ଚାଳଘରେ କିଚିରିମିଚିରି କରୁଥିବା ଘରଚଟିଆ ଚଢେଇକୁ କେବେ ଦେଖିଛନ୍ତି କି ? 2 ହଜାର ମସିହା ପରେ ଜନ୍ମ ନେଇଥିବା ଅନେକ ଘରଚଟିଆ ଚଢେଇକୁ ହୁଏତ ଦେଖିନଥିବେ। କାରଣ ନୂଆ ସହସ୍ରାବଦ୍ଦି ଆସିବା ସହ ଘର ଚଟିଆ ଚଢେଇ ଏକରକମ ଗାଏବ ହୋଇଯାଇଛନ୍ତି। ସେମାନଙ୍କ ଗାଏବ ହେବା ପଛରେ ମୋବାଇଲ ଟାୱାରର କନେକ୍ସନ ରହିଛି ବୋଲି ଅନେକ କୁହନ୍ତି। ତେବେ ଇତିହାସ ଫର୍ଦ୍ଦରେ ଏଭଳି ଗୋଟିଏ କଳା କାହାଣୀ ଲିପିବଦ୍ଧ ରହିଛି,ଯାହା ଶୁଣିଲେ ଆପଣ ଚକିତ ହେବେ। ଜଣେ ପାଗଳ ଏକଛତ୍ରବାଦୀ ଶାସକ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ ଘରଚଟିଆଙ୍କ ସାମୁହିକ ହତ୍ୟା ଆଦେଶ ଦେଇଥିଲେ। ସେନା,ପୋଲିସ ଓ ସାଧାରଣ ନାଗରିକ ଖୋଜିଖୋଜି ଘରଚଟିଆଙ୍କୁ ମାରିଥିଲେ। ବର୍ଷ କେଇଟାରେ ସେହି ଦେଶରୁ ଘର ଚଟିଆ ଗାଏବ ହୋଇଯାଇଥିଲେ। ଆଉ ତାପରେ ପ୍ରକୃତି ନେଇଥିଲା ପ୍ରତିଶୋଧ। ଘର ଚଟିଆ ଗାଏବ ହେବାରୁ ସେହି ଦେଶରେ ଦୁର୍ବିକ୍ଷ ଆସିଥିଲା ଓ କୋଟିକୋଟି ଲୋକ ପ୍ରାଣ ହରାଇଥିଲେ। ଆସନ୍ତୁ ମାର୍ଚ୍ଚ 20 ଘର ଚଟିଆ ଦିବସରେ ଜାଣିବା କିଏ ଥିଲା ସେହି ଶାସକ ଯିଏ ଘରଚଟିଆ ଭଳି ନିରିହ ପ୍ରାଣୀର ହତ୍ୟା ପାଇଁ ଦେଇଥିଲା ଆଦେଶ।
ଚୀନରେ ହୋଇଥିଲା ଘର ଚଟିଆ ନିପାତ ଅଭିଯାନ
ଚୀନରେ ମାଓ ସେ ତୁଙ୍ଗଙ୍କ ନିର୍ଦ୍ଦେଶ ପରେ ଘର ଚଟିଆଙ୍କ ହତ୍ୟା ଆରମ୍ଭ ହୋଇଥିଲା । ସେମାନଙ୍କ ସଂଖ୍ୟା ଏତେ ଦ୍ରୁତ ଗତିରେ ହ୍ରାସ ପାଇଥିଲା ଯେ ଦେଶରେ ଅନାହାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚୀନ ସରକାର ଏହା ଅନୁଭବ କରିବା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା ।

ପାଗଳ ମାଓର ବିଫଳ ଯୋଜନା
ମାଓ ସେତୁଙ୍ଗ ୧୯୫୭ରୁ ୧୯୬୨ ମଧ୍ୟରେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ଯୋଜନାର ସଫଳତାରେ ଉତ୍ସାହିତ ହୋଇ ମାଓ ଏଥର ଯୋଜନାର ପରିସରକୁ ବିସ୍ତାର କରିଥିଲେ। କିନ୍ତୁ ଦ୍ବିତୀୟ ଯୋଜନା ସଫଳ ହୋଇନଥିଲା। ନିଜ ବିଫଳତାକୁ ଲୁଚାଇବା ପାଇଁ ଚୀନ୍ ଅଧିକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ମଶା, ଘର ଚଟିଆ ଏବଂ ମୂଷାଙ୍କ ଯୋଗୁଁ ଦେଶ ପ୍ରତିବର୍ଷ ଅନେକ କ୍ଷତି ସହିଥାଏ। ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଦରକାର। ଅଧିକାରୀମାନେ କହିଥିଲେ ଯେ ଘର ଚଟିଆ ସବୁ ଶସ୍ୟ ଖାଇଦିଏ। ଫଳରେ ଉତ୍ପାଦନ କମିବାରେ ଲାଗିଛି। ଏହାପରେ ହିଁ ମାଓ ସେମାନଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମାଓଙ୍କ ଏହି ଅଭିଯାନକୁ ‘ଦ ଗ୍ରେଟ୍ ସ୍ପାରୋ’ ଅଭିଯାନ ମଧ୍ୟ କୁହାଯାଏ। ମାଓଙ୍କ ଆଦେଶ ପରେ ଘର ଚଟିଆ ନିପାତ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କର୍ତ୍ତୃପକ୍ଷ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ। ଛାତ୍ର ଓ ଅମଲାମାନଙ୍କୁ ମିଶାଇ ୩୦ ଲକ୍ଷ ଲୋକଙ୍କୁ ନେଇ ଏକ ଫୋର୍ସ ଗଠନ କରାଯାଇଥିଲା, ଯାହା ସକାଳ ୫ଟାରୁ ଆରମ୍ଭ ହେଉଥିଲା। ଜାଲରେ ଘର ଚଟିଆ ସହ ସମସ୍ତ ଛୋଟ ପକ୍ଷୀଙ୍କୁ ଧରି ମାରି ଦିଆଯାଉଥିଲା।
ଲମ୍ବା ବାଉଁଶର ମୁଣ୍ଡରେ ଅଠା ଲଗାଯାଉଥିଲା, ଯାହାଫଳରେ ପକ୍ଷୀଟି ବସିବା ମାତ୍ରେ ସେଥିରେ ଲାଗି ରହିବ ଏବଂ ଆଉ ଉଡ଼ିପାରିବ ନାହିଁ। ପ୍ରଥମ ଦିନରେ ଲକ୍ଷ ଲକ୍ଷ ଘର ଚଟିଆ ପ୍ରାଣ ହରାଇଥିଲେ।
ଘର ଚଟିଆ ବସା ଓ ଅଣ୍ଡାକୁ କରାଯାଇଥିଲା ଟାର୍ଗେଟ୍
ଘର ଚଟିଆମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବା ପାଇଁ ସେମାନଙ୍କ ବସାଗୁଡ଼ିକୁ ନଷ୍ଟ କରାଯାଇଥିଲା। ଅଣ୍ଡା ଫଟା ଯାଇଥିଲା। ଲୋକମାନେ ଏକାଠି ଏତେ ଶବ୍ଦ କରୁଥିଲେ ଯେ ଘର ଚଟିଆ କେଉଁଠି ବସି ପାରୁ ନଥିଲେ। ବିଶେଷଜ୍ଞଙ୍କ ମତରେ ଘର ଚଟିଆଙ୍କ ପାଇଁ ବିଶ୍ରାମ ଜରୁରୀ। ବିନା ବିଶ୍ରାମରେ ଏହା ଅଧିକ ସମୟ ଉଡ଼ିପାରିବ ନାହିଁ। ଫଳରେ ଅନେକ ସମୟରେ ଘର ଚଟିଆ ଅଧିକ ସମୟ ଉଡ଼ିବାରୁ ଥକି ଯାଇ ମାଟିରେ ପଡ଼ିଯାଉଥିଲା। ଗୁଳି ମାରି ମଧ୍ୟ ସେମାନଙ୍କ ହତ୍ୟା କରାଯାଇଥିଲା। ଦୁଇ ବର୍ଷ ଭିତରେ ଏମିତି ଏକ ସମୟ ଆସିଲା ଯେତେବେଳେ ଲାଗିଲା ଯେ ଚୀନରେ ଘର ଚଟିଆ ଆଉ ନାହାନ୍ତି ।
ଘର ଚଟିଆର ନିଶ୍ୱାସରେ ମଲେ 4 କୋଟି
ଚୀନର ସାମ୍ବାଦିକ ଡାଇ କିଙ୍ଗଙ୍କ କହିବା ଅନୁଯାୟୀ, ଏହି ଅଭିଯାନ ପାଇଁ ସମଗ୍ର ଦେଶକୁ ଏହାର ମୁଲ୍ୟ ଦେବାକୁ ପଡିଥିଲା । ଯେଉଁ ଶସ୍ୟକୁ ବଞ୍ଚାଇବା ପାଇଁ ଘର ଚଟିଆଙ୍କ ସାମୁହିକ ହତ୍ୟା କରାଗଲା, ସେହି ଶସ୍ୟ ଲୋକମାନଙ୍କ ପାଇଁ ଉପଲବ୍ଧ ନଥିଲା। ଫସଲ ନଷ୍ଟ କରୁଥିବା ପୋକକୁ ଘର ଚଟିଆମାନେ କ୍ଷେତକୁ ଯାଇ ଖାଉଥିଲେ। ଘର ଚଟିଆଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ଏହି କୀଟମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଫସଲ ନଷ୍ଟ ହେବାକୁ ଲାଗିଲା । ଏଥିସହିତ ପଙ୍ଗପାଳ ମଧ୍ୟ ଫସଲ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଫଳରେ ଚୀନରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନାହାରରେ ୪ କୋଟି ୫0 ଲକ୍ଷ ମୃତ୍ୟୁ ହୋଇଥିଲା। ତେବେ ମୁହଁ ଲୁଚାଇବା ପାଇଁ ଚୀନ ସେତେବେଳେ କେବଳ ୧୫ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା। ଚୀନର ସାମ୍ବାଦିକ ୟାଙ୍ଗ ତାଙ୍କ ପୁସ୍ତକ ଟମ୍ବଷ୍ଟୋନରେ ଦାବି କରିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୩୬ ନିୟୁତ । ସେହିପରି ଅନ୍ୟ କେତେକ ବିଶ୍ଳେଷକଙ୍କ କହିବା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୭୮ ନିୟୁତ ରହିଛି। ଅଧିକାଂଶ ତଥ୍ୟ ସରକାରୀ ତଥ୍ୟର ବିପରୀତ ଥିଲା। ଏହାକୁ ଚୀନ ସରକାରଙ୍କ ସବୁଠାରୁ ଖରାପ ଅଭିଯାନ ବୋଲି ମଧ୍ୟ କୁହାଯାଏ