ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଭୟଙ୍କର ସିରିଏଲ କିଲରକୁ ଅଦାଲତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଲକ୍ଷ୍ନୌର ଏକ ଅଦାଲତ ଭୟଙ୍କର ସିରିଏଲ କିଲର, ନରଭକ୍ଷୀ ଓ ନରମୁଣ୍ଡ ସଂଗ୍ରହକାରୀ ରାଜା କୋଲାଣ୍ଡରଙ୍କୁ ୨୦୦୦ ମସିହାରେ ହୋଇଥିବା ଦୁଇଟି ହତ୍ୟା ମାମଲାରେ ସୋମବାର ଦୋଷୀ ଘୋଷଣା କରିଛି। ଅଦାଲତର ବିଚାରପତି ରୋହିତ ସିଂହ ଶୁକ୍ରବାର ଦିନ ଦଣ୍ଡର ଘୋଷଣା କରିବେ। ଏହି ମାମଲାରେ ରାଜା କୋଲାଣ୍ଡର ଉର୍ଫ ରାମ ନିରଞ୍ଜନ ଓ ତାଙ୍କ ସାଙ୍ଗରେ ବଚ୍ଛରାଜ କୋଲଙ୍କୁ ୨୨ ବର୍ଷୀୟ ମନୋଜ କୁମାର ସିଂହ ଓ ତାଙ୍କ ଡ୍ରାଇଭର ରବି ଶ୍ରୀବାସ୍ତବଙ୍କ ଅପହରଣ ଓ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ପ୍ରକୃତରେ, ରାଜା କୋଲାଣ୍ଡର ଓ ତା’ ଶାଳକ ବଚ୍ଛରାଜକୁ ଏହା ପୂର୍ବରୁ ସାମ୍ବାଦିକ ଧୀରେନ୍ଦ୍ର ସିଂହଙ୍କ ହତ୍ୟା ମାମଲାରେ ୨୦୧୨ ମସିହାରେ ଇଲାହାବାଦ ଅଦାଲତ ଆଜୀବନ କାରାଦଣ୍ଡ ଶୁଣାଇ ସାରିଛି। ଏହି ମାମଲାରେ ରାଜାର ଫାର୍ମହାଉସରୁ ୧୪ଟି ମାନବ ନରମୁଣ୍ଡ ଜବତ କରାଯାଇଥିଲା। ଏହା ତା’ରଭୟଙ୍କର ଚେହେରାକୁ ସାମ୍ନାକୁ ଆଣିଥିଲା। ରାଜା କୋଲାଣ୍ଡର ନରଭକ୍ଷୀ ଓ ନରମୁଣ୍ଡ ସଂଗ୍ରହ କରୁଥିବା କଥା ସାମ୍ନାକୁ ଆସିଥିଲା। ଅଭିଯୋଗ ଅଛି ଯେ ସେ ମୁଣ୍ଡ କାଟି ନେଇ ମଣିଷର ମସ୍ତିଷ୍କରୁ ସୁପ ତିଆରି କରି ପିଉଥିଲେ।
୨୫ ବର୍ଷ ପରେ ମିଳିବ ଦଣ୍ଡ
ରାଜା କୋଲାଣ୍ଡର ଓ ତା’ ଶାଳକ ଉପରେ ୨୫ ବର୍ଷ ପୂର୍ବେ ୨୦୦୦ ମସିହାରେ ଡବଲ ମର୍ଡର ମାମଲା ରୁଜୁ ହୋଇଥିଲା। ୨୦୦୦ ମସିହାର ଡବଲ ମର୍ଡର ମାମଲାରେ ପୁଲିସ ୨୧ ମାର୍ଚ୍ଚ ୨୦୦୧ରେ ଚାର୍ଜସିଟ ଦାଖଲ କରିଥିଲା। କିନ୍ତୁ, ଆଇନଗତ ଜଟିଳତା ହେତୁ ମୁକଦ୍ଦମାର ଶୁଣାଣି ମଇ ୨୦୧୩ରେ ଆରମ୍ଭ ହୋଇଥିଲା। ପ୍ରକୃତରେ, ଅଭିଯୋଗକାରୀ ଶିବ ହର୍ଷ ସିଂହଙ୍କ ପୁତ୍ର ମନୋଜ କୁମାର ସିଂହ ଓ ତାଙ୍କ ଡ୍ରାଇଭର ରବି ଶ୍ରୀବାସ୍ତବ ୨୪ ଜାନୁଆରୀ ୨୦୦୦ରେ ଲକ୍ଷ୍ନୌରୁ ରିୱା ପାଇଁ ବାହାରିଥିଲେ।
ମନୋଜ ଓ ରବି ଚାରବାଗ ରେଳବାଇ ଷ୍ଟେସନ ନିକଟରୁ ଛଅ ଜଣ ଯାତ୍ରୀଙ୍କୁ ସାଙ୍ଗରେ ନେଇ ରିୱା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ। ଶେଷ ଥର ପାଇଁ ସେମାନଙ୍କର ଅବସ୍ଥାନ ରାୟବରେଲୀର ହରଚନ୍ଦପୁରରେ ଏକ ଚା’ ଦୋକାନରେ ମିଳିଥିଲା। ସେଠାରୁ ସେମାନେ ନିଖୋଜ ହୋଇଯାଇଥିଲେ। ତିନି ଦିନ ଧରି ଯେତେବେଳେ ସେମାନଙ୍କର କୌଣସି ଖୋଜଖବର ମିଳିଲା ନାହିଁ, ସେତେବେଳେ ନାକା ଥାନାରେ ଏଫଆଇଆର ଦାଏର ହୋଇଥିଲା ।
ଶଙ୍କରଗଡ଼ରେ ମିଳିଥିଲା ଶବ
ମନୋଜ ଓ ରବିଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଦୁହିଁଙ୍କର କୌଣସି ସୂଚନା ମିଳିପାରିଲା ନାହିଁ। ପରେ ଦୁହିଁଙ୍କର କ୍ଷତବିକ୍ଷତ ଶବ ପ୍ରୟାଗରାଜର ଶଙ୍କରଗଡ଼ର ଜଙ୍ଗଲରୁ ଜବତ କରାଗଲା। ଉଭୟ ଶବ ମୁଣ୍ଡ ବିହିନ ଥିଲା । ଶିବ ହର୍ଷଙ୍କ ଭାଇ ଶିବ ଶଙ୍କର ସିଂହ ସାକ୍ଷ୍ୟରେ କହିଥିଲେ ଯେ ସେ ହରଚନ୍ଦପୁରରେ ମନୋଜ ଓ ରବିଙ୍କ ସହ କଥା ହୋଇଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଦେଖାଯାଉଥିଲେ। ଏହା ବ୍ୟତୀତ ସେ ମନୋଜଙ୍କର ଏକ ବାଦାମୀ ରଙ୍ଗର କୋଟକୁ ଅଭିଯୁକ୍ତଙ୍କ ଘରୁ ଚିହ୍ନିଥିଲେ।
କୋଟରେ ରାୟବରେଲୀର ଦର୍ଜୀର ଲେବଲ ଥିଲା। ସରକାରୀ ଓକିଲ କହିଥିଲେ ଯେ ଆମେ ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ନେଇଥିଲୁ, ଯେଉଁମାନଙ୍କ ମଧ୍ୟରେ ଶିବ ଶଙ୍କର ସିଂହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ। ତାଙ୍କ ସୂଚନାରୁ ଏହା ସ୍ପଷ୍ଟ ହେଲା ଯେ ଏହି ଅପରାଧ ପୂର୍ବ ଯୋଜନାବଦ୍ଧ ଥିଲା। ଏଥିରେ ଅପହରଣ, ଲୁଟ ଓ ହତ୍ୟା ସାମିଲ ଥିଲା। ଏବେ ଅଦାଲତ ଶୁକ୍ରବାର ଏହି ଜଘନ୍ୟ ଅପରାଧ ପାଇଁ ଦଣ୍ଡର ଘୋଷଣା କରିବ। ଏହା ଉପରେ ସମସ୍ତଙ୍କ ନଜର ରହିଛି।
ରାଜା କୋଲାଣ୍ଡର କିଏ ?
ରାଜା କୋଲାଣ୍ଡର ପ୍ରୟାଗରାଜର ଶଙ୍କରଗଡ଼ର ବାସିନ୍ଦା। ତାଙ୍କର ଆସଲି ନାମ ରାମ ନିରଞ୍ଜନ କୋଲ। ସେ ନୈନୀସ୍ଥିତ କେନ୍ଦ୍ରୀୟ ଆୟୁଧ ଭଣ୍ଡାର (COD) ଛିବକୀରେ କର୍ମଚାରୀ ଥିଲେ। ରାମ ନିରଞ୍ଜନ ସୁଧରେ ଟଙ୍କା ଦେବା ସହିତ ରାଜନୀତି କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। ତାଙ୍କ ପତ୍ନୀ ଜିଲ୍ଲା ପଞ୍ଚାୟତ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ନିଜ ଅଂଚଳରେ ସେ ଧନି ହୋଇଥିବାରୁ ଲୋକେ ତାଙ୍କୁ ରାଜା କହିବାକୁ ଆରମ୍ଭ କରିଥିଲେ। ମନୋଜ ଓ ରବିଙ୍କ ହତ୍ୟା ପରେ ମଧ୍ୟ ରାଜା କୋଲାଣ୍ଡର ବିରୁଦ୍ଧରେ କୌଣସି ମାମଲା ରୁଜୁ ହୋଇନଥିଲା। ତାଙ୍କର ପରିଚୟ ସାମ୍ନାକୁ ଆସିନଥିଲା। ଅବସରପ୍ରାପ୍ତ ଆଇପିଏସ ରାଜେଶ ପାଣ୍ଡେୟଙ୍କ ଅନୁଯାୟୀ, ୨୦୦୦ ମସିହା ପର୍ଯ୍ୟନ୍ତ ରାଜା କୋଲାଣ୍ଡର ବିରୁଦ୍ଧରେ କୌଣସି ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା।
ଏହିପରି ସାମ୍ନାକୁ ଆସିଲା ଭୟଙ୍କର ଚେହେରା
ରାଜା କୋଲାଣ୍ଡରଙ୍କର ଭୟଙ୍କର ଚେହେରା ଜଣେ ସାମ୍ବାଦିକଙ୍କ ହତ୍ୟାକାଣ୍ଡ ପରେ ସାମ୍ନାକୁ ଆସିଥିଲା। ୧୪ ଡିସେମ୍ବର ୨୦୦୦ରେ ସାମ୍ବାଦିକ ଧୀରେନ୍ଦ୍ର ସିଂହ ନିଖୋଜ ହେବା ପରେ ପରିସ୍ଥିତି ବଦଳିଗଲା। ୧୮ ଡିସେମ୍ବରରେ ଯୁପି-ଏମପି ସୀମାନ୍ତ ନିକଟ ରିୱା ପାଖରେ ତାଙ୍କର ମୁଣ୍ଡକଟା ଶବ ଜବତ ହୋଇଥିଲା। ତାଙ୍କର ପରିଚୟ ସାମ୍ବାଦିକ ଧୀରେନ୍ଦ୍ର ଭାବେ ହୋଇଥିଲା। ସମଗ୍ର ଜଙ୍ଗଲ ଖୋଜାଯାଇଥିଲେ ମଧ୍ୟ ଧୀରେନ୍ଦ୍ରଙ୍କ ମୁଣ୍ଡ ମିଳିନଥିଲା। ଏହାପରେ ତଦନ୍ତରେ ଜଣାପଡ଼ିଥିଲା ଯେ ୧୪ ଡିସେମ୍ବର ସନ୍ଧ୍ୟାରେ ଧୀରେନ୍ଦ୍ରଙ୍କ ସହ ରାଜାଙ୍କୁ ବାଇକରେ ଦେଖାଯାଇଥିଲା।
ଧୀରେନ୍ଦ୍ରଙ୍କ ସହ ରାଜାଙ୍କୁ ଦେଖାଯିବାର ସୂଚନା ଆଧାରରେ ପ୍ରୟାଗରାଜ ପୁଲିସ ତାଙ୍କୁ ଥାନାକୁ ଡାକି ପଚରାଉଚୁରା ଆରମ୍ଭ କରିଥିଲା। ବହୁତ ସମୟ ଇତସ୍ତତଃ କଥା କହିବା ପରେ ଧୀରେନ୍ଦ୍ର ସିଂହଙ୍କ ହତ୍ୟାର ଅପରାଧ ସ୍ୱୀକାର କରିଥିଲେ। କିନ୍ତୁ ମୁଣ୍ଡ ବିଷୟରେ କୌଣସି ସୂଚନା ଦେଇନଥିଲେ। ରାଜନୈତିକ ଶକ୍ତିକୁ ଦେଖି ତାଙ୍କଠାରୁ ଅଧିକ ପଚରାଉଚୁରା କରାଯାଇନଥିଲା। ହତ୍ୟା ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। କିନ୍ତୁ, ଧୀରେନ୍ଦ୍ର ହତ୍ୟାକାଣ୍ଡ ବିବାଦରେ ପରିଣତ ହୋଇଥିଲା।
ଧୀରେନ୍ଦ୍ରଙ୍କ ମୁଣ୍ଡହୀନ ଶବକୁ ନେଇ ଉଠିଲା ପ୍ରଶ୍ନ
ପୁଲିସ ଉପରେ ପ୍ରଶ୍ନ ଉଠିଥିଲା। ଧୀରେନ୍ଦ୍ରଙ୍କ ମୁଣ୍ଡ କୁଆଡେ ଗଲା? ବୋଲି ସେତେବେଳେ ଏହି ପ୍ରଶ୍ନ ଉଠିଥିଲା। ସେହିପରି ମନୋଜ ଓ ରବିଙ୍କ ମୁଣ୍ଡ ମଧ୍ୟ ନିଖୋଜ ଥିଲା। ବଢ଼ୁଥିବା ଚାପ ମଧ୍ୟରେ ପୁଲିସ ରାଜା କୋଲାଣ୍ଡରଙ୍କୁ ରିମାଣ୍ଡରେ ନେଇଥିଲା। କଡ଼ା ପଚରାଉଚୁରାରେ ସେ ସମସ୍ତ ରାଜ ଖୋଲିଥିଲା। ସେ ପୁଲିସକୁ ନେଇ ପିପ୍ରୀସ୍ଥିତ ନିଜ ଫାର୍ମକୁ ଯାଇଥିଲା । ସେଠାରେ ସେ ଘୁଷୁରି ପାଳନ କରୁଥିଲା। ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ଫାର୍ମହାଉସରେ ଦୁଇଟି ଶବ ଓ ୯ଟି ନରମୁଣ୍ଡ ଜବତ କରିଥିଲା।
ନରମୁଣ୍ଡଗୁଡ଼ିକ ଉପରେ ମାର୍କରରେ ନାମ ଲେଖାଯାଇଥିଲା। ରାଜା କହିଥିଲା ଯେ ଏହା ସେହି ବ୍ୟକ୍ତିମାନଙ୍କର ନାମ, ଯେଉଁମାନଙ୍କର ନରମୁଣ୍ଡ ଥିଲା। ପଚରାଉଚୁରାରେ ସେ କହିଥିଲେ ଯେ ହତ୍ୟା ପରେ ସେ ମୁଣ୍ଡକୁ ଫାର୍ମହାଉସକୁ ଆଣୁଥିଲେ। ତାହାକୁ ଫୁଟନ୍ତା ପାଣିରେ ସିଝାଇ ସଫା କରୁଥିଲେ। ତା’ପରେ ନାମ ଲେଖି ମାଟିରେ ପୋତି ଦେଉଥିଲେ। ଜବତ ନରମୁଣ୍ଡଗୁଡ଼ିକ ମଧ୍ୟରେ ଧୀରେନ୍ଦ୍ର ସିଂହଙ୍କ ନାମ ମଧ୍ୟ ଲେଖାଯାଇଥିଲା। ମନୋଜ ଓ ରବିଙ୍କ ନରମୁଣ୍ଡ ମଧ୍ୟ ମିଳିବାର କଥା ସାମ୍ନାକୁ ଆସିଥିଲା। ଏବେ ଏହି ହତ୍ୟାକାଣ୍ଡରେ ନିଷ୍ପତ୍ତିର ପାଳି।