ଅପରେସନ ସିନ୍ଦୁର ପରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଭାରତୀୟ ଅସ୍ତ୍ରଶସ୍ତ୍ର ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି। ଅନେକେ ଏହା ମଧ୍ୟ ପଚାରୁଛନ୍ତି ଯେ ଭାରତ ଏଯାଏ ଲଢ଼ୁଆ ବିମାନର ଇଞ୍ଜିନ କାହିଁକି ତିଆରି କରି ପାରିନାହିଁ। ଏହି ପ୍ରଶ୍ନ ପଛରେ ଅନେକ କାରଣ ଅଛି, କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ରାଜନୈତିକ ଇଚ୍ଛାଶକ୍ତି। ୨୦୧୪ ପରେ ଭାରତୀୟ ପ୍ରତିରକ୍ଷା ଶିଳ୍ପରେ ପ୍ରକୃତ ପରିବର୍ତ୍ତନର କାମ ଆରମ୍ଭ ହୋଇଥିଲା, ଯେତେବେଳେ ମୋଦୀ ସରକାର ‘ମେକ୍ ଇନ୍ ଇଣ୍ଡିଆ’ର ଆଧାରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ତିଆରିର ଲକ୍ଷ୍ୟ ରଖିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବିଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଭାରତର ନିର୍ଭରଶୀଳତା କମାଇ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ବିଶ୍ୱସ୍ତରୀୟ କରିବା। ପହଲଗାମ ଆତଙ୍କବାଦୀ ହମଲା ପରେ ଯେତେବେଳେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ସେତେବେଳେ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଥିଲା।
ଆମେରିକାର ଓ୍ୱାର ଇନଷ୍ଟିଟ୍ୟୁଟରେ ‘ସହରୀ ଯୁଦ୍ଧ’ ପଢ଼ାଉଥିବା ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ ଜନ ସ୍ପେନସର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ନେଇ ଏକ ବିଶ୍ଳେଷଣତ୍ମକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ହିଁ ଯୁଦ୍ଧକ୍ଷେତ୍ରରେ ପ୍ରକୃତ ବିଜେତା ସାବ୍ୟସ୍ତ ହୋଇଛି। ସେ ନିଜ ରିପୋର୍ଟରେ ଲେଖିଛନ୍ତି ଯେ ଭାରତ କେବଳ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହିଁ, ବରଂ ଶତ୍ରୁ ଓ ବିଶ୍ୱକୁ ଦେଖାଇ ଦେଇଛି ଯେ ଭାରତ ଏବେ ଏପରି ଏକ ଦେଶ, ଯିଏ ଯୁଦ୍ଧ ନିଜ ଅସ୍ତ୍ରଶସ୍ତ୍ର ଓ ନିଜ ସର୍ତ୍ତରେ ଲଢ଼େ। ମୋଦୀ ସରକାର ୨୦୧୪ ପରେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ)କୁ ୭୪% ପର୍ଯ୍ୟନ୍ତ ଖୋଲି ଦେଇଥିଲେ, ସରକାରୀ-ବେସରକାରୀ ଭାଗୀଦାରୀକୁ ପ୍ରୋତ୍ସାହନ ଦେଇଥିଲେ ଏବଂ ବ୍ରହ୍ମୋସ, କେ୯ ବଜ୍ର ଓ ଏକେ-୨୦୩ ଭଳି ଅତ୍ୟାଧୁନିକ ଓ ଦ୍ରୁତଗତିରେ ଚାଲୁଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱଦେଶୀ ଉତ୍ପାଦନରେ ତିଆରି କରିବା ଆରମ୍ଭ କରିଥିଲେ।
ଯୁଦ୍ଧକ୍ଷେତ୍ରରେ ପାସ୍ ହେଲେ ଭାରତୀୟ ଅସ୍ତ୍ରଶସ୍ତ୍ର
ଜନ ସ୍ପେନସର ଲେଖିଛନ୍ତି ଯେ କୋଭିଡ ସଙ୍କଟ ସମୟରେ ଚୀନ ସହିତ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଭାରତର ଆତ୍ମନିର୍ଭର ଅସ୍ତ୍ରଶସ୍ତ୍ର ତିଆରି ଦିଗରେ ଦ୍ୱିତୀୟ ଲହର ଆସିଥିଲା। ମୋଦୀ ସରକାର ‘ଆତ୍ମନିର୍ଭର ଭାରତ’କୁ ଏକ ସିଦ୍ଧାନ୍ତ ଭାବେ ଉପସ୍ଥାପନ କରିଥିଲେ। ଯଦିଓ ସେନାକୁ ଜରୁରୀ ଅସ୍ତ୍ରଶସ୍ତ୍ର କିଣିବାର ଅନୁମତି ଦିଆଯାଇଥିଲା, କିନ୍ତୁ ସ୍ୱଦେଶୀ ଗବେଷଣା ଓ ବିକାଶ, ଡିଜାଇନ ଏବଂ ଉତ୍ପାଦନରେ ନିବେଶ ବଢ଼ାଇବା ଆରମ୍ଭ ହୋଇଥିଲା। ୨୦୨୫ ସୁଦ୍ଧା ଭାରତ ପ୍ରତିରକ୍ଷା କ୍ରୟରେ ଘରୋଇ ଉପକରଣକୁ ୩୦%ରୁ ୬୫%କୁ ବଢ଼ାଇଥିଲା, ଯାହାର ଲକ୍ଷ୍ୟ ଦଶନ୍ଧି ଶେଷ ସୁଦ୍ଧା ୯୦% କରିବା। ଆତ୍ମନିର୍ଭର ଭାରତର କ୍ଷମତାର ପରୀକ୍ଷା ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ହମଲା ପରେ ଆରମ୍ଭ ହୋଇଥିଲା। ଏହା ପରେ ଭାରତ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧରେ ଯେଉଁଭଳି ଭାବେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଏବଂ ଭାରତୀୟ ଅସ୍ତ୍ରଶସ୍ତ୍ର ଯେଉଁ ସଠିକତାରେ ଆକ୍ରମଣ କରିଥିଲା, ତାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିଶ୍ୱ ମଞ୍ଚରେ ନିଜକୁ ସାବ୍ୟସ୍ତ କରିଛି। ଚିନ୍ତା କରନ୍ତୁ, ଭାରତ ଡ୍ରୋନ ମାଧ୍ୟମରେ ପାକିସ୍ତାନର ଚୀନୀ ଏୟାର ଡିଫେନ୍ସ ସିଷ୍ଟମକୁ ମାରି ପକାଇଥିଲା, ଏହା କୌଣସି ଚମତ୍କାରଠାରୁ କମ ନୁହେ।
ଅପରେସନ ସିନ୍ଦୁର ସମୟରେ ଭାରତ ନିଜର ସ୍ୱଦେଶୀ ଅସ୍ତ୍ରଶସ୍ତ୍ରକୁ ଅଭୂତପୂର୍ବ ଭାବେ ବ୍ୟବହାର କରିଥିଲା। ଭାରତର ବ୍ରହ୍ମୋସ ସୁପରସୋନିକ ମିସାଇଲ ଶତ୍ରୁର ବଙ୍କର, ରାଡାର ଷ୍ଟେସନ ଓ ପ୍ରାୟ ଏକ ଡଜନ ଏୟାରବେସକୁ ଧ୍ୱଂସ କରିଥିଲା, ଯେତେବେଳେ କି ‘ଆକାଶ-ଆକାଶତୀର’ ସିଷ୍ଟମ ପାକିସ୍ତାନର ଚୀନୀ-ନିର୍ମିତ ମିସାଇଲ ଓ ଡ୍ରୋନକୁ ଆକାଶରେ ନଷ୍ଟ କରି ଦେଇଥିଲା। ଇସ୍ରୋ ଉପଗ୍ରହ ଭାରତୀୟ ବାୟୁସେନାକୁ ପାକିସ୍ତାନୀ ଲକ୍ଷ୍ୟଗୁଡ଼ିକ ଉପରେ ସଠିକ ଆକ୍ରମଣ କରିବାର କ୍ଷମତା ଦେଇଥିଲା ଏବଂ ଭାରତ ରୁଷୀୟ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ମାଧ୍ୟମରେ ପାକିସ୍ତାନର ଏଡବ୍ଲ୍ୟୁଏସିଏସ ବିମାନକୁ ଆକାଶରେ ମାରି ତା’ର ନିରୀକ୍ଷଣ କ୍ଷମତା ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହା ପରେ ଭାରତ ଭୋଲାରୀ ଏୟାରବେସରେ ଥିବା ଅନ୍ୟ ଏକ ଏଡବ୍ଲ୍ୟୁଏସିଏସ ବିମାନକୁ ମଧ୍ୟ ମାରି ପାକିସ୍ତାନ ବାୟୁସେନାର ୭୦ ପ୍ରତିଶତ ନିରୀକ୍ଷଣ କ୍ଷମତାକୁ ନଷ୍ଟ କରି ଦେଇଥିଲା।
ପାକିସ୍ତାନର କେଉଁ କେଉଁ ଚୀନୀ ଅସ୍ତ୍ରଶସ୍ତ୍ର ବିଫଳ ହେଲା
ଜେଏଫ-୧୭ ଥଣ୍ଡର (ବ୍ଲକ II/III): ଜେଏଫ-୧୭ ଲଢ଼ୁଆ ବିମାନ ଯଦିଓ ପାକିସ୍ତାନରେ ତିଆରି, କିନ୍ତୁ ଏହାକୁ ପୂରାପୂରି ଚୀନ ନିର୍ମାଣ କରିଛି। ଜେଏଫ-୧୭ରେ ଚୀନୀ ଏଭିଓନିକ୍ସ, ରାଡାର, ଇଞ୍ଜିନ (ଆରଡି-୯୩) ଓ ଗୁଳି ଚାଳନା କରୁଥିବା ଅସ୍ତ୍ରଶସ୍ତ୍ର ଅଛି। ଅପରେସନ ସିନ୍ଦୁର ସମୟରେ ଭାରତୀୟ ବାୟୁସେନାର ମିସାଇଲ ଓ ଏୟାର ଡିଫେନ୍ସର ମୁକାବିଲା କରିବାରେ ଏହା ଅସଫଳ ହୋଇଥିଲା। ଏହି ବିମାନଗୁଡ଼ିକର ସୀମିତ ପେଲୋଡ, ପୁରୁଣା ରାଡାର ଓ ଦୁର୍ବଳ ବଞ୍ଚିବା କ୍ଷମତା ଭାରତୀୟ ବାୟୁସେନା ଆଗରେ ବହୁତ ନିରାଶଜନକ ଥିଲା। ଫଳସ୍ୱରୂପ, ୭ ମେ ରାତି ପରେ ପାକିସ୍ତାନ ବାୟୁସେନା ତା’ର ଗୋଟିଏ ମଧ୍ୟ ଲଢ଼ୁଆ ବିମାନକୁ ଯୁଦ୍ଧ ପାଇଁ ପଠାଇ ନଥିଲା। ଭାରତ ଯେତେବେଳେ ଭୋଲାରୀ ବେସ ଉପରେ ମିସାଇଲ ଆକ୍ରମଣ କରିଥିଲା, ସେତେବେଳେ ଦୁଇଟି ଜେଏଫ-୧୭ ଫାଇଟର ଜେଟ ଧ୍ୱଂସ ହୋଇଥିଲା। ଆମେରିକାର ଦୁଇଟି ଏଫ-୧୬ ଫାଇଟର ଜେଟ ମଧ୍ୟ ଧ୍ୱଂସ ହୋଇଥିବା ରିପୋର୍ଟ ହୋଇଛି।
ଏଚକ୍ୟୁ-୯ / ଏଚକ୍ୟୁ-୧୬ ଏସଏଏମ ସିଷ୍ଟମ: ରୁଷର ଏସ-୩୦୦ ଓ ବୁକ ସିଷ୍ଟମକୁ ନକଲ କରି ଚୀନ ଏଚକ୍ୟୁ-୯ ଓ ଏଚକ୍ୟୁ-୧୬ ଏୟାର ଡିଫେନ୍ସ ସିଷ୍ଟମ ତିଆରି କରିଛି। ଏଗୁଡ଼ିକୁ ଭାରତୀୟ ବାୟୁ ଓ ମିସାଇଲ ଆକ୍ରମଣକୁ ରୋକିବା ପାଇଁ ମୁତୟନ କରାଯାଇଥିଲା। କିନ୍ତୁ ଭାରତର ଜାମିଂ ଓ ଇଲେକ୍ଟ୍ରୋନିକ ଯୁଦ୍ଧ ଆଗରେ ଏହା ବିଫଳ ହୋଇଥିଲା। ଭାରତ ଲାହୋର ରାଡାର ସିଷ୍ଟମକୁ ନିଜର ଡ୍ରୋନ ଦ୍ୱାରା ଉଡ଼ାଇ ଦେଇଥିଲା। ଭାରତୀୟ ମିସାଇଲଗୁଡ଼ିକୁ ରୋକିବାରେ ଏହି ଚୀନୀ ଏୟାର ଡିଫେନ୍ସ ସିଷ୍ଟମ ବିଫଳ ହୋଇଥିଲା।
ଏଲୱାଇ-୮୦ ଓ ଏଫଏମ-୯୦ ଏୟାର ଡିଫେନ୍ସ: ପୁରୁଣା ସର୍ଟ ଓ ମିଡିଅମ-ରେଞ୍ଜ ଭୂପୃଷ୍ଠରୁ ଆକାଶ ମିସାଇଲ ସିଷ୍ଟମ। ଏଗୁଡ଼ିକ ମଧ୍ୟ ଚୀନରେ ନିର୍ମିତ। ଏହା ଦୁଇଟି ଭାରତର ନିମ୍ନ ଉଡ଼ାଣ କରୁଥିବା ଡ୍ରୋନ ଓ ସଠିକ ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ କିମ୍ବା ରୋକିବାରେ ଅସଫଳ ହୋଇଥିଲା। ଏହାର ଫଳସ୍ୱରୂପ ପାକିସ୍ତାନର ଭାରତୀୟ ମିସାଇଲଗୁଡ଼ିକ ବିରୁଦ୍ଧରେ ପ୍ରତିକ୍ରିୟା ଦେବାର କ୍ଷମତା ଶେଷ ହୋଇଯାଇଥିଲା।
ସିଏଚ-୪ ଡ୍ରୋନ: ପାକିସ୍ତାନ ଚୀନରୁ ବହୁ ସଂଖ୍ୟାରେ ସିଏଚ-୪ ଡ୍ରୋନ କିଣିଥିଲା, ଯାହାକୁ ସେ ତୁର୍କୀର ଡ୍ରୋନ ସହିତ ମିଶାଇ ଭାରତ ବିରୁଦ୍ଧରେ ବ୍ୟବହାର କରିଥିଲା। କିନ୍ତୁ ଗୋଟିଏ ମଧ୍ୟ ଡ୍ରୋନ ଭାରତ ବିରୁଦ୍ଧରେ ସଫଳ ହୋଇ ନଥିଲା। ଅଧିକାଂଶ ଡ୍ରୋନ ହୁଏତ ଜାମ ହୋଇଯାଇଥିଲା କିମ୍ବା ବାକି ଡ୍ରୋନଗୁଡ଼ିକୁ ମାରି ପକାଯାଇଥିଲା। ଚୀନର ଡ୍ରୋନଗୁଡ଼ିକ ଭାରତର ଡି୪ଏସ ସିଷ୍ଟମ ନିୟନ୍ତ୍ରିତ ଅଞ୍ଚଳ ଓ ଇଲେକ୍ଟ୍ରୋନିକ ପରିବେଶରେ କୀଟପତଙ୍ଗ ଭଳି ପଡ଼ି ନଷ୍ଟ ହୋଇଥିଲା।
ଅପରେସନ ସିନ୍ଦୁର ପରେ ସମଗ୍ର ବିଶ୍ୱକୁ ସ୍ପଷ୍ଟ ଓ ସଫା ଶବ୍ଦରେ ଏକ ସନ୍ଦେଶ ପହଞ୍ଚିଛି ଯେ ଆତ୍ମନିର୍ଭର ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଭାରତ ଏବେ ଏକ ସାର୍ବଭୌମ ରାଷ୍ଟ୍ର ହୋଇଛି, ଯିଏ ନିଜେ ତିଆରି ଅସ୍ତ୍ରଶସ୍ତ୍ରରେ ଲଢ଼ୁଛି ଓ ଜିତୁଛି। ପାକିସ୍ତାନର ହାର କେବଳ ଏକ ସାମରିକ ପରାଜୟ ନୁହେଁ, ବରଂ ଏହା ସେହି ରଣନୈତିକ ମିଥ୍ୟାର ହାର ଥିଲା, ଯେଉଁଥିରେ ସେ ଚୀନୀ ହାର୍ଡୱେୟାରର ଦମରେ ଶକ୍ତିଶାଳୀ ହେବାର ଭ୍ରମ ପୋଷଣ କରୁଥିଲା। ଯଦିଓ ଭାରତକୁ ଏବେ ମଧ୍ୟ ଲଢ଼ୁଆ ବିମାନ ନିର୍ମାଣ ଉପରେ କାମ କରିବାକୁ ହେବ ଏବଂ ଏହା ଲାଗୁଛି ଯେ ଅପରେସନ ସିନ୍ଦୁର ପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ତୃତୀୟ ଲହର ଆରମ୍ଭ ହୋଇଛି ଏବଂ ଆଗାମୀ ୧୦ ବର୍ଷରେ ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଆଗରେ ବଡ଼ ବଡ଼ ଶକ୍ତିମାନଙ୍କର ଟିକିବା କଷ୍ଟକର ହେବ।