ଅହମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ମୃତ୍ୟୁ ହୋଇଛି। ସେ ନିଜ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ବିଜୟ ରୁପାଣୀ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ୨୦୧୬ ରୁ ୨୦୨୧ ମଧ୍ୟରେ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିମାନ ଦୁର୍ଘଟଣା ଉପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, “ଏହା ଏକ ଦୁଃଖଦ ମୁହୂର୍ତ୍ତ। ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ବିମାନରେ ଥିଲେ। ଆମେ ଦୁଃଖିତ ଏବଂ ମୃତକଙ୍କ ପ୍ରତି ସମବେଦନା ଜଣାଉଛୁ।”
ବିମାନ ଦୁର୍ଘଟଣା ଉପରେ କେନ୍ଦ୍ରୀୟ ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ କହିଛନ୍ତି, “ଆମେ ଏକ ନିଷ୍ଠାପର ଓ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ଯାଉଛୁ, ଏବଂ ଏହି ଘଟଣା କାହିଁକି ଘଟିଲା ତାହା ଜାଣିବାକୁ ଚେଷ୍ଟା କରିବୁ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ବିମାନରେ ଥିବା ଜାଣି ବହୁତ ଦୁଃଖ ଲାଗୁଛି। ଅନ୍ୟ ନାଗରିକମାନେ ମଧ୍ୟ ଥିଲେ। ମୁଁ ଏହି ଦୁଃଖଦ ଓ ଭୟଙ୍କର ଘଟଣାରେ ସମ୍ପୂର୍ଣ୍ଣ ଭାବେ ବିଚଳିତ ହୋଇଛି।”
ଅହମଦାବାଦ ପୁଲିସ କମିଶନରଙ୍କ ବୟାନ
ରାମ ମୋହନ ନାୟଡୁ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ମୋତେ ଫୋନ କରି ଘଟଣାସ୍ଥଳକୁ ଯିବାକୁ କହିଛନ୍ତି। ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଁ ଏବେ ସଂଖ୍ୟା ବିଷୟରେ କିଛି କହିବାକୁ ଚାହୁଁନାହିଁ।” କେନ୍ଦ୍ରୀୟ ଗୃହମନ୍ତ୍ରୀ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି। ଅହମଦାବାଦ ପୁଲିସ କମିଶନର ଜି.ଏସ୍. ମଲିକ କହିଛନ୍ତି, ବିମାନ ଦୁର୍ଘଟଣାରେ କିଛି ଲୋକଙ୍କ ବଞ୍ଚି ରହିବାର ସମ୍ଭାବନାକୁ ନକାରି ହେବ ନାହିଁ। ବିମାନବନ୍ଦର ନିକଟରେ ମେଘାନୀନଗରରେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଲୋକଙ୍କୁ ହସ୍ପିଟାଲକୁ ନିଆଯାଇଛି।
କେବେ ଓ କିପରି ଘଟିଲା ଦୁର୍ଘଟଣା?
ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଅହମଦାବାଦରୁ ଗେଟଉଇକ (ଲଣ୍ଡନ) ଯାଉଥିଲା। ବିମାନବନ୍ଦରରୁ ଟେକ୍ଅଫ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ଶିକାର ହେଲା। ଏହି ବିମାନରେ ପାଇଲଟ ଓ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଭିଲ ହସ୍ପିଟାଲରେ ପ୍ରାୟ ୧୫୦ ଟି ଶବ ଥିବାର ସମ୍ଭାବନା ରହିଛି।