କିଏ ହେବ ବିଜେପିର ଆଗାମୀ ସଭାପତି,ଦୌଡ଼ରେ ଧର୍ମେନ୍ଦ୍ର

ଭାରତୀୟ ଜନତା ପାର୍ଟି (BJP) ଖୁବ୍‌ ଶୀଘ୍ର ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରିବାକୁ ଯାଉଛି। ପାର୍ଟି ସୂତ୍ରରୁ ଜଣାପଡ଼ିଛି ଯେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁନ ମାସର ମଧ୍ୟଭାଗ ସୁଦ୍ଧା ଏ ସମ୍ପର୍କରେ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ବିଳମ୍ବିତ ହୋଇ ଆସୁଥିଲା। ପ୍ରଥମେ ରାଜ୍ୟଗୁଡ଼ିକରେ ସାଙ୍ଗଠନିକ ନିର୍ବାଚନ କାରଣରୁ ଏହା ଅଟକି ରହିଥିଲା। କିନ୍ତୁ, ସୂଚନା ଅନୁସାରେ, ଏହି କାମ ଏବେ ପ୍ରାୟତଃ ସମାପ୍ତ ହୋଇଛି। ବିଜେପିର ସମ୍ବିଧାନ ଅନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଏହି ସାଙ୍ଗଠନିକ ନିର୍ବାଚନ ଆବଶ୍ୟକ। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆରଏସଏସ (RSS) ର ପ୍ରିୟପାତ୍ର ରହିଆସିଛନ୍ତି। ତେଣୁ ସମ୍ଭାବନା ରହିଛି ଯେ ଯିଏ ମୋଦୀ ଓ ଆରଏସଏସର ଆଶୀର୍ବାଦ ପାଇବେ, ତାଙ୍କ ନାମରେ ହିଁ ଅନ୍ତିମ ମୋହର ଲାଗିବ। ନବଭାରତ ଟାଇମ୍ସ ଅନଲାଇନକୁ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୌଡ଼ରେ ବର୍ତ୍ତମାନ ପାର୍ଟିର ପାଞ୍ଚଜଣ ବରିଷ୍ଠ ନେତାଙ୍କ ନାମ ଆଗରେ ରହିଛି।

ବିଜେପିକୁ ଶୀଘ୍ର ମିଳିପାରେ ନୂଆ ଜାତୀୟ ସଭାପତି

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଯାଇଛି। ବିଜେପିରେ “ଏକ ବ୍ୟକ୍ତି, ଏକ ପଦ” ନୀତି ପାଳନ କରାଯାଇଥିଲା। କିନ୍ତୁ, ଜେ.ପି. ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ସହ କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚିନ୍ତାରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ଯେ ସାଙ୍ଗଠନିକ ନିର୍ବାଚନ ପରେ ସେ ପାର୍ଟିର ଦାୟିତ୍ୱରୁ ମୁକ୍ତ ହେବେ। ପ୍ରଥମେ ତାଙ୍କ କାର୍ଯ୍ୟକାଳ ଗତ ବର୍ଷ ଲୋକସଭା ନିର୍ବାଚନ ପାଇଁ ବଢ଼ାଯାଇଥିଲା, ପରେ ହରିୟାଣା, ଜମ୍ମୁ ଓ କଶ୍ମୀର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ କାରଣରୁ ଆଗକୁ ବଢ଼ାଯାଇଥିଲା। ପରେ ସାଙ୍ଗଠନିକ ନିର୍ବାଚନରେ ବିଳମ୍ବ ହୋଇଥିଲା। କିନ୍ତୁ ଏବେ ବିହାର ବିଧାନସଭା ନିର୍ବାଚନ ପାଇଁ କିଛି ମାସ ବାକି ଥାଏ ଓ ସାଙ୍ଗଠନିକ ନିର୍ବାଚନ ସମାପ୍ତ ହୋଇଛି। ତେଣୁ ମାନିଆଯାଉଛି ଯେ ଖୁବ୍‌ ଶୀଘ୍ର ପାର୍ଟିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିପାରେ।

ପାଞ୍ଚ ବରିଷ୍ଠ ଦୌଡ଼ରେ..

ବିଜେପିର ଜଣେ ପଦାଧିକାରୀ ନବଭାରତ ଟାଇମ୍ସ ଅନଲାଇନ ସହ ଆଲୋଚନାରେ ପାଞ୍ଚଜଣ ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଉଲ୍ଲେଖ କରିଛନ୍ତି। ଏମାନେ ସମସ୍ତେ ବିଜେପିର ବରିଷ୍ଠ ନେତା। ଏହି ପାଞ୍ଚ ନାମ ହେଲେ: ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହାନ, ମନୋହର ଲାଲ ଖଟ୍ଟର, ମନୋଜ ସିନ୍ହା ଓ ଡକ୍ଟର କେ. ଲକ୍ଷ୍ମଣ। ବିଜେପି ନେତାଙ୍କ ମତରେ, ଏହି ପାଞ୍ଚ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେଙ୍କୁ ପାର୍ଟି ନିର୍ବାଚିତ କରିପାରେ, କାରଣ ଏମାନଙ୍କ ନାମରେ ଆରଏସଏସର ମଧ୍ୟ ସମ୍ମତି ରହିବ।

ସମ୍ଭାବ୍ୟ ପ୍ରାର୍ଥୀଙ୍କ ପରିଚୟ

  1. ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶାର ସମ୍ବଲପୁରରୁ ସାଂସଦ। ଏହି ଓବିସି ନେତା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଓ ନିର୍ବାଚନ ପରିଚାଳନାରେ ଅଭିଜ୍ଞ। ବର୍ତ୍ତମାନ କେନ୍ଦ୍ରରେ ଶିକ୍ଷା ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳୁଛନ୍ତି।
  2. ଶିବରାଜ ସିଂହ ଚୌହାନ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପ୍ରମୁଖ ଓବିସି ନେତା। ବର୍ତ୍ତମାନ ବିଦିଶାରୁ ଲୋକସଭା ସାଂସଦ ଏବଂ କେନ୍ଦ୍ରରେ କୃଷି, କିଷାନ କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ।
  3. ମନୋହର ଲାଲ ଖଟ୍ଟର: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ କରନାଲ ଲୋକସଭା ଆସନରୁ ସାଂସଦ। ମୋଦୀ ସରକାରରେ ଆବାସ ଓ ସହରୀ ବ୍ୟାପାର, ଶକ୍ତି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳୁଛନ୍ତି। ଆରଏସଏସ ପାଇଁ ତୃଣମୂଳସ୍ତରରେ କାମ କରି ରାଜନୀତିକୁ ଆସିଛନ୍ତି ଓ ସାଙ୍ଗଠନିକ କାର୍ଯ୍ୟରେ ଅଭିଜ୍ଞ।
  4. ମନୋଜ ସିହ୍ନା: ବର୍ତ୍ତମାନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ। ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ଓ ଉତ୍ତରପ୍ରଦେଶର ଗାଜୀପୁର ଲୋକସଭା ଆସନରୁ ସାଂସଦ ଥିଲେ। ଜଣେ ଉତ୍ତମ ପ୍ରଶାସକ ଭାବେ ପରିଚିତ, ତେଣୁ ତାଙ୍କ ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଆସିଛି।
  5. ଡକ୍ଟର କେ. ଲକ୍ଷ୍ମଣ: ବିଜେପିର ଓବିସି ମୋର୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ। ରାଜ୍ୟସଭା ସଦସ୍ୟ ଓ ତେଲଙ୍ଗାନା ବିଜେପିର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ। ତେଲଙ୍ଗାନାର ମୁଶୀରାବାଦ ବିଧାନସଭାରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି। ଆରଏସଏସ ସହ ଜଡ଼ିତ ଓ ଜଣେ ଉତ୍ତମ ସଂଗଠକ ଭାବେ ପରିଚିତ।

Leave a Reply

Your email address will not be published. Required fields are marked *