ଛୋଟ ପିଲାଙ୍କରେ ରକ୍ତ ସଂକ୍ରମଣ (ସେପ୍ସିସ୍) ହେଲେ କେଉଁ ଲକ୍ଷଣ ଦେଖାଯାଏ ଏବଂ କିପରି ଏହାର ନିରାକରଣ କରାଯାଇପାରିବ?

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଥାଏ, ଯାହାଦ୍ୱାରା ସେମାନେ ସହଜରେ ଯେକୌଣସି ସଂକ୍ରମଣର ଶିକାର ହୋଇପାରନ୍ତି। ଏହି ସଂକ୍ରମଣ ମଧ୍ୟରେ ରକ୍ତ ସଂକ୍ରମଣ ବା ସେପ୍ସିସ୍ ମଧ୍ୟ ରହିଛି। ସେପ୍ସିସ୍ ହେଲେ ଜୀବନ ପ୍ରତି ବିପଦ ଦେଖାଯାଇଥାଏ। ପିଲାଙ୍କଠାରେ ସେପ୍ସିସ୍ ହେଲେ କିଛି ଲକ୍ଷଣ ଦେଖାଯାଏ, ଯାହାର ତୁରନ୍ତ ଚିହ୍ନଟ କରି ଚିକିତ୍ସା କରାଇବା ଆବଶ୍ୟକ। ଏହା ସହିତ, କିଛି ଉପାୟ ଅବଲମ୍ବନ କରି ଆପଣ ପିଲାଙ୍କୁ ଏହି ଗମ୍ଭୀର ରୋଗରୁ ମଧ୍ୟ ସୁରକ୍ଷିତ ରଖିପାରିବେ।

ପିଲାଙ୍କଠାରେ ରକ୍ତ ସଂକ୍ରମଣର ମୁଖ୍ୟ କାରଣ:

ପିଲାଙ୍କର ଅତ୍ୟନ୍ତ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେଉଛି ମୁଖ୍ୟ କାରଣ, ଯାହାଦ୍ୱାରା ସେମାନେ ସହଜରେ ସଂକ୍ରମଣର ଶିକାର ହୁଅନ୍ତି। ପିଲାଙ୍କଠାରେ ସେପ୍ସିସ୍ ହେବାର ପ୍ରମୁଖ କାରଣ ମଧ୍ୟରେ ଅପରିଷ୍କାର ବୋତଲରେ କ୍ଷୀର ପିଆଇବା, ଗମ୍ଭୀର ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଷ୍ପର୍ସରେ ଆସିବା, ପିଲାଙ୍କର ଟିକାକରଣ ନ କରାଇବା ଏବଂ ଅପରିଷ୍କାର ପରିବେଶ ଆଦି ଅନ୍ତର୍ଭୁକ୍ତ। ପିଲାଙ୍କଠାରେ ସେପ୍ସିସ୍ ହେଲେ ଲକ୍ଷଣଗୁଡ଼ିକ ତୁରନ୍ତ ଦେଖାଯାଏ। ସାଧାରଣତଃ ଏହି ଲକ୍ଷଣଗୁଡ଼ିକୁ ଅନ୍ୟ ରୋଗ ଭାବି ଚିକିତ୍ସା କରାଯାଇଥାଏ।

ପିଲାଙ୍କଠାରେ ରକ୍ତ ସଂକ୍ରମଣର ଲକ୍ଷଣ:

– ଜ୍ୱର ସହିତ ପିଲା ଅଳସୁଆ ଏବଂ ଚିଡ଼ଚିଡ଼ା ହୋଇଯାଏ।

– ଶ୍ୱାସ ନେବାରେ ଅସୁବିଧା ହୁଏ।

– ପିଲା ଖାଦ୍ୟ ଖାଇବାକୁ ଅନିଚ୍ଛା ପ୍ରକାଶ କରେ।

– ଗମ୍ଭୀର ଲକ୍ଷଣରେ ପିଲାର ଚମଡ଼ାର ରଙ୍ଗ ବଦଳିଯାଏ।

ଯଦି ଆପଣଙ୍କ ପିଲା ଅସୁସ୍ଥ ଅଛି ଏବଂ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସି ଏକ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କୁ ଦେଖାଇ ପରୀକ୍ଷା କରାଇବା ଉଚିତ୍। ସେପ୍ସିସ୍ ପିଲାଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର ରୋଗ ଏବଂ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଏହି ଲକ୍ଷଣ ଦେଖାଦେଲେ ଅବହେଳା କରାଯିବା ଉଚିତ୍ ନୁହେଁ।

ନିରାକରଣ ଉପାୟ:

– ପିଲାଙ୍କର ସ୍ୱଚ୍ଛତା ବଜାୟ ରଖନ୍ତୁ, ଅପରିଷ୍କାର ଲୁଗା ପିନ୍ଧାନ୍ତୁ ନାହିଁ।

– ପିଲାଙ୍କର ଟିକାକରଣ ନିଶ୍ଚିତ କରନ୍ତୁ।

– ଯଦି ବୋତଲରେ କ୍ଷୀର ପିଆଉଛନ୍ତି, ତେବେ ବୋତଲକୁ ଭଲଭାବେ ପରିଷ୍କାର କରନ୍ତୁ କିମ୍ବା ଚାମଚରେ କ୍ଷୀର ପିଆନ୍ତୁ।

– ଯଦି ପିଲାଙ୍କ ଶରୀରରେ କୌଣସି କ୍ଷତ ଅଛି, ତାହାକୁ ପରିଷ୍କାର ରଖି ଢାଙ୍କି ଦିଅନ୍ତୁ।

– ସଂକ୍ରମଣ ଥିବା ସ୍ଥାନକୁ ପିଲାଙ୍କୁ ନିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *