ଲାଲା କିଲ୍ଲା ଉପରେ ମହିଳାଙ୍କ ଦାବି,ସୁପ୍ରିମକୋର୍ଟ ପଚାରିଲେ ‘ତାଜ ମହଲ କାହିଁକି ନୁହେଁ ?

ଲାଲକିଲା ଉପରେ ଦାବି କରି ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ଜଣେ ମହିଳାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ସୁଲତାନା ବେଗମ ନାମକ ଏହି ମହିଳା ନିଜକୁ ମୋଗଲ ବାଦଶାହ ବାହାଦୁର ଶାହ ଜାଫରଙ୍କର ବଂଶଧର ବୋଲି ଦାବି କରି, ଲାଲ କିଲ୍ଲା ଉପରେ ଅଧିକାର ଦାବି କରିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି, “କେବଳ ଲାଲ କିଲ୍ଲା କାହିଁକି? ଫତେହପୁର ସିକ୍ରି କାହିଁକି ନୁହେଁ? ତାଜମହଲ କାହିଁକି ନୁହେଁ ,ସେଗୁଡ଼ିକୁ ମଧ୍ୟ କାହିଁକି ଛାଡ଼ି ଦିଆଯିବ? ଏହି ଅବେଦନ ସମ୍ପୂର୍ଣ୍ଣ ଭୁଲ ତେଣୁ ଖାରଜ କରାଯାଉଛି।” । ଲାଲ କିଲ୍ଲା ୧୭ଶ ଶତାବ୍ଦୀର ଏକ ମୋଗଲକାଳୀନ ଦୁର୍ଗ ଅଟେ। ଏହା ଦିଲ୍ଲୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାପତ୍ୟ ମଧ୍ୟରେ ଗୋଟିଏ। ଏହି ଦୁର୍ଗକୁ ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କର ପଣନାତିଙ୍କ ବିଧବାଙ୍କୁ ହସ୍ତାନ୍ତର କରିବାକୁ ଦାବି କରାଯାଉଥିଲା। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ସୁଲତାନା ବେଗମଙ୍କର ଆବେଦନ ଉପରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ବିଚାରପତି ଆଶ୍ଚର୍ଯ୍ୟ ପ୍ରକାଶ କରି କହିଥିଲେ, “ଆପଣ ଏହା ଉପରେ ଯୁକ୍ତି କରିବାକୁ ଚାହୁଁଛନ୍ତି କି?”

ସୁଲତାନା ବେଗମ କୋଲକାତା ନିକଟସ୍ଥ ହାୱଡ଼ାରେ ରହନ୍ତି। ସେ ଲାଲ କିଲ୍ଲା ଉପରେ ମାଲିକାନା ଅଧିକାର ଦାବି କରିଥିଲେ। ତାଙ୍କର ଦାବି ଥିଲା ଯେ ସେ ପ୍ରକୃତ ମାଲିକ, ଅର୍ଥାତ୍ ମୋଗଲ ବାଦଶାହଙ୍କର ସିଧାସଳଖ ବଂଶଧର। ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ଇଂରେଜମାନେ ମୋଗଲମାନଙ୍କଠାରୁ ଲାଲ କିଲ୍ଲା ଛଡ଼ାଇ ନେଇଥିଲେ। ବାହାଦୁର ଶାହ ଜାଫର ଦ୍ୱିତୀୟ ଔପନିବେଶିକ ଶାସକମାନଙ୍କ ବିରୁଦ୍ଧରେ ବିଦ୍ରୋହକୁ ସମର୍ଥନ କରିଥିଲେ। ତେଣୁ ତାଙ୍କୁ ଦେଶରୁ ନିର୍ବାସିତ କରାଯାଇଥିଲା ଏବଂ ତାଙ୍କର ଜମି ଓ ସମ୍ପତ୍ତି ଜବତ କରାଯାଇଥିଲା।

ସୁଲତାନା ବେଗମ ସରକାରଙ୍କଠାରୁ ଆର୍ଥିକ ସହାୟତା ମଧ୍ୟ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ସରକାର ତାଙ୍କୁ ଟଙ୍କା ଦିଅନ୍ତି, ତେବେ ସେ ନିଜର ଦାବି ଛାଡ଼ିଦେବେ। ଏହା ପ୍ରଥମ ଥର ନୁହେଁ ଯେ ସେ ଏପରି ଦାବି କରିଛନ୍ତି। ୨୦୨୧ ମସିହାରେ ସେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ କରିଥିଲେ। ସେତେବେଳେ ସୁଲତାନା ବେଗମ କହିଥିଲେ ଯେ ୧୯୬୦ ମସିହାରେ ସରକାର ତାଙ୍କର (ବର୍ତ୍ତମାନ ମୃତ) ସ୍ୱାମୀ ବେଦାର ବଖ୍ତଙ୍କର ଦାବିକୁ ଗ୍ରହଣ କରିଥିଲେ। ବେଦାର ବଖ୍ତ ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କର ବଂଶଧର ଓ ଉତ୍ତରାଧିକାରୀ ଥିଲେ।

ଏହାପରେ ସରକାର ତାଙ୍କୁ ପେନସନ ଦେବା ଆରମ୍ଭ କରିଥିଲେ। ୧୯୮୦ ମସିହାରେ ତାଙ୍କର ମୃତ୍ୟୁ ପରେ ଏହି ପେନସନ ସୁଲତାନା ବେଗମଙ୍କୁ ମିଳିବା ଆରମ୍ଭ ହୋଇଥିଲା। ସୁଲତାନା ବେଗମଙ୍କର ଦାବି ଥିଲା ଯେ ଏହି ପେନସନ ତାଙ୍କର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ନୁହେଁ। ସେ ଅଭିଯୋଗ କରିଥିଲେ ଯେ ସରକାର ‘ଅବୈଧ’ ଉପାୟରେ ଲାଲ କିଲ୍ଲା ଉପରେ ଅଧିକାର କରିଛନ୍ତି। ସେ ଆହୁରି କହିଥିଲେ ଯେ ସରକାର ତାଙ୍କୁ ଯଥେଷ୍ଟ କ୍ଷତିପୂରଣ ଦେଉନାହାନ୍ତି। ଏହା ତାଙ୍କର ସମ୍ପତ୍ତି ଓ ଐତିହାସିକ ଗୁରୁତ୍ୱ ଅନୁଯାୟୀ ଉଚିତ ନୁହେଁ। ସୁଲତାନା ବେଗମଙ୍କର ଦାବି ଥିଲା ଯେ ଏହା ତାଙ୍କର ମୌଳିକ ଅଧିକାର ଓ ସଂବିଧାନର ଅନୁଚ୍ଛେଦ ୩୦ଏର ଉଲ୍ଲଂଘନ। ଅନୁଚ୍ଛେଦ ୩୦ଏ କହୁଛି ଯେ କୌଣସି ବ୍ୟକ୍ତିଙ୍କୁ ତାଙ୍କର ସମ୍ପତ୍ତିରୁ କେବଳ ଆଇନ ଅନୁଯାୟୀ ବଞ୍ଚିତ କରାଯାଇପାରିବ। ତଥାପି, ଦିଲ୍ଲୀ ହାଇକୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଥିଲା। ତିନି ବର୍ଷ ପରେ ସେ ସେହି ନିଷ୍ପତ୍ତି ବିରୁଦ୍ଧରେ ଆପିଲ କରିଥିଲେ। କିନ୍ତୁ ତାହାକୁ ପୁନର୍ବାର ଖାରଜ କରାଯାଇଛି।

Leave a Reply

Your email address will not be published. Required fields are marked *