ଭାରତର ଆକ୍ରମଣର ଆଶଙ୍କାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବାରମ୍ବାର ତାଙ୍କ ଭୟକୁ ପ୍ରକାଶ କରୁଛନ୍ତି ଏବଂ ବିଦେଶୀ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ପାକ୍ ପକ୍ଷ ରଖୁଛନ୍ତି। ଏହା ମନେକରାଯାଉଛି ଯେ ଖ୍ୱାଜା ଆସିଫ ଅନ୍ତର୍ଜାତୀୟ ସମୁଦାୟକୁ ମଧ୍ୟସ୍ଥତା କରିବା ପାଇଁ ମନାଇବା ଲାଗି ଏମିତି କରୁଛନ୍ତି । ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଏକାକୀ ହୋଇପଡ଼ିଛି। ଅନ୍ୟପକ୍ଷରେ, ପେହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରମାଣୁ ବୋମା ପ୍ରୟୋଗ ଧମକ ଦେଉଥିବା ପାକିସ୍ତାନର ବଡ଼ବୋଲା ନେତାମାନଙ୍କର ଆଭିମୁଖ୍ୟ ଏବେ ଢିଲା ପଡ଼ିବା ଆରମ୍ଭ ହୋଇଛି। ଭାରତ ବିରୋଧରେ ପରମାଣୁ ଆକ୍ରମଣ ଧମକ ଦେଉଥିବା ବରିଷ୍ଠ ରାଜନେତା ତଥା ସତ୍ତାଧାରୀ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ପାର୍ଟିର ବଡ଼ବୋଲା ନେତା ଖ୍ୱାଜା ଆସିଫଙ୍କ ସ୍ୱର ଏବେ ବଦଳି ଯାଇଛି। ସେ ଏବେ କହିଛନ୍ତି ଯେ, “ପାକିସ୍ତାନ ଉଚ୍ଚ ସତର୍କ ଅବସ୍ଥାରେ ଅଛି, କିନ୍ତୁ ସେ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର କେବଳ ସେତେବେଳେ ବ୍ୟବହାର କରିବ, ଯେତେବେଳେ ‘ଆମର ଅସ୍ତିତ୍ୱକୁ ସିଧାସଳଖ ବିପଦ ହେବ।'” ଯଦିଓ ନୱାଜ ଶରୀଫଙ୍କ ପାର୍ଟି ଐତିହାସିକ ଭାବେ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ଚେଷ୍ଟା କରିଆସିଛି।
ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମୁହମ୍ମଦ ଆସିଫ ଇସଲାମାବାଦରେ ତାଙ୍କ କାର୍ଯ୍ୟାଳୟରେ ରୟଟର୍ସକୁ ସୋମବାର ଦିଆଯାଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଆମେ ଆମର ସେନାକୁ ଶକ୍ତିଶାଳୀ କରିଛୁ, କାରଣ ଭାରତର ଆକ୍ରମଣ ନିଶ୍ଚିତ ଅଟେ। ତେଣୁ ସେହି ପରିସ୍ଥିତିରେ କିଛି ରଣନୀତିକ ନିଷ୍ପତ୍ତି ନେବାକୁ ହେବ ଏବଂ କିଛି ନିଷ୍ପତ୍ତି ନିଆଯାଇଛି।” ଯଦିଓ ସେ କେଉଁ ନିଷ୍ପତ୍ତି ନିଆଯାଇଛି ତାହା ପ୍ରକାଶ କରି ନାହାନ୍ତି। କିନ୍ତୁ ଏହା ମଧ୍ୟରେ ପାକିସ୍ତାନରେ କେଉଁଠାରେ ପରମାଣୁ ଆଡ୍ଡା ରହିଛି, ତାହା ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ।
ପାକିସ୍ତାନର ପରମାଣୁ ଆଡ୍ଡା ସବୁ କେଉଁଠି ଅଛି ?
ପାକିସ୍ତାନର ପରମାଣୁ ଠିକଣା ସମ୍ପର୍କରେ ୧୧ ସେପ୍ଟେମ୍ବର ୨୦୨୩ରେ ପ୍ରକାଶିତ ବୁଲେଟିନ ଅଫ ଦି ଆଟୋମିକ ସାଇନ୍ଟିଷ୍ଟସରେ ଏକ ବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା ‘୨୦୨୩ ପାକିସ୍ତାନ ନ୍ୟୁକ୍ଲିୟର ହ୍ୟାଣ୍ଡବୁକ’। ଏଥିରେ ଅନୁମାନ କରାଯାଇଛି ଯେ ପାକିସ୍ତାନ ପାଖରେ ପ୍ରାୟ ୧୭୦ଟି ପରମାଣୁ ଅସ୍ତ୍ର ରହିଛି ।। ଫେଡେରେସନ ଅଫ ଆମେରିକାନ ସାଇନ୍ଟିଷ୍ଟସର ନ୍ୟୁକ୍ଲିୟର ଇନଫର୍ମେସନ ପ୍ରୋଜେକ୍ଟର ଗବେଷକ ଏଲିୟାନା ଜୋନ୍ସ ଏବଂ ମ୍ୟାଟ କୋର୍ଡା ପାକିସ୍ତାନର ପରମାଣୁ ଠିକଣା, ବାୟୁସେନା ଷ୍ଟେସନରେ ଅଧିକ ଓ୍ୱାରହେଡ଼ ବିଷୟରେ ସୂଚନା ଦେଇଛନ୍ତି। ଏହାର ବିଶ୍ଳେଷଣ ସାଟେଲାଇଟ ଚିତ୍ର ମାଧ୍ୟମରେ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାହୁଟା ଏବଂ ଗଡ଼ୱାଲରେ ବିଖଣ୍ଡନୀୟ ପଦାର୍ଥ ଉତ୍ପାଦନ ସୁବିଧା ରହିଛି ଏବଂ ଏହା ବିଷୟରେ ୟୁରେନିୟମ ସମୃଦ୍ଧିକରଣ ସଂଯନ୍ତ୍ର ଥିବା ଦାବି କରାଯାଇଛି। ରିପୋର୍ଟରେ ଚାରୋଟି ଭାରୀ ଜଳ ପ୍ଲୁଟୋନିୟମ ଉତ୍ପାଦନ ରିଆକ୍ଟରର ମଧ୍ୟ ଚିହ୍ନଟ କରାଯାଇଛି। ଏହା ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଖୁଶାବଠାରୁ ପ୍ରାୟ ୩୩ କିଲୋମିଟର ଦକ୍ଷିଣରେ ଖୁଶାବ କମ୍ପ୍ଲେକ୍ସରେ ନିକଟରେ ନିର୍ମିତ ହୋଇଛି। ଇସଲାମାବାଦର ପୂର୍ବରେ ନିଲୋର ଏବଂ ଚଶ୍ମା କମ୍ପ୍ଲେକ୍ସରେ ନ୍ୟୁ ଲ୍ୟାବସ ରିପ୍ରୋସେସିଂ ପ୍ଲାଣ୍ଟର ସାଟେଲାଇଟ ଚିତ୍ରରେ ମଧ୍ୟ ବିସ୍ତାର ଦେଖାଯାଇଛି।
ରିପୋର୍ଟ ଅନୁଯାୟୀ, ଏହା ବ୍ୟତୀତ ରାଜଧାନୀ ଇସଲାମାବାଦର ପଶ୍ଚିମରେ କାଲା ଚିଟ୍ଟା ଡାହର ପର୍ବତ ଶୃଙ୍ଖଳାରେ, ପାକିସ୍ତାନ ତା’ର ପଶ୍ଚିମାଞ୍ଚଳରେ (ଯେଉଁଠାରେ ସେମାନେ ମିସାଇଲ ତିଆରି କରନ୍ତି ଏବଂ ପରୀକ୍ଷଣ କରନ୍ତି) ପରମାଣୁ ସଂଯନ୍ତ୍ର ରହିଛି। ଏହା ବ୍ୟତୀତ ପୂର୍ବାଞ୍ଚଳରେ (ଫତେହ ଜଙ୍ଗର ଉତ୍ତରରେ ଗୋଟିଏ, ଯେଉଁଠାରେ ସେମାନେ ମିସାଇଲ ଚଳାଇବା ଏବଂ ଫାୟାର କରୁଥିବା ଲଞ୍ଚରକୁ ଏକତ୍ର କରନ୍ତି) ପରମାଣୁ-ସକ୍ଷମ ମିସାଇଲ ଏବଂ ସେମାନଙ୍କର ମୋବାଇଲ ଲଞ୍ଚର ଠିକଣାର ବିକାଶ କରାଯାଇଛି। ସାଟେଲାଇଟ ଚିତ୍ର ମାଧ୍ୟମରେ ଜଣାପଡ଼ିଛି ଯେ ବାଲିଷ୍ଟିକ ଏବଂ କ୍ରୁଜ ମିସାଇଲ ପାଇଁ ଟିଇଏଲ ଚେସିସର ଉପସ୍ଥିତି ଏହି ଅଞ୍ଚଳରେ ଦେଖାଯାଇଛି। ରିପୋର୍ଟ ଅନୁଯାୟୀ, ଫତେହ ଜଙ୍ଗ ଅଞ୍ଚଳକୁ ପାକିସ୍ତାନ ବେଶ ବିକଶିତ କରିଛି। ଏହି ଅଞ୍ଚଳରେ ଗତ ୧୦ ବର୍ଷ ମଧ୍ୟରେ ଲଞ୍ଚର ସ୍ଥାପନ ପାଇଁ ନୂଆ ଅଟ୍ଟାଳିକା ନିର୍ମାଣ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ତରନାୱା ଏବଂ ତକ୍ଷଶିଲା ଅଞ୍ଚଳ ନିକଟରେ ମଧ୍ୟ ପାକିସ୍ତାନ ଅନ୍ୟାନ୍ୟ ଲଞ୍ଚର ପ୍ୟାଡ଼ ନିର୍ମାଣ କରିଛି।
ପାକିସ୍ତାନର ପରମାଣୁ ଆଡ୍ଡା
– ପଞ୍ଜାବ ପ୍ରାନ୍ତର ରାୱଲପିଣ୍ଡି ନିକଟରେ କାହୁଟା (ୟୁରେନିୟମ ସମୃଦ୍ଧିକରଣ)
– ପଞ୍ଜାବ ପ୍ରାନ୍ତର ମିୟାଁୱାଲିରେ ଚଶ୍ମା (ସିଭିଲ ନ୍ୟୁକ୍ଲିୟର ପାୱାର ରିଆକ୍ଟର)
– ଜାବ ପ୍ରାନ୍ତର ଝାଙ୍ଗ ଜିଲ୍ଲା ନିକଟରେ ଖୁଶାବ (ପ୍ଲୁଟୋନିୟମ ଉତ୍ପାଦନ ପାଇଁ ଭାରୀ ଜଳ ରିଆକ୍ଟର)
– ପଞ୍ଜାବ ପ୍ରାନ୍ତରେ ସରଘୋଧା (ପରମାଣୁ ଅସ୍ତ୍ରବାହୀ ମିସାଇଲର ଭଣ୍ଡାର)
– ପଞ୍ଜାବ ପ୍ରାନ୍ତରେ ମିୟାଁୱାଲି (ପରମାଣୁ ଅସ୍ତ୍ର ତୈନାତି ପାଇଁ ମିସାଇଲ ବେସ)
– ରାୱଲପିଣ୍ଡି ନିକଟରେ ୱାହ (ପରମାଣୁ ବୋମାର ଏସେମ୍ବଲି କାମ)
– କରାଚୀ (ନାଗରିକ ପରମାଣୁ ଶକ୍ତି ସଂଯନ୍ତ୍ର)
– କରାଚୀ ନିକଟରେ ମାସରୁର ଏୟାରବେସ (ପରମାଣୁ ବୋମା ବହନ କରୁଥିବା ବିମାନ (ଏଫ-୧୬, ମିରାଜ) ପାଇଁ ବେସ)

ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ଖୁଶାବ ଏବଂ କାହୁଟା ଭାରତର ପ୍ରାଥମିକ ଲକ୍ଷ୍ୟ ହେବ। ଏହା ବ୍ୟତୀତ, ସରଘୋଧା ଏବଂ ମାସରୁରରେ ପାକିସ୍ତାନର ମିସାଇଲ ଲଞ୍ଚିଂ ପ୍ୟାଡ଼କୁ ମଧ୍ୟ ଭାରତ ନିଶାନା କରିବାକୁ ଚିନ୍ତା କରିପାରେ। ଏହା ବ୍ୟତୀତ, ପାକିସ୍ତାନ ତା’ର ଟାକ୍ଟିକାଲ ପରମାଣୁ କେନ୍ଦ୍ରଗୁଡ଼ିକୁ ପଞ୍ଜାବର ଦକ୍ଷିଣ ଅଞ୍ଚଳରେ ନିର୍ମାଣ କରିଛି, ଯାହାକୁ ମଧ୍ୟ ଭାରତ ନିଶାନା କରି ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିପାରେ।