ପଣ୍ଡିତ ନେହୁରୁଙ୍କ ଉପରେ ଇଂରେଜମାନେ କେତେ ଅଭିଯୋଗ ଲଗାଇ ଜେଲ୍‌କୁ ପଠାଇଥିଲେ? ୩୨୫୯ ଦିନ ଜେଲ୍‌ରେ କାଟିଥିଲେ 

ଆଧୁନିକ ଭାରତର ନିର୍ମାତା ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ସ୍ବାଧୀନତା ସଂଗ୍ରାମ ପାଇଁ ତାଙ୍କ ଜୀବନକାଳରେ ନଅ ଥର ଜେଲ୍ ଯାଇଥିଲେ। ଏହି ସମୟରେ ସେ ୩୨୫୯ ଦିନ ଜେଲ୍‌ରେ କାଟିଥିଲେ। ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଇଲାହାବାଦରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନେହୁରୁଙ୍କ ପ୍ରାଥମିକ ଶିକ୍ଷା ଘରେ ହିଁ ବ୍ୟକ୍ତିଗତ ଶିକ୍ଷକମାନଙ୍କ ମାଧ୍ୟମରେ ହୋଇଥିଲା। ତା’ପରେ ୧୫ ବର୍ଷ ବୟସରେ ସେ ଇଂଲଣ୍ଡ ଚାଲିଯାଇଥିଲେ। ସେଠାରେ ସେ ହାରୋରେ ଦୁଇ ବର୍ଷ ରହିଥିଲେ ଏବଂ ପରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତକୁ ଫେରିବା ପରେ ସେ ସିଧାସଳଖ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ଏହାପାଇଁ ତାଙ୍କୁ ବାରମ୍ବାର ଜେଲ୍‌କୁ ଯିବାକୁ ପଡ଼ିଥିଲା। ୧୯୬୪ ମସିହା ମେ ୨୭ ତାରିଖରେ ଚିରଦିନ ପାଇଁ ବିଦାୟ ନେଇଥିବା ପଣ୍ଡିତ ନେହୁରୁଙ୍କ ପୁଣ୍ୟତିଥିରେ ଆସନ୍ତୁ ଜାଣିବା ଇଂରେଜମାନେ କେଉଁ କେଉଁ ଅଭିଯୋଗ ଲଗାଇ ତାଙ୍କୁ ଜେଲ୍‌କୁ ପଠାଇଥିଲେ। 

ପ୍ରକୃତରେ, ପଣ୍ଡିତ ଜବାହାରଲାଲ ନେହୁରୁ ତାଙ୍କ ଛାତ୍ର ଜୀବନରେ ହିଁ ବିଦେଶୀ ଶାସନ ଅଧୀନରେ ଅନ୍ୟ ଦେଶମାନଙ୍କର ସ୍ବାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଥିଲେ। ଆୟାରଲାଣ୍ଡରେ ହୋଇଥିବା ସିନ୍‌ଫେନ୍ ଆନ୍ଦୋଳନରେ ସେ ଗଭୀର ଆଗ୍ରହ ଦେଖାଇଥିଲେ। ତା’ପରେ ୧୯୧୨ରେ ଭାରତକୁ ଫେରିବା ପରେ ସେ ଜଣେ ପ୍ରତିନିଧି ଭାବେ ବାଙ୍କୀପୁର ସମ୍ମେଳନରେ ଭାଗ ନେଇଥିଲେ। ୧୯୧୯ରେ ସେ ଇଲାହାବାଦର ହୋମ୍ ରୁଲ୍ ଲିଗ୍‌ର ସଚିବ ଭାବେ ନିର୍ବାଚିତ ହୋଇଥିଲେ। ୧୯୧୬ରେ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ୧୯୨୦ରେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଆୟୋଜିତ ପ୍ରଥମ କିଷାନ ମାର୍ଚ୍‌ରେ ସେ ଭାଗ ନେଇଥିଲେ। 

୧୯୨୧ରେ ପ୍ରଥମ ଥର ଜେଲ୍‌କୁ ଯାଇଥିଲେ 

୧୯୨୧ ମସିହାର କଥା। ଏହି ବର୍ଷ ଶେଷରେ କଂଗ୍ରେସର ସମସ୍ତ ପ୍ରମୁଖ ନେତା ଓ କର୍ମୀମାନଙ୍କୁ କେତେକ ରାଜ୍ୟରେ ଇଂରେଜ ସରକାର ଗୈରକାନୁନୀ ଘୋଷଣା କରିଥିଲେ। ଏହା ପରେ ପଣ୍ଡିତ ନେହୁରୁ ପ୍ରଥମ ଥର ପାଇଁ ଜେଲ୍‌କୁ ଯାଇଥିଲେ। ଏହାପରେ ପରବର୍ତୀ ୨୪ ବର୍ଷର ସ୍ବାଧୀନତା ଆନ୍ଦୋଳନ ସମୟରେ ସେ ଆଠ ଥର ଜେଲ୍‌କୁ ଯାଇଥିଲେ। ସବୁଠାରୁ ବେଶୀ ସମୟ ପାଇଁ ସେ ଶେଷ ଥର ପାଇଁ ପ୍ରାୟ ତିନି ବର୍ଷ ଜେଲ୍‌ରେ ରହିଥିଲେ ଏବଂ ୧୯୪୫ ମସିହା ଜୁନ୍‌ରେ ମୁକ୍ତି ପାଇଥିଲେ। ମୋଟାମୋଟି ଭାବେ ପଣ୍ଡିତ ଜବାହାରଲାଲ ନେହୁରୁ ନଅ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟିଥିଲେ। 

ଲୁଣ ଆଇନ ଭାଙ୍ଗିବା ଅଭିଯୋଗରେ ଗିରଫ

୧୯୨୦ରୁ ୧୯୨୨ ମଧ୍ୟରେ ଅସହଯୋଗ ଆନ୍ଦୋଳନ ସମୟରେ ଇଂରେଜମାନେ ପଣ୍ଡିତ ଜବାହାରଲାଲ ନେହୁରୁଙ୍କୁ ଦୁଇ ଥର ଜେଲ୍‌କୁ ପଠାଇଥିଲେ। ୧୯୩୦ ମସିହାର କଥା। ଏପ୍ରିଲ ମାସରେ ଲୁଣ ଆଇନ ଭାଙ୍ଗିବା ପରେ ଇଂରେଜମାନେ ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ସମସ୍ତ ବଡ଼ ନେତାମାନଙ୍କୁ ଜେଲ୍‌କୁ ପଠାଇଥିଲେ। ଏମାନଙ୍କ ମଧ୍ୟରେ ପଣ୍ଡିତ ଜବାହାରଲାଲ ନେହୁରୁ ମଧ୍ୟ ଥିଲେ। ସେହି ବର୍ଷ ଅକ୍ଟୋବରରେ ପଣ୍ଡିତ ନେହୁରୁଙ୍କୁ ମୁକ୍ତ କରାଯାଇଥିଲା। ନୁଣ ସତ୍ୟାଗ୍ରହ ବ୍ୟତୀତ ଅନ୍ୟ ଆନ୍ଦୋଳନ କାରଣରୁ ୧୯୩୦-୩୫ ମଧ୍ୟରେ ତାଙ୍କୁ ଅନେକ ଥର ଜେଲ୍‌କୁ ଯିବାକୁ ପଡ଼ିଥିଲା। 

ରାଷ୍ଟ୍ରଦ୍ରୋହ ଅଭିଯୋଗରେ ହାଜତକୁ 

୧୯୩୦ ମସିହା ଅକ୍ଟୋବରରେ ଜେଲ୍‌ରୁ ମୁକ୍ତ ହେବା ପରେ ସେ ଯୁକ୍ତପ୍ରଦେଶ କଂଗ୍ରେସ କମିଟିର ଏକ ବୈଠକରେ ନୋ-ଟ୍ୟାକ୍ସ ଅଭିଯାନର ଆହ୍ବାନ ଦେଇଥିଲେ। ସେ ଜମିଦାର, କୃଷକ ଏବଂ ସମାନ ଚିନ୍ତାଧାରାର ଅନ୍ୟ ଲୋକମାନଙ୍କୁ ଏଥିରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ। ଏହାର ସମର୍ଥନରେ ସେ ୧୯୩୦ ମସିହା ଅକ୍ଟୋବର ୧୨ରେ ଏକ ରାଲି କରିଥିଲେ। ଏହାପରେ ପୋଲିସ ତାଙ୍କ ଉପରେ ସାର୍ବଜନିକ ଭାଷଣ ଦେବା ଉପରେ କଟକଣା ଲଗାଇଥିଲା। 

କିନ୍ତୁ ପଣ୍ଡିତ ନେହୁରୁ ଏହା ମାନିବାକୁ ମନା କରିଦେଇଥିଲେ ଏବଂ ୧୯ ଅକ୍ଟୋବରରେ ଇଲାହାବାଦରେ କୃଷକମାନଙ୍କ ସଭାକୁ ସମ୍ବୋଧିତ କରିଥିଲେ ଏବଂ ଇଲାହାବାଦରୁ ହିଁ ନୋ-ଟ୍ୟାକ୍ସ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଲିରୁ ବାହାରି ଘରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଥିଲା। 

ଅସହଯୋଗ ଆନ୍ଦୋଳନର ପ୍ରକୃତ ଅର୍ଥରେ ପଣ୍ଡିତ ନେହୁରୁ ଏହି ମାମଲାରେ ନିଜର ବଚାଉ କରିବାକୁ ମନା କରିଥିଲେ ଏବଂ ଆଇପିସିର ଧାରା ୧୨୪ଏ ଅନୁଯାୟୀ ସେ ନିଜର ଅପରାଧ ସ୍ବୀକାର କରିଥିଲେ। ଏହାପରେ ୧୯୩୦ ମସିହା ଅକ୍ଟୋବର ୨୪ରେ ତାଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲା। କିନ୍ତୁ ୯୭ ଦିନ ଜେଲ୍‌ରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। 

ତିନି ବର୍ଷ ପରେ ପୁଣି ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଗିରଫ 

ପ୍ରଥମ ଥର ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଜେଲ୍‌କୁ ଯାଇବାର ତିନି ବର୍ଷ ପରେ ତାଙ୍କୁ ପୁଣି ଥରେ ଏହି ଅଭିଯୋଗରେ ଜେଲ୍‌କୁ ପଠାଯାଇଥିଲା। ପ୍ରକୃତରେ, ୧୯୩୪ ମସିହା ଜାନୁଆରୀରେ ପଣ୍ଡିତ ନେହୁରୁ କଲିକତା (ବର୍ତ୍ତମାନ କୋଲକାତା)କୁ ଚାରିଦିନିଆ ଯାତ୍ରାରେ ଯାଇଥିଲେ। ଏହି ସମୟରେ ସେ ଅନେକ ଭାଷଣ ଦେଇଥିଲେ, ଯେଉଁଥିରୁ ତିନୋଟି ଭାଷଣକୁ ଆଧାର କରି ତାଙ୍କ ବିରୁଦ୍ଧରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଲଗାଯାଇଥିଲା। ଏହା ଆଧାରରେ କଲିକତା ପୋଲିସ ପକ୍ଷରୁ ଜାରି ହୋଇଥିବା ଓ୍ବାରେଣ୍ଟ ଅନୁଯାୟୀ ୧୨ ଫେବୃଆରୀରେ ପଣ୍ଡିତ ନେହୁରୁଙ୍କୁ ଇଲାହାବାଦରୁ ଗିରଫ କରାଯାଇଥିଲା। 

୧୩ ଫେବୃଆରୀରେ ତାଙ୍କୁ ଚିଫ ପ୍ରେସିଡେନ୍ସି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା, ଯିଏ ତାଙ୍କ ଉପରେ ଧାରା ୧୨୪ଏ ଅନୁଯାୟୀ ଅଭିଯୋଗ ନିର୍ଦ୍ଧାରଣ କରିଥିଲେ। ୧୫ ଫେବୃଆରୀ ତାଙ୍କ ମାମଲାର ବିଚାର ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲା, ଯେଉଁଥିରେ ଭାଗ ନେବାକୁ ପଣ୍ଡିତ ନେହୁରୁ ମନା କରିଥିଲେ। ରାଷ୍ଟ୍ରଦ୍ରୋହର ପ୍ରଥମ ମାମଲା ପରି ଏହି ମାମଲାରେ ମଧ୍ୟ ସେ ନିଜର ବଞ୍ଚାଇ ନଥିଲେ ଏବଂ ଅପରାଧ ସ୍ବୀକାର କରିଥିଲେ। ଏହାପରେ ପଣ୍ଡିତ ନେହୁରୁଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲା। କିନ୍ତୁ ପଣ୍ଡିତ ନେହୁରୁଙ୍କ ପତ୍ନୀ କମଳା ନେହୁରୁଙ୍କ ଗୁରୁତର ରୋଗ କାରଣରୁ ୫୬୫ ଦିନ ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। 

ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ମଧ୍ୟ ଗିରଫ

ଭାରତକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜବରଦସ୍ତ ଭାବେ ଜଡ଼ିତ କରିବାକୁ ବାଧ୍ୟ କରିବା ବିରୁଦ୍ଧରେ ଇଂରେଜମାନଙ୍କର ବିରୋଧ କରି ପଣ୍ଡିତ ନେହୁରୁ ବ୍ୟକ୍ତିଗତ ସତ୍ୟାଗ୍ରହ କରିଥିଲେ। ଏହାପାଇଁ ୧୯୪୦ ମସିହା ଅକ୍ଟୋବର ୩୧ରେ ଇଂରେଜମାନେ ତାଙ୍କୁ ଗିରଫ କରିଥିଲେ। ୧୯୪୧ ମସିହା ଡିସେମ୍ବରରେ ଅନ୍ୟ ନେତାମାନଙ୍କ ସହ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ୧୯୪୨ ମସିହା ଅଗଷ୍ଟ ୭ରେ ମୁମ୍ବାଇରେ ଅଖିଲ ଭାରତୀୟ କଂଗ୍ରେସ କମିଟିର ବୈଠକରେ ଭାରତ ଛାଡ଼ ଆନ୍ଦୋଳନର ସଂକଳ୍ପ ନେବା ପରେ ୧୯୪୨ ମସିହା ଅଗଷ୍ଟ ୮ରେ ତାଙ୍କୁ ଅନ୍ୟ ନେତାମାନଙ୍କ ସହ ପୁଣି ଥରେ ଗିରଫ କରାଯାଇ ଅହମଦନଗର ଦୁର୍ଗକୁ ନିଆଯାଇଥିଲା। ଏହା ଥିଲା ତାଙ୍କର ଶେଷ ଜେଲ୍‌ଯାତ୍ରା। ଏହି ଥର ତାଙ୍କୁ ସବୁଠାରୁ ଅଧିକ ସମୟ ଜେଲ୍‌ରେ ରହିବାକୁ ପଡ଼ିଥିଲା। ୧୯୪୫ ମସିହା ଜାନୁଆରୀରେ ତାଙ୍କୁ ମୁକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *