ଦେଶର ଚିଫ୍ ଜଷ୍ଟିସଙ୍କ ପାଖରେ କେଉଁ ବିଶେଷ କ୍ଷମତା ଅଛି? ଜଷ୍ଟିସ ଗାଭେ ହେଲେ ୫୨ତମ ସିଜେଆଇ

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଭେ ବୁଧବାର ଦିନ ଦେଶର ୫୨ତମ ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦର ଶପଥ ପ୍ରଦାନ କରିଛନ୍ତି। ସିଜେଆଇ ଗାଭେ ବୌଦ୍ଧ ଧର୍ମ ଅନୁସରଣ କରୁଥିବା ପ୍ରଥମ ମୁଖ୍ୟ ନ୍ୟାୟାଧୀଶ। ତାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ମୁଖ୍ୟ ନ୍ୟାୟାଧୀଶଙ୍କୁ କେତେକ ବିଶେଷ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ନିୟମ ରହିଛି।

ନିୟମ ଅନୁଯାୟୀ, ସିଜେଆଇ ହେବା ପାଇଁ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକ ହେବା ଆବଶ୍ୟକ। ଉଚ୍ଚ ନ୍ୟାୟାଳୟରେ ୫ ବର୍ଷ ଧରି ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଦରକାର। ଉଚ୍ଚ ନ୍ୟାୟାଳୟରେ ୧୦ ବର୍ଷ ଧରି ଓକିଲ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ଯୋଗ୍ୟତାର ଏକ ପ୍ରମୁଖ ଅଂଶ। ଏହା ସହ ରାଷ୍ଟ୍ରପତିଙ୍କ ଦୃଷ୍ଟିରେ ଏକ ପ୍ରତିଷ୍ଠିତ ନ୍ୟାୟବିତ୍ ହିଁ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ସବୁଠାରୁ ବରିଷ୍ଠ ନ୍ୟାୟାଧୀଶଙ୍କୁ ସିଜେଆଇ ଭାବେ ମନୋନୀତ କରାଯାଏ ଏବଂ ସେମାନଙ୍କର ବରିଷ୍ଠତା ନ୍ୟାୟାଳୟରେ ସେବା ଅବଧି ଆଧାରରେ ନିର୍ଦ୍ଧାରିତ ହୁଏ।

ସିଜେଆଇଙ୍କର ବିଶେଷ କ୍ଷମତା କ’ଣ?

ଭାରତୀୟ ସଂବିଧାନ ଦେଶର ମୁଖ୍ୟ ନ୍ୟାୟାଧୀଶଙ୍କୁ କେତେକ ବିଶେଷ କ୍ଷମତା ପ୍ରଦାନ କରେ। ନିୟମ ଅନୁଯାୟୀ, ସିଜେଆଇ “ରୋଷ୍ଟରର ମାଷ୍ଟର” ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ଅର୍ଥାତ୍ ଗୁରୁତ୍ବପୂର୍ଣ ମାମଲାଗୁଡ଼ିକୁ ବିଶେଷ ପୀଠକୁ ପଠାଇବା ଏବଂ ସର୍ବୋଚ୍ଚ ନ୍ୟାୟାଳୟରେ ସେମାନଙ୍କର ଶୁଣାଣିର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବାର ଅଧିକାର ତାଙ୍କ ପାଖରେ ରହିଛି।

ସିଜେଆଇ କୋଲେଜିୟମ ସିଷ୍ଟମର ମୁଖିଆ ହୋଇଥାନ୍ତି। ଏହି କୋଲେଜିୟମ ସିଷ୍ଟମ ନ୍ୟାୟାଧୀଶଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ସେମାନଙ୍କ ବଦଳି ପର୍ଯ୍ୟନ୍ତ ଅଧିକାର ରଖେ। ତେବେ, କୋଲେଜିୟମ ସିଷ୍ଟମର ଉଲ୍ଲେଖ ଭାରତୀୟ ସଂବିଧାନରେ କିମ୍ବା ସଂସଦର କୌଣସି ଆଇନରେ ନାହିଁ। ଏହା ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ମାଧ୍ୟମରେ ବିକଶିତ ହୋଇଛି, ଯାହାକୁ ‘ଜଜେସ କେସ’ କୁହାଯାଏ। କୋଲେଜିୟମ ସିଷ୍ଟମ ଦେଶର ମୁଖ୍ୟ ନ୍ୟାୟାଧୀଶ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଚାରି ଜଣ ବରିଷ୍ଠ ନ୍ୟାୟାଧୀଶଙ୍କୁ ନେଇ ଏହି ସିଷ୍ଟମ ଗଠିତ। ଏହି ପାଞ୍ଚ ଜଣ ମିଳିତ ଭାବେ ନିର୍ଣ୍ଣୟ ନେଇଥାନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ କେଉଁ ନ୍ୟାୟାଧୀଶ ହେବେ।

ସିଜେଆଇଙ୍କର ପ୍ରଶାସନିକ ଦାୟିତ୍ୱର ଉଲ୍ଲେଖ ସର୍ବୋଚ୍ଚ ନ୍ୟାୟାଳୟ ନିୟମ, ୨୦୧୩ରେ କରାଯାଇଛି। ‘ରୋଷ୍ଟରର ମାଷ୍ଟର’ ଭାବେ ମୁଖ୍ୟ ନ୍ୟାୟାଧୀଶ ବିଭିନ୍ନ ପୀଠକୁ ମାମଲା ବଣ୍ଟନ କରନ୍ତି ଏବଂ ଆଇନର ଗୁରୁତ୍ବପୂର୍ଣ ପ୍ରଶ୍ନରେ ନିଷ୍ପତ୍ତି ନେବା ପାଇଁ ସଂବିଧାନ ପୀଠ ଗଠନ କରିବା ପାଇଁ ନ୍ୟାୟାଧୀଶଙ୍କୁ ମନୋନୀତ କରନ୍ତି। ମୁଖ୍ୟ ନ୍ୟାୟାଧୀଶଙ୍କୁ ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବାର କ୍ଷମତା ମଧ୍ୟ ରହିଛି।

ବେତନ, ପେନସନ ଏବଂ ସୁବିଧା କେତେ?

ଦେଶର ମୁଖ୍ୟ ନ୍ୟାୟାଧୀଶଙ୍କୁ ମାସିକ ୨.୮୦ ଲକ୍ଷ ଟଙ୍କା ବେତନ ମିଳେ। ବାର୍ଷିକ ୧୬.୮୦ ଲକ୍ଷ ଟଙ୍କା ପେନସନ ଭାବେ ମିଳେ। ଏହା ସହ ମୂଲ୍ୟବୃଦ୍ଧି ଭତ୍ତା ଏବଂ ୨୦ ଲକ୍ଷ ଟଙ୍କା ଗ୍ରାଚ୍ୟୁଟି ମିଳେ। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଜେଆଇଙ୍କୁ ବେତନ ବ୍ୟତୀତ ମାସିକ ୪୫,୦୦୦ ଟଙ୍କା ସତ୍କାର ଭତ୍ତା ଭାବେ ମଧ୍ୟ ମିଳେ। ଏହା ସହ ୧୦ ଲକ୍ଷ ଟଙ୍କା ଏକକାଳୀନ ଫର୍ନିସିଂ ଆଲାଉନ୍ସ ମିଳେ।

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶଙ୍କୁ ଆବାସ ଭାବେ ଦିଲ୍ଲୀରେ ସର୍ବୋଚ୍ଚ ଶ୍ରେଣୀ ଅର୍ଥାତ୍ ଟାଇପ୍ VIII ବଙ୍ଗଳା ମିଳେ। ଡ୍ରାଇଭର ସହ ସରକାରୀ ଗାଡ଼ି, ୨୪ ଘଣ୍ଟିଆ ସୁରକ୍ଷା ସହ ସେବକ ଏବଂ କ୍ଲାର୍କ ମିଳନ୍ତି। ଏହା ବ୍ୟତୀତ, ସରକାରୀ ଗାଡ଼ି ପାଇଁ ମାସିକ ୨୦୦ ଲିଟର ଇନ୍ଧନ, ପିଏସଓ ମଧ୍ୟ ମିଳେ। ସିଜେଆଇ ଯାତ୍ରା ଭତ୍ତା ପାଇବାର ମଧ୍ୟ ଅଧିକାରୀ।

ଅବସର ଗ୍ରହଣ ପରେ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ୨୦୨୨ ମସିହାରେ ସଂଶୋଧନ ହୋଇଛି। କେନ୍ଦ୍ର ସରକାରଙ୍କ ବିବୃତି ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ନ୍ୟାୟାଧୀଶଙ୍କୁ ୬ ମାସ ପର୍ଯ୍ୟନ୍ତ ଭଡ଼ାମୁକ୍ତ ଟାଇପ୍ VII ଆବାସ ମିଳିବ। ଏହି ଆବାସ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଥିବା ସାଂସଦମାନଙ୍କୁ ମିଳେ। ଅବସର ଗ୍ରହଣ ପରେ ସିଜେଆଇଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସୁରକ୍ଷା ମିଳିବ।

Leave a Reply

Your email address will not be published. Required fields are marked *