ପାକିସ୍ତାନର ସିନ୍ଧ ପ୍ରଦେଶରେ ଲସ୍କର-ଏ-ତୈୟବା (LeT)ର ଜଣେ ଶୀର୍ଷ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି । ରବିବାର ଦିନ ସୈଫୁଲ୍ଲା ଓରଫ ବିନୋଦ କୁମାର, ମହମ୍ମଦ ସଲିମ, ଖାଲିଦ, ଓ୍ବାନିୟାଲ, ଓ୍ବାଜିଦ ଏବଂ ସଲିମ ଭାଇ ନାମରେ ଜଣାଶୁଣା ଲସ୍କରର ଏହି କୁଖ୍ୟାତ କମାଣ୍ଡରକୁ ସିନ୍ଧର ବାଦିନ ଜିଲ୍ଲାର ମାଟଲି ତାଲୁକାରେ ହତ୍ୟା କରାଯାଇଥିଲା।
କିନ୍ତୁ ଏବେ ତାଙ୍କ ଅନ୍ତିମ ସଂସ୍କାରରେ ଠିକ୍ ସେହିପରି ଦୃଶ୍ୟ ଦେଖାଗଲା, ଯାହା ପାକିସ୍ତାନରୁ ଆଶା କରାଯାଉଥିଲା। ଆତଙ୍କବାଦୀ ସୈଫୁଲ୍ଲାଙ୍କ ମୃତଦେହକୁ ପାକିସ୍ତାନୀ ପତାକାରେ ଆଚ୍ଛାଦିତ କରାଯାଇଥିଲା। ଏହାପୂର୍ବରୁ ଅପରେସନ ସିନ୍ଦୁରରେ ଯେତେବେଳେ ଭାରତ ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ହତ୍ୟା କରିଥିଲା, ସେତେବେଳେ ମଧ୍ୟ ପାକିସ୍ତାନ ରାଜକୀୟ ସମ୍ମାନ ପ୍ରଦାନ କରିଥିଲା।
ସୈଫୁଲ୍ଲା କିଏ ?
ସୈଫୁଲ୍ଲା ହେଉଛି ସେହି ଆତଙ୍କବାଦୀ ଯିଏ ୨୦୦୬ରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା । ସିଏ ମଧ୍ୟ ଲସ୍କରରେ ମୁଖ୍ୟ ଆତଙ୍କବାଦୀ ଚୟନକାରୀ ଥିଲା । ସୈଫୁଲ୍ଲା କାଠମାଣ୍ଡୁରେ ବିନୋଦ କୁମାର ନାମରେ ଅପରେଟ୍ କରୁଥିଲା । ନେପାଳରେ ଆଇଏସଆଇ ଓ ଲସ୍କର ଗତିବିଧି ସେ କାଠମାଣ୍ଡୁରୁ ଚଳାଉଥିଲା । ସେଠାରେ ସେ ଜଣେ ନେପାଳୀ ମହିଳାଙ୍କୁ ବିବାହ କରିଥିଲା ।
ଅପରେସନ୍ ସିନ୍ଦୂର ପରେ ସୈଫୁଲ୍ଲାକୁ ଆଇଏସଆଇ ଅଣ୍ଡରଗ୍ରାଉଣ୍ଡ ହେବାକୁ କହିଥିଲା । ଅପରେସନ୍ ସିନ୍ଦୂର ପୂର୍ବରୁ ମଧ୍ୟ ଅଜ୍ଞାତ ଆତତାୟୀ ଲସ୍କରର ଛାମୁଆଁ ନେତାଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । କିଛି ଦିନ ତଳେ ଲସ୍କର ମୁଖ୍ୟ ହାଫିଜ୍ ସଇଦ୍ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ସେ ଅଳ୍ପକେ ବଂଚିଯାଇଥିଲା ।