ଆମେରିକା ଓ ଚୀନ୍ ପାଇଁ ଏକ ବଡ଼ ଝଟକା। ପ୍ରକୃତରେ, ‘ଅପରେସନ୍ ସିନ୍ଦୁର’ ସମୟରେ ଭାରତ ପାକିସ୍ତାନର ଅନେକ ସାମରିକ ଆଡ୍ଡା ଉପରେ ବାୟୁ ଆକ୍ରମଣ କରିଥିଲା, ଯେଉଁଥିରେ ପାକିସ୍ତାନର ଅନେକ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଯାଇଥିଲା। ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ଆଇଏଏଫ୍ (ଇଣ୍ଡିଆନ୍ ଏୟାର ଫୋର୍ସ) ଏବେ କେବଳ ଜବାବ ଦେଉନାହିଁ, ବରଂ ଅତି ସଠିକ୍ ଭାବେ ଆକ୍ରମଣ ମଧ୍ୟ କରିପାରେ। ଚୀଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନଙ୍କ ନେତୃତ୍ୱରେ ଭାରତ ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରିଥିଲା। ଏହାର ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିବା ଏବଂ ପାକିସ୍ତାନର ସାମରିକ କ୍ଷମତାକୁ ଦୁର୍ବଳ କରିବା। ତେବେ, ଏହି ଆକ୍ରମଣରେ ଆମେରିକା ଓ ଚୀନ୍ର ମାନସମ୍ମାନ ଉପରେ ମଧ୍ୟ ଆଘାତ ଲାଗିଛି। ଅପରେସନ୍ ସମୟରେ ଭାରତ ପାକିସ୍ତାନୀ ବାୟୁସେନାରେ ଥିବା ଆମେରିକାର ଏକ ଏଫ୍-୧୬ ଏବଂ ଚୀନ୍ରୁ କିଣାଯାଇଥିବା ତିନିଟି ଜେଏଫ୍-୧୭ ବିମାନ ଧ୍ୱଂସ କରିଥିଲା। ମାତ୍ର ୨୩ ମିନିଟ୍ର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ମାଟି କାମୁଡ଼ି ଥିଲା।
୨୩ ମିନିଟ୍ରେ ଚୀନ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱଂସ
ଅପରେସନ୍ର ପ୍ରଥମ ଦିନରେ ଭାରତୀୟ ବାୟୁସେନା ନିଜ ରଣନୀତିରେ ପରିବର୍ତ୍ତନ ଆଣିଥିଲା। ସେମାନଙ୍କୁ ଆଶାଠାରୁ ଅଧିକ ବିରୋଧର ସାମନା କରିବାକୁ ପଡ଼ିଥିଲା। ଏପରି ସ୍ଥିତିରେ ସେମାନେ ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ସଠିକ୍ ନିଶାନା ଉପରେ ଗୁରୁତ୍ୱ ଦେଇଥିଲେ। ଆଇଏଏଫ୍ ପାକିସ୍ତାନର ଚୀନ୍ରୁ କିଣାଯାଇଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ମାତ୍ର ୨୩ ମିନିଟ୍ରେ ଜାମ୍ କରି ଦେଇଥିଲା। ଏହା ଦ୍ୱାରା ଭାରତୀୟ ବିମାନମାନଙ୍କୁ ଆକ୍ରମଣ କରିବାରେ ସହଜତା ମିଳିଥିଲା।
ପାକିସ୍ତାନୀ ବାୟୁସେନାକୁ କେତେ କ୍ଷତି ହେଲା?
ଯୁରେସିଆନ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଭାରତ ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନର ଛଅଟି ଯୁଦ୍ଧ ବିମାନକୁ ମାରି ପକାଇଥିଲା। ଏଥିରେ ତିନିଟି ଜେଏଫ୍-୧୭ ଥଣ୍ଡର, ଦୁଇଟି ମିରାଜ ତୃତୀୟ/ପଞ୍ଚମ ଏବଂ ଏକ ଏଫ୍-୧୬ ବ୍ଲକ୍ ୫୨ ସାମିଲ ଥିଲା। ଏହି ବିମାନଗୁଡ଼ିକ ଜାକୋବାବାଦ, ରହିମ ଯାର ଖାନ୍ ଓ ସରଗୋଧା ନିକଟରେ ନଷ୍ଟ ହୋଇଥିଲା। ଏହା ଦ୍ୱାରା ପାକିସ୍ତାନର ‘କ୍ୱିକ୍ ରିଆକ୍ସନ୍ ଆଲର୍ଟ’ (କ୍ୟୁଆରଏ) ନେଟୱାର୍କକୁ ବହୁତ ବଡ଼ କ୍ଷତି ପହଞ୍ଚିଥିଲା। ଅର୍ଥାତ୍, ଶତ୍ରୁର ଆକ୍ରମଣର ତୁରନ୍ତ ଜବାବ ଦେବା ପାଇଁ ପ୍ରସ୍ତୁତ ଥାଉଥିବା ଟିମ୍ ବିଫଳ ହୋଇଥିଲା।
ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ନିରୀକ୍ଷଣ ବିମାନ ଧ୍ୱଂସ
ଅପରେସନ୍ ସିନ୍ଦୁରରେ ପାକିସ୍ତାନର ଦୁଇଟି ହବାଇ ନିରୀକ୍ଷଣ ବିମାନ ମଧ୍ୟ ନଷ୍ଟ ହୋଇଥିଲା। ଗୋଟିଏ ଥିଲା ସାବ୍ ୨୦୦୦ ଏରିଆଇ ଏବଂ ଅନ୍ୟଟି ଥିଲା ଜେଡ୍ଡିକେ-୦୩ କରାକୋରାମ ଈଗଲ। ସାବ୍ ୨୦୦୦କୁ ଭାରତର ଏସ୍-୪୦୦ ବ୍ୟବସ୍ଥା ଦ୍ୱାରା ୩୧୪ କିଲୋମିଟର ଦୂରରୁ ଧ୍ୱଂସ କରିଥିଲା। ଜେଡ୍ଡିକେ-୦୩କୁ ଭୋଲାରୀ ଏୟାରବେସ୍ରେ ଆକ୍ରମଣ କରି ନଷ୍ଟ କରାଯାଇଥିଲା। ଏହି ବିମାନଗୁଡ଼ିକ ନଷ୍ଟ ହେବା ଦ୍ୱାରା ପାକିସ୍ତାନୀ ବାୟୁସେନା ଅପରେସନ୍ ସମୟରେ ପ୍ରାୟ ଅନ୍ଧ ହୋଇଯାଇଥିଲା।
ଆକାଶତୀର ବ୍ୟବସ୍ଥା ୧୦୦% ସଫଳ
ନୂର ଖାନ୍ ଏୟାରବେସ୍ରେ ଏକ ସି-୧୩୦ ହରକ୍ୟୁଲିସ୍ ବିମାନକୁ ମଧ୍ୟ ନଷ୍ଟ କରାଯାଇଥିଲା। ଏହି ବିମାନରେ ପାକିସ୍ତାନର ସ୍ପେଶାଲ ଫୋର୍ସ ଯବାନ ଥିଲେ। ଏହି ଆକ୍ରମଣ ବ୍ରହ୍ମୋସ୍ ଏନ୍ଜି ମିସାଇଲ୍ ଦ୍ୱାରା କରାଯାଇଥିଲା। ଏହା ଦ୍ୱାରା ପାକିସ୍ତାନର ରସଦ ଓ ସୈନିକଙ୍କ ମନୋବଳ ଉପରେ ଖରାପ ପ୍ରଭାବ ପଡ଼ିଥିଲା। ଭାରତ ପାକିସ୍ତାନର ୧୫ରୁ ଅଧିକ ଅନମ୍ୟାନ୍ଡ କମ୍ବାଟ୍ ଏରିଆଲ ଭେହିକଲ୍ (ୟୁସିଏଭି)କୁ ମଧ୍ୟ ମାରି ଖସାଇଥିଲା, ଯେଉଁଥିରେ ଚୀନ୍ର ଉଇଙ୍ଗ ଲୁଙ୍ଗ ଡ୍ରୋନ୍ ମଧ୍ୟ ସାମିଲ ଥିଲା। ଭାରତର ଆକାଶତୀର ଓ ସାମାର ବ୍ୟବସ୍ଥା ଏହି ଅଭିଯାନରେ ୧୦୦% ସଫଳତା ହାସଲ କରିଥିଲା।
ଏହି ବିମାନଘାଟିରେ ଆକ୍ରମଣ ଦ୍ୱାରା ପାକିସ୍ତାନର ହାଲତ ଖରାପ
ନୂର ଖାନ୍ ଏୟାରବେସ୍ (ଚକଲାଲା) ରାୱଲପିଣ୍ଡି ନିକଟରେ ଅବସ୍ଥିତ। ଏହାର ବ୍ୟବହାର ଭିଆଇପି ଲୋକଙ୍କ ଆସିବା-ଯିବା ଏବଂ ସାମଗ୍ରୀ ନେବା-ଆଣିବା ପାଇଁ ହୋଇଥାଏ। ଏହା ପାକିସ୍ତାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍। ଏଠାରେ ସି-୧୩୦ ହରକ୍ୟୁଲିସ୍ ବିମାନ ଓ ପିଏଏଫ୍ (ପାକିସ୍ତାନ ଏୟାର ଫୋର୍ସ)ର ସ୍ପେଶାଲ ସର୍ଭିସେସ୍ ୱିଙ୍ଗ (ଏସ୍ଏସ୍ଡବ୍ଲୁ) ମଧ୍ୟ ରହିଛି। ଆଇଏଏଫ୍ ନୂର ଖାନ୍ ଏୟାରବେସ୍ ଉପରେ ଲୋଇଟରିଙ୍ଗ ମ୍ୟୁନିସନ୍ ଓ ବ୍ରହ୍ମୋସ୍ ଏନ୍ଜି ମିସାଇଲ୍ ଦ୍ୱାରା ଆକ୍ରମଣ କରିଥିଲା। ସି-୧୩୦ ହରକ୍ୟୁଲିସ୍ ବିମାନକୁ ସେତେବେଳେ ନଷ୍ଟ କରାଯାଇଥିଲା, ଯେତେବେଳେ ସେଥିରେ ସାମଗ୍ରୀ ଲଦାଯାଉଥିଲା।
ଅନ୍ଧ ହେଲା ପାକିସ୍ତାନ
ସିନ୍ଧରେ ଭୋଲାରୀ ଏୟାରବେସ୍ ଉପରେ ଆକ୍ରମଣ କାରଣରୁ ସେଠାରେ ଥିବା ଏଇଡବ୍ଲୁଏଣ୍ଡସି (ଏୟାରବୋର୍ନ ଆର୍ଲି ୱାର୍ନିଙ୍ଗ ଆଣ୍ଡ କଣ୍ଟ୍ରୋଲ) ବିମାନ ଯେପରିକି ଜେଡ୍ଡିକେ-୦୩ କରାକୋରାମ ଈଗଲକୁ ଶେଲ୍ଟର ଭିତରେ ନଷ୍ଟ କରାଯାଇଥିଲା। ରଡ଼ାର ବ୍ୟବସ୍ଥା ନଷ୍ଟ ହେବାରୁ ପାକିସ୍ତାନ ଅନ୍ଧ ହୋଇଯାଇଥିଲା।
ସରଗୋଧା ବିମାାନଘାଟି ଉପରେ ଆକ୍ରମଣ ହେଲା ପାକିସ୍ତାନର ଆତ୍ମସମର୍ପଣ କାରଣ
ପାକିସ୍ତାନର ସରଗୋଧା ଏୟାରବେସ୍ ହେଉଛି ପିଏଏଫ୍ର ସେଣ୍ଟ୍ରାଲ ଏୟାର କମାଣ୍ଡର ମୁଖ୍ୟାଳୟ। ଏଠାରେ ପାକିସ୍ତାନର ଏଫ୍-୧୬ ବିମାନର ଏକ ବଡ଼ ସ୍କ୍ୱାଡ୍ରନ ମଧ୍ୟ ରହିଛି। ଭାରତୀୟ ମିସାଇଲ୍, ଯେଉଁଥିରେ ସମ୍ଭବତଃ ସୁଦର୍ଶନ ସଜ୍ଜିତ ବ୍ରହ୍ମୋସ୍ ମିସାଇଲ୍ ଥିଲା, ଅନେକ ମଜବୁତ ବିମାନ ଶେଲ୍ଟରକୁ ନିଶାନା କରିଥିଲା। ଏକ ଏଫ୍-୧୬ ବିମାନ ନଷ୍ଟ ହୋଇଥିଲା ଏବଂ ଅନେକ ହ୍ୟାଙ୍ଗାର ଭୁଶୁଡ଼ି ପଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏୟାରବେସ୍ର ମୁଖ୍ୟ ରନ୍ୱେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା, ଯାହାଦ୍ୱାରା ପ୍ରାୟ ୪୮ ଘଣ୍ଟା ପାଇଁ ବାୟୁ ସଞ୍ଚାଳନ ବନ୍ଦ ରହିଥିଲା।
ଆମେରିକା ଓ ଚୀନ୍ର ଦମ୍ଭ ଉପରେ ପ୍ରହାର
ଅପରେସନ୍ ସିନ୍ଦୁର ଦ୍ୱାରା ପାକିସ୍ତାନ ତ ଫୁସକି ଯାଇଥିଲା, କିନ୍ତୁ ଆମେରିକା ଓ ଚୀନ୍ର ଦମ୍ଭକୁ ମଧ୍ୟ ବଡ଼ ଆଘାତ ଲାଗିଥିଲା। ପ୍ରକୃତରେ, ଆମେରିକାର ଯୁଦ୍ଧ ବିମାନ ଏଫ୍-୧୬ ଓ ଚୀନ୍ର ଜେଏଫ୍-୧୭ ନଷ୍ଟ ହେବା ଦ୍ୱାରା ଏହି ବିମାନଗୁଡ଼ିକର ଶକ୍ତିର ପୋଲ ଖୋଲି ଯାଇଥିଲା, ବଡ଼ବଡ଼ କଥା କହି ଆମେରିକା ଓ ଚୀନ୍ ପାକିସ୍ତାନକୁ ଏହି ବିମାନ ଯୋଗାଇ ଦେଇଥିଲେ। ଅପରେସନ୍ ସିନ୍ଦୁରର ତୀବ୍ରତା ଓ ନିର୍ଣ୍ଣାୟକ ପ୍ରକୃତି ପାକିସ୍ତାନୀ ସେନା ଉପରେ ଖରାପ ପ୍ରଭାବ ପକାଇଥିଲା। ୮୮ ଘଣ୍ଟା ମଧ୍ୟରେ ପାକିସ୍ତାନକୁ ଯୁଦ୍ଧବିରାମ ପାଇଁ କହିବାକୁ ପଡ଼ିଥିଲା।ଜାକୋବାବାଦ ଏୟାରବେସ୍ ଉପରେ ଆକ୍ରମଣରୁ ସେଠାରେ ଥିବା ୟୁସିଏଭି ଡ୍ରୋନ୍ଗୁଡ଼ିକ ନଷ୍ଟ ହୋଇଥିଲା। ଭାରତୀୟ ଆକ୍ରମଣରେ ପାକିସ୍ତାନର ସୁକ୍କୁର ଏୟାରବେସ୍ ମଧ୍ୟ ଧ୍ୱଂସ ହୋଇଥିଲା, ଯାହା ବିମାନରେ ଇନ୍ଧନ ଭର୍ତ୍ତି, ମରାମତି ଓ ଜରୁରୀ ଅବତରଣ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ବ୍ୟତୀତ, ରହିମ ଯାର ଖାନ୍ ଏୟାରବେସ୍ ଓ ଶାହବାଜ ଏୟାରବେସ୍କୁ ମଧ୍ୟ ନିଶାନା କରାଯାଇଥିଲା।