାରତ ପାକିସ୍ତାନକୁ ନିରୁପାୟ କରିଦେଇଥିଲା। ତେବେ ଏହା ମଧ୍ୟରେ ଆସୁଥିବା ରିପୋର୍ଟ ଅନୁସାରେ, ଚୀନ ଓ ପାକିସ୍ତାନ ଏବେ କାଶ୍ମୀରରୁ ଧ୍ୟାନ ହଟାଇ ଭାରତର ପୂର୍ବ ସୀମାକୁ ଲକ୍ଷ୍ୟ କରୁଛନ୍ତି। ସିଏନଏନ-ନ୍ୟୁଜ ୧୮ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ମୋହମ୍ମଦ ଯୁନୁସ ନୂଆ ଖଳନାୟକ
ଶେଖ ହାସିନାଙ୍କ ଶାସନ ସମୟରେ ବାଂଲାଦେଶ ଚୀନ-ପାକିସ୍ତାନର ଏହି ମେଣ୍ଟରେ ସାମିଲ ହେବାକୁ ଦୂରେଇ ରହିଥିଲା, କିନ୍ତୁ ମୋହମ୍ମଦ ଯୁନୁସଙ୍କ ନେତୃତ୍ୱରେ ଇସଲାମିକ କଟ୍ଟରପନ୍ଥୀଙ୍କ ଉତ୍ଥାନ ଓ ଆର୍ଥିକ ଚାପ ବାହାରୁ ହସ୍ତକ୍ଷେପ ପାଇଁ ପଥ ପ୍ରସ୍ତୁତ କରିଛି। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୋହମ୍ମଦ ଯୁନୁସ ଚଳିତ ବର୍ଷ ମାର୍ଚ୍ଚ ମାସରେ ବାଂଲାଦେଶକୁ ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପାଇଁ ସମୁଦ୍ରର ଏକମାତ୍ର ପ୍ରବେଶଦ୍ୱାର ବୋଲି ଅଭିହିତ କରିଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ ଏହା ଚୀନୀ ଅର୍ଥନୀତିର ବିସ୍ତାର ହୋଇପାରେ।
ପାକିସ୍ତାନର ଖେଳ
ସାମ୍ପ୍ରତିକ ଘଟଣାବଳୀରୁ ଜଣାପଡ଼ିଛି ଯେ ପାକିସ୍ତାନ ବାଂଲାଦେଶରେ ଚୀନୀ ସ୍ୱାର୍ଥକୁ ବଢ଼ାଇବା ପାଇଁ ଯୁନୁସଙ୍କୁ ବ୍ୟବହାର କରୁଛି। ପାକିସ୍ତାନ ଭାବୁଛି ଯେ ପୂର୍ବ ସୀମାରେ ଭାରତକୁ ବ୍ୟସ୍ତ ରଖି ସେ କାଶ୍ମୀରରୁ ଭାରତର ଧ୍ୟାନ ହଟାଇପାରିବ। ଏହି ଯୋଜନାରେ ବାଂଲାଦେଶର ସେନାପ୍ରମୁଖ ଜେନେରାଲ ୱାକାର-ଉଜ-ଜମାନ ବାଧା ସୃଷ୍ଟି କରୁଛନ୍ତି। ଏହାର ମୁକାବିଲା ପାଇଁ ପାକିସ୍ତାନୀ ସେନାର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ସକ୍ରିୟ ହୋଇଛି।
ନ୍ୟୁଜ ୧୮ ରିପୋର୍ଟ ଅନୁସାରେ, ଆଇଏସଆଇ ବାଂଲାଦେଶର ସେନାପ୍ରମୁଖଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ତେବେ, ସେନାର ଅଧିକାଂଶ କମାଣ୍ଡର ଜେନେରାଲ ଜମାନଙ୍କ ସହ ରହିଛନ୍ତି, ଯାହା ଆଇଏସଆଇ ପାଇଁ ବଡ଼ ଚ୍ୟାଲେଞ୍ଜ। ଚଳିତ ବର୍ଷ ଜାନୁଆରୀ ଶେଷରେ ଆଇଏସଆଇର ଚାରି ଜଣ ବରିଷ୍ଠ ଅଧିକାରୀ ଢାକା ଗସ୍ତ କରିଥିଲେ, ଯାହାର ନେତୃତ୍ୱ ଆଇଏସଆଇ ମୁଖ୍ୟ ତଥା ପାକିସ୍ତାନର ନୂତନ ଏନଏସଏ ଲେଫ୍ଟନାଣ୍ଟ ଜେନେରାଲ ଅସିମ ମଲିକ ନେଇଥିଲେ।
ଭାରତ ବିରୋଧରେ ଚୀନର ସକ୍ରିୟତା
ଚୀନ ବାଂଲାଦେଶରେ ଭାରତର ବାଣିଜ୍ୟ ପ୍ରାଧାନ୍ୟକୁ କମାଇବାକୁ ଚେଷ୍ଟା କରୁଛି। ବାଂଲାଦେଶକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚୀନ ବସ୍ତ୍ର ଓ ଯନ୍ତ୍ରପାତି ଆଦି କମ ମୂଲ୍ୟର ଚୀନୀ ଆମଦାନୀର ପ୍ରସ୍ତାବ ଦେଉଛି। ଏଥିପାଇଁ ଚୀନ ପାକିସ୍ତାନକୁ ବ୍ୟବହାର କରୁଛି। ପାକିସ୍ତାନର ଆଇଏସଆଇ ବାଂଲାଦେଶରେ ହିଫାଜତ-ଏ-ଇସଲାମ ଓ ଜମାତ-ଏ-ଇସଲାମୀ ପରି କଟ୍ଟରପନ୍ଥୀ ଇସଲାମୀ ସଂଗଠନଗୁଡ଼ିକୁ ଭାରତ ବିରୋଧୀ ବୟାନବାଜୀ ପାଇଁ ଅର୍ଥ ଯୋଗାଇ ଦେଉଥିବା ଅଭିଯୋଗ ରହିଛି।
ପୂର୍ବୋତ୍ତରରେ ଅଶାନ୍ତି ସୃଷ୍ଟି ଉଦ୍ୟମ
ଆଇଏସଆଇ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ସୀମାପାର ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବାଂଲାଦେଶରେ ଥିବା ନିଜର ପାଳିତ ଗୁଣ୍ଡାମାନଙ୍କ ମାଧ୍ୟମରେ ପାକିସ୍ତାନ ପୂର୍ବୋତ୍ତର ଭାରତରେ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ପୁନଃ ସକ୍ରିୟ କରୁଛି। ଏଥିରେ ମୋହମ୍ମଦ ଯୁନୁସ ପ୍ରଶାସନ ତା’ର ସହାୟତା କରୁଛି। ସମ୍ପ୍ରତି ତ୍ରିପୁରା ଓ ଆସାମରେ ପାକିସ୍ତାନୀ ମୂଳର ଅସ୍ତ୍ରଶସ୍ତ୍ର ଜବତ ହୋଇଛି, ଯାହା ପାକିସ୍ତାନୀ ଡିପ ଷ୍ଟେଟର ସକ୍ରିୟତାର ସଙ୍କେତ ଦେଉଛି।