ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ଯୁଦ୍ଧର ବିବରଣୀ ଅନୁଧ୍ୟାନ କରୁଛନ୍ତି। ଅଧିକାଂଶ ବିଶ୍ଳେଷଣ ରୁଷ-ୟୁକ୍ରେନ ଯୁଦ୍ଧରୁ ମୁଖ୍ୟ ଶିକ୍ଷାକୁ ସମର୍ଥନ କରୁଛି, ଯେ ଶସ୍ତା ଡ୍ରୋନ ଏବଂ ଲୋଇଟରିଂ (ମୁଣ୍ଡ ଉପରେ ଚକ୍କର କାଟୁଥିବା) ଅସ୍ତ୍ରଶସ୍ତ୍ର କୋଟିକୋଟି ଟଙ୍କା ମୂଲ୍ୟର ଲଢୁଆ ବିମାନ ଓ ଟ୍ୟାଙ୍କ ତୁଳନାରେ ଅଧିକ ଶସ୍ତା ଓ ପ୍ରଭାବଶାଳୀ। ଲୋଇଟରିଂ ଅସ୍ତ୍ରଶସ୍ତ୍ର ହେଉଛି ଏପରି ଡ୍ରୋନ, ଯେଉଁମାନେ ଲକ୍ଷ୍ୟ ଉପରେ କିଛି ସମୟ ଚକ୍କର କାଟି ଆକ୍ରମଣର ସର୍ବୋତ୍ତମ ରେଖା ଗଣନା କରନ୍ତି ଏବଂ ଉଚ୍ଚ ନିର୍ଭୁଲତାର ସହ ଲକ୍ଷ୍ୟକୁ ଆଘାତ କରନ୍ତି। ଭବିଷ୍ୟତର ଯୁଦ୍ଧ ଡ୍ରୋନ ମାଧ୍ୟମରେ ସଂଚାଳିତ ହେବ, ଯେଉଁମାନଙ୍କର ମୂଲ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ଏକ କ୍ଷୁଦ୍ର ଅଂଶ।
ଅପରେସନ ସିନ୍ଦୁର ପରେ ଅନେକ ତଥ୍ୟ ବିବାଦୀୟ ଥିଲା, କିନ୍ତୁ ବର୍ତ୍ତମାନ ଅନ୍ୟ ଦେଶର ବିଶ୍ଳେଷକମାନେ ଆଗ ଓ ପରେ ତୁଳନାତ୍ମକ ଚିତ୍ରର ବିସ୍ତୃତ ଅନୁସନ୍ଧାନ ପରେ ନିଜ ମତ ପ୍ରକାଶ କରିଛନ୍ତି। ସେମାନେ ନିଶ୍ଚିତ କରିଛନ୍ତି ଯେ, ଭାରତ ଅପରେସନ ସିନ୍ଦୁରରେ ଡ୍ରୋନ ଓ କ୍ରୁଜ ମିସାଇଲର ବ୍ୟବହାର କରି ପାକିସ୍ତାନୀ ଅଞ୍ଚଳରେ ଗଭୀର ଭାବେ ଲକ୍ଷ୍ୟକୁ ନିଶାନା କରିଥିଲା। ଏହା ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ସଫଳ ଆକ୍ରମଣ କରିଥିଲା ।
ଚିତ୍ରଗୁଡ଼ିକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଭାରତୀୟ ଆକ୍ରମଣ ଦ୍ୱାରା ହୋଇଥିବା କ୍ଷତିକୁ ମଧ୍ୟ ନିଶ୍ଚିତ କରୁଛି। ପାକିସ୍ତାନ ଦାବି କରିଛି ଯେ ସେ ପାଞ୍ଚଟି ଭାରତୀୟ ବିମାନ,ଯେଉଁଥିରେ ତିନୋଟି ରାଫେଲ ଅଛନ୍ତି ଗୁଳି କରି ଖସାଇ ଦେଇଛି । କିଛି ବିଦେଶୀ ବିଶ୍ଳେଷକ ମାନୁଛନ୍ତି ଯେ ଏହି ଦାବି ସତ୍ୟ ହୋଇପାରେ, କାରଣ ପାକିସ୍ତାନକୁ ଆମେରିକୀୟ ଏଫ-16 ତୁଳନାରେ ଶସ୍ତା ଚୀନ ନିର୍ମିତ ଜେ-10 ଯୁଦ୍ଧବିମାନରୁ ଅଧିକ ଲାଭ ମିଳୁଛି। ଭାରତ ଜେଟ ବିମାନ ମାରି ପକାଯିବାର ଖବରକୁ ଖଣ୍ଡନ କରି କହିଛି ଯେ ଉଚିତ ସମୟରେ ସେ ବିବରଣୀ ପ୍ରଦାନ କରିବ।
ଟ୍ୟାଙ୍କ ଉପରେ ଭାରୀ ପଡ଼ୁଛି ଡ୍ରୋନ!
ସବୁଠାରୁ ବଡ଼ ଶିକ୍ଷା ହେଉଛି ଯେ, ୟୁକ୍ରେନ ଯୁଦ୍ଧରୁ ମିଳିଛି । , ୟୁକ୍ରେନରେ ଅଣ-ଇଞ୍ଜିନିୟରମାନଙ୍କ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଓ ଅସ୍ଥାୟୀ ପରୀକ୍ଷାଗାରରେ ନିର୍ମିତ ଶସ୍ତା ଡ୍ରୋନର ମୂଲ୍ୟ ୩୫୦ ଡଲାରରୁ ଅଧିକ ନୁହେଁ, କିନ୍ତୁ ଏହା ରୁଷୀ ସାମରିକା ଆଡ୍ଡାକୁ ବୃହତ କ୍ଷତି ପହଞ୍ଚାଇଛି। ପ୍ରତିରକ୍ଷା ବିଶେଷଜ୍ଞ ଜନ ଥର୍ନହିଲଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କିଏଭରେ ଫୁଲବିକ୍ରେତା ଓ ରୁଟିତିଆରୀମାନେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ କାରଖାନାରେ ଡ୍ରୋନ ନିର୍ମାଣ କରୁଛନ୍ତି।
୧,୦୦୦ ଡଲାର ମୂଲ୍ୟର ତିନୋଟି ଡ୍ରୋନ ଲକ୍ଷାଧିକ ଡଲାର ମୂଲ୍ୟର ରୁଷୀ ଟ୍ୟାଙ୍କକୁ ଧ୍ୱଂସ କରିପାରେ। ଲାଭ-ମୂଲ୍ୟ ଅନୁପାତ ଅତ୍ୟନ୍ତ ବୃହତ। ୟୁକ୍ରେନୀୟ ଇଞ୍ଜିନିୟରମାନେ ଏହି ଡ୍ରୋନଗୁଡ଼ିକୁ ରୁଷୀ ଡ୍ରୋନ ବିରୋଧୀ ପଦକ୍ଷେପଗୁଡ଼ିକର ମୁକାବିଲା ପାଇଁ ନିରନ୍ତର ପ୍ରସ୍ତୁତ କରୁଛନ୍ତି। ରୁଷିଆ ମଧ୍ୟ ଡ୍ରୋନକୁ ଅତ୍ୟନ୍ତ ପ୍ରଭାବଶାଳୀ ମାନୁଛି ଏବଂ ବର୍ତ୍ତମାନ ବୃହତ ପରିମାଣରେ ଏହାର ଉତ୍ପାଦନ କରୁଛି।
ଏହାର ଅର୍ଥ ଏହା ନୁହେଁ ଯେ ଯୁଦ୍ଧବିମାନ ଓ ଟ୍ୟାଙ୍କ ସମ୍ପୂର୍ଣ୍ଣ ଅପ୍ରଚଳିତ ହୋଇଯାଇଛି, ଯେପରି ଚୀନୀୟ ଜେ-10 ଯୁଦ୍ଧବିମାନ ସହ ପାକିସ୍ତାନର ସଫଳତା ଦର୍ଶାଉଛି। କିନ୍ତୁ ଏମାନେ କମ୍ ଗୁରୁତ୍ୱପୂର୍ଣ୍ଣ ହୋଇଛନ୍ତି, ଏବଂ ବର୍ତ୍ତମାନ ଯୁଦ୍ଧରେ ଆଧିପତ୍ୟ ବିସ୍ତାର କରୁନାହାନ୍ତି। ଯୁଦ୍ଧକ୍ଷେତ୍ରରେ ଟ୍ୟାଙ୍କ ଏବେ ମୁଖ୍ୟ ଅସ୍ତ୍ର ନୁହେଁ।
ଡ୍ରୋନ କିଣିବା ପାଇଁ ଲାଗିବ ଧାଡ଼ି
ଥର୍ନହିଲଙ୍କ ମତରେ, ୟୁକ୍ରେନ ବାର୍ଷିକ ୧୦ ଲକ୍ଷ ଡ୍ରୋନ ଉତ୍ପାଦନର ଲକ୍ଷ୍ୟ ରଖିଥିଲା, କିନ୍ତୁ ବେସରକାରୀ କ୍ଷେତ୍ରର ନିର୍ମାଣ ହେତୁ ଏହା ୫୦ ଲକ୍ଷରେ ପହଞ୍ଚିପାରେ। ରୁଷିଆ ମଧ୍ୟ ସମାନ ଗତିରେ ଅଗ୍ରଗତି କରୁଛି। ୟୁକ୍ରେନ ଯୁଦ୍ଧ ଶେଷ ହେବା ପରେ, ଦେଶଗୁଡ଼ିକ ରୁଷିଆ ଓ ୟୁକ୍ରେନ ଦୁହିଁଙ୍କଠାରୁ ଡ୍ରୋନ କିଣିବା ପାଇଁ ଧାଡ଼ିରେ ଛିଡ଼ା ହୋଇପାରନ୍ତି। କିନ୍ତୁ ପ୍ରତ୍ୟକ ଦେଶକୁ ୟୁକ୍ରେନ ପରି ଡ୍ରୋନ ଇଲେକ୍ଟ୍ରୋନିକ୍ସରେ ନବସୃଜନ ଓ ଉନ୍ନୟନ କ୍ଷମତା ବିକାଶ କରିବାକୁ ହେବ।
ଭାରତରେ ଡ୍ରୋନ ଉପରେ କାର୍ଯ୍ୟ
ରୁଷିଆ ଦ୍ୱାରା ୟୁକ୍ରେନୀୟ ଡ୍ରୋନଗୁଡ଼ିକୁ ଜାମ କରାଯିବା ହେତୁ, ୟୁକ୍ରେନ ଇଲେକ୍ଟ୍ରୋନିକ ତରଙ୍ଗ ବଦଳରେ ଅନବୋର୍ଡ ସ୍ପୁଲରୁ ଅପ୍ଟିକ ଫାଇବର ମାଧ୍ୟମରେ ସିଗନାଲ ପରିବହନ କରୁଥିବା କେବୁଲ ଡ୍ରୋନ ବିକଶିତ କରିଛି, ଯାହାକୁ ଜାମ କରାଯାଇପାରିବ ନାହିଁ। ଭାରତୀୟ ଡ୍ରୋନ ନିର୍ମାତାମାନେ ମଧ୍ୟ ଏପରି ନମନୀୟ ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି।
ୟୁକ୍ରେନର ଡିଜିଟାଲ ଟ୍ରାନ୍ସଫର୍ମେସନ ମନ୍ତ୍ରୀଙ୍କ ପରାମର୍ଶଦାତା ଜିଓର୍ଜି ତ୍ସକୈକିୟା କହିଛନ୍ତି ଯେ ୟୁକ୍ରେନ ଚାରୋଟି ଡ୍ରୋନ ଉତ୍ପାଦକଙ୍କ ସହ ଆରମ୍ଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ୫୦୦ ହୋଇଛି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେ କହିଛନ୍ତି, “ଆମେ ବାବୁରାଜକୁ ବହୁତ ହ୍ରାସ କରିଛୁ। ଆମେ ବଜାର ବିକାଶରେ ବାଧା ସୃଷ୍ଟି କରୁଥିବା ସବୁକିଛିକୁ ନିୟନ୍ତ୍ରଣମୁକ୍ତ କରିଛୁ। ଆମେ ସ୍ପେୟାର ପାର୍ଟସ ଆମଦାନୀ ଉପରେ ଲାଗୁଥିବା ଟିକସକୁ ହଟାଇ ଦେଇଛୁ…ଆମେ ଲାଭର ମାର୍ଜିନକୁ ୧ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିଛୁ।”
ପ୍ରତିରକ୍ଷା ଉତ୍ପାଦନ ସମ୍ବନ୍ଧୀୟ ଶିକ୍ଷା
ଏକ ସ୍ପଷ୍ଟ ଶିକ୍ଷା ହେଉଛି ଯେ ସରକାର ଏକାକୀ ପ୍ରତିରକ୍ଷା ଉତ୍ପାଦନ କରିପାରିବ ବୋଲି କେହି ଭାବିବା ଉଚିତ ନୁହେଁ। ଉଚିତ ପ୍ରୋତ୍ସାହନ ସହିତ, ୟୁକ୍ରେନୀୟ ବେସରକାରୀ କ୍ଷେତ୍ର ଆଶ୍ଚର୍ଯ୍ୟଜନକ ଫଳାଫଳ ହାସଲ କରିଛି। କଂଗ୍ରେସ ଦୀର୍ଘ ସମୟ ଧରି ପ୍ରତିରକ୍ଷା ଉତ୍ପାଦନ, ମହାକାଶ ଓ ପରମାଣୁ ଶକ୍ତିକୁ ସାର୍ବଜନିକ କ୍ଷେତ୍ର ପାଇଁ ସଂରକ୍ଷିତ ରଖିଥିଲା। କିନ୍ତୁ ବିଜେପି ସରକାର ଏହି ତିନୋଟିକୁ ବେସରକାରୀ କମ୍ପାନୀମାନଙ୍କ ପାଇଁ ଖୋଲି ଦେଇଛନ୍ତି।
ପ୍ରତିକ୍ରିୟା ସମସ୍ତ ଆଶାଠାରୁ ଅଧିକ ରହିଛି। ଭାରତୀୟ କମ୍ପାନୀମାନେ ପ୍ରତିରକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଭାବେ ଅଗ୍ରଗତି କରିଛନ୍ତି। ଆଜି ଭାରତରେ ଏହି କ୍ଷେତ୍ରରେ ପ୍ରାୟ ୨୦୦ କମ୍ପାନୀ ରହିଛନ୍ତି। ଅନେକ ଷ୍ଟାର୍ଟଆପ ପୁଞ୍ଜି-ନିବେଶୀ କ୍ଷେତ୍ରରେ ସଫଳ ହେବା ପାଇଁ ପର୍ଯ୍ୟାପ୍ତ ବେସରକାରୀ ପୁଞ୍ଜି ଆକର୍ଷଣ କରିଛନ୍ତି, ଯାହାକୁ ଏକଦା କେବଳ ସରକାରୀ ସମର୍ଥନପ୍ରାପ୍ତ ସାର୍ବଜନିକ କ୍ଷେତ୍ର କମ୍ପାନୀମାନଙ୍କ ପାଇଁ ସମ୍ଭବ ବୋଲି ବିବେଚନା କରାଯାଉଥିଲା।
ଏଫ-35 ଯୁଦ୍ଧବିମାନ କ୍ରୟ ମୂର୍ଖତା!
ଭାରତ-ଆମେରିକା ବାଣିଜ୍ୟ ଆଲୋଚନାରେ ଆମେରିକୀୟ ଏଫ-35 ଯୁଦ୍ଧବିମାନର ସମ୍ଭାବ୍ୟ ଭାରତୀୟ କ୍ରୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ମୂଲ୍ୟ ପ୍ରତି ବିମାନ ୧୦ କୋଟି ଡଲାର ହୋଇପାରେ। ଏହା ମୂର୍ଖତା ହେବ। ଟେସ୍ଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ତାଙ୍କ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସମନ୍ୱିତ ଡ୍ରୋନ ଝୁଣ୍ଡ ଦେଖାଯାଇଛି ଏବଂ ଲେଖିଛନ୍ତି ଯେ, ଏହି ସମୟରେ କିଛି ମୂର୍ଖ ଏଫ-35 ପରି ମାନବଚାଳିତ ଯୁଦ୍ଧବିମାନ ନିର୍ମାଣ କରୁଛନ୍ତି। ମସ୍କ ଏପରି ବିଷୟରେ ଗୋଟିଏ-ଦୁଇଟି କଥା ଜାଣନ୍ତି। ଭାରତ କେବଳ ଆମେରିକା ସହ ନିଜର ନିଅଣ୍ଟ ବାଣିଜ୍ୟ ତାରତମ୍ୟକୁ ହ୍ରାସ କରିବା ପାଇଁ ଏଫ-35 କିଣିବା ଉଚିତ ନୁହେଁ। ଅନ୍ୟ ବିକଳ୍ପଗୁଡ଼ିକୁ ଦେଖନ୍ତୁ।