‘ହେରା ଫେରୀ’ ଓ ‘ଫିର ହେରା ଫେରୀ’ ପରେ ଲକ୍ଷ ଲକ୍ଷ ପ୍ରଶଂସକ ଏବେ ଏହାର ତୃତୀୟ ଭାଗର ଅପେକ୍ଷା କରିଛନ୍ତି। କିନ୍ତୁ ଲାଗୁଛି ଯେ ଏହି ଅପେକ୍ଷା ଆହୁରି ଲମ୍ବା ହୋଇପାରେ। କିଛି ଦିନ ପୂର୍ବେ ଏହି ଫିଲ୍ମର ଘୋଷଣା ହୋଇଥିଲା ଯେତେବେଳେ ସୁନୀଲ ଶେଟ୍ଟୀ, ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ତ୍ରୟୀ ଏହି ଫିଲ୍ମର ଅଂଶ ଥିଲେ। କିନ୍ତୁ ନିକଟରେ ପରେଶ ରାୱଲ ଜଣାଇଛନ୍ତି ଯେ ସେ ଏହି ଫିଲ୍ମର ଅଂଶ ନୁହନ୍ତି। ଏହି ଆଘାତରୁ ପ୍ରଶଂସକମାନେ ଉବୁରି ନଥିବା ବେଳେ ଅକ୍ଷୟ କୁମାର ପରେଶ ରାୱଲଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମନସ୍ଥ କରିଛନ୍ତି। ଅକ୍ଷୟ ପରେଶ ରାୱଲଙ୍କୁ ୨୫ କୋଟି ଟଙ୍କାର ଆଇନଗତ ନୋଟିସ ପଠାଇଛନ୍ତି।
ଅକ୍ଷୟ କୁମାର ତାଙ୍କ ପ୍ରୋଡକ୍ସନ ହାଉସ ‘କେପ ଅଫ ଗୁଡ ଫିଲ୍ମସ’ ମାଧ୍ୟମରେ ପରେଶ ରାୱଲଙ୍କୁ ଏହି ନୋଟିସ ପଠାଇଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରୋଡକ୍ସନ ହାଉସ ପରେଶ ରାୱଲଙ୍କ ଉପରେ ଅଣପେଶାଦାରୀ ବ୍ୟବହାର କରିବାର ଅଭିଯୋଗ ଲଗାଇଛି। ଦାବି କରାଯାଉଛି ଯେ ପରେଶ ରାୱଲ ‘ହେରା ଫେରୀ ୩’ ପାଇଁ ଆଇନଗତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଏବଂ ଶୁଟିଂ ମଧ୍ୟ ଆରମ୍ଭ କରିଥିଲେ। ଏହାପରେ ହଠାତ୍ ଫିଲ୍ମ ଛାଡ଼ି ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ହେତୁ ଫିଲ୍ମକୁ କ୍ଷତି ପହଞ୍ଚିଛି, ଯାହା ବଦଳରେ ନିର୍ମାତାମାନେ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ଅକ୍ଷୟ କୁମାର ପ୍ରୋଡ୍ୟୁସ କରୁଛନ୍ତି ଫିଲ୍ମ
‘ହେରା ଫେରୀ ୩’କୁ ଅକ୍ଷୟ କୁମାର ନିଜ ଖର୍ଚ୍ଚରେ ନିର୍ମାଣ କରୁଛନ୍ତି। ଟିଭି ୯କୁ ସୂତ୍ରରୁ ଜଣାପଡ଼ିଛି ଯେ ବକ୍ସ ଅଫିସର ପରିସ୍ଥିତିକୁ ଦେଖି ଅକ୍ଷୟ କୁମାରଙ୍କ ପ୍ରୋଡକ୍ସନ ହାଉସ ‘କେପ ଅଫ ଦି ଗୁଡ ଫିଲ୍ମସ’ ନିଜର ଟଙ୍କା ଲଗାଇଥିଲା ଏବଂ ଫିଲ୍ମକୁ ଋଣମୁକ୍ତ (ଡେବ୍ଟ ଫ୍ରୀ) କରିଥିଲା (ଅର୍ଥାତ୍ କାହାଠାରୁ ଋଣ ନନେଇ, ନିଜ ପକେଟରୁ ଅକ୍ଷୟ ଟଙ୍କା ଲଗାଇଥିଲେ)। ଏବେ ମନେ କରାଯାଉଛି ଯେ ଫିଲ୍ମରୁ ପରେଶ ରାୱଲଙ୍କର ପଛଘୁଞ୍ଚା ଦେବା ହେତୁ ଅକ୍ଷୟଙ୍କର ସବୁଠାରୁ ଅଧିକ କ୍ଷତି ହୋଇପାରେ।
ପ୍ରିୟଦର୍ଶନ କ’ଣ କହିଲେ?
ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶନ ମଧ୍ୟ ଏହି କଥାର ପୁଷ୍ଟି କରିଛନ୍ତି ଯେ ଅକ୍ଷୟ କୁମାର ପରେଶ ରାୱଲଙ୍କୁ ଆଇନଗତ ନୋଟିସ ପ୍ରଦାନ କରିଛନ୍ତି। ପ୍ରିୟଦର୍ଶନ ଟିଭି ୯ ସହ କଥା ହେବା ସମୟରେ କହିଛନ୍ତି, “ଏହା ସତ ଏବଂ ଅକ୍ଷୟ କୁମାର ଏହି ଫିଲ୍ମର ରାଇଟସ୍ ହାସଲ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ଆମେ ଫିଲ୍ମର ଗୋଟିଏ ଦିନର ଶୁଟିଂ ମଧ୍ୟ କରିସାରିଥିଲୁ।” ସେ ଆଗକୁ କହିଛନ୍ତି, “ଆମେ ‘ଭୂତ ବଙ୍ଗଳା’ର ଶୁଟିଂ କରୁଥିଲୁ ଯେତେବେଳେ ଏହା ସବୁ ଘଟିଲା। ପରେଶ ରାୱଲ ମୋ ସହ କଥା ପର୍ଯ୍ୟନ୍ତ ହେଲେ ନାହିଁ କି ନିଜର ଏହି ନିଷ୍ପତ୍ତିର କୌଣସି କାରଣ ମଧ୍ୟ କହିଲେ ନାହିଁ।”
ପରେଶ ରାୱଲଙ୍କ ପ୍ରତିସ୍ଥାପନ ବିଷୟରେ ପ୍ରିୟଦର୍ଶନ କହିଛନ୍ତି, “ମୁଁ ଜାଣିନାହିଁ। ପରେଶ ଜୀ ମୋ ସହ କଥା ହେଉନାହାନ୍ତି। ଯେତେବେଳେ କେହି ମୋତେ କିଛି କହିବେ ସେତେବେଳେ ହିଁ ମୋତେ କାରଣ ଜଣାପଡ଼ିବ। ମୋ ସହ ତାଙ୍କର(ପରେଶ) କୌଣସି ସମସ୍ୟା ନାହିଁ ବୋଲି ସେ ମୋତେ କହିଛନ୍ତି କିନ୍ତୁ ଫିଲ୍ମରୁ ବାହାରିବାର କାରଣ କହିନାହାନ୍ତି।”
!