ବଲୁଚିସ୍ତାନର ସ୍ୱାଧିନତା ଘୋଷଣା ସହ କ’ଣ ସତରେ ଏହା ପାକିସ୍ତାନ କବଳରୁ ମୁକ୍ତ ହୋଇଯିବ ?

baloch flag

ବୁଧବାର, ଅର୍ଥାତ୍ ୧୪ ମଇ ୨୦୨୫ରେ ବଲୁଚିସ୍ତାନ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି। ବଲୁଚିସ୍ତାନ ଆନ୍ଦୋଳନର ଜଣେ ପ୍ରମୁଖ କାର୍ଯ୍ୟକର୍ତା ତଥା ଲେଖକ ମୀର ଯାର ବଲୁଚ ଗତ ସପ୍ତାହରେ ସୋସିଆଲ ମିଡିଆରେ ଅନେକ ବୟାନ ସେୟାର କରିଛନ୍ତି, ଯେଉଁଥିରେ ସେ ‘ବଲୁଚିସ୍ତାନ ଗଣରାଜ୍ୟ’ର ଗଠନ ଘୋଷଣା କରିଛନ୍ତି। ଏତିକି ନୁହେଁ, ମୀର ଯାର ବଲୁଚ ଜାତିସଂଘ ଓ ଭାରତଠାରୁ ମାନ୍ୟତା ଦାବି କରିଛନ୍ତି ଏବଂ ନୂଆଦିଲ୍ଲୀରେ ଏକ ଦୂତାବାସ ଖୋଲିବାକୁ ଅନୁରୋଧ କରିଛନ୍ତି। ଏହା ପାକିସ୍ତାନର ଏହି ଅଞ୍ଚଳରେ ପୁନର୍ବାର ଉତ୍ତେଜନା ବୃଦ୍ଧି କରିଛି ଏବଂ ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନରେ ଦୀର୍ଘ ସମୟ ଧରି ଚାଲିଥିବା ଉଗ୍ରବାଦ ଆଡ଼କୁ ପୁନର୍ବାର ଧ୍ୟାନ ଆକର୍ଷଣ କରିଛି।

ମୀର ଯାର ବଲୁଚ ଜାତିସଂଘକୁ ଏହି ଘୋଷଣାକୁ ମାନ୍ୟତା ଦେବାକୁ ଏବଂ ମୁଦ୍ରା ଓ ପାସପୋର୍ଟ ଜାରି କରିବା ସମେତ ମୌଳିକ ରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ଅର୍ଥ ଯୋଗାଇବାକୁ ଅପୀଲ କରିଛନ୍ତି। ସେ ମଇ ୯ରେ ଲେଖିଛନ୍ତି, “ସମ୍ଭବତଃ ଘୋଷଣା ଶୀଘ୍ର କରାଯିବ, କାରଣ ଆତଙ୍କବାଦୀ ପାକିସ୍ତାନର ପତନ ନିକଟତର। ଆମେ ଭାରତକୁ ଅନୁରୋଧ କରୁଛୁ ଯେ ନୂଆଦିଲ୍ଲୀରେ ବଲୁଚିସ୍ତାନର ଆଧିକାରିକ କାର୍ଯ୍ୟାଳୟ ଓ ଦୂତାବାସ ଖୋଲିବାକୁ ଅନୁମତି ଦିଆଯାଉ।” ତାଙ୍କ ବୟାନ ସହିତ ବଲୁଚ ପତାକା ଉଡ଼ାଉଥିବା ଲୋକଙ୍କ ଛବି ଏବଂ ସ୍ୱାଧୀନ ବଲୁଚିସ୍ତାନକୁ ଦର୍ଶାଉଥିବା ମାନଚିତ୍ର ମଧ୍ୟ ଥିଲା।

ପାକିସ୍ତାନର ସବୁଠାରୁ ବଡ଼ ପ୍ରାନ୍ତ

କ୍ଷେତ୍ରଫଳ ଅନୁସାରେ ବଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ପ୍ରାନ୍ତ। ୧୯୪୮ରେ ପାକିସ୍ତାନ ଦ୍ୱାରା ଅଧିକୃତ ହେବା ପୂର୍ବରୁ ଏହା କାଲାତ ରାଜ୍ୟର ଅଂଶ ଥିଲା। ଏହି ପଦକ୍ଷେପ ଏଠାରେ ବିଦ୍ରୋହ ଆରମ୍ଭ କରିଥିଲା, ଯେଉଁଥିରେ ଜାତୀୟତାବାଦୀ ଗୋଷ୍ଠୀଗୁଡ଼ିକ ଅଧିକ ସ୍ୱାୟତ୍ତଶାସନ କିମ୍ବା ସ୍ୱାଧୀନତା ଦାବି କରୁଥିଲେ। ପାକିସ୍ତାନ ଦ୍ୱାରା ଲଗାତାର ସାମରିକ ଅଭିଯାନ ଦ୍ୱାରା ବଲୁଚ ବିଦ୍ରୋହକୁ ଦମନ କରାଯାଇଛି । ମାନବାଧିକାର ସଂଗଠନମାନେ ବଳପୂର୍ବକ ଅପହରଣ, ନ୍ୟାୟବର୍ହିଭୂତ ହତ୍ୟା ଏବଂ ନାଗରିକମାନଙ୍କୁ ଟାର୍ଗେଟ କରାଯିବା ବାବଦରେ ରିପୋର୍ଟ ରେକର୍ଡ କରିଛନ୍ତି। ନିକଟରେ ପ୍ରମୁଖ ବଲୁଚ ରାଲି ଚାଳକ ତାରିକ ବଲୁଚଙ୍କ କଥିତ ‘ମାରି ଫିଙ୍ଗିଦିଅ’ ନୀତି ଅଧୀନରେ ହତ୍ୟା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

ଗ୍ୱାଦର ବନ୍ଦର ଓ ରଣନୀତିକ ଗୁରୁତ୍ୱ

ବଲୁଚିସ୍ତାନର ରଣନୀତିକ ଗୁରୁତ୍ୱ ଗଭୀର ଜଳ ବିଶିଷ୍ଟ ଗ୍ୱାଦର ବନ୍ଦରର ଉପସ୍ଥିତି ଯୋଗୁଁ ରହିଛି, ଯାହା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡ଼ର (ସିପିଇସି)ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସିପିଇସି ଯୋଗୁଁ ପାକିସ୍ତାନରେ କୋଟିକୋଟି ଡଲାରର ଚୀନୀ ନିବେଶ ଆସିଛି। କିନ୍ତୁ ବଲୁଚଙ୍କ ଅଭିଯୋଗ ଯେ, ସେମାନଙ୍କୁ ଏହାର ଲାଭରୁ ବଞ୍ଚିତ ରଖାଯାଇଛି ଏବଂ ଉଚିତ କ୍ଷତିପୂରଣ ବିନା ସେମାନଙ୍କ ଭୂମି ବଳପୂର୍ବକ ଅଧିଗ୍ରହିତ କରାଯାଇଛି । ବନ୍ଦର ଏବଂ ଆଖପାଖ ଅଞ୍ଚଳ ବଲୁଚ ବିଦ୍ରୋହୀମାନଙ୍କ ବାରମ୍ବାର ଆକ୍ରମଣର ଲକ୍ଷ୍ୟ ହୋଇଆସୁଛି, ଯେଉଁମାନେ ଭିତ୍ତିଭୂମି ଢାଞ୍ଚା ପ୍ରକଳ୍ପରେ କାମ କରୁଥିବା ଚୀନୀ କର୍ମଚାରୀମାନଙ୍କୁ ସିଧାସଳଖ ଧମକ ଦେଇଛନ୍ତି।

ସ୍ୱାଧିନ ରାଷ୍ଟ୍ରର ଉପାଦାନ କ’ଣ ?

ବିବିସିର ଇଂରାଜୀ ୱେବସାଇଟ ଅନୁସାରେ, ଅନ୍ତର୍ଜାତୀୟ ଆଇନ ବିଶେଷଜ୍ଞମାନେ ଏକ ରାଷ୍ଟ୍ର ପାଇଁ ଚାରୋଟି ମୁଖ୍ୟ ଦିଗ ଚିହ୍ନଟ କରନ୍ତି: ଜନସଂଖ୍ୟା, ଅଞ୍ଚଳ, ସରକାର ଏବଂ ସାର୍ବଭୌମତ୍ୱ। ଏହା ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଚଳାଇବାର କ୍ଷମତାକୁ ସୂଚାଏ। ଲୋକଙ୍କ ସଂଜ୍ଞା ଉପରେ ବହୁତ ବିବାଦ ରହିଛି, କିନ୍ତୁ ଏହାର ଅର୍ଥ ଏକ ସ୍ଥାୟୀ ଜନସଂଖ୍ୟା ଯାହାର ନିଜସ୍ୱ ଜାତୀୟତାର ଧାରଣା ଏବଂ ତା’ଉପରେ ବିଶ୍ୱାସ ରହିଥିବ। ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ (ଏଲଏସଇ)ରେ ଅନ୍ତର୍ଜାତୀୟ ଆଇନ ପଢ଼ାଉଥିବା ଜେମ୍ସ ଇରଭିଙ୍ଗ କହିଛନ୍ତି, “ଏପରି ସମ୍ପର୍କ ଅଛି କି… ପ୍ରଭାବଶାଳୀ ସମ୍ପର୍କ, ଅନ୍ତର୍ଭୁକ୍ତିର ସମ୍ପର୍କ, ପରିଚୟର ସମ୍ପର୍କ କିମ୍ବା ଭାବନାର ସମ୍ପର୍କ। ଏବଂ ବ୍ୟାବହାରିକ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ସମ୍ପର୍କ।”

ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ଶାସନ

ଆଉ ଏକ ଅନିବାର୍ଯ୍ୟ ବିଷୟ ହେଉଛି ରାଷ୍ଟ୍ରମାନଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ରହିବା ଆବଶ୍ୟକ। ଏକ ସୀମା ମଧ୍ୟରେ ଏକ ଅଞ୍ଚଳ ଯାହା ଉପରେ ସେମାନଙ୍କର ଶାସନ ରହେ। ଅନେକ ବିଶେଷଜ୍ଞ ରାଷ୍ଟ୍ରର ମାନ୍ୟତା ପାଇଁ ଏକ ସ୍ଥିର ଓ ପ୍ରଭାବଶାଳୀ ସରକାରକୁ ଆଉ ଏକ ମାନଦଣ୍ଡ ଭାବେ ବିବେଚନା କରନ୍ତି। ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଗଢ଼ିବା ଓ ଚଳାଇବାର କ୍ଷମତା ଆଉ ଏକ ପ୍ରମୁଖ ଉପାଦାନ। ସାର୍ବଭୌମ ରାଷ୍ଟ୍ରମାନେ ଦ୍ୱିପାକ୍ଷିକ ସମ୍ପର୍କ ଗଢ଼ିବାକୁ ସ୍ୱାଧୀନ ହୋଇଥାନ୍ତି। ଉଦାହରଣ ସ୍ୱରୂପ, ଯେଉଁଠାରେ ଦୁଇଟି ଦେଶ କୂଟନୈତିକ ସମ୍ପର୍କ ପାଇଁ ସହମତ ହୁଅନ୍ତି କିମ୍ବା କୌଣସି ସାଧାରଣ ସମସ୍ୟା ସମାଧାନ ପାଇଁ ଏକତ୍ର କାମ କରନ୍ତି। ସେମାନଙ୍କ ପାଖରେ ବହୁପାକ୍ଷିକ ସମ୍ପର୍କ ଗଢ଼ିବାର ସ୍ୱାଧୀନତା ରହିଛି। ଏହା ପଛରେ ଏହି ବୁଝାମଣା ରହିଛି ଯେ ଏକ ସାର୍ବଭୌମ ରାଷ୍ଟ୍ର ଅନ୍ୟ କୌଣସି ଶକ୍ତି କିମ୍ବା ରାଷ୍ଟ୍ର ଉପରେ ନିର୍ଭରଶୀଳ ନୁହେଁ କି ତା’ ଅଧୀନରେ ନାହିଁ।

ଜାତିସଂଘର ମାନ୍ୟତା ଗୁରୁତ୍ୱପୂର୍ଣ୍ଣ

ବିଭିନ୍ନ ଦେଶ ପରସ୍ପରକୁ ମାନ୍ୟତା ଦେଇପାରନ୍ତି, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜାତିସଂଘ ଦ୍ୱାରା ଏକ ରାଷ୍ଟ୍ର ଭାବେ ମାନ୍ୟତା ପାଇବା। ଏହାର ଅନେକ ଲାଭ ରହିଛି: ଅନ୍ତର୍ଜାତୀୟ ଆଇନର ସୁରକ୍ଷା, ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫରୁ ଋଣ ନେବାର ସୁବିଧା, ସୀମା ନିୟନ୍ତ୍ରଣ, ଅର୍ଥନୈତିକ ନେଟୱାର୍କ ଓ ତନ୍ତ୍ରଗୁଡ଼ିକରେ ଉନ୍ନତ ପ୍ରବେଶ। ଏହା ବ୍ୟତୀତ, ବାଣିଜ୍ୟ ଆଇନ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଏ, ଯାହା ବାଣିଜ୍ୟ ଚୁକ୍ତି କରିବାକୁ ସହଜ କରେ। କିନ୍ତୁ ଜାତିସଂଘ ଦ୍ୱାରା ମାନ୍ୟତା ନ ମିଳିଲେ ମଧ୍ୟ କେହି ରାଷ୍ଟ୍ର ହୋଇ ରହିପାରେ କି? ବିବିସି ଅନୁସାରେ, କୀଲ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ପର୍କ ଅଧ୍ୟାପିକା ରେବେକା ରିଚାର୍ଡସ କହିଛନ୍ତି, “ମୂଳତଃ ଏହା ଏକ ପୁରୁଣା କହାଣୀ। ଯଦି କେହି ବତକ ପରି ଚାଲେ ଓ ବତକ ପରି କଥା କହେ, ତେବେ ସେ ବତକ। ଆମେ ମାନୁଛୁ ଯେ ଏହା ରାଷ୍ଟ୍ର ପରି, କେବଳ ଏଥିରେ ମାନ୍ୟତାର ଅଭାବ ରହିଛି।”

ସୋମାଲିଲ୍ୟାଣ୍ଡର ଉଦାହରଣ

ସୋମାଲିଲ୍ୟାଣ୍ଡ ଏହାର ଏକ ଉଦାହରଣ। ପୂର୍ବ ଆଫ୍ରିକାରେ ଏହା ଆଗରୁ ବ୍ରିଟିଶ ସଂରକ୍ଷିତ ରାଷ୍ଟ୍ର ଥିଲା। ୧୯୬୦ରେ ଏହା ଚାରି ଦିନ ପାଇଁ ସ୍ୱାଧୀନ ରହିଥିଲା, ପରେ ଏହା ଇଟାଲୀୟ ସୋମାଲିଆରେ ମିଶି ଯାଇଥିଲା। ୧୯୯୧ରେ ସେଠାରେ ସରକାର ପତନ ହେବା ପର୍ଯ୍ୟନ୍ତ ଏହା ସୋମାଲିଆର ଅଂଶ ଥିଲା। ତା’ପରେ ସୋମାଲିଲ୍ୟାଣ୍ଡ ଏକତରଫା ସ୍ୱାଧୀନତା ଘୋଷଣା କରିଥିଲା। ଏକ ରିପୋର୍ଟ ଅନୁସାରେ, ରେବେକା ରିଚାର୍ଡସ କହିଛନ୍ତି, “ଏହା ଏକ ଉଲ୍ଲେଖନୀୟ ରୂପେ ଦୃଢ଼ ସରକାର। ଏଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହୋଇଛି। ଏଠାରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି। ଏଠାରେ ସ୍ଥିର ପରିବେଶ ରହିଛି। ଏଠାରେ ଅବିଶ୍ୱାସନୀୟ ଅର୍ଥନୈତିକ ବିକାଶ ହେଉଛି। ଏଠାରେ ଏକ ରାଷ୍ଟ୍ରରେ ଆପଣ ଯାହା ଆଶା କରନ୍ତି, ସେ ସବୁ ରହିଛି।” କିନ୍ତୁ ସୋମାଲିଲ୍ୟାଣ୍ଡକୁ କେହି ମାନ୍ୟତା ଦେଇନାହାନ୍ତି, ଯାହା ଦ୍ୱାରା ସେଠାରେ ଜୀବନ କଷ୍ଟକର ହୋଇପଡ଼ିଛି। ଜାତିସଂଘରୁ ଆସୁଥିବା ସହାୟତା ସୋମାଲିଆ ମାଧ୍ୟମରେ ଯାଇଥାଏ। ଆଇନଗତ ସୁରକ୍ଷା ବିନା ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କଷ୍ଟକର। ଯେହେତୁ ସୋମାଲିଲ୍ୟାଣ୍ଡର ମୁଦ୍ରାକୁ ତା’ର ସୀମା ବାହାରେ ମାନ୍ୟତା ମିଳେ ନାହିଁ, ତେଣୁ ଏହାର କୌଣସି ଅନ୍ତର୍ଜାତୀୟ ମୂଲ୍ୟ ନାହିଁ।

ବଲୁଚିସ୍ତାନରେ ଭାରତର ଭୂମିକା

ନିକଟ ସପ୍ତାହଗୁଡ଼ିକରେ ବଲୁଚ କାର୍ଯ୍ୟକର୍ତାମାନେ ଭାରତ ପର୍ଯ୍ୟନ୍ତ ନିଜର ପହଞ୍ଚ ବୃଦ୍ଧି କରିଛନ୍ତି। ମୀର ଯାର ବଲୁଚ ମୁମ୍ବାଇରେ ଐତିହାସିକ ଜିନ୍ନା ହାଉସର ନାମ ବଦଳାଇ ‘ବଲୁଚିସ୍ତାନ ହାଉସ’ ରଖିବାକୁ ଦାବି କରିଛନ୍ତି, ଯାହାକୁ ସେ ସମର୍ଥନର ପ୍ରତୀକାତ୍ମକ ସଙ୍କେତ ଭାବେ ବର୍ଣ୍ଣନା କରିଛନ୍ତି। । ଯଦିଓ ସ୍ୱାଧୀନତା ଘୋଷଣା ପ୍ରତୀକାତ୍ମକ ଏବଂ ଏହାକୁ ଔପଚାରିକ ଅନ୍ତର୍ଜାତୀୟ ସମର୍ଥନ ମିଳିନାହିଁ, କିନ୍ତୁ ଏହା ଆଞ୍ଚଳିକ ସ୍ଥିରତା ପାଇଁ ଗୁaରୁତ୍ୱପୂର୍ଣ୍ଣ ନିହିତାର୍ଥ ରଖେ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହା ପାକିସ୍ତାନ ଭିତରେ ଅନ୍ୟ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଉତ୍ସାହିତ କରିପାରେ ଏବଂ ବଲୁଚିସ୍ତାନକୁ ସ୍ଥିର କରିବାର ପ୍ରୟାସରେ ଆହୁରି ଜଟିଳତା ସୃଷ୍ଟି କରିପାରେ। ଆମେରିକାର କ୍ଲିଭଲ୍ୟାଣ୍ଡ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଇନ ପଢ଼ାଉଥିବା ଅଧ୍ୟାପିକା ମିଲେନା ଷ୍ଟେରିଓ କହିଛନ୍ତି, “କୌଣସି ଗୋଷ୍ଠୀ ପାଇଁ ସ୍ୱାଧୀନ ହେବା ଏବଂ ନିଜର ଅଲଗା ରାଷ୍ଟ୍ରର ମାନ୍ୟତା ପାଇବା ସେତେବେଳେ ପର୍ଯ୍ୟନ୍ତ ଅସମ୍ଭବ, ଯେପର୍ଯ୍ୟନ୍ତ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନେ ତାକୁ ସମର୍ଥନ କରିବାକୁ ପ୍ରସ୍ତୁତ ନ ହୁଅନ୍ତି।” ଏହି କାରଣରୁ ବଲୁଚିସ୍ତାନର ଦୃଷ୍ଟି ଭାରତ ଓ ଜାତିସଂଘ ଉପରେ ରହିଛି। ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ନୂଆ ଘଟଣାକ୍ରମ ଉପରେ କୌଣସି ଆଧିକାରିକ ପ୍ରତିକ୍ରିୟା ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *