ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଆମେରିକୀୟ ବିଶେଷଜ୍ଞଙ୍କ ବଡ଼ ଦାବି

ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଟେକ୍‌ଅଫ୍ କରିବା ମାତ୍ରେ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା? ଏହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସମ୍ପର୍କରେ ଆମେରିକାର ପ୍ରସିଦ୍ଧ ବିମାନ ବିଶେଷଜ୍ଞ ଜନ୍ ଏମ୍. କକ୍ସ ଏକ ବଡ଼ ଖୁଲାସା କରିଛନ୍ତି। କକ୍ସଙ୍କ ମତରେ, ବିମାନର ଯନ୍ତ୍ରାଂଶଗୁଡ଼ିକ ଠିକ୍ ଭାବେ ଯାଂଚ କରାଯାଇ ନଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି।

ଆସୋସିଏଟେଡ୍ ପ୍ରେସ୍ ସହ କଥାବାର୍ତ୍ତା ବେଳେ କକ୍ସ କହିଛନ୍ତି ଯେ, ମୁଁ ଦୁର୍ଘଟଣା ସମ୍ପର୍କିତ ଯେଉଁ ଭିଡିଓ ଦେଖିଛି, ତାହା ଦେଖି ମନେ ହେଉଛି ଯେ ଯନ୍ତ୍ରାଂଶଗୁଡ଼ିକ ଠିକ୍ ଭାବେ କାମ କରୁନଥିଲେ। ଯେଉଁଥିପାଇଁ ଟେକ୍‌ଅଫ୍ ହେବା ମାତ୍ରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ।

କକ୍ସ ଆହୁରି କ’ଣ କ’ଣ କହିଛନ୍ତି?
ଓ୍ଵାଶିଂଟନ ଡିସିରେ ଅବସ୍ଥିତ ସେଫ୍ଟି ଅପରେଟିଂ ସିଷ୍ଟମର ସିଇଓ କକ୍ସ କହିଛନ୍ତି ଯେ, ମୋତେ ଯେଉଁ ଅସୁବିଧା ଦେଖାଯାଇଛି, ତାହା ହେଉଛି ବିମାନ ଉପରକୁ ଉଠିବା ସମୟରେ ସ୍ଲାଟ୍ସ ଏବଂ ଫ୍ଲାପ୍ସ ସଠିକ ଅବସ୍ଥାରେ ନଥିଲା। ଏହାର ତଦନ୍ତ ହେବା ଆବଶ୍ୟକ।

କକ୍ସ ଆହୁରି କହିଛନ୍ତି, “ଦୁର୍ଘଟଣା ସମୟର ଛବି ଦେଖିଲେ ଜଣାଯାଏ ଯେ ବିମାନର ଅଗ୍ରଭାଗ ଉପରକୁ ଉଠୁଛି ଏବଂ ତା’ପରେ ତଳକୁ ଖସି ପଡ଼ୁଛି। ଏହାର ଅର୍ଥ ହେଉଛି ଟେକ୍‌ଅଫ୍ ସମୟରେ ବିମାନ ପର୍ଯ୍ୟାପ୍ତ ଉତ୍ତୋଳନ ଶକ୍ତି (ଲିଫ୍ଟ) ସୃଷ୍ଟି କରି ପାରୁ ନଥିଲା।”

ଜନ୍ ଏମ୍. କକ୍ସଙ୍କ ମତରେ, ସ୍ଲେଟ୍ସ ଏବଂ ଫ୍ଲାପ୍ସକୁ ଏପରି ରଖିବା ଉଚିତ୍ ଯେପରି ବିମାନର ଡେଣା କମ ଗତିରେ ଅଧିକ ଉତ୍ତୋଳନ ଶକ୍ତି ସୃଷ୍ଟି କରିପାରିବ।

କକ୍ସଙ୍କ ବୟାନ କାହିଁକି ଗୁରୁତ୍ଵପୂର୍ଣ୍ଣ?
କକ୍ସ ଆମେରିକାର ଜଣାଶୁଣା ବିମାନ ପରାମର୍ଶଦାତା। ଆମେରିକାରେ ବୋଇଙ୍ଗ ବିମାନ ନିର୍ମାଣ କରାଯାଏ। ଏୟାର ଇଣ୍ଡିଆର ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ବୋଇଙ୍ଗ ନିର୍ମିତ। ତେଣୁ କକ୍ସଙ୍କ ବୟାନକୁ ଅଣଦେଖା କରାଯାଇ ପାରିବ ନାହିଁ।

କକ୍ସଙ୍କ ବୟାନକୁ ଛାଡ଼ି ଆମେରିକା କହିଛି ଯେ ଯଦି ଭାରତ ସରକାରଙ୍କଠାରୁ ସହମତି ମିଳେ, ତେବେ ଏହି ଦୁର୍ଘଟଣାର ତଦନ୍ତ କରିବାକୁ ଆମେ ଚାହୁଁ। ଆମେରିକୀୟ ସରକାର ଏହି ତଦନ୍ତର ଦାୟିତ୍ଵ ଏନଟିଏସବି (NTSB)କୁ ଦେଇଛନ୍ତି।

ଏନଟିଏସବି ପ୍ରତିବର୍ଷ ପ୍ରାୟ ୪୫୦ଟି ଆନ୍ତର୍ଜାତୀୟ ତଦନ୍ତ ସହ ପ୍ରାୟ ୨,୦୦୦ରୁ ଅଧିକ ଘରୋଇ ଦୁର୍ଘଟଣାର ତଦନ୍ତରେ ସହାୟତା କରିଥାଏ।

ବ୍ଲାକ୍ ବକ୍ସ ଖୋଲିବ ଚୂଡ଼ାନ୍ତ ରହସ୍ୟ
ଦୁର୍ଘଟଣା ପରେ ବ୍ଲାକ୍ ବକ୍ସକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରାଯାଇଛି। କୁହାଯାଉଛି ଯେ ଦୁର୍ଘଟଣାର ପ୍ରକୃତ କାରଣ ବ୍ଲାକ୍ ବକ୍ସ ମାଧ୍ୟମରେ ହିଁ ଜଣାପଡ଼ିବ। ବ୍ଲାକ୍ ବକ୍ସକୁ ଏଫଡିଆର (FDR) ମଧ୍ୟ କୁହାଯାଏ। ଏହା ବିମାନର ସମସ୍ତ ତଥ୍ୟ ରେକର୍ଡ କରିଥାଏ।

ଭାରତରେ ବିମାନ ପରିଚାଳନାର ଦାୟିତ୍ଵ ନାଗରିକ ଉଡ଼୍ଡୟନ ମହାନିର୍ଦ୍ଦେଶାଳୟ (DGCA) ପାଖରେ ରହିଛି। ତେଣୁ ଏହି ବିମାନ ଦୁର୍ଘଟଣାର ତଦନ୍ତ ମଧ୍ୟ ଡିଜିସିଏ ନିଜ ପଦ୍ଧତିରେ କରିବ।

Leave a Reply

Your email address will not be published. Required fields are marked *