ନ୍ୟୁକ୍ଲିୟର ଟ୍ରାୟଡ ଏକ ଦେଶକୁ ଅଧିକ ସୁରକ୍ଷିତ କରିଥାଏ। ଏହା ଶତ୍ରୁକୁ ଆକ୍ରମଣ କରିବାରୁ ରୋକିଥାଏ ଏବଂ ଯଦି ଆକ୍ରମଣ ହୁଏ, ତେବେ ପ୍ରତିଆକ୍ରମଣ କରିବାର କ୍ଷମତା ପ୍ରଦାନ କରିଥାଏ। ଏହା ଏକ ଜଟିଳ ଓ ମହଙ୍ଗା ସିଷ୍ଟମ, କିନ୍ତୁ ଅନେକ ଦେଶ ପାଇଁ ଏହା ଜାତୀୟ ସୁରକ୍ଷାର ଏକ ମୁଖ୍ୟ ଅଂଶ। ପେହେଲଗାମ ଆକ୍ରମଣ ପରେ ଏହା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା:
ନ୍ୟୁକ୍ଲିୟର ଟ୍ରାୟଡ କ’ଣ, ଯାହା ଭାରତକୁ ଶକ୍ତିଶାଳୀ କରେ?
ବିଶ୍ୱରେ ଆଉ କେଉଁ ଦେଶମାନଙ୍କ ପାଖରେ ଏହି ଅସୀମ ଶକ୍ତି ରହିଛି?
ପାକିସ୍ତାନ କ’ଣ ଭାରତର ଏହି ଶକ୍ତି ଆଗରେ ଆଣ୍ଠେଇବ?
ପେହେଲଗାମ ଆକ୍ରମଣ ପରେ ପାକିସ୍ତାନଠାରୁ ପ୍ରତିଶୋଧ ନେବାର ଦାବି ଜୋର ଧରିଛି। ଏପରି ପରିସ୍ଥିତିରେ ଯଦି ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରେ, ତେବେ ପାକିସ୍ତାନ ବିଚଳିତ ହୋଇ କିଛି ଭୟଙ୍କର ପଦକ୍ଷେପ ନେଇପାରେ। ଏହା ପରମାଣୁ ଯୁଦ୍ଧର ଆଶଙ୍କାକୁ ବଢ଼ାଇ ପାରେ। ଯଦିଓ, ଭାରତ ପାଖରେ ଏପରି ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନ ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରେ ନାହିଁ। ବାସ୍ତବରେ, ପରମାଣୁ ଅସ୍ତ୍ର କ୍ଷେତ୍ରରେ ଭାରତ ପାକିସ୍ତାନଠାରୁ ଆଗରେ ରହିଛି। ଭାରତ ପାଖରେ ନ୍ୟୁକ୍ଲିୟର ଟ୍ରାୟଡ ରହିଛି, ଯାହା ପାକିସ୍ତାନ ପାଖରେ ନାହିଁ। ଆସନ୍ତୁ ଜାଣିବା ନ୍ୟୁକ୍ଲିୟର ଟ୍ରାୟଡ କ’ଣ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହି କ୍ଷେତ୍ରରେ ପାକିସ୍ତାନଠାରୁ କେତେ ଶକ୍ତିଶାଳୀ, ତାହା ବୁଝିବା।
ନ୍ୟୁକ୍ଲିୟର ଟ୍ରାୟଡ କ’ଣ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ?
ନ୍ୟୁକ୍ଲିୟର ଟ୍ରାୟଡ ହେଉଛି ଏକ ଦେଶର ସୈନ୍ୟବାହିନୀର ଏପରି ଢାଞ୍ଚା, ଯେଉଁଥିରେ ତିନୋଟି ଉପାଦାନ ଅନ୍ତର୍ଭୁକ୍ତ। ଏହି ତିନୋଟି ହେଲା:
– ସ୍ଥଳଭାଗରୁ ଆକ୍ରମଣ କରୁଥିବା ICBM ମିସାଇଲ
– ବୁଡ଼ାଜାହଜରୁ ଆକ୍ରମଣ କରୁଥିବା SLBM ମିସାଇଲ
– ପରମାଣୁ ବୋମା ଓ ମିସାଇଲ ବହନ କରୁଥିବା ବୋମାବର୍ଷକ ବିମାନ
କୌଣସି ଦେଶ ନ୍ୟୁକ୍ଲିୟର ଟ୍ରାୟଡ ଏହି କାରଣରୁ ନିର୍ମାଣ କରେ ଯେପରି ଶତ୍ରୁ ପ୍ରଥମେ ଆକ୍ରମଣ କରି ତା’ର ପରମାଣୁ ଶକ୍ତିକୁ ନଷ୍ଟ କରିପାରିବ ନାହିଁ। ଏହା ନ୍ୟୁକ୍ଲିୟର ଟ୍ରାୟଡ ଥିବା ଦେଶମାନଙ୍କୁ ପ୍ରତିଆକ୍ରମଣ କରିବାର କ୍ଷମତା ପ୍ରଦାନ କରେ। ଏହିପରି ଏହି ଦେଶମାନେ ଶତ୍ରୁକୁ ପରମାଣୁ ଆକ୍ରମଣରୁ ରୋକି ପାରନ୍ତି। ଏହାକୁ ସେକେଣ୍ଡ ଷ୍ଟ୍ରାଇକ ପାୱାର ବୋଲି ମଧ୍ୟ କୁହାଯାଏ।
ବିଶ୍ୱରେ କେତେ ଦେଶ ପାଖରେ ନ୍ୟୁକ୍ଲିୟର ଟ୍ରାୟଡ ଅଛି?
ବିଶ୍ୱରେ ଏ ପର୍ଯ୍ୟନ୍ତ ଚାରୋଟି ଦେଶ ପାଖରେ ନ୍ୟୁକ୍ଲିୟର ଟ୍ରାୟଡ ରହିଛି। ଏହି ଦେଶଗୁଡ଼ିକ ହେଲା: ଆମେରିକା, ରୁଷିଆ, ଭାରତ ଏବଂ ଚୀନ । ଏହା ମନେ କରାଯାଏ ଯେ ଇସ୍ରାଏଲ ପାଖରେ ମଧ୍ୟ ନ୍ୟୁକ୍ଲିୟର ଟ୍ରାୟଡ ରହିଛି, ଯଦିଓ ଏହାର ଆନୁଷ୍ଠାନିକ ପ୍ରମାଣ ନାହିଁ। ପାକିସ୍ତାନ ପାଖରେ ଏବେ ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ଟ୍ରାୟଡ ନାହିଁ। ତା’ ପାଖରେ ବୁଡ଼ାଜାହଜରୁ ଆକ୍ରମଣ କରୁଥିବା SLBM ମିସାଇଲ ନାହିଁ। ସେମାନଙ୍କ ପାଖରେ କେବଳ SLCM ମିସାଇଲ (ବୁଡ଼ାଜାହଜରୁ ଆକ୍ରମଣ କରୁଥିବା କ୍ରୁଜ ମିସାଇଲ) ରହିଛି।
ନ୍ୟୁକ୍ଲିୟର ଟ୍ରାୟଡରେ କ’ଣ କ’ଣ ଅନ୍ତର୍ଭୁକ୍ତ?
ପାରମ୍ପରିକ ପରମାଣୁ ରଣନୀତି କହେ ଯେ ନ୍ୟୁକ୍ଲିୟର ଟ୍ରାୟଡ ଯେକୌଣସି ଆକ୍ରମଣରୁ ବଞ୍ଚିବାର ସର୍ବୋତ୍ତମ ଉପାୟ। ଯଦିଓ, ଅଧିକାଂଶ ଦେଶ ପାଖରେ ଏତେ ଅର୍ଥ ନାହିଁ ଯେ ସେମାନେ ଏହାକୁ ନିର୍ମାଣ କରିପାରନ୍ତି। କେବଳ ଆମେରିକା ଓ ରୁଷିଆ ଏପରି ଦେଶ, ଯେଉଁମାନେ ଦୀର୍ଘ ସମୟ ଧରି ଏକ ମଜବୁତ ନ୍ୟୁକ୍ଲିୟର ଟ୍ରାୟଡ ବଜାୟ ରଖିଛନ୍ତି। ନ୍ୟୁକ୍ଲିୟର ଟ୍ରାୟଡରେ ନିମ୍ନଲିଖିତ ଉପାଦାନ ଅନ୍ତର୍ଭୁକ୍ତ:
ବୋମାବର୍ଷକ ବିମାନ: ଏହି ଯୁଦ୍ଧ ବିମାନଗୁଡ଼ିକ ପରମାଣୁ ବୋମା କିମ୍ବା ପରମାଣୁ ମିସାଇଲ ବହନ କରନ୍ତି। ଏଗୁଡ଼ିକ ସ୍ଥଳଭାଗ କିମ୍ବା ସମୁଦ୍ରରେ ଥିବା ଶତ୍ରୁଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ହୁଏ।
– ସ୍ଥଳଭାଗରୁ ଆକ୍ରମଣ କରୁଥିବା ମିସାଇଲ (MRBM, IRBM କିମ୍ବା ICBM): ଏହି ମିସାଇଲଗୁଡ଼ିକ ରକେଟ ଦ୍ୱାରା ଚାଳିତ ହୁଏ ଏବଂ ଅଧିକାଂଶ ସମୟ ସିଧା ଗତିପଥରେ ଗିତ କରିଥାନ୍ତି ।
– ବାଲିଷ୍ଟିକ ମିସାଇଲ ବୁଡ଼ାଜାହଜ (SSBN): ଏହି ବୁଡ଼ାଜାହଜ ଗୁଡ଼ିକ ସମୁଦ୍ରଗର୍ଭରୁ ପରମାଣୁ ମିସାଇଲ ନିକ୍ଷେପ କରିପାରନ୍ତି।
ମିସାଇଲ ଡିଫେନ୍ସ ସିଷ୍ଟମରୁ ମଧ୍ୟ ରକ୍ଷା କରେ
ନ୍ୟୁକ୍ଲିୟର ଟ୍ରାୟଡ ଦ୍ୱାରା ଗୋଟିଏ ଦେଶ ସ୍ଥଳ, ଆକାଶ କିମ୍ବା ସମୁଦ୍ରରୁ ପରମାଣୁ ଆକ୍ରମଣ କରିପାରେ। ଆମେରିକା ନିଜର ଟ୍ରାୟଡ ଏହି କାରଣରୁ ନିର୍ମାଣ କରିଥିଲା ଯେପରି ଯଦି ତା’ ଉପରେ ପ୍ରଥମେ ଆକ୍ରମଣ ହୁଏ, ତେବେ ସେ ପ୍ରତିଆକ୍ରମଣ କରିପାରିବ। ତିନୋଟି ଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଥିବାରୁ ଶତ୍ରୁର ନୂଆ ପ୍ରଯୁକ୍ତି, ଯେପରିକି ମିସାଇଲ ଡିଫେନ୍ସ ସିଷ୍ଟମରୁ ମଧ୍ୟ ବଞ୍ଚିବା ସମ୍ଭବ।
ଭାରତର ପରମାଣୁ ନୀତି କ’ଣ, ଜାଣନ୍ତୁ
ଭାରତର ପରମାଣୁ ନୀତିର ମୂଳ ସିଦ୍ଧାନ୍ତ ହେଉଛି ‘ପ୍ରଥମେ ବ୍ୟବହାର ନୁହେ’। ଏହି ନୀତି ଅନୁଯାୟୀ, ଭାରତ କୌଣସି ଦେଶ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ, ଯେପର୍ଯ୍ୟନ୍ତ ଶତ୍ରୁ ଦେଶ ଭାରତ ଉପରେ ଆକ୍ରମଣ ନକରେ।
– ଭାରତ ନିଜର ପରମାଣୁ ନୀତିକୁ ଏତେ ମଜବୁତ କରିଛି ଯେ ଶତ୍ରୁର ମନରେ ଭୟ ସଂଚାର ହୁଏ।
– ଭାରତର ଆକ୍ରମଣ ଏତେ ଭୟଙ୍କର ହେବ ଯେ ଶତ୍ରୁକୁ ଭାରୀ କ୍ଷତି ହେବ ଏବଂ ସେ ଏହି ଆକ୍ରମଣରୁ ଶୀଘ୍ର ଉବୁରି ପାରିବ ନାହିଁ।
ବିଶ୍ୱରେ କେତେ ପରମାଣୁ ସମ୍ପନ୍ନ ଦେଶ?
ବିଶ୍ୱରେ ନଅଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ରହିଛନ୍ତି। ସେଗୁଡ଼ିକ ହେଲା: ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ। ପରମାଣୁ ଅସ୍ତ୍ରଶସ୍ତ୍ରର କେନ୍ଦ୍ରରେ ଆମେରିକା ଓ ରୁଷିଆ ରହିଛନ୍ତି, ଯେଉଁମାନଙ୍କ ପାଖରେ ବିଶ୍ୱର ମୋଟ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରାୟ ୯୦% ବା ୧୨,୧୨୧ ଟି ନ୍ୟୁକ୍ଲିୟର ଓ୍ୱାରହେଡ ରହିଛି। ରିପୋର୍ଟ ଅନୁଯାୟୀ, ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ସମସ୍ତେ ବାଲିଷ୍ଟିକ ମିସାଇଲରେ ଏକାଧିକ ଅସ୍ତ୍ରଶସ୍ତ୍ର ମୁତୟନ କରିବାର କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ, ଭାରତ ଏବଂ ଚୀନ ପାଖରେ ପୂର୍ବରୁ ରହିଛି।
ଭାରତ-ପାକିସ୍ତାନ ଯୁଦ୍ଧରେ ୧୫ କୋଟି ଲୋକ ମରିବେ!
ମେଟ୍ରୋ ଡଟ୍ ୟୁକେର ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ବୈଜ୍ଞାନିକମାନଙ୍କର ଏକ ଦଳ ଗବେଷଣା କରି ଜାଣିଥିଲେ ଯେ ଯଦି ଉଭୟ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ, ତେବେ ବିଶ୍ୱରେ ଏହାର କ’ଣ ପରିଣାମ ହୋଇପାରେ। ଗବେଷଣା ଅନୁଯାୟୀ, ଭାରତ ଓ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରର ସଂଖ୍ୟା ଓ ଶକ୍ତି ଆଧାରରେ, ଏକ ପରମାଣୁ ଯୁଦ୍ଧରେ ଭାରତ ଓ ପାକିସ୍ତାନରେ ୧୫ କୋଟି ଲୋକ ମରିପାରନ୍ତି।

ସୋଭିଏତ ସଂଘକୁ ରୋକିବା ପାଇଁ ଆସିଥିଲା ନ୍ୟୁକ୍ଲିୟର ଟ୍ରାୟଡ
ଆମେରିକାର ନ୍ୟୁକ୍ଲିୟର ଟ୍ରାୟଡର ଆରମ୍ଭ ୧୯୬୦ ଦଶକରେ ହୋଇଥିଲା। ଏହାର ମୁଖ୍ୟ କାରଣ ଥିଲା ଯେ ନୌସେନା, ସ୍ଥଳସେନା ଏବଂ ବାୟୁସେନା ତିନୋଟି ମାଧ୍ୟମରେ ପରମାଣୁ ଆକ୍ରମଣର ଉତ୍ତର ଦେବା । ଆମେରିକା ମଧ୍ୟ ଚାହୁଁଥିଲା ଯେ ତା’ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାର ବିଭିନ୍ନ ଉପାୟ ରହୁ, ଯାହା ଦ୍ୱାରା ସୋଭିଏତ ସଂଘ ଉପରେ ଆକ୍ରମଣ କରାଯାଇପାରିବ।