ଭାରତୀୟ ରୋଷେଇ ଏବଂ ଧାର୍ମିକ ପରମ୍ପରାରେ ବ୍ୟବହୃତ ସୈନ୍ଧବ ଲୁଣ (Rock Salt) ଏକ ଏମିତି ଜିନିଷ, ଯାହା ଦେଖାଯାଏ ସାଧାରଣ, କିନ୍ତୁ ଏହାର କାହାଣୀ ଭାରତ-ପାକିସ୍ତାନ ସହିତ ଜଡ଼ିତ। ଭାରତରେ ଉପବାସ, ପୂଜା ଏବଂ ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ସୈନ୍ଧବ ଲୁଣ ଅଧିକାଂଶ ପାକିସ୍ତାନରୁ ଆମଦାନୀ ହୋଇଥାଏ। ଏହାଠାରୁ ମଜାଦାର କଥା ହେଉଛି ଯେ ପାକିସ୍ତାନରୁ ଭାରତ ଆସୁଥିବା ସୈନ୍ଧବ ଲୁଣ ଭାରତରେ ମହଙ୍ଗା ହେଲେ ମଧ୍ୟ ପାକିସ୍ତାନରେ ଏହା ବହୁତ ଶସ୍ତା।
ସୈନ୍ଧବ ଲୁଣ କ’ଣ ?
ସୈନ୍ଧବ ଲୁଣକୁ ରକ୍ ସଲ୍ଟ ବା ହିମାଲୟାନ ପିଙ୍କ ସଲ୍ଟ ମଧ୍ୟ କୁହାଯାଏ। ଏହା ସାମୁଦ୍ରିକ ଲୁଣ ନୁହେ, ବରଂ ଏହା ଖଣିଜ ଲୁଣ ଯାହା ପ୍ରାଚୀନ ସମୁଦ୍ର ଶୁଖିଯିବା ପରେ ପଥର ରୂପରେ ସୃଷ୍ଟି ହୋଇଥାଏ। ଏହାକୁ ରାସାୟନିକ ପ୍ରକ୍ରିୟା ବିନା ସିଧାସଳଖ ବ୍ୟବହାର କରାଯାଏ, ତେଣୁ ଏହା ଶୁଦ୍ଧ ଏବଂ ସ୍ୱାସ୍ଥ୍ୟବର୍ଧକ ବୋଲି ବିବେଚନା କରାଯାଏ।
ଭାରତରେ ସୈନ୍ଧବ ଲୁଣର ଚାହିଦା କେତେ ?
ଭାରତରେ ପ୍ରାୟ ୮୦ ପ୍ରତିଶତ ଘରେ ସୈନ୍ଧବ ଲୁଣ ପୂଜାପାଠ, ଉପବାସ ଏବଂ ବିଶେଷ ଖାଦ୍ୟ ପାଇଁ ବ୍ୟବହୃତ ହୁଏ। ପର୍ବପର୍ବାଣୀ ସମୟରେ ଏହାର ଚାହିଦା ଆହୁରି ବଢ଼ିଯାଏ।
ଭାରତ କାହିଁକି ପାକିସ୍ତାନ ଉପରେ ନିର୍ଭରଶୀଳ?
ଯଦିଓ ଭାରତରେ ମଧ୍ୟ ସୈନ୍ଧବ ଲୁଣର କିଛି ଖଣି ରହିଛି, କିନ୍ତୁ ବଡ଼ ପରିମାଣରେ ଏହାର ଉତ୍ପାଦନ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଖେଉଡ଼ା (Khewra Salt Mine) ଖଣିରୁ ହୁଏ। ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲୁଣ ଖଣି ବୋଲି ବିବେଚନା କରାଯାଏ, ଏବଂ ଏଠାରୁ ହିଁ ସୈନ୍ଧବ ଲୁଣ ଭାରତକୁ ଆମଦାନୀ ହୋଇଥାଏ।
ଭାରତର ଆମଦାନୀ ନୀତି ଅନୁଯାୟୀ, ପାକିସ୍ତାନରୁ କିଛି ନିର୍ଦ୍ଦିଷ୍ଟ ଉତ୍ପାଦର ଆମଦାନୀ ହୋଇଥାଏ, ଯେଉଁଥିରେ ସୈନ୍ଧବ ଲୁଣ ମଧ୍ୟ ସାମିଲ ଥିଲା। ଯେହେତୁ ଏହି ଲୁଣ ପାକିସ୍ତାନରେ ଖଣିରୁ ସିଧାସଳଖ ବାହାରିଥାଏ ଏବଂ ପ୍ରକ୍ରିୟାରେ ଅଧିକ ଖର୍ଚ୍ଚ ହୁଏ ନାହିଁ, ତେଣୁ ସେଠାରେ ଏହାର ମୂଲ୍ୟ ଭାରତ ତୁଳନାରେ ବହୁତ ଶସ୍ତା।
ଭାରତରେ କାହିଁକି ମହଙ୍ଗା?
ଭାରତରେ ଯେତେବେଳେ ଏହି ଲୁଣ ପହଞ୍ଚେ, ତା’ ଉପରେ ଅନେକ ସ୍ତରରେ ଟିକସ, ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବ୍ରାଣ୍ଡିଂର ଖର୍ଚ୍ଚ ଯୋଡ଼ାଯାଏ। ଏହି କାରଣରୁ ପାକିସ୍ତାନରୁ ବହୁତ ଶସ୍ତାରେ ଆସୁଥିବା ସୈନ୍ଧବ ଲୁଣ ଭାରତରେ କିଲୋ ପ୍ରତି ୩୦ରୁ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ, ଯେତେବେଳେ ପାକିସ୍ତାନରେ ଏହାର ମୂଲ୍ୟ ମାତ୍ର ୨-୩ ଟଙ୍କା ପ୍ରତି କିଲୋ ହୋଇଥାଏ।

ଏବେ କ’ଣ ହେବ?
ନିକଟରେ ଭାରତ ସରକାର ପାକିସ୍ତାନରୁ ସମସ୍ତ ପ୍ରକାରର ଆମଦାନୀ ଉପରେ ନିଷେଧାଜ୍ଞା ଲଗାଇଛନ୍ତି, ଯେଉଁଥିରେ ସୈନ୍ଧବ ଲୁଣ ମଧ୍ୟ ସାମିଲ। ଏହି ନିଷ୍ପତ୍ତି ୨୨ ଅପ୍ରେଲରେ ପେହେଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଭାରତ ତା’ର ବୈଦେଶିକ ବାଣିଜ୍ୟ ନୀତି (FTP)ରେ ପରିବର୍ତ୍ତନ କରି ପାକିସ୍ତାନରୁ କୌଣସି ପ୍ରକାରର ସିଧାସଳଖ ବା ପରୋକ୍ଷ ଆମଦାନୀକୁ ଅଟକାଇ ଦେଇଛି।
ଏବେ ଯେହେତୁ ଭାରତ ପାକିସ୍ତାନରୁ ସୈନ୍ଧବ ଲୁଣ ଆମଦାନୀ ଉପରେ ରୋକ୍ ଲଗାଇଛି, ଘରୋଇ ବଜାରରେ ଏହାର ମୂଲ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏହି ପରିସ୍ଥିତି ଭାରତକୁ ଘରୋଇ ଖଣିଜ ଉତ୍ସଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଏବଂ ସୈନ୍ଧବ ଲୁଣର ସ୍ୱଦେଶୀ ଉତ୍ପାଦନ ବଢ଼ାଇବା ଦିଗରେ ପ୍ରେରିତ କରିପାରେ। ଏହା ସହିତ, ଏହା ଭାରତର ରଣନୀତିକ ଏବଂ କୂଟନୈତିକ ଚିନ୍ତାଧାରାକୁ ମଧ୍ୟ ପ୍ରତିଫଳିତ କରେ, ଯେଉଁଥିରେ ଅର୍ଥନୈତିକ ସମ୍ପର୍କକୁ ଜାତୀୟ ସୁରକ୍ଷା ସହିତ ଯୋଡ଼ାଯାଇଛି।