ଭାରତର ମିସାଇଲ୍ ମାଡ଼ ଭିତରେ ପାକ୍ ପ୍ରଧାନମନ୍ତ୍ରୀ କରୁଥିଲେ ସ୍ୱିମିଂ !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପୁଣି ଥରେ ଭାରତ ସହ ସମ୍ପ୍ରତି ସଂଘର୍ଷ ଏବଂ ଯୁଦ୍ଧବିରତି (ସିଜଫାୟାର) ଉପରେ ନୂଆ ମିଛି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଶେହବାଜ ଶରିଫ କହିଛନ୍ତି ଯେ ସକାଳେ(ରାତି ୨.୩୦ ମିନିଟରେ) ସେ ପହଁରୁଥିବା ସମୟରେ ସେନା ମୁଖ୍ୟ ଆସିମ ମୁନିରଙ୍କ ଫୋନ ଆସିଥିଲା। ଏହି ସମୟରେ ତାଙ୍କୁ କୁହାଯାଇଥିଲା ଯେ ଅନ୍ୟ ପକ୍ଷରୁ ଯୁଦ୍ଧବିରତିର ପ୍ରସ୍ତାବ ଆସିଛି। ଶେହବାଜ ଶରିଫ କହିଛନ୍ତି, ସେ ତୁରନ୍ତ ଯୁଦ୍ଧବିରତି ପାଇଁ ସମ୍ମତି ଦେଇଥିଲେ। କିନ୍ତୁ ଶରିଫଙ୍କ ଏହି ଦାବି ଉପରେ ପାକିସ୍ତାନୀ ନାଗରିକ ହିଁ ପ୍ରଶ୍ନ ଉଠାଇଛନ୍ତି। ଜଣେ ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର ପ୍ରଶ୍ନ ଉଠାଇଛନ୍ତି ଯେ ପ୍ରଧାନମନ୍ତ୍ରୀ କୌଣସି ମନ୍ତ୍ରୀମଣ୍ଡଳୀ ବୈଠକ କିମ୍ବା ପରାମର୍ଶ ବିନା ପହଁରୁଥିବା ସମୟରେ କିପରି ଯୁଦ୍ଧବିରତିର ନିଷ୍ପତ୍ତି ନେଇପାରିଲେ। ପାକିସ୍ତାନରେ ଏହା ଉପରେ ପ୍ରଶ୍ନ ଉଠୁଛି ଯେ ଯଦି ସେ ସକାଳେ ଯୁଦ୍ଧବିରତି ପାଇଁ ସମ୍ମତି ଦେଇଥିଲେ, ତେବେ ସଂଧ୍ୟା ବେଳକୁ କେମିତି ଭାରତ ପାକିସ୍ତାନର ପ୍ରମ୍ମୁଖ ବାୟୁସେନା ଘାଟି ଉପରେ ଆକ୍ରମଣ କଲା ।

ବୋମାମାଡ଼ ଭିତରେ ପହଁରା!
ଶେହବାଜ ଶରିଫଙ୍କ ଏହି ବୟାନକୁ ସେୟାର କରି ଜଣେ ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର ଏକ୍ସରେ ଲେଖିଛନ୍ତି, “ପାକିସ୍ତାନ ଉପରେ ବୋମାମାଡ଼ ହେଉଥିଲା ଆଉ ଆମ ପ୍ରଧାନମନ୍ତ୍ରୀ ପହଁରୁଥିଲେ। ଜଣେ ଚତୁର ବ୍ୟକ୍ତି ଅନେକ ସମୟରେ ଭୁଲ କରିବସେ ଏବଂ ଏଠାରେ ଶରିଫ ମଧ୍ୟ ନିଜର ପ୍ରଶଂସା କରିବା ଚକ୍କରରେ ଭୁଲ କରିଛନ୍ତି। ସେ କହିଛନ୍ତି ଯେ ମୁଁ ପହଁରୁଥିବା ସମୟରେ ଯୁଦ୍ଧବିରତି ପାଇଁ ସମ୍ମତି ଦେଇଥିଲି। ଏହା କିପରି ସତ୍ୟ ହୋଇପାରେ? ଆପଣ ନିଜର ମୌଳିକ ବୁଦ୍ଧି ବ୍ୟବହାର କରି ଆମକୁ କୁହନ୍ତୁ।”

ଭାରତ ପୁଷ୍ଟି କରିଛି ଯେ ୧୦ ମଇରେ ଉଭୟ ଦେଶର ଡିଜିଏମଓ (ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ) ମଧ୍ୟରେ ସିଧାସଳଖ ଆଲୋଚନା ପରେ ପାକିସ୍ତାନ ସହ ଯୁଦ୍ଧବିରତି ସମ୍ମତି ହୋଇଥିଲା। ଏହି ସମ୍ମତିର ଉଦ୍ଦେଶ୍ୟ ଥିଲା ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ପ୍ରକାର ସାମରିକ କାର୍ଯ୍ୟକଳାପକୁ ରୋକିବା। ଅନ୍ୟପକ୍ଷରେ, ପାକିସ୍ତାନ ପକ୍ଷରୁ ଏହି ବିଷୟରେ ଏପରି ବୟାନ ଆସୁଛି, ଯାହା ଗମ୍ଭୀରତାରୁ ଦୂରେଇ ଦେଖାଯାଉଛି। ଏହି ମାମଲାରେ ଶେହବାଜ ଶରିଫଙ୍କ ବୟାନର ସମାଲୋଚନା ପାକିସ୍ତାନରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି।

ଭାରତ ଓ ପାକିସ୍ତାନର ସମ୍ପର୍କ ତିକ୍ତତାପୂର୍ଣ୍ଣ ରହିଛି। ଏହାର ଆରମ୍ଭ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିଲା। ୨୨ ଏପ୍ରିଲରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୬ ମଇ ରାତିରେ ଭାରତ ପାକିସ୍ତାନରେ ‘ଅପରେସନ ସିନ୍ଦୁର’ ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହା ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଯୁଦ୍ଧମୁଖୀ ହୋଇପଡ଼ିଥିଲା। ଚାରି
ଦିନର ସଂଘର୍ଷ ପରେ ୧୦ ମଇରେ ଉଭୟ ପକ୍ଷ ଯୁଦ୍ଧବିରତିର ନିଷ୍ପତ୍ତି ନେଇଥିଲେ। ଯୁଦ୍ଧବିରତି ଉପରେ ପାକିସ୍ତାନ ପକ୍ଷରୁ ଲଗାତାର ବୟାନ ଆସୁଛି।

Leave a Reply

Your email address will not be published. Required fields are marked *