
ଜୁଲିକୁ ଭୁଲିବା ସହଜ ନୁହେଁ । ୧୯୭୫ର ଏହି ବ୍ଲକବଷ୍ଟର ସିନେମା ୫୦ ବର୍ଷ ପରେ ବି ଲୋକଙ୍କ ମନରେ ରହିଛି । ହୃଦୟକୁ ଖିନଭିନ କରୁଥିବା ଗୀତ, ଜାତି ଓ ଧର୍ମର ପ୍ରତିବନ୍ଧକ ଭାଙ୍ଗିଥିବା ଯୁବ ଦମ୍ପତିଙ୍କ ପ୍ରେମ କାହାଣୀ, ଫ୍ୟାଶନେବଲ୍ ଡ୍ରେସ୍ ପିନ୍ଧୁଥିବା ନାୟିକା, ଆଙ୍ଗ୍ଲୋ-ଇଣ୍ଡିଆନ୍ ସମ୍ପ୍ରଦାୟର ଇଂରାଜୀ ଭାଷୀ ଆଧୁନିକ ପରିବେଶ- ଏହି ଚଳଚ୍ଚିତ୍ରରେ ସେସବୁ କିଛି ଥିଲା ଯାହା ସେହି ଯୁଗର ଦର୍ଶକମାନଙ୍କୁ ଫିଲ୍ମ ଆଡ଼କୁ ସମ୍ପୂର୍ଣ୍ଣ ଭାବରେ ଟାଣିଥିଲା । ଏମିତି ଲାଗୁଥିଲା ଯେମିତି ଜୁଲି ପୁରା ଦେଶକୁ ଯାଦୁ କରିଦେଇଥିଲା । ସେହି ସମୟର ଅନେକ ଚଳଚ୍ଚିତ୍ର ପ୍ରେମୀ କହନ୍ତି ଯେ ଜୁଲି ଲୋକଙ୍କ ହୃଦୟ ଏବଂ ମନରେ ଘର କରିଯାଇଥିଲା । ସବୁସ୍ଥାନରେ ଲୋକଙ୍କ ଓଠରେ ଥିଲା ଜୁଲିର ସଂଗୀତ.. ଜୁଲି ଆଇ ଲଭ୍ ୟୁ.. । ଜୁଲି ପ୍ରିଣ୍ଟ ଫ୍ୟାସନ ପ୍ରଡକ୍ଟ ବଜାରରେ ଜୋରଦାର ବିକ୍ରି ହେଉଥିଲା । ଏମିତି ଅନେକ ଲୋକ ଥିଲେ ଯେଉଁମାନଙ୍କୁ ଏହି ଫିଲ୍ମକୁ ଥରେ ନୁହେଁ ବରଂ ଅନେକ ଥର ସିନେମା ହଲରେ ଦେଖିଥିଲେ । ବକ୍ସ ଅଫିସରେ ଜୁଲିର ଯାଦୁ ଚାଲିଥିଲା । ଜୁଲି ସ୍ୱପ୍ନରେ ଦେଖାଦେବା ଆରମ୍ଭ କରିଥିଲା, ସ୍ମୃତିରେ ସବୁଦିନ ପାଇଁ ଘର କରିଗଲା ଏବଂ ବହିରେ ନିଜ ପାଇଁ ସ୍ଥାନ ବନାଇନେଲା ।
ପରଦା ଉପରେ ଜୁଲିର ପ୍ରେମ କାହାଣୀ ଯେଉଁ ମାଦକତା ଆଣିଥିଲା , ତାହା ଆଉ କେବେ ଭବିଷ୍ୟତରେ ଦେଖିବାକୁ ମିଳିନଥିଲା । ଦକ୍ଷିଣ ଭାରତୀୟ ସିନେମାର ଏମିତି ଜଣେ ନାୟିକା (ଲକ୍ଷ୍ମୀ) ଯାହାଙ୍କୁ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଲୋକ ଆଦୌ ଜାଣିନଥିଲେ ଏବଂ ରୋମାଣ୍ଟିକ୍ ହିରୋ ଭାବରେ ଜଣେ ଅଳ୍ପଜଣାଶୁଣା ହିନ୍ଦି ଅଭିନେତା ବିକ୍ରମଙ୍କର ଲକ୍ଷ୍ମୀଙ୍କ ସହ ଯୋଡ଼ି ପରଦାରେ ନିଆଁ ଲଗାଇ ଦେଇଥିଲା । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ କେଏସ୍ ସେଥୁମାଧବନ ଜୁଲିକୁ ଏମିତି ପରିଚୟ ଦେଇଥିଲେ ଯେ ଦୁଇ ବର୍ଷ ତଳେ ଆସିଥିବା ଋଷି କପୁର ଏବଂ ଡିମ୍ପଲ କପାଡିଆଙ୍କ ବବିକୁ ଲୋକେ ଭୁଲି ଯାଇଥିଲେ। ବବିଙ୍କ ଭଳି ଆନନ୍ଦ ବକ୍ସିଙ୍କ ଦ୍ୱାରା ଲିଖିତ ଏହି ଗୀତଗୁଡ଼ିକ ମଧ୍ୟ ସର୍ବକାଳୀନ ହିଟ୍ ର ମାନ୍ୟତା ହାସଲ କରିଥିଲା। ଲତା ମଙ୍ଗେସକର ଏବଂ କିଶୋର କୁମାରଙ୍କ ସ୍ୱରରେ – ଦିଲ୍ କୟା କରେ ଜବ୍ କିସି ସେ କିସି କୋ ପ୍ୟାର୍ ହୋ ଜାଏ, ୟେ ରାତେଁ ନାଇ ପୁରାଣୀ, ଭୁଲ ଗୟା ସବକୁଛି, ୟାଦ ନାହି ଅବ୍ କୁଛ୍ , କିମ୍ବା ପ୍ରୀତି ସାଗରଙ୍କ ସ୍ୱରରେ – ମାଇ ହାର୍ଟ ଇଜ୍ ବିଟିଂ … ରାଜେଶ ରୋଶନଙ୍କ ସଙ୍ଗୀତରେ ଏହି ଗୀତଗୁଡ଼ିକ ଧମାଲ ମଚାଇଥିଲା ।
ଜୁଲି ଥିଲା ଆଙ୍ଗ୍ଲୋ-ଇଣ୍ଡିଆନ୍
ଜୁଲିଙ୍କ ଏହି ବ୍ଲକବଷ୍ଟରର ମୁଖ୍ୟ କାରଣ କେବଳ ତାଙ୍କ ଆଧୁନିକ ପୋଷାକ କିମ୍ବା ସେ ଆଙ୍ଗ୍ଲୋ-ଇଣ୍ଡିଆନ ହେବା ନୁହେଁ । ଜୁଲି ଏକ ଚଳଚ୍ଚିତ୍ର ଥିଲା ଯେଉଁଥିରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ଥିବା ସଂଘର୍ଷ ଏବଂ ପ୍ରତିଦ୍ୱନ୍ଦ୍ୱିତା ଉପରେ ଆଲୋକପାତ କରାଯାଇଥିଲା । ସେଥିରେ ଏକ ହିନ୍ଦୁ ସମ୍ପ୍ରଦାୟ ଥିଲା, ଯାହାର ଅଭିଭାବକ ହେଉଛନ୍ତି ଶ୍ରୀ ଭଟ୍ଟାଚାର୍ଯ୍ୟ (ଉତ୍ପଳ ଦତ୍ତ) ଏବଂ ତାଙ୍କ ପତ୍ନୀ ଦେବକୀ ଭଟ୍ଟାଚାର୍ଯ୍ୟ (ଅଚଳା ସଚଦେବ)। ଦ୍ବିତୀୟ ସମ୍ପ୍ରଦାୟ ଥିଲା ଆଙ୍ଗ୍ଲୋ-ଇଣ୍ଡିଆନ, ଯାହାର ଅଭିଭାବକ ହେଉଛନ୍ତି ମୋରିସ୍ (ଓମ୍ ପ୍ରକାଶ) ଏବଂ ତାଙ୍କ ପତ୍ନୀ ମାର୍ଗାରେଟ୍ ମ୍ୟାଗି (ନାଦିରା)। ଉଭୟ ପରିବାର ନିଜ ନିଜ ଧାରଣାରେ ଫସି ରହିଥିବା ଦେଖିବାକୁ ମିଳୁଛି। ଶ୍ରୀ ଭଟ୍ଟାଚାର୍ଯ୍ୟ ଜଣେ ରେଳ ଅଧିକାରୀ ଏବଂ ମୋରିସ୍ ଜଣେ ମଦ୍ୟପ ଡ୍ରାଇଭର । ପଡ଼ୋଷୀ ଦୁଇ ପରିବାରର ମହିଳା ଯଥା ଦେବକୀ ଓ ମାର୍ଗାରେଟ ପରସ୍ପରର ସଂସ୍କୃତିକୁ ଅସ୍ପୃଶ୍ୟ ବୋଲି ବିବେଚନା କରନ୍ତି । ହିନ୍ଦୁ ପରିବାରରେ ଆଙ୍ଗ୍ଲୋ-ଇଣ୍ଡିଆନ୍ ଫ୍ୟାମିଲି କେକ୍ ନିଷିଦ୍ଧ। କାରଣ କେକରେ ଅଣ୍ଡା ଥିବାର ଆଶଙ୍କା ଥିଲା,ସେହିଭଳି ହିନ୍ଦୁ ପରିବାରର ପୂଜା ଗୃହରେ ବ୍ୟବହୃତ ଧୂପକାଠିକୁ ଆଙ୍ଗ୍ଲୋ-ଇଣ୍ଡିଆନଙ୍କ ଘରେ ବାରଣ କରାଯାଏ । କାରଣ ଧୂପ ଧୁଆଁ ସୃଷ୍ଟି କରିବ । ଆଙ୍ଗ୍ଲୋ ଇଣ୍ଡିଆନ ପରିବାର ମହମବତୀ ଜାଳିଥାଏ । ସେହିପରି ତୁଳସୀ ପୂଜାକୁ ନେଇ ମଧ୍ୟ ଉଭୟ ପରିବାର ମଧ୍ୟରେ ମତଭେଦ ରହିଛି।
ଜୁଲି : ଅବିବାହିତ ମା
ଏହି ପରିବେଶରେ ମାର୍ଗାରେଟଙ୍କ ବଡ଼ ଝିଅ ଜୁଲି (ଲକ୍ଷ୍ମୀ) ଓ ଦେବକୀଙ୍କ ପୁଅ ଶଶି (ବିକ୍ରମ) ଧୀରେ ଧୀରେ ନିକଟତର ହୁଅନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଜୁଲି ଓ ଶଶୀଙ୍କର ନିଜ ନିଜ ପରିବାରର ଧାର୍ମିକ ବିଶ୍ୱାସ ଉପରେ ବିଶ୍ୱାସ ନାହିଁ । ସେମାନେ ପରସ୍ପରର ସଂସ୍କୃତି ଓ ରୀତିନୀତିକୁ ସମ୍ମାନ ଦିଅନ୍ତି। ଜୁଲି ଯେତେବେଳେ ବି ଶଶିଙ୍କ ଘରକୁ ଆସନ୍ତି, ଧୂପକାଠିର ସୁଗନ୍ଧ ତାଙ୍କ ହୃଦୟକୁ ଆକର୍ଷିତ କରିଥାଏ। ସେହିଭଳି ଶଶୀ ଜୁଲିଙ୍କ ଘରର କେକ୍ କୁ ଭଲ ପାଆନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରେମ ଏତେ ବଢିଯାଏ ଯେ ଜୁଲି ନିଜ ସମ୍ପ୍ରଦାୟର ଯୁବକ ରିଚାର୍ଡ (ଜଲାଲ ଆଗା)ଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରନ୍ତି । କିନ୍ତୁ ଗୋଟିଏ ପଟେ ଜୁଲିଙ୍କ ମା’ ଓ ଅନ୍ୟପଟେ ଶଶିଙ୍କ ମା’ ଏହି ସମ୍ପର୍କକୁ ଗ୍ରହଣ କରୁନାହାନ୍ତି। ଯେତେବେଳେ ଜୁଲି ଶଶିଙ୍କୁ ବିବାହ ନକରି ଗର୍ଭବତୀ ହୋଇଯାଏ । ଏହାପରେ ଜୁଲିଙ୍କ ମା’ଙ୍କୁ ଜଣେ କଠୋର ଆଙ୍ଗ୍ଲୋ-ଇଣ୍ଡିଆନ୍ ଭାବରେ ଦର୍ଶାଯାଇଛି, ଯିଏ ଜୁଲିଙ୍କ ସନ୍ତାନକୁ ଘରେ ରଖିବା ବଦଳରେ ଅନାଥ ଆଶ୍ରମରେ ଛାଡ଼ିବାକୁ ଶ୍ରେୟସ୍କର ମନେ କରନ୍ତି କିନ୍ତୁ ଶଶିଙ୍କ ସହ ବିବାହକୁ ଗ୍ରହଣ କରନ୍ତି ନାହିଁ ।
ଜୁଲି ସନ୍ତାନର ରକ୍ତର ରଙ୍ଗ କ’ଣ ?
ତେବେ ଫିଲ୍ମରେ ଏହି ଦୁଇ ପରିବାରର ପୁରୁଷ ଓ ଅନ୍ୟ ସଦସ୍ୟମାନେ ବହୁତ ପ୍ରଗତିଶୀଳ ମନୋଭାବ ରଖନ୍ତି । ଜୁଲି ଅବିବାହିତ ମା,ଜୁଲିଙ୍କ ମା’ ଏହି ରହସ୍ୟକୁ ଗୋପନ ରଖିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି, କିନ୍ତୁ ଶେଷରେ ଏହା ସାମ୍ନାକୁ ଆସିଥାଏ । ଶଶିଙ୍କ ଭଉଣୀ ଝିଅ ଉଷା (ରୀତା ଭାଦୁରୀ) ତାଙ୍କର ବିଶେଷ ବନ୍ଧୁ। ତାଙ୍କ ସାହାଯ୍ୟରେ ଜୁଲିଙ୍କ ସନ୍ତାନକୁ ଅନାଥାଶ୍ରମରୁ ବାହାରକୁ ନିଆଯାଏ ଏବଂ ତା’ପରେ ଭଟ୍ଟାଚାର୍ଯ୍ୟ ପରିବାରର ମୁଖ୍ୟ ଉତ୍ପଲ ଦତ୍ତ ଜୁଲିଙ୍କୁ ବୋହୂ ଏବଂ ପିଲାଟିକୁ ନାତି ଭାବରେ ଗ୍ରହଣ କରନ୍ତି । ଉତ୍ପଲ ଦତ୍ତ କହନ୍ତି, ତୁମ ଧର୍ମ ଅଲଗା, ଆମ ଧର୍ମ ଅଲଗା, କିନ୍ତୁ ଏହି ପିଲାର ଧର୍ମ କ’ଣ? ଏହି ଶିଶୁର ରକ୍ତର ରଙ୍ଗ ଆମଠାରୁ ଭିନ୍ନ କି? ଭାରତ ଛାଡି ବିଦେଶ ଯିବାକୁ ଯୋଜନା କରୁଥିବା ଜୁଲିଙ୍କ ମା’ ଭଟ୍ଟାଚାର୍ଯ୍ୟ ପରିବାରର ଉଦ୍ୟମରେ ପଛଘୁଞ୍ଚା ଦେଉଛନ୍ତି। ଏହିପରି ଭାବରେ, ଦୁଇ ସମ୍ପ୍ରଦାୟକୁ ଏକାଠି ହେବାକୁ ବାଧା ଦେଉଥିବା ଧାରଣାଗୁଡ଼ିକୁ ଦୂର କରାଯାଇଛି।
ଆଙ୍ଗ୍ଲୋ-ଇଣ୍ଡିଆନଙ୍କ ଦେଶ ଉପରେ ଏକ କଟାକ୍ଷ
ଏହି ଫିଲ୍ମରେ ଆହୁରି ଅନେକ ଭୁଲ ଧାରଣା କୁ ଦୂର କରିବାକୁ ଚେଷ୍ଟା କରାଯାଇଛି । ସାଧାରଣତଃ ଆଙ୍ଗ୍ଲୋ-ଇଣ୍ଡିଆନ ପରିବାରର ଜୀବନଶୈଳୀ, ରୀତିନୀତି ଏବଂ ପୋଷାକ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏକ ଅଦ୍ଭୁତ ପ୍ରକାରର ଉତ୍ସୁକତା ରହିଆସିଛି । ଫିଲ୍ମରେ ଜୁଲିଙ୍କୁ ସବୁବେଳେ ସର୍ଟ ସ୍କର୍ଟ ଏବଂ ଆଧୁନିକ ଡ୍ରେସରେ ଦେଖିବାକୁ ମିଳିଛି । ଯେଉଁଥିପାଇଁ ତାଙ୍କୁ ଫିଲ୍ମରେ ଅନେକ ସ୍ଥାନରେ ଖରାପ ଉଦ୍ଦେଶ୍ୟର ସମ୍ମୁଖୀନ ହେବାକୁ ପଡିଥିଲା । ଷ୍ଟୋରରେ କିଣାକିଣି କରିବା ସମୟରେ କିମ୍ବା ଘରୋଇ କମ୍ପାନୀରେ ଚାକିରି ମାଗିବା ସମୟରେ । ଯେତେବେଳେ ବି ସେ ‘ନା’ କହୁଥିଲେ, ସେତେବେଳେ ପ୍ରଶ୍ନ ଉଠୁଥିଲା, ‘ଏତେ ଫ୍ୟାଶନେବଲ୍ ତଥାପି ଏତେ ପୁରୁଣା ଧାରଣା? ଉତ୍ତରରେ ଜୁଲି କହୁଥିଲେ- ପୋଷାକ ଜଣେ ବ୍ୟକ୍ତିର ଚିନ୍ତାଧାରାକୁ ପରିପ୍ରକାଶ କରିନଥାଏ। ଫିଲ୍ମରେ ଜୁଲିଙ୍କ ମା’ ବ୍ରିଟେନ ଯିବା ବିଷୟରେ ବାରମ୍ବାର କହୁଛନ୍ତି ଏବଂ କହିଛନ୍ତି ଯେ ଏହା ଆମର ପ୍ରକୃତ ଦେଶ । କିନ୍ତୁ ତାଙ୍କ ସ୍ୱାମୀ ମୋରିସ୍ କୁହନ୍ତି, “ନା, ଆମେ ଯେଉଁଠାରେ ଜନ୍ମ ନେଇଥିଲୁ, ଏହା ହେଉଛି ଆମର ପ୍ରକୃତ ଦେଶ। ଆମେ ଏଠାରେ ରହିବୁ ଏବଂ ଏଠାରେ ମରିବୁ ।
ଜୁଲି ବଦଳାଇ ଦେଇଥିଲା ପ୍ରେମ କାହାଣୀ କହିବାର ତରିକା
ବବି ଏବଂ ଜୁଲି ପରେ ହିନ୍ଦୀରେ ଅନେକ ଫିଲ୍ମ ଆସିଥିଲା, ଯେଉଁଥିରେ ସେମାନଙ୍କର ଗଭୀର ପ୍ରଭାବ ରହିଥିଲା । ଏହି ସିନେମାଗୁଡ଼ିକ ରୂପେଲି ପରଦାରେ ପ୍ରେମ କାହାଣୀ ସୁଟିଂ କରିବାର ଶୈଳୀକୁ ବଦଳାଇ ଦେଇଥିଲା। ଏଭଳି ଫିଲ୍ମର ତାଲିକା ଲମ୍ବା । ପରବର୍ତ୍ତୀ ସମୟରେ ପ୍ରେମ କାହାଣୀ ଥିବା ସମସ୍ତ ଫିଲ୍ମରେ ଏହି ଫିଲ୍ମର ପ୍ରଭାବ ଦେଖିବାକୁ ମିଳିଥାଏ । ଉଦାହରଣ ସ୍ୱରୂପ କମଲ ହାସନ ଏବଂ ରତି ଅଗ୍ନିହୋତ୍ରୀଙ୍କ ଏକ ଦୁଜେ କେ ଲିଏ, କୁମାର ଗୌରବ ଏବଂ ବିଜୟ ପଣ୍ଡିତଙ୍କ ଲଭ୍ ଷ୍ଟୋରି, ମିଥୁନ-ପଦ୍ମିନୀଙ୍କ ପ୍ୟାର ଝୁକତା ନହି, ଆମୀର-ଜୁହିର କୟାମତ୍ ସେ କୟାମତ୍ ତକ୍ ଏବଂ ସଲମାନ-ଭାଗ୍ୟଶ୍ରୀଙ୍କ ମୈନେ ପ୍ୟାର କିୟା ଇତ୍ୟାଦି ।
ଶ୍ରୀଦେବୀଙ୍କ ପ୍ରଥମ ଫିଲ୍ମ ଥିଲା ଜୁଲି
ଜୁଲି ଥିଲା ଶ୍ରୀଦେବୀଙ୍କ ପ୍ରଥମ ହିନ୍ଦି ଫିଲ୍ମ । କିନ୍ତୁ ଅନେକ ବର୍ଷ ଧରି ଏହି ତଥ୍ୟକୁ ନଜର ଅନ୍ଦାଜ କରାଯାଇଥିଲା । ଫିଲ୍ମର ମୁଖ୍ୟ ନାୟିକା ଲକ୍ଷ୍ମୀଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଶ୍ରୀଦେବୀ । ତାଙ୍କ ଚରିତ୍ରର ନାମ ଥିଲା ଆଇରିନ୍ । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଏହି ଫିଲ୍ମକୁ ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଭାବେ ମନେ ପକାଯାଇଥିଲା । ଏହି ଫିଲ୍ମରେ ଶ୍ରୀଦେବୀଙ୍କ ର କୌଣସି ବଡ ଭୂମିକା ନାହିଁ । ସେ ମାର୍ଗାରେଟ ପରିବାରର ଜଣେ ସାନ ସଦସ୍ୟ । ସେ ଅନେକ ଦୃଶ୍ୟରେ ନଜର ଆସିଛନ୍ତି । ବିଶେଷ କରି ମାଇଁ ହାର୍ଟ ଇଜ୍ ବିଟିଂ ଗୀତରେ ସେ ପରିବାର ଲୋକଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।