ଇରାନ ସହ ଯୁଦ୍ଧ ଭିତରେ ଭାରତକୁ କାହିଁକି କ୍ଷମା ମାଗିଲା ଇସ୍ରାଏଲ ?

ଇସ୍ରାଏଲ ଶୁକ୍ରବାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇ ଏହା ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଇରାନ ଏକ ବିଶ୍ୱବ୍ୟାପୀ ବିପଦ। ଏହି ଚିତ୍ରରେ ଭାରତର ମାନଚିତ୍ରକୁ ନେଇ ଏବେ ଇସ୍ରାଏଲକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖର ଅଂଶକୁ ଭାରତର ମାନଚିତ୍ରରେ ଦେଖାଯାଇ ନଥିଲା। ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦେଖାଯାଇଥିଲା।

ଆଇଡିଏଫ ଦେଇଛି ସ୍ପଷ୍ଟୀକରଣ
ଏହା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଭାରତର ଆନ୍ତର୍ଜାତୀୟ ସୀମାର ଭୁଲ ମାନଚିତ୍ର ପୋଷ୍ଟ କରିବା ପାଇଁ କ୍ଷମା ମାଗିଛି। ଏଥିରେ ଭୁଲ ଭାବେ ଜମ୍ମୁ ଓ କଶ୍ମୀରକୁ ପାକିସ୍ତାନ ସହ ସମ୍ପର୍କିତ ଦେଖାଯାଇଥିଲା। ଆଇଡିଏଫ ସ୍ୱୀକାର କରିଛି ଯେ ମାନଚିତ୍ର “ସୀମାକୁ ସଠିକ୍ ଭାବେ ଉପସ୍ଥାପନ କରିବାରେ ବିଫଳ ହୋଇଛି” କିନ୍ତୁ ଦାବି କରିଛି ଯେ ଏହା କେବଳ “କ୍ଷେତ୍ରର ଚିତ୍ରଣ” (illustration of the region) ଥିଲା।

ଇସ୍ରାଏଲର ଏହି ମାନଚିତ୍ର ପୋଷ୍ଟ କରିବା ପରେ ଅନେକ ଭାରତୀୟ ୟୁଜର ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଟ୍ୟାଗ କରି ଏହା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏପରି ଇଣ୍ଡିଆନ ରାଇଟ ଉଇଙ୍ଗ କମ୍ୟୁନିଟି ନାମକ ଏକ୍ସ ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ କରାଯାଇଥିବା ଟ୍ୱିଟରେ ସିଧାସଳଖ ପ୍ରତିକ୍ରିୟା ଦେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଥିଲା, ଏହି ପୋଷ୍ଟ କେବଳ କ୍ଷେତ୍ରର ଏକ ଉଦାହରଣ। ଏହି ମାନଚିତ୍ର ସୀମାକୁ ସଠିକ୍ ଭାବେ ଉପସ୍ଥାପନ କରିବାରେ ବିଫଳ ହୋଇଛି। ଅପରାଧ ପାଇଁ ଆମେ କ୍ଷମା ମାଗୁଛୁ। ଇଣ୍ଡିଆନ ରାଇଟ ଉଇଙ୍ଗ କମ୍ୟୁନିଟିର ପୋଷ୍ଟ ପରେ ୯୦ ମିନିଟ ମଧ୍ୟରେ ଇସ୍ରାଏଲ କ୍ଷମା ମାଗିଥିଲା।

ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନାହିଁ
ତେବେ, ଆଇଡିଏଫର ଭୁଲ ମାନଚିତ୍ର ଉପରେ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଭାରତ ସ୍ପଷ୍ଟ କରିଛି ଯେ ଜମ୍ମୁ-କଶ୍ମୀର ଓ ଲଦାଖ, ଯାହାର କିଛି ଅଂଶ ପାକିସ୍ତାନ ଓ ଚୀନ ଦଶନ୍ଧି ଧରି ଅବୈଧ ଭାବେ ଦଖଲ କରି ରଖିଛନ୍ତି, ସେଗୁଡ଼ିକ ସବୁବେଳେ ଦେଶର ଅବିଚ୍ଛେଦ୍ୟ ଅଂଶ ରହିବ।

ଭାରତ-ଇସ୍ରାଏଲ ସମ୍ପର୍କ
ଭାରତ ଓ ଇସ୍ରାଏଲ ବହୁ ବର୍ଷ ଧରି ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି। ୨୦୧୭ ମସିହାରେ ଇସ୍ରାଏଲ ଗସ୍ତ କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଥିଲେ ମୋଦୀ । ଏହା ସହିତ ଦିଲ୍ଲୀ ମଧ୍ୟ ତେଲ ଆଭିଭର ସବୁଠାରୁ ବଡ଼ ବାଣିଜ୍ୟକ ସାଥିଙ୍କ ମଧ୍ୟରୁ ଅନ୍ୟତମ। ଭାରତ ସାମରିକ ଉପକରଣ ବିକ୍ରି ପାଇଁ ଇସ୍ରାଏଲର ସବୁଠାରୁ ବଡ଼ ଗ୍ରାହକମାନଙ୍କ ମଧ୍ୟରୁ ଅନ୍ୟତମ।

ଆଇଡିଏଫ ପୋଷ୍ଟରେ କ’ଣ କହିଥିଲା?
ଆଇଡିଏଫ ପୋଷ୍ଟରେ କହିଥିଲା ଯେ ଇରାନ ଏକ ବିଶ୍ୱବ୍ୟାପୀ ବିପଦ। ଇସ୍ରାଏଲ ଶେଷ ଲକ୍ଷ୍ୟ ନୁହେଁ, ଏହା କେବଳ ଆରମ୍ଭ। ଆମ ପାଖରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଏହାକୁ ଦେଖାଇବା ପାଇଁ ସେ ଅନେକ ଦେଶର ମାନଚିତ୍ରରେ ଇରାନର ସଙ୍କଟକୁ ପ୍ରଦର୍ଶନ କରିଥିଲା।

ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ
ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଇରାନର ପରମାଣୁ ଶକ୍ତିକୁ ଅଟକାଇବା ପାଇଁ ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଇରାନ ଉପରେ ଡ୍ରୋନ ଓ ମିସାଇଲ ବର୍ଷା କରିଥିଲା। ଏହି ଆକ୍ରମଣ ପରେ ଇରାନ ଚୁପ ରହି ନଥିଲା ଓ ଏହା କଡ଼ା ଜବାବ ଦେଇଥିଲା। ଇରାନ ପାଲଟା ଆକ୍ରମଣ କରିଥିଲା। ଏହା ସହିତ ଇରାନ ନିରନ୍ତର ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ତେଲ ଆଭିଭରୁ ଆରମ୍ଭ କରି ଜେରୁଜାଲେମ ପର୍ଯ୍ୟନ୍ତ ଇରାନ ମିସାଇଲ ବର୍ଷା କରିଛି।

Leave a Reply

Your email address will not be published. Required fields are marked *