ଏମିତି ଭାରତୀୟ ସିକ୍ରେଟ୍ ପାକିସ୍ତାନକୁ ପାସ୍ କରୁଥିଲା ୟୁଟ୍ୟୁବର ଜ୍ୟୋତି

joti malhotra

କଥାରେ ଅଛି ନୀରିହ ଚେହେରାକୁ ପରତ ଯାଆନି । ପାକିସ୍ତାନୀ ଗୁଇନ୍ଦା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ କ୍ଷେତ୍ରରେ ମଧ୍ୟ କିଛି ଏପରି ଘଟିଛି। ତାଙ୍କର ନୀରିହ ଚେହେରା କାହାର ବି ମନକୁ ମୋହି ନେଇପାରେ। ତାଙ୍କର କଥାବାର୍ତ୍ତାର ଶୈଳୀ ଓ ହାବଭାବ ଏପରି ଯେ ତାଙ୍କ ସାମ୍ନାରେ କେହି ବି ମୁଗ୍ଧ ହୋଇଯାଏ। ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସମୟରେ ନିଜର ଚେହେରାର ମାସୁମିୟତ ଓ ହାବଭାବକୁ ପୂରାପୂରି ବ୍ୟବହାର କରିଥିଲେ। ଏହାର ଫଳସ୍ୱରୂପ ତାଙ୍କୁ ବେଶ୍‌ ଲାଭ ମଧ୍ୟ ମିଳିଥିଲା।

ଦିଲ୍ଲୀରୁ ଅମ୍ବାଲା ଓ ଲାହୋରରୁ କରାଚୀ ପର୍ଯ୍ୟନ୍ତ ତାଙ୍କର ଅନେକ ବନ୍ଧୁ ହୋଇଥିଲେ। ସେ ପ୍ରାୟତଃ ଅଧିକାରୀମାନଙ୍କ ସହ ଛୁଟିରେ ମଧ୍ୟ ଯାଉଥିଲେ। ପୁଲିସ ସୂତ୍ର ଅନୁଯାୟୀ, ପାକିସ୍ତାନୀ ଦୂତାବାସର ଅଧିକାରୀ ଦାନିଶଙ୍କୁ ମଧ୍ୟ ଜ୍ୟୋତି ପ୍ରଥମେ ନିଜ ଜାଲରେ ଫସାଇଥିଲେ ଏବଂ ତାଙ୍କ ସାହାଯ୍ୟରେ ଭିସା ହାସଲ କରିଥିଲେ। କିନ୍ତୁ ପରେ ସେ ନିଜେ ଦାନିଶଙ୍କ ଜାଲରେ ଫସି ପଡ଼ିଥିଲେ। ପାକିସ୍ତାନ ପହଞ୍ଚିବା ପରେ ଦାନିଶଙ୍କ ସହଯୋଗରେ ସେ ସେଠାକାର ଗୁପ୍ତଚର ସଂସ୍ଥାର ଅନେକ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ।

୨୦ ହଜାର ରୋଜଗାରରେ ୧୨ ହଜାରର ଫ୍ଲାଟ
କୁହାଯାଉଛି ଯେ ଜ୍ୟୋତି ପାକିସ୍ତାନରେ ଏପରି ହାବଭାବ ଦେଖାଉଥିଲେ ଯେ ଅଧିକାରୀମାନେ ମଧ୍ୟ ତାଙ୍କ ଆଗପଛ ଘୂରି ବୁଲୁଥିଲେ। ତାଙ୍କ ପିତା ହରିଶ ମଲହୋତ୍ରା ନିଜେ କହିଛନ୍ତି ଯେ ୨୦୨୦ ପୂର୍ବରୁ ଜ୍ୟୋତି ଦିଲ୍ଲୀରେ ରହି ଏକ ଛୋଟ ସଂସ୍ଥାରେ ଚାକିରି କରୁଥିଲେ, ଯେଉଁଠି ତାଙ୍କୁ ମାତ୍ର ୨୦ ହଜାର ଟଙ୍କା ଦରମା ମିଳୁଥିଲା। ତଥାପି, ସେ ୧୨ ହଜାର ଟଙ୍କା ଭଡ଼ାରେ ଫ୍ଲାଟ ନେଇ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରୁଥିଲେ। ସେତେବେଳେ ତାଙ୍କ ଫ୍ଲାଟରେ ବିଦ୍ୟୁତ ବିଲ୍ ହିଁ ୪ରୁ ୫ ହଜାର ଟଙ୍କା ଆସୁଥିଲା। ଏତେ କମ୍ ଦରମା ସତ୍ତ୍ୱେ ସେ ପ୍ରାୟତଃ ବଡ଼ ବଡ଼ ହୋଟେଲକୁ ଯାଉଥିଲେ।

କିପରି ଆସିଲେ ରାଡାରକୁ?
ଅପରେସନ ସିନ୍ଦୁର ସମୟରେ ଭାରତୀୟ ଗୁପ୍ତଚର ସଂସ୍ଥାଗୁଡ଼ିକ ବେଶ୍‌ ସକ୍ରିୟ ଥିଲେ। ସୂତ୍ର ଅନୁଯାୟୀ, ଏହି ସମୟରେ ଏକ ସନ୍ଦେଶକୁ ଟ୍ରାପ କରାଯାଇଥିଲା। ଏହି ସନ୍ଦେଶ ହିସାରରୁ ପାକିସ୍ତାନକୁ ପଠାଯାଇଥିଲା। ଏହି ସନ୍ଦେଶର ଡମ୍ପ ଅନୁସରଣ କରି ମିଲିଟାରୀ ଇଣ୍ଟେଲିଜେନ୍ସ ଜ୍ୟୋତି ମଲହୋତ୍ରାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ସ୍ଥାନୀୟ ପୁଲିସର ସାହାଯ୍ୟରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ସେତେବେଳେ ମଧ୍ୟ ଜ୍ୟୋତିଙ୍କ ମାସୁମ ଚେହେରା ଦେଖି ସ୍ଥାନୀୟ ପୁଲିସ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ମାନିବାକୁ ପ୍ରସ୍ତୁତ ନଥିଲେ। କିନ୍ତୁ ତାଙ୍କ ମୋବାଇଲର କଲ୍ ଡିଟେଲ୍, ଫୋଟୋ-ଭିଡିଓ, ସ୍ନାପଚାଟ ଓ ଟେଲିଗ୍ରାମରେ ଚାଟିଂ ଦେଖି ପୁଲିସର ହୋସ ଉଡ଼ି ଯାଇଥିଲା।

ଜ୍ୟୋତିଙ୍କ ସାଙ୍ଗମାନେ ମଧ୍ୟ ଗିରଫ
ବର୍ତ୍ତମାନ ପୁଲିସ ଜ୍ୟୋତିଙ୍କୁ କୋର୍ଟରେ ହାଜର କରି ଆଗାମୀ ପଚରାଉଚରା ପାଇଁ ୫ ଦିନର ହେପାଜତ ରିମାଣ୍ଡରେ ନେଇଛି। ଏହା ସହ ଜ୍ୟୋତିଙ୍କ ଚିହ୍ନଟ ଓ ସୂଚନା ଆଧାରରେ ତାଙ୍କ ସାଙ୍ଗ ଅରମାନଙ୍କୁ ନୁଂହ ମେୱାତରୁ ଗିରଫ କରାଯାଇଛି। ଅରମାନଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇ ୬ ଦିନର ରିମାଣ୍ଡରେ ନିଆଯାଇଛି। ଏହି କ୍ରମରେ ହରିୟାଣାର ପାନିପତରୁ ନୋମାନ ଇଲାହି ଏବଂ କୈଥଲରୁ ଦେବେନ୍ଦ୍ର ସିଂହ ଢିଲ୍ଲୋଙ୍କୁ ମଧ୍ୟ ଧରାଯାଇଛି। ପୁଲିସ ଏହି ସମସ୍ତଙ୍କଠାରୁ ପଚରାଉଚରା କରୁଛି।

ଗୁଇନ୍ଦା ହେବାର କାହାଣୀ ସାମ୍ନାକୁ ଆସିଲା
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପିତା ହରିଶ ମଲହୋତ୍ରା ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ତାଙ୍କ ଝିଅ ପାକିସ୍ତାନର ଗୁଇନ୍ଦା। ତାଙ୍କୁ ଏପରିକି ଏହା ମଧ୍ୟ ଜଣା ନାହିଁ ଯେ ସେ କେଉଁ କେଉଁ ଦେଶ ବୁଲି ସାରିଛି। ସେ କହିଛନ୍ତି ଯେ ତାଙ୍କୁ କେବଳ ଏତିକି ଜଣା ଯେ ଜ୍ୟୋତି ଭିଡିଓ ତିଆରି କରେ ଏବଂ ୟୁଟ୍ୟୁବରେ ପୋଷ୍ଟ କରେ, ଯେଉଁଥିରୁ ତାଙ୍କୁ ଟଙ୍କା ମିଳେ। କିନ୍ତୁ, ୟୁଟ୍ୟୁବରୁ ତାଙ୍କର କେତେ ରୋଜଗାର ହୁଏ, ତାହା ମଧ୍ୟ ସେ ଜାଣନ୍ତି ନାହିଁ। ହରିଶ ମଲହୋତ୍ରା କହିଛନ୍ତି ଯେ ତାଙ୍କର ଜ୍ୟୋତିଙ୍କ ମାଆଙ୍କ ସହ ବିବାହ ବିଚ୍ଛେଦ ହୋଇଯାଇଛି। ବିବାହ ବିଚ୍ଛେଦ ପରେ ଜ୍ୟୋତି ଦିଲ୍ଲୀରେ ରହି ଚାକିରି କରୁଥିଲେ। ଲକଡାଉନ ସମୟରେ ସେ ଚାକିରି ଛାଡ଼ି ଘରକୁ ଫେରିଥିଲେ ଏବଂ ସେହି ସମୟରୁ ଭିଡିଓ ତିଆରି କରୁଛନ୍ତି। ସେ ନିଜ ଝିଅକୁ ନିର୍ଦ୍ଦୋଷ ବୋଲି କହିଛନ୍ତି, କିନ୍ତୁ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଭିଡିଓ ତିଆରି କରୁଥିବା ସମୟରେ ସେ ପାକିସ୍ତାନୀ ଅଧିକାରୀମାନଙ୍କ ସଂସ୍ପର୍ଶରେ ଆସିଥାଇପାରେ।

Leave a Reply

Your email address will not be published. Required fields are marked *