ଔରଙ୍ଗଜେବ ବନାମ ଦାରା ଶିକୋହ: କିପରି ଜଣେ ଭାଇ ହିରୋ ଓ ଅନ୍ୟ ଜଣେ ଖଳନାୟକ ହେଲେ? RSSର ବୟାନରୁ ଆରମ୍ଭ ହୋଇଥିଲା ଚର୍ଚ୍ଚା 

ମୋଗଲ ବାଦଶାହ ଔରଙ୍ଗଜେବଙ୍କ କବରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS)ର ମହାସଚିବ ଦତ୍ତାତ୍ରେୟ ହୋସବଲେ କହିଛନ୍ତି ଯେ ଆକ୍ରମଣକାରୀ ମାନସିକତାର ଲୋକମାନେ ଭାରତ ପାଇଁ ବିପଦ ସାଜିଛନ୍ତି। ସେ କହିଛନ୍ତି ଯେ ଔରଙ୍ଗଜେବଙ୍କୁ ଏକ ଆଇକନ ରୂପେ ଗଢ଼ାଯାଇଛି, କିନ୍ତୁ ତାଙ୍କ ଭାଇ ଦାରା ଶିକୋହଙ୍କୁ ନୁହେଁ, ଯିଏ ସାମାଜିକ ସୌହାର୍ଦ୍ଦ୍ୟରେ ବିଶ୍ଵାସ ରଖୁଥିଲେ। 

ଔରଙ୍ଗଜେବଙ୍କ ଭାଇ ଦାରାଙ୍କୁ ହିରୋ ରୂପେ ଗଢ଼ାଯାଇ ନଥିଲା। ଯେଉଁମାନେ ଗଙ୍ଗା-ଯମୁନା ସଂସ୍କୃତିର ଓକାଲତି କରନ୍ତି, ସେମାନେ କେବେ ଦାରା ଶିକୋହଙ୍କୁ ଆଗକୁ ଆଣି ନାହାନ୍ତି। ଏହି ବାହାନାରେ ଆସନ୍ତୁ ଜାଣିବା କିପରି ଜଣେ ଭାଇ ହିରୋ ଓ ଅନ୍ୟ ଜଣେ ଖଳନାୟକ ହେଲେ? 

ହିନ୍ଦୁ ଧର୍ମଶାସ୍ତ୍ରରେ ଥିଲା ଦାରାଙ୍କ ରୁଚି 

ମୋଗଲ ବାଦଶାହ ଶାହଜାହାଙ୍କର ଚାରି ପୁତ୍ର ଥିଲେ – ଦାରା ଶିକୋହ, ଔରଙ୍ଗଜେବ, ଶୁଜା ଓ ମୁରାଦ। ଏମାନଙ୍କ ମଧ୍ୟରେ ଦାରା ସବୁଠାରୁ ବଡ଼ ଥିଲେ। ଶାହଜାହାଙ୍କର ଦୁଇ ଝିଅ ମଧ୍ୟ ଥିଲେ – ଜାହାନାରା ଓ ରୋଶନାରା। ୧୬୩୩ ମସିହାରେ ଶାହଜାହାଙ୍କ ଦ୍ଵାରା ଦାରା ଶିକୋହଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା, କିନ୍ତୁ ଏହା ତାଙ୍କ ଅନ୍ୟ ପୁତ୍ରମାନଙ୍କୁ ଗ୍ରହଣୀୟ ନଥିଲା। ପ୍ରକୃତରେ ଦାରା ଶିକୋହଙ୍କୁ ହିନ୍ଦୁ ଧର୍ମଶାସ୍ତ୍ର ପ୍ରତି ବେଶି ଆଗ୍ରହ ଥିଲା। ସେ ଏହି ଧର୍ମଶାସ୍ତ୍ରଗୁଡ଼ିକର ଅଧ୍ୟୟନ କରିବା ସହ ଉପନିଷଦଗୁଡ଼ିକୁ ସଂସ୍କୃତରୁ ପାରସୀ ଭାଷାକୁ ଅନୁବାଦ ମଧ୍ୟ କରାଇଥିଲେ। 

ଧର୍ମାଚାର୍ଯ୍ୟଙ୍କ ସହ ଧର୍ମ ଉପରେ କରୁଥିଲେ ଚର୍ଚ୍ଚା 

ଦାରା ଶିକୋହ ଧର୍ମାଚାର୍ଯ୍ୟଙ୍କୁ ଡାକି ସେମାନଙ୍କ ସହ ଧର୍ମ ଉପରେ ଆଲୋଚନା କରୁଥିଲେ। ଯଦିଓ ଦାରାଙ୍କ ଏହି ରୁଚି ତାଙ୍କ ସାଙ୍ଗରେ ରହୁଥିବା ଲୋକଙ୍କ ସହ ମୁସଲମାନ ଧର୍ମଗୁରୁମାନଙ୍କୁ ମଧ୍ୟ ପସନ୍ଦ ନଥିଲା। ଏହି ରୁଚି ହେତୁ ଲୋକମାନେ ଦାରାଙ୍କୁ ‘କାଫିର’ ମଧ୍ୟ କହୁଥିଲେ। ତଥାପି ଦାରା ଶିକୋହ ତାଙ୍କ ବ୍ୟବହାର ଓ ରୁଚି ହେତୁ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲେ। ଏହା ମଧ୍ୟ କୁହାଯାଏ ଯେ ଅନେକ ଗୁଣ ଥାଇ ମଧ୍ୟ ଦାରାଙ୍କୁ ପ୍ରଶାସନ ଓ ସେନା ସମ୍ବନ୍ଧୀୟ ବିଷୟରେ ବେଶି ଆଗ୍ରହ ନଥିଲା। ଏହା ଶାହଜାହାଙ୍କ ଦାରା ପ୍ରତି ପ୍ରେମ ହୋଇପାରେ କିମ୍ବା ତାଙ୍କ ପରାମର୍ଶର ଆବଶ୍ୟକତା, ସେ ଦାରାଙ୍କୁ ନିଜ ପାଖରେ ରଖୁଥିଲେ। ଅନ୍ୟପଟେ ଔରଙ୍ଗଜେବ ମନେ କରୁଥିଲେ ଯେ ଯଦି ମୋଗଲ ସଲ୍ତନତର ବାଦଶାହୀ ଦାରାଙ୍କୁ ମିଳିଯାଏ, ତେବେ ଇସଲାମ ବିପଦରେ ପଡ଼ିଯିବ। 

ଔରଙ୍ଗଜେବ ସମସ୍ତ ଭାଇଙ୍କୁ ଠକିଦେଲେ 

ଶାହଜାହାଙ୍କୁ ଔରଙ୍ଗଜେବଙ୍କ ମନସୁବା ବିଷୟରେ ପୂର୍ଣ୍ଣ ଜ୍ଞାନ ଥିଲା, ତେଣୁ ସେ ଅଧିକାଂଶ ସମୟ ଔରଙ୍ଗଜେବଙ୍କୁ ଦିଲ୍ଲୀ ଓ ଆଗ୍ରାଠାରୁ ଦୂରରେ ରଖୁଥିଲେ। ଏହି କାରଣରୁ ତାଙ୍କୁ ଦକ୍ଷିଣର (ଦକ୍କନ) ଗଭର୍ନର ମଧ୍ୟ ନିଯୁକ୍ତ କରାଯାଇଥିଲା। ଯେତେବେଳେ ଶାହଜାହାଙ୍କୁ ବୟସ ଜନିତ ରୋଗ ଘେରିଲା ଓ ସେ ଦାରାଙ୍କୁ ଗାଦିରେ ବସାଇବାକୁ ଘୋଷଣା କଲେ, ଔରଙ୍ଗଜେବ ଅନ୍ୟ ଭାଇମାନଙ୍କୁ ଉସକାଇ ଦେଲେ। ସେମାନଙ୍କ ସାହାଯ୍ୟରେ ଦାରା ଶିକୋହଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କଲେ। ଏହାସହ ସମସ୍ତ ଭାଇଙ୍କୁ ଠକି ନିଜେ ବାଦଶାହ ହୋଇଗଲେ। 

ଦାରାଙ୍କ ମୁଣ୍ଡ ଶରୀରରୁ ଅଲଗା କରାଇଲେ 

ଫ୍ରାନ୍ସିସ୍‌ ଇତିହାସକାର ଫ୍ରାନ୍ସୋଆ ବର୍ନିୟରଙ୍କ ପୁସ୍ତକ ‘ଟ୍ରାଭେଲ୍ସ ଇନ୍‌ ଦି ମୋଗଲ ଇଣ୍ଡିଆ’ରେ ଲେଖାଯାଇଛି ଯେ ଔରଙ୍ଗଜେବ ଦାରାଙ୍କୁ ଯୁଦ୍ଧରେ ହରାଇବା ପରେ ତାଙ୍କର ଅପମାନ ମଧ୍ୟ କରିଥିଲେ। ଏକ ଛୋଟ ହାତୀ ଉପରେ ତାଙ୍କୁ ଜନତା ସାମ୍ନାରେ ଘୁରାଇଥିଲେ। ସୈନିକମାନଙ୍କୁ ଆଦେଶ ଦିଆଯାଇଥିଲା ଯେ ଏହି ସମୟରେ ଦାରା ଶିକୋହ ପଳାଇବାକୁ ଚେଷ୍ଟା କଲେ ତାଙ୍କ ମୁଣ୍ଡ କାଟି ଦିଆଯାଉ। ତଥାପି ଔରଙ୍ଗଜେବ ଏତିକିରେ ସନ୍ତୁଷ୍ଟ ନହୋଇ ଦାରା ଶିକୋହଙ୍କ କଟା ମୁଣ୍ଡ ଦେଖିବାକୁ ଇଚ୍ଛା ପ୍ରକାଶ କଲେ। ଏହା ଅନୁସାରେ ୩୦ ଅଗଷ୍ଟ ୧୬୫୯ରେ ଦାରା ଶିକୋହଙ୍କ ମୁଣ୍ଡ ଶରୀରରୁ ଅଲଗା କରାଗଲା ଓ କଟା ମୁଣ୍ଡକୁ ଦିଲ୍ଲୀର ରାସ୍ତାରେ ବୁଲାଯାଇଥିଲା। 

ପିତାଙ୍କୁ ମଧ୍ୟ ବନ୍ଦୀ କରିଥିଲେ 

ଦାରା ଶିକୋହଙ୍କୁ ହରାଇ ଔରଙ୍ଗଜେବ ଯେତେବେଳେ ଆଗ୍ରା ପହଞ୍ଚିଲେ, ଶାହଜାହାଙ୍କ ପାଇଁ ଆଗ୍ରା କିଲ୍ଲାର ଦ୍ଵାର ଖୋଲାଯାଇ ନଥିଲା। ଏହାକୁ ଦେଖି ଔରଙ୍ଗଜେବ ଯମୁନା ନଦୀରୁ କିଲ୍ଲାକୁ ପାଣି ଯୋଗାଣ ବନ୍ଦ କରାଇ ଦେଲେ, ଯାହାଫଳରେ ଶାହଜାହାଙ୍କୁ ବାଧ୍ୟ ହୋଇ ଦ୍ଵାର ଖୋଲିବାକୁ ପଡ଼ିଲା। ଔରଙ୍ଗଜେବ କିଲ୍ଲା ଭିତରେ ଶାହଜାହାଙ୍କୁ ବନ୍ଦୀ କରିଦେଲେ ଓ ଆଠ ବର୍ଷ କାରାଗାରରେ ରହିବା ପରେ ୧୬୬୬ ମସିହାରେ ଶାହଜାହାଙ୍କର ମୃତ୍ୟୁ ହେଲା। 

ଦକ୍ଷିଣ ଜିତିବାର ପାଗଳାମୀ

ଗଭର୍ନର ଭାବେ ଔରଙ୍ଗଜେବଙ୍କୁ ଦକ୍ଷିଣ ଜିତିବାର ଏପରି ଲାଳସା ଲାଗିଥିଲା ଯେ ସେ ଜୀବନସାରା ଏଥିପାଇଁ ଚେଷ୍ଟା କରିଥିଲେ। ଏହାଦ୍ଵାରା ଶାହୀ ଖଜାନା ଖାଲି ହେବାକୁ ଲାଗିଲା ଓ ସେ ହିନ୍ଦୁମାନଙ୍କ ଉପରେ ଜଜିୟା କର ପୁନଃ ଲାଗୁ କଲେ। ଦକ୍ଷିଣରେ ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ଆରମ୍ଭ କରି ତାଙ୍କ ବଂଶଧରଙ୍କ ସହ ଔରଙ୍ଗଜେବ ବାରମ୍ବାର ଲଢ଼ିଥିଲେ ଓ ଜୀବନର ଶେଷ ତିନି ଦଶନ୍ଧି ସେ ଦକ୍ଷିଣରେ ଯୁଦ୍ଧ କରି ବିତାଇଥିଲେ, ଯେଉଁଠାରେ ତାଙ୍କ କବର ନିର୍ମାଣ ହୋଇଥିଲା ଓ ବର୍ତ୍ତମାନ ଏହା ଉପରେ ବିବାଦ ଗଭୀର ହୋଇଛି। 

ଶିବାଜୀ ମହାରାଜଙ୍କ ପୁତ୍ର ସମ୍ଭାଜୀଙ୍କ ନିର୍ମମ ହତ୍ୟାର କଳଙ୍କ ମଧ୍ୟ ଔରଙ୍ଗଜେବଙ୍କ ମୁଣ୍ଡରେ ରହିଛି। ଏହାଛଡ଼ା ଔରଙ୍ଗଜେବ ଜଣେ କଟ୍ଟରପନ୍ଥୀ ଥିଲେ। ତାଙ୍କୁ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାରୀ ଶାସକ ଭାବେ ଗଣାଯାଏ। ଏହାସହ ସିଖ୍‌ ଗୁରୁମାନଙ୍କ ଉପରେ ଅତ୍ୟାଚାର ପାଇଁ ମଧ୍ୟ ସେ ଜଣାଶୁଣା। ଶାହୀ ଖଜାନା ଉପରେ ବୋଝ ପକାଇବା ଦ୍ଵାରା ତାଙ୍କ ସମୟରେ ମୋଗଲ ଶାସନର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ିଥିଲା। 

ଦାରା ମୋଗଲ ବାଦଶାହ ହେଲେ ଚିତ୍ର ଭିନ୍ନ ହୋଇଥାନ୍ତା

ଅନ୍ୟପଟେ, ଯଦି ଦାରା ଶିକୋହ ମୋଗଲ ଶାସନର ନେତୃତ୍ଵ ନେଇଥାନ୍ତେ, ତେବେ ସମ୍ଭବତଃ ସେ ଦକ୍ଷିଣରେ ମୋଗଲମାନଙ୍କ ଖର୍ଚ୍ଚିଳା ବିଜୟ ଅଭିଯାନକୁ ରୋକି ଦେଇଥାନ୍ତେ। କଳା ଓ ସଂସ୍କୃତିର ରକ୍ଷକ ଦାରା ସମ୍ଭବତଃ ଇଣ୍ଡୋ-ଇସଲାମିକ ସଂସ୍କୃତିର ଏକତା ପାଇଁ ପ୍ରୟାସ କରିଥାନ୍ତେ। ତାଙ୍କର ସିଖ୍‌ ଗୁରୁ ଗୁରୁ ହର ରାୟଙ୍କ ସହ ବନ୍ଧୁତ୍ଵ ଥିଲା। ଏହାଦ୍ଵାରା ସିଖ୍‌ମାନଙ୍କ ପ୍ରତି ମୋଗଲମାନଙ୍କ ଅତ୍ୟାଚାର ଉପରେ ମଧ୍ୟ ଲଗାମ ଲାଗିଥାନ୍ତା। 

ଅକବର ଜଜିୟା ହଟାଇବା ସମେତ ହିନ୍ଦୁମାନଙ୍କ ହିତ ପାଇଁ ଯେତେ ପ୍ରୟାସ କରିଥିଲେ, ସେସବୁ ସମ୍ଭବତଃ ଦାରାଙ୍କ ଶାସନକାଳରେ ମଧ୍ୟ ହୋଇଥାନ୍ତା। ମୋଗଲ ଶାସକମାନଙ୍କ ମଧ୍ୟରେ କେବଳ ଅକବର ହିଁ ଏକମାତ୍ର ଥିଲେ, ଯିଏ କଟ୍ଟରପନ୍ଥୀ ମୁସଲମାନ ପରାମର୍ଶଦାତାଙ୍କୁ ଅଣଦେଖା କରିଥିଲେ। ତାଙ୍କ ପରେ ଦାରା ହିଁ ଥିଲେ, ଯିଏ ମୁସଲମାନ ଧର୍ମଗୁରୁମାନଙ୍କ ଖାତିର ନକରି ହିନ୍ଦୁମାନଙ୍କ ସହ ଉଠା-ବସା କରୁଥିଲେ। ନିଜ ବ୍ୟବହାର ହେତୁ ହିନ୍ଦୁମାନଙ୍କ ମଧ୍ୟରେ ଲୋକପ୍ରିୟ ଦାରା ପ୍ରକୃତରେ ମୋଗଲ ବାଦଶାହ ହୋଇ ଜଣେ ହିରୋ ରୂପେ ପ୍ରସିଦ୍ଧି ଲାଭ କରିଥାନ୍ତେ ।

Leave a Reply

Your email address will not be published. Required fields are marked *