ଅଟାରି ସୀମାରେ ପାକିସ୍ତାନ କଲା ଏମିତି କାମ, ନିଜ ଦେଶ ଲୋକବି ଦେଉଛନ୍ତି ଗାଳି

ପେହେଲଗାମ ଆକ୍ରମଣ ପରେ ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଅଟାରୀ ସୀମାରେ ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଫେରିଯିବା ପାଇଁ ଅନୁମତି ଦେଇଛନ୍ତି। ତଥାପି, ପାକିସ୍ତାନ ପକ୍ଷରୁ ସକାଳୁ ଗେଟ୍ ଖୋଲାଯାଇନାହିଁ। ପାକିସ୍ତାନ ନିଜ ନାଗରିକମାନଙ୍କୁ ଫେରାଉନାହିଁ କିମ୍ବା ପାକିସ୍ତାନରେ ଫସିଥିବା ଭାରତୀୟ ନାଗରିକମାନଙ୍କୁ ଭାରତ ଆଡ଼କୁ ଫେରିବାକୁ ଦେଉନାହିଁ। ଭାରତୀୟ ଇମିଗ୍ରେସନ୍ କାଉଣ୍ଟରରେ ଅଧିକାରୀମାନେ ପାକିସ୍ତାନ ପକ୍ଷରୁ ଗେଟ୍ ଖୋଲାଯିବାର ଅପେକ୍ଷା କରୁଛନ୍ତି। 

ଅଟାରୀ ସୀମାରେ ସକାଳୁ ଆସିଥିବା ପାକିସ୍ତାନୀ ନାଗରିକମାନେ ଏବେ ବି ଗାଡ଼ିରେ ବସି ପାକିସ୍ତାନ ଯିବାର ଅପେକ୍ଷା କରୁଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଏବେ ପର୍ଯ୍ୟନ୍ତ ଗେଟ୍ ଖୋଲାଯାଇନାହିଁ। ଭାରତ ସରକାରଙ୍କ ନୂଆ ନିର୍ଦ୍ଦେଶକୁ ପାକିସ୍ତାନ ପୁନର୍ବିଚାର କରୁଛି। ପାକିସ୍ତାନ ପକ୍ଷରୁ ଗେଟ୍ ଖୋଲାଗଲେ ବିଏସ୍ଏଫ୍ ଡକ୍ୟୁମେଣ୍ଟ ଯାଞ୍ଚ କରି ପାକିସ୍ତାନୀମାନଙ୍କୁ ସୀମା ଅତିକ୍ରମ କରିବାକୁ ଦେବ। ତା’ପରେ ଇମିଗ୍ରେସନ୍ ଯାଞ୍ଚ ପରେ ପାକିସ୍ତାନୀମାନେ ଫେରିପାରିବେ। ସକାଳୁ ଏପର୍ଯ୍ୟନ୍ତ ଜଣେ ବି ପାକିସ୍ତାନୀ ନାଗରିକ ସୀମା ଅତିକ୍ରମ କରିନାହାନ୍ତି। 

ପାକିସ୍ତାନୀ ମହିଳାମାନଙ୍କର ଯନ୍ତ୍ରଣା 

ସୀମାରେ ପାକିସ୍ତାନ ପକ୍ଷରୁ ଗେଟ୍ ଖୋଲାଯାଇନାହିଁ। ଫଳରେ ଅଟାରୀ ସୀମାରୁ ଭାରତରୁ ପାକିସ୍ତାନ ଆଡ଼କୁ ଯାଉଥିବା ପାକିସ୍ତାନୀ ନାଗରିକମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଏହି ସମୟରେ କିଛି ମହିଳା କାନ୍ଦୁଥିବା ଦେଖାଯାଇଥିଲା ଏବଂ ସେମାନେ ବିଏସ୍ଏଫ୍ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ପାକିସ୍ତାନ ଆଡ଼କୁ ଯିବାକୁ ଦିଅନ୍ତୁ, ସେମାନେ ପାକିସ୍ତାନ ଇମିଗ୍ରେସନ୍ ଅଧିକାରୀଙ୍କୁ ଅନୁରୋଧ କରି ଗେଟ୍ ଖୋଲିଦେବେ। 

ତେବେ, ବିଏସ୍ଏଫ୍ ଅଧିକାରୀମାନେ ସେମାନଙ୍କୁ ଜଣାଇଥିଲେ ଯେ ପ୍ରୋଟୋକଲ୍ ଅନୁଯାୟୀ ଉଭୟ ଦେଶର ଇମିଗ୍ରେସନ୍ କାଉଣ୍ଟର ଖୋଲା ଥିବା ଆବଶ୍ୟକ, ତାହାପରେ ହିଁ ଜଣେ ପାକିସ୍ତାନୀ ନାଗରିକ କାଗଜପତ୍ର ଯାଞ୍ଚ ପରେ ଅନ୍ୟ ପାର୍ଶ୍ୱକୁ ଯାଇପାରିବେ। ବର୍ତ୍ତମାନ ପାକିସ୍ତାନ ଇମିଗ୍ରେସନ୍ ପକ୍ଷରୁ ପାକିସ୍ତାନୀ ନାଗରିକମାନଙ୍କୁ ଗ୍ରହଣ କରିବା ସମ୍ପର୍କରେ କୌଣସି ସୂଚନା ନାହିଁ। ଅନେକ ଅସୁବିଧାରେ ପଡ଼ିଥିବା ପାକିସ୍ତାନୀ ଯାତ୍ରୀ ଅମୃତସର ଆଡ଼କୁ ଫେରିଗଲେ। ସେମାନେ କହିଛନ୍ତି ଯେ ରାତିରେ ହୋଟେଲରେ ରହିବେ ଏବଂ ସକାଳେ ପୁଣି ଅଟାରୀ ସୀମାରୁ ପାକିସ୍ତାନ ଯିବାକୁ ଚେଷ୍ଟା କରିବେ।

 ଭାରତ ସରକାରଙ୍କ ନୂଆ ନିର୍ଦ୍ଦେଶ କ’ଣ? 

ଅଟାରୀ ଅନ୍ତର୍ଜାତୀୟ ସୀମା ବନ୍ଦ କରିବା ନିଷ୍ପତ୍ତି ଉପରେ ଭାରତ ସରକାର ମେ ୧ ତାରିଖରେ ପାକିସ୍ତାନୀ ନାଗରିକମାନଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ମେ ୧ ତାରିଖରୁ ଅଟାରୀ ଅନ୍ତର୍ଜାତୀୟ ସୀମାରେ ସମସ୍ତ ଯାତାୟାତ ଏବଂ ବାଣିଜ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ନିର୍ଦ୍ଦେଶ ସତ୍ତ୍ୱେ, ପାକିସ୍ତାନୀ ନାଗରିକମାନଙ୍କୁ ଏବେ ବି ସୀମା ଅତିକ୍ରମ କରିବାର ଆସ୍ବସ୍ତି ଦିଆଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭାରତରେ ଥିବା ପାକିସ୍ତାନୀ ନାଗରିକମାନେ ଅଟାରୀ ସୀମାରୁ ନିଜ ଦେଶକୁ ଫେରିପାରିବେ। 

ବୈଧ ଟ୍ରାଭେଲ୍ ଭିସା, ସମସ୍ତ ଦସ୍ତାବିଜ୍ ଦେଖାଇ ଏବଂ କୌଣସି କାରଣରୁ ଭାରତରେ ଫସିଥିବା ନାଗରିକମାନଙ୍କୁ ଏବେ ବି ସୀମା ଅତିକ୍ରମ କରିବାର ଅନୁମତି ଦିଆଯିବ। ଏହାପୂର୍ବରୁ ଭାରତ ସରକାର ମେ ୧ ତାରିଖରେ ଅଟାରୀ ସୀମାରୁ ସମସ୍ତ ନାଗରିକ ଯାତାୟାତ ଏବଂ ବାଣିଜ୍ୟ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ, ଏବେ ପାକିସ୍ତାନୀ ନାଗରିକମାନେ ଭାରତ ସରକାରଙ୍କଠାରୁ ବଡ଼ ଆସ୍ବସ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *