ପାକିସ୍ତାନର ‘ଅପରେସନ୍ ଦ୍ୱାରକା’ କ’ଣ ଥିଲା ? କେମିତି ଭାରତ ଚୁପ ରହି ପାକିସ୍ତାନକୁ ବନାଇଥିଲା ବୋକା

ପାକିସ୍ତାନ ବାରମ୍ବାର ଭାରତଠାରୁ ମାଡ଼ ଖାଉଛି । କିନ୍ତୁ ପ୍ରକୃତି ଅନୁସାରେ କିଛିଦିନ ପରେ ପୁଣି ପୁରୁଣା କାଣ୍ଡକାରଖାନା ଆରମ୍ଭ କରୁଛି । ୧୯୪୮ରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଭାରତଠାରୁ ସବୁ ମୋର୍ଚ୍ଚାରେ ହାରିବା ପରେ ମଧ୍ୟ ପାକିସ୍ତାନ ଭାରତକୁ ଧମକାଇବାରୁ ବିରତ ହେଉନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପୁଣି ଥରେ ଭାରତକୁ ଧମକ ଦେଇ କହିଛନ୍ତି ଯେ, “ପାକିସ୍ତାନର ନୌସେନା ଅପରେସନ ଦ୍ୱାରକା ପରି ଅଭିଯାନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। କିନ୍ତୁ ପାକିସ୍ତାନର ସ୍ଥଳ ଓ ବାୟୁସେନାର ଦୃଢ଼ ଜବାବ ଦେଖିବା ପରେ ଭାରତୀୟ ନୌସେନା ସଂଘର୍ଷକୁ ଏଡ଼ାଇ ଦେଇଥିଲା।” ଅର୍ଥାତ ଚିନ୍ତା କରନ୍ତୁ, ଏହି ବୟାନ ସେହି ଦେଶର ପ୍ରଧାନମନ୍ତ୍ରୀଙ୍କର, ଯେଉଁ ଦେଶର ୧୨ରୁ ଅଧିକ ଏୟାରବେସ ଉପରେ ଭାରତ ସିଧାସଳଖ ଆକ୍ରମଣ କରିଥିଲା। ଅର୍ଥାତ ଯେଉଁ ଶେହବାଜ ଶରିଫଙ୍କୁ ଲଜ୍ଜାରେ ଦୁଇ-ଚାରି ମାସ ଘରୁ ବାହାରକୁ ବାହାରିବା ଉଚିତ ନଥିଲା, ସେ ଭାରତକୁ ଧମକ ଦେବାରେ ଲାଗିଛନ୍ତି।

ପାକିସ୍ତାନର ଖବରକାଗଜ ‘ଦି ଟ୍ରିବ୍ୟୁନ’ର ରିପୋର୍ଟ ଅନୁଯାୟୀ, ଶେହବାଜ ଶରିଫ କହିଛନ୍ତି, “ସ୍ଥଳ ଓ ବାୟୁଯୁଦ୍ଧରେ ହାରିବା ପରେ ଭାରତୀୟ ନୌସେନା ପାକିସ୍ତାନର ସମ୍ମୁଖୀନ ହେବାକୁ ସାହସ ଜୁଟାଇ ପାରିନଥିଲା।” କିନ୍ତୁ ଇତିହାସ ଓ ବାସ୍ତବତାକୁ ନଜରଅନ୍ଦାଜ କରି ନିଜ ପ୍ରପୋଗଣ୍ଡା ଚଳାଇବା ପାକିସ୍ତାନର ପୁରୁଣା ଅଭ୍ୟାସ, ଏବଂ ଅପରେସନ ଦ୍ୱାରକା ତାହାର ଏକ ଉତ୍କୃଷ୍ଟ ଉଦାହରଣ। ଯେହେତୁ ଶେହବାଜ ଶରିଫ ଅପରେସନ ଦ୍ୱାରକା ଓ ଅପରେସନ ସୋମନାଥର ଉଲ୍ଲେଖ କରିସାରିଛନ୍ତି, ତେଣୁ ଏହା ଜାଣିବା ଜରୁରୀ ହେଉଛି ଯେ ଏହି ଅପରେସନଗୁଡ଼ିକ ଆସଲରେ କ’ଣ ଥିଲା?

ପାକିସ୍ତାନର ‘ଅପରେସନ ଦ୍ୱାରକା’ କ’ଣ ଥିଲା?
ଶେହବାଜ ଶରିଫ ଯେଉଁ ‘ଅପରେସନ ଦ୍ୱାରକା’ର କଥା କହୁଛନ୍ତି, ତାହା ପ୍ରକୃତରେ ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନର ନୌସେନା ଦ୍ୱାରା ପରିଚାଳିତ ହୋଇଥିଲା। ‘ଅପରେସନ ଦ୍ୱାରକା’କୁ ପାକିସ୍ତାନ ‘ଅପରେସନ ସୋମନାଥ’ କୋଡନେମ୍ ଦେଇଥିଲା। ଏହା ମାଧ୍ୟମରେ ପାକିସ୍ତାନ ଭାରତୀୟ ହିନ୍ଦୁମାନଙ୍କର ଭାବନାକୁ ଆଘାତ କରିବାକୁ ଚେଷ୍ଟା କରିଥିଲା, କାରଣ ମହମ୍ମଦ ଗଜନୀ ସୋମନାଥ ମନ୍ଦିରକୁ ଅନେକ ଥର ଲୁଟିଥିଲେ। ତେଣୁ ପାକିସ୍ତାନ ଏହାକୁ ମହମ୍ମଦ ଗଜନୀ ସହିତ ଯୋଡ଼ିଥିଲା। ୧୯୬୫ର ଯୁଦ୍ଧ ସମୟରେ ପାକିସ୍ତାନର ନୌସେନା ୭-୮ ସେପ୍ଟେମ୍ବରର ରାତିରେ ଗୁଜରାଟର ଦ୍ୱାରକା ସହର ଉପରେ ବୋମାବର୍ଷଣର ନିର୍ଦ୍ଦେଶ ଦେଇଥିଲା। ପାକିସ୍ତାନ ବିଶ୍ୱାସ କରୁଥିଲା ଯେ ଦ୍ୱାରକାରେ ଭାରତର ନୌସେନା ଘାଟି ଓ ରାଡାର ଷ୍ଟେସନ ଅଛି। ପାକିସ୍ତାନ ଏହାକୁ ନଷ୍ଟ କରି ନିଜର କରାଚୀ ବନ୍ଦରକୁ ସୁରକ୍ଷିତ କରିବାକୁ ଚାହୁଁଥିଲା। ଏହି ସମୟରେ ପାକିସ୍ତାନର ନୌସେନା ଦ୍ୱାରକା ସହରର ସମୁଦ୍ର ଓ ନାଗରିକ ଅଞ୍ଚଳରେ ବହୁ ସମୟ ଧରି ବୋମାବର୍ଷଣ କରିଥିଲା। ଏହି ଆକ୍ରମଣ ପ୍ରାୟ ୨୨ ମିନିଟ ଧରି ଚାଲିଥିଲା ଏବଂ ଏହା ମଧ୍ୟରେ ୬୦ରୁ ଅଧିକ ବୋମାର ଗୋଳା ଫୋପଡ଼ା ଯାଇଥିଲା।

କିନ୍ତୁ ପରେ ଜଣା ପଡ଼ିଥିଲା ଯେ,ସେତେବେଳେ ଦ୍ୱାରକା ସହରରେ କୌଣସି ନୌସେନା ଘାଟି କିମ୍ବା ରାଡାର ଷ୍ଟେସନ ନଥିଲା। ଭାରତ ସେତେବେଳେ ପାକିସ୍ତାନର ନୌସେନାକୁ କୌଣସି ଉତ୍ତର ଦେଇନଥିଲା । କାରଣ ଥିଲା ଭାରତ ଚାହୁଁଥିଲା ପାକିସ୍ତାନ ଯାହା ଭାବୁଛି ତାହା ଭାବୁ । ଭୁଲସ୍ଥାନରେ ବୋମାମାଡ଼ କରୁଛି ଯଦି କରୁ । ପାକିସ୍ତାନର ବୋମାବର୍ଷଣରେ ଭାରତର କୌଣସି କ୍ଷତି ହୋଇନଥିଲା। ଭାରତର ରେଳବାଇ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ସୁରକ୍ଷିତ ରହିଥିଲା। କିନ୍ତୁ ପାକିସ୍ତାନ ଆଜି ପର୍ଯ୍ୟନ୍ତ ମାନୁଛି ଯେ ସେ ଦ୍ୱାରକା ସହରରେ ଭାରତର ନୌସେନା ଘାଟି ଓ ରାଡାର ଷ୍ଟେସନକୁ ଉଡ଼ାଇ ଦେଇଥିଲା। ଏହି ଭୁଲ ଧାରଣାର ପରିଣାମ ପାକିସ୍ତାନକୁ ୧୯୭୧ର ଯୁଦ୍ଧରେ ଭୋଗିବାକୁ ପଡ଼ିଥିଲା। ଏହି କାରଣରୁ ପ୍ରତିରକ୍ଷା ଜଗତରେ ଅଧିକାଂଶ ରଣନୀତି ବା ଶତ୍ରୁର ଭୁଲ ଧାରଣା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଏ ନାହିଁ।

ପାକିସ୍ତାନକୁ କିପରି କ୍ଷତି ଭୋଗିବାକୁ ପଡ଼ିଲା?
ଭାରତ ପାକିସ୍ତାନର ନୌସେନା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ଏବଂ ଭାରତ ସମ୍ପୂର୍ଣ୍ଣ ଧ୍ୟାନ ସ୍ଥଳସେନା ଓ ବାୟୁସେନା ଉପରେ ରଖିଥିଲା। ଯେଉଁ କାରଣରୁ ୧୯୬୫ର ଯୁଦ୍ଧରେ ପାକିସ୍ତାନ ହାରିଗଲା। କିନ୍ତୁ ପାକିସ୍ତାନର ଭୁଲ ଧାରଣା ରହିଗଲା। ୧୯୭୧ର ଯୁଦ୍ଧରେ ଯେତେବେଳେ ପାକିସ୍ତାନକୁ ଲାଗୁଥିଲା ଯେ ଭାରତୀୟ ନୌସେନା ଦୁର୍ବଳ ଏବଂ ଏହା ଜବାବୀ କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ, ସେତେବେଳେ ଭାରତ ୧୯୭୧ର ଯୁଦ୍ଧରେ କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲା। ଭାରତର ଆକ୍ରମଣ ହେତୁ କରାଚୀ ନୌସେନା ଘାଟି ଅନେକ ଦିନ ଧରି ଜଳୁଥିଲା। ୧୯୭୧ର ଯୁଦ୍ଧରେ ଭାରତ କରାଚୀ ବନ୍ଦରରେ ତୈଳ ଡିପୋ, ନୌସୈନିକ ଜାହାଜ ଓ ରାଡାର ସିଷ୍ଟମକୁ ନଷ୍ଟ କରି ଦେଇଥିଲା। କରାଚୀ ବନ୍ଦର ମାଧ୍ୟମରେ ହେଉଥିବା ସମୁଦ୍ରୀୟ ବାଣିଜ୍ୟ ଓ ନୌସୈନିକ ସଂରଚନାକୁ ସମ୍ପୂର୍ଣ୍ଣ ବର୍ବାଦ କରାଯାଇଥିଲା।

ଭାରତ ୧୯୭୧ର ଯୁଦ୍ଧରେ INS ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିୟରର ବ୍ୟବହାର କରିଥିଲା ଏବଂ କରାଚୀ ବନ୍ଦର ଧ୍ୱଂସ ହେବା ପରେ ପାକିସ୍ତାନ ଆଣ୍ଠେଇ ପଡ଼ିଗଲା। ଏହା ବାଂଲାଦେଶର ସ୍ୱାଧୀନତା ପାଇଁ ଦ୍ୱାର ଖୋଲି ଦେଇଥିଲା। କିନ୍ତୁ ପାକିସ୍ତାନର ପ୍ରଚାର ତନ୍ତ୍ର ପୁଣି ଥରେ ସକ୍ରିୟ ହୋଇଛି। ପାକିସ୍ତାନ ନିଜର ଜନତାଙ୍କ ମଧ୍ୟରେ ନିଜକୁ ବିଜେତା ବୋଲି କହୁଛି। ପାକିସ୍ତାନ ଆଜି ପର୍ଯ୍ୟନ୍ତ ନିଜର ଜନତାଙ୍କୁ କହୁଛି ଯେ ସେ ୧୯୬୫ ଓ ୧୯୭୧ର ଯୁଦ୍ଧରେ ଭାରତକୁ ହରାଇଥିଲା। ଅର୍ଥାତ ଯେଉଁ ପାକିସ୍ତାନ ୯୩ ହଜାର ସୈନିକଙ୍କ ଆତ୍ମସମର୍ପଣ ଓ ଅଧା ଦେଶ ବିଭାଜନ ପରେ ମଧ୍ୟ ନିଜର ହାରକୁ ସ୍ୱୀକାର କରିନଥିଲା, ସେ ଭଲା ୧୨ଟି ଏୟାରବେସ ଉପରେ ଆକ୍ରମଣ ପରେ କେଉଁମତେ ହାର ମାନିବ?

Leave a Reply

Your email address will not be published. Required fields are marked *