ଅରବପତି ଗୌତମ ଅଦାନୀଙ୍କ ଭାଇ ପ୍ରଣବ ଅଦାନୀଙ୍କ ଅସୁବିଧା ବଢିପାରେ। କାରଣ ବଜାର ନିୟାମକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଭିଯୋଗ କରିଛି ଯେ ଅଦାନୀ ଗ୍ରୁପର ଅନେକ କମ୍ପାନୀର ନିର୍ଦ୍ଦେଶକ ପ୍ରଣବ ଅଦାନୀ ଶେୟାର ବଜାରର ନିୟମ ଉଲ୍ଲଂଘନ କରିଛନ୍ତି। ସେବି ତାଙ୍କ ଉପରେ ଇନସାଇଡର ଟ୍ରେଡିଂର ଅଭିଯୋଗ ଲଗାଇଛି।
ଡିଲ ସାର୍ବଜନୀନ ହେବା ପୂର୍ବରୁ ଶେୟାର କରିଥିଲେ
ସେବିର କହିବା ଅନୁସାରେ, ପ୍ରଣବ ଅଦାନୀ ୨୦୨୧ ମସିହାରେ ଅଦାନୀ ଗ୍ରୀନ ଦ୍ୱାରା ଏସବି ଏନର୍ଜୀ ହୋଲ୍ଡିଂକୁ କିଣିବା ପୂର୍ବରୁ ତାଙ୍କ ଭିଣୋଇଙ୍କ ସହ ଡିଲ ସମ୍ପର୍କରେ ସୂଚନା ସାର୍ବଜନୀନ ହେବା ପୂର୍ବରୁ ଶେୟାର କରିଥିଲେ। ଏହା ସେତେବେଳେ ସାର୍ବଜନୀନ ହୋଇନଥିଲା। ମିଡିଆ ରିପୋର୍ଟ ଅନୁସାରେ, ସେବି ଗତ ବର୍ଷ ପ୍ରଣବ ଅଦାନୀଙ୍କୁ ଏ ସମ୍ପର୍କରେ ନୋଟିସ ପଠାଇଥିଲା।
ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ତାଙ୍କ ଉପରେ ଇନସାଇଡର ଟ୍ରେଡିଂର ମାମଲା ହୋଇପାରେ। ରୟଟର୍ସକୁ ପଠାଯାଇଥିବା ଇମେଲର ଉତ୍ତରରେ ପ୍ରଣବ ଅଦାନୀ କହିଛନ୍ତି ଯେ ସେ ଅଭିଯୋଗକୁ ଗ୍ରହଣ ବା ଅସ୍ୱୀକାର ନକରି ମାମଲା ସମାଧାନ ପାଇଁ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେ କୌଣସି ସିକ୍ୟୁରିଟିଜ ଆଇନର ଉଲ୍ଲଂଘନ କରିନାହାନ୍ତି।
ଇନସାଇଡର ଟ୍ରେଡିଂ କ’ଣ?

ଶେୟାର ବଜାରରେ ଇନସାଇଡର ଟ୍ରେଡିଂକୁ ଫ୍ରଣ୍ଟ ରନିଂ ନାମରେ ମଧ୍ୟ ଜଣାଯାଏ। ଏହା ଏକ ଆଇନ ଉଲଙ୍ଘନକାରୀ କାର୍ଯ୍ୟ ଏବଂ ଭାରତ ସମେତ ବିଶ୍ୱର ଅନେକ ବଜାରରେ ଏହା ଉପରେ ପ୍ରତିବନ୍ଧକ ରହିଛି। ଇନସାଇଡର ଟ୍ରେଡିଂରେ କୌଣସି ବ୍ୟକ୍ତି କୌଣସି କମ୍ପାନୀ ସମ୍ପର୍କିତ ବଡ ଘୋଷଣା ଯେପରିକି ମର୍ଜର, ତ୍ରୈମାସିକ ଫଳାଫଳ ବା ଅଧିଗ୍ରହଣ ଆଦି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପୂର୍ବରୁ ଜାଣିପାରେ ବା ସେହି ସୂଚନାର ଆଧାରରେ ଶେୟାରରେ ପୋଜିସନ ନେଇ ବସେ। ଯେତେବେଳେ ସେହି ସୂଚନା ବାହାରେ, ତେବେ ସେହି କମ୍ପାନୀର ଶେୟାରରେ ବୃଦ୍ଧି ଘଟେ ।
ଏହିପରି ବଡ ନିବେଶକମାନେ ବହୁତ ଲାଭ ପାଆନ୍ତି ଏବଂ ସେହି ଲାଭ ଉଠାଇ ସେମାନେ ଛୋଟ ନିବେଶକଙ୍କୁ ବିକ୍ରି କରିଦିଅନ୍ତି, ଯାହା ପରେ ଶେୟାରରେ ହ୍ରାସ ଆରମ୍ଭ ହୁଏ। ଏହା ଦ୍ୱାରା ନିବେଶକମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ।