ପାକିସ୍ତାନ ପ୍ରଥମେ ଆତଙ୍କବାଦୀ ପଠାଇଲା, ତା’ପରେ ଡ୍ରୋନ ପଠାଇଲା ଏବଂ ବର୍ତ୍ତମାନ ଏକ ବିପଜ୍ଜନକ ଭାଇରସକୁ ନିଜର ନୂଆ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଭାରତ ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଛି, ତେଣୁ ଏବେ ପାକିସ୍ତାନ ଇଣ୍ଟରନେଟ ମାଧ୍ୟମରେ ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ପାଇଁ ନୂଆ ଷଡଯନ୍ତ୍ର ରଚୁଛି। ରିପୋର୍ଟ ଅନୁସାରେ, ପାକିସ୍ତାନ ଏବେ ଭାରତ ଉପରେ ସାଇବର ଆକ୍ରମଣର ଯୋଜନା କରୁଛି ଏବଂ ଏଥିପାଇଁ ‘Dance of the Hillary’ ନାମକ ଏକ ବିପଜ୍ଜନକ ଭାଇରସକୁ ଏକ ଫାଇଲରେ ରଖି ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି।
ଆପଣଙ୍କୁ ଯଦି ହ୍ଵାଟସଆପ, ଫେସବୁକ, ଟେଲିଗ୍ରାମ କିମ୍ବା ଇମେଲ ମାଧ୍ୟମରେ କୌଣସି ଅଜଣା ଫାଇଲ ଆସେ, ତେବେ ଭୁଲରେ ମଧ୍ୟ ସେହି ଫାଇଲ ଉପରେ କ୍ଲିକ କରନ୍ତୁ ନାହିଁ। ନଚେତ ଆପଣଙ୍କର ଏହି ଛୋଟ ଅସାବଧାନତା ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ। ଏହି ଫାଇଲରେ ମାଲୱେର ରହିଛି, ଯାହା ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରିପାରେ ଏବଂ ଆପଣଙ୍କୁ ଆର୍ଥିକ କ୍ଷତି ହୋଇପାରେ।
‘Dance of the Hillary’ କ’ଣ ?
ଏହା ଏକ ବିପଜ୍ଜନକ ମାଲୱେର, ଯାହାକୁ ଭିଡିଓ ଫାଇଲ ଏବଂ ଡକ୍ୟୁମେଣ୍ଟ ରୂପେ ପ୍ରଚାର କରାଯାଉଛି। ସୁରକ୍ଷା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ମାଲୱେର ଆପଣଙ୍କ ଡିଭାଇସରେ ପ୍ରବେଶ କରେ, ତେବେ ଏହା ସକ୍ରିୟ ହୋଇଯିବ ଏବଂ ଆପଣଙ୍କର ବ୍ୟାଙ୍କ ବିବରଣୀ ଚୋରି ହେବାର ଆଶଙ୍କା ବୃଦ୍ଧି ପାଇବ। ଏହି ଭାଇରସ ଆପଣଙ୍କ ପାଖରେ ଅଜଣା ଲିଙ୍କ କିମ୍ବା ଆଟାଚମେଣ୍ଟ ରୂପେ ଆସିପାରେ। ଯଦି ଆପଣଙ୍କୁ ‘tasksche.exe’ ନାମକ ଫାଇଲ ମିଳେ, ତେବେ ଏହା ଉପରେ କ୍ଲିକ କରିବାରୁ ବିରତ ରୁହନ୍ତୁ।

ମାଲୱେର ଆକ୍ରମଣରୁ ନିଜକୁ କିପରି ସୁରକ୍ଷିତ ରଖିବେ?
• ଆଣ୍ଟିଭାଇରସ ସଫ୍ଟୱେର ବ୍ୟବହାର କରନ୍ତୁ।
• ଅପରେଟିଂ ସିଷ୍ଟମକୁ ନିୟମିତ ଅପଡେଟ ରଖନ୍ତୁ।
• ସନ୍ଦେହଜନକ ଲିଙ୍କ ଏବଂ ଆଟାଚମେଣ୍ଟ ଉପରେ କ୍ଲିକ କରିବାକୁ ଏଡ଼ାନ୍ତୁ।
• ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ।
• ଆପ୍ ଡାଉନଲୋଡ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ସାଇବର କ୍ରାଇମ ହେଲପଲାଇନ ନମ୍ବର
ଯଦି ଆପଣ ଭୁଲରେ କୌଣସି ଅଜଣା ଫାଇଲ ଉପରେ କ୍ଲିକ କରିଦିଅନ୍ତି ଏବଂ ଯଦି ଆପଣଙ୍କର କୌଣସି କ୍ଷତି ହୁଏ, ତେବେ ବିନା ବିଳମ୍ବରେ 1930 (ନ୍ୟାସନାଲ ସାଇବର କ୍ରାଇମ ହେଲପଲାଇନ ନମ୍ବର) ରେ କଲ କରନ୍ତୁ ଏବଂ ଘଟଣା ସମ୍ପର୍କରେ ସୂଚନା ଦେଇ ଅଭିଯୋଗ ଦାୟର କରନ୍ତୁ।