୧୧ ମାସରେ ହିଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଦ୍ୟୋଗପତି ଏଲନ ମସ୍କଙ୍କ ବନ୍ଧୁତା ଭାଙ୍ଗିଯାଇଛି। ବନ୍ଧୁତା ଭାଙ୍ଗିବା ପରେ ଟ୍ରମ୍ପ ଓ ମସ୍କ ପରସ୍ପର ବିରୁଦ୍ଧରେ ଖୋଲାଖୋଲି ଆକ୍ରମଣ କରୁଛନ୍ତି। ଏହାର ପ୍ରଭାବ ଆମେରିକାର ରାଜନୀତି ଓ ଉଦ୍ୟୋଗ ଉପରେ ମଧ୍ୟ ଦେଖାଯାଉଛି। ମସ୍କଙ୍କ କମ୍ପାନୀ ଟେସଲାର ସେୟାର ୧୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଅନ୍ୟପକ୍ଷରେ ମସ୍କ ମଧ୍ୟ ଟ୍ରମ୍ପଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା ଉପରେ କାମ କରୁଛନ୍ତି।
ଏହା ପ୍ରଥମ ଥର ନୁହେଁ ଯେ ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ବନ୍ଧୁ ତାଙ୍କର ଶତ୍ରୁ ହୋଇଛନ୍ତି। ଟ୍ରମ୍ପ ରାଜନୀତିକୁ ଆସିବା ପରେ ଅତି କମରେ ୫ ଜଣ ବନ୍ଧୁ ଖୋଲାଖୋଲି ଭାବେ ତାଙ୍କର ଶତ୍ରୁ ହୋଇଛନ୍ତି। ଜଣେ ବନ୍ଧୁଙ୍କୁ ତ ଟ୍ରମ୍ପ ହ୍ୱାଇଟ ହାଉସରୁ ଧକ୍କା ମାରି ବାହାର କରିଥିଲେ।
୧. ମାଇକେଲ କୋହେନ: ଟ୍ରମ୍ପ ଯେତେବେଳେ ବ୍ୟବସାୟରେ ଥିଲେ, କୋହେନ ତାଙ୍କର ବ୍ୟକ୍ତିଗତ ଓକିଲ ଓ ଫିକ୍ସର ଥିଲେ। କୋହେନ ଥରେ ଟ୍ରମ୍ପ ପାଇଁ ଗୁଳି ଖାଇବା କଥା କହିଥିଲେ, କିନ୍ତୁ ୨୦୧୬ ସୁଦ୍ଧା ଉଭୟଙ୍କ ସମ୍ପର୍କ ଖରାପ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ କୋହେନ ଅଦାଲତରେ ଟ୍ରମ୍ପ ବିରୁଦ୍ଧରେ ସାକ୍ଷ୍ୟ ଦେଇଥିଲେ। ଏହାପରେ କୋହେନ ଟ୍ରମ୍ପଙ୍କୁ ମିଥ୍ୟାବାଦୀ ଓ ଠକ ବୋଲି ଅଭିହିତ କରିଥିଲେ।
୨. ଜନ ବୋଲ୍ଟନ: ଟ୍ରମ୍ପଙ୍କର ଅତିଘନିଷ୍ଠ ବନ୍ଧୁ ଥିବା ଜନ ବୋଲ୍ଟନଙ୍କୁ ୨୦୧୮ରେ ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା ନିଯୁକ୍ତ କରାଯାଇଥିଲା, କିନ୍ତୁ ଶୀଘ୍ର ଉଭୟଙ୍କ ମଧ୍ୟରେ ମତଭେଦ ହେଲା। ଚୀନ ଓ ମଧ୍ୟପ୍ରାଚ୍ୟ ନୀତିକୁ ନେଇ ଟ୍ରମ୍ପ ବୋଲ୍ଟନଙ୍କ ଉପରେ ଅସନ୍ତୁଷ୍ଟ ହେଲେ। ୨୦୧୯ରେ ଟ୍ରମ୍ପ ବୋଲ୍ଟନଙ୍କୁ ବରଖାସ୍ତ କଲେ। ଏହାପରେ ବୋଲ୍ଟନ ଟ୍ରମ୍ପଙ୍କ ବିରୋଧୀ ହୋଇଗଲେ ଓ ଏକ ପୁସ୍ତକରେ ଟ୍ରମ୍ପଙ୍କୁ ଚୀନର ରାଷ୍ଟ୍ରପତିଙ୍କୁ ଲାଭ ପହଞ୍ଚାଇବାର ଅଭିଯୋଗ ଲଗାଇଥିଲେ।
୩. ରେକ୍ସ ଟିଲରସନ: ଟ୍ରମ୍ପ ପ୍ରଥମେ ରାଷ୍ଟ୍ରପତି ହେବା ପରେ ତାଙ୍କ ବନ୍ଧୁ ରେକ୍ସ ଟିଲରସନଙ୍କୁ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରିଥିଲେ। କିନ୍ତୁ ଏକ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କ ଖରାପ ହେଲା, ଫଳରେ ଟିଲରସନଙ୍କୁ ପଦ ଛାଡ଼ିବାକୁ ପଡ଼ିଲା। ୨୦୧୭ ଅକ୍ଟୋବରରେ ଟିଲରସନ ଟ୍ରମ୍ପଙ୍କୁ ମୂର୍ଖ ବୋଲି ଅଭିହିତ କରିଥିଲେ ଓ ତାଙ୍କ ନିର୍ବାଚନ ସମ୍ପର୍କରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ, ଯାହାକୁ ହ୍ୱାଇଟ ହାଉସ ଖାରଜ କରିଥିଲା।
୪. ମାର୍କ ମିଲି: ଟ୍ରମ୍ପ ପ୍ରଥମେ ରାଷ୍ଟ୍ରପତି ହେବା ପରେ ତାଙ୍କ ବିଶ୍ୱସ୍ତ ମାର୍କ ମିଲିଙ୍କୁ ସେନା ମୁଖ୍ୟ ନିଯୁକ୍ତ କରିଥିଲେ। ୨୦୨୦ ପର୍ଯ୍ୟନ୍ତ ମିଲି ଟ୍ରମ୍ପଙ୍କ ସହ ଥିଲେ, କିନ୍ତୁ ୨୦୨୦ ନିର୍ବାଚନରେ ହାରିବା ପରେ ଟ୍ରମ୍ପ ପଦ ଛାଡ଼ିବାକୁ ମନା କରିବାରୁ ମିଲି ତାଙ୍କଠାରୁ ଦୂରେଇ ଗଲେ। ମିଲି କହିଥିଲେ ଯେ ଟ୍ରମ୍ପ ପଥଭ୍ରଷ୍ଟ ହୋଇଛନ୍ତି ଓ ସେ ଏକଛତ୍ରବାଦ ଆଡ଼କୁ ଅଗ୍ରସର ହେଉଛନ୍ତି।
୫. ମାନିଗୋଲ୍ଟ ନ୍ୟୁମାନ: ଆମେରିକୀୟ ଟିଭି ଷ୍ଟାର ନ୍ୟୁମାନ ୨୦୦୩ରେ ପ୍ରଥମେ ଟ୍ରମ୍ପଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୫ରେ ନ୍ୟୁମାନ ଖୋଲାଖୋଲି ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ନ୍ୟୁମାନଙ୍କୁ ହ୍ୱାଇଟ ହାଉସରେ ଉପଦେଷ୍ଟା ନିଯୁକ୍ତ କରିଥିଲେ। କିନ୍ତୁ ୨୦୧୭ରେ ଉଭୟଙ୍କ ସମ୍ପର୍କ ଖରାପ ହେଲା। ନ୍ୟୁମାନ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରୁ ଧକ୍କା ମାରି ବାହାର କରିବାର ଅଭିଯୋଗ ଲଗାଇଥିଲେ, ପରେ ଏହି ମାମଲା ଅଦାଲତରେ ପହଞ୍ଚିଥିଲା।